ସେଲିବ୍ରିଟିଙ୍କ ରୋଷେଇଶାଳା: ଅର୍ଚ୍ଚିିତାଙ୍କ ଦହି ପନିର

ରୋଷେଇ କରିବା ଅଧିକାଂଶ ଝିଅଙ୍କ ପସନ୍ଦ। ସେଥିପାଇଁ ସେମାନେ ବିବାହ ପୂର୍ବରୁ ମା’, ମାଉସୀ, ଖୁଡ଼ୀ ଓ ଭାଉଜଙ୍କ ଭଳି ସଂପର୍କୀୟଙ୍କ ପାଖରୁ ରୋଷେଇ ଶିଖିଥାଆନ୍ତି। ଅାଉ ବିବାହ ପରେ ଶାଶୂଘରେ ପ୍ରଥମେ ରୋଷେଇ କରି ଖୁଆଇବାର ଆନନ୍ଦ ମଧ୍ୟ ଅଲଗା। ଓଲିଉଡ୍‌ର ଆଗଧାଡ଼ିର ନାୟିକା ଅର୍ଚ୍ଚିତା ସାହୁ ମଧ୍ୟ ତାଙ୍କ ଶାଶୂଘରେ ପ୍ରଥମ ରୋଷେଇ କରି ପ୍ରଂଶସା ସାଉଁଟିଛନ୍ତି। ସେ କହନ୍ତି, ‘‘କୁହାଯାଏ ଶାଶୂଘରକୁ ଗଲେ ପ୍ରଥମେ ମାଛ ଅାଉ ଶାଗ ରନ୍ଧାଯାଏ। ମତେ ଯେତେବେଳେ କୁହାଗଲା ରାନ୍ଧିବା ପାଇଁ ମଁୁ ପ୍ରଥମେ ଦ୍ବନ୍ଦ୍ବରେ ପଡ଼ିଯାଇଥିଲି ଯେ, ସ୍ବାଦିଷ୍ଠ ରୋଷେଇ କରିପାରିବି କି ନାହିଁ। କିନ୍ତୁ ମୋ ହାତରନ୍ଧା ମାଛ ତରକାରି ଓ ଶାଗ ଏତେ ସ୍ବାଦିଷ୍ଠ ହୋଇଥିଲା ଯେ ମଁୁ ନିଜେ ବି ବିଶ୍ବାସ କରିପାରି ନ ଥିଲି। ସବ୍ୟସାଚୀଙ୍କୁ ଏହା ବହୁତ ପସନ୍ଦ ଆସିଥିଲା। ଆସିଥିବା ଅତିଥି ଓ ଶାଶୂଘର ଲୋକେ ମଧ୍ୟ ବହୁତ ପ୍ରଶଂସା କରିଥିଲେ। ଏହାବାଦ୍‌ ପନିର ‌ମୋର ବହୁତ ପସନ୍ଦ। ତେଣୁ ମଁୁ ଅତି ସହଜ ପ୍ରଣାଳୀରେ ଗୋଟେ ପନିର ଆଇଟମ୍‌ ତିଆରି କରେ। ଆଉ ଏହା ମଧ୍ୟ ଜଲ୍‌ଦି ହୋଇଥାଏ। ତା’ର ନାଁ ହେଉଛି ଦହି ପନିର। ଆସନ୍ତୁ ଜାଣିବା କେମିତି ତିଆରି ହୁଏ ଏହି ତରକାରି।
ଆବଶ୍ୟକ ସାମଗ୍ରୀ
ପନିର, ଦହି, ଧନିଆ ଗୁଣ୍ଡ, ଜିରାଗୁଣ୍ଡ, ହଳଦୀ, ଲୁଣ, କସୁରୀ ମେଥିପତ୍ର, ଟମାଟୋ ଓ ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ପନିରକୁ କାଟି ସେଥିରେ ଧନିଆ ଗୁଣ୍ଡ, ଜିରାଗୁଣ୍ଡ, ହଳଦୀ, ଲୁଣ ଆଦି ମିଶାଇ କିଛି ସମୟ ରଖିଦେବା। ପରେ ଅନ୍ୟ ଏକ କଡ଼େଇରେ ‌ତେଲ ଗରମ କରି ସେଥିରେ ଟିକେ ଜିରା ଫୁଟାଇବା। ତା’ପରେ ଟମାଟୋ ବାଟି ତା’ ରସ ପକାଇ କିଛି ସମୟ ଭାଜିବା। ସେଥିରେ ଅଳ୍ପ କସୁରୀ ମେଥି ପକାଇ ଦୁଇ ମିନିଟ୍‌ ଭାଜିବା। ଏହାପରେ ଏଥିରେ ମସଲାରେ ଗୋଳା ହୋଇଥିବା ପନିରକୁ ପକାଇ ପାଣି ଦେଇ କିଛି ସମୟ ଫୁଟାଇଦେବା। ଅଳ୍ପ ଥଣ୍ଡା ହୋଇଗଲା ପରେ ସେଥିରେ ଦହି ପକାଇ ଗୋଳାଇ ଦେବା ଏବଂ ଉପରେ ସଜେଇବା ପାଇଁ ଧନିଆପତ୍ର ପକାଇଦେବା। ଏଥର ପ୍ରସ୍ତୁତ ହୋଇଯିବ ଦହି ପନିର। ଗରମ ଗରମ ଏହାକୁ ରୁଟି ଓ ଭାତ ସହିତ ଖିଆଯାଇପାରିବ।

ସମ୍ବନ୍ଧିତ ଖବର