ପିଲାଟି ଦିନରୁ ସେ ଗୀତ ବୋଲିବାକୁ ଖୁବ୍ ଭଲ ପାଉଥିଲେ। ଯେବେ କିଏ ଲକ୍ଷ୍ମୀ ପୁରାଣ କି ସାବିତ୍ରୀ ବ୍ରତ କିମ୍ବା ରାଧାକୃଷ୍ଣ ବ୍ରତ ଆଦି ବହି ପଢ଼ିବାକୁ ଡାକୁଥିଲେ ସେ ଖୁସି ହୋଇ ଯାଉଥିଲେ। ସ୍କୁଲ୍ ବୟସରୁ ସଂଗୀତ ଶିଖିବାର ନିଶା ଆଜି ତାଙ୍କୁ ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀର ମାନ୍ୟତା ଦେଇଛି। ‘ବଉଳା ଗାଈର ଚାନ୍ଦ ବାଛୁରୀ...’, ‘ହାଏରେ ହାଏ ମୋ କହ୍ନେଇ ରାଜା..’, ‘ପ୍ରଭାତୁ ଉଠିବୁ ଆଲୋ ସଜନୀ ମୋର...’ ଓ ‘କଳା ଯାଦୁଗର...’ ଆଦି ଏମିତି ଏକାଧିକ ଲୋକପ୍ରିୟ ଭଜନ କଣ୍ଠଶିଳ୍ପୀ ମାନସୀ ପାତ୍ରଙ୍କୁ ଓଡ଼ିଶାର ଘରେ ଘରେ ସୁପରିଚିତ କରାଇଛି। ତାଙ୍କର ପ୍ରଥମ ଭଜନ ଆଲବମ୍ ‘ମୋହ ମାୟା ଅଢ଼େଇଦିନ’ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ବୋଲି କହିଛନ୍ତି ମାନସୀ।
ଜଣେ ସୁଗାୟିକା ହେବା ସହ ମାନସୀଙ୍କର ରାନ୍ଧଣାରେ ମଧ୍ୟ ରୁଚି ରହିଛି। ତାଙ୍କର ସ୍ବର ଯେମିତି ମିଠା ହାତରନ୍ଧା ବି ସେମିତି ସ୍ବାଦିଷ୍ଠ। ସେ କହନ୍ତି, ‘‘ଛୋଟବେଳୁ ମଁୁ କେବେ ରୋଷେଇ କରି ନଥିଲି। ବାହାଘର ପରେ ମୋ ସ୍ବାମୀ ହିଁ ମତେ ସବୁ ରୋଷେଇ ଶିଖାଇଛନ୍ତି। ଅଳ୍ପ ସମୟରେ କିପରି ଭଲ ରୋଷେଇ ହୋଇପାରିବ ତାହା ମୁଁ ଶିଖିଯାଇଛି। ରୋଷେଇର ପ୍ରଥମ ଦିନ କଥା ମନେ ପଡ଼ିଲେ ଅାଜି ବି ହସ ଲାଗେ। ସେଦିନ ମତେ ଭଜା କରିବାକୁ ଦିଆଯାଇଥିଲା। ଜାଣିନି ଭଜାରେ ପାଣି ଦିଆଯାଏନି ବୋଲି ସେଥିପାଇଁ ମୋ ଭଜାଟି ସନ୍ତୁଳା ହୋଇଯାଇଥିଲା। ତା’ପରଠାରୁ ପ୍ରତ୍ୟେକ ଭୁଲ୍ରୁ ହିଁ ମୁଁ ଶିକ୍ଷା କରିଥିଲି। ଆଉ ଏବେ ଚଟାପଟ୍ ରୋଷେଇ କରିଦେଉଛି। ଆମିଷଠାରୁ ଅଧିକ ନିରାମିଷ ଖାଦ୍ୟ ଖାଉଥିବାରୁ ପନିର ଉପରେ ଅଧିକାଂଶ ରେସିପି କରିଥାଏ। ଚାଲନ୍ତୁ ଆଜି ତିଆରି କରିବା ‘ପନିର ଭର୍ତ୍ତା’।’’
ପ୍ରସ୍ତୁତି ପ୍ରଣାଳୀ
l ପ୍ରଥମେ ଗୋଟେ କଡ଼େଇରେ ଜିରା ଓ ସୋରିଷ ସହ ଭୁର୍ସୁଙ୍ଗ ପତ୍ର ଫୁଟାଇଦେବା।
l ସେଥିରେ ଛୋଟ ଛୋଟ କରି କଟାଯାଇଥିବା କଞ୍ଚା ଲଙ୍କା, ଚୂନାଚୂନା କରି କଟାଯାଇଥିବା ରସୁଣକୁ ଭଲ ଭାବେ ଭାଜିଦେବା।
l ଏହାପରେ ଅଧିକ ପରିମାଣର ଚୂନା ପିଆଜକୁ ଭଲ ଭାବେ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜିବା।
l ତା’ପରେ ସେଥିରେ ଟମାଟୋକୁ ପକାଇ ଭଲ ଭାବେ ଜାରି ଦେବା।
l ସେଥିରେ ଚାମଚେ ହଳଦୀ ଏବଂ ସ୍ବାଦ ଅନୁସାରେ ଲଙ୍କାଗୁଣ୍ଡ, ଲୁଣ, ଜିରାଗୁଣ୍ଡ, ଧନିଆଗୁଣ୍ଡ ପକାଇବା। ଏହାପରେ ଗରମ ମସଲାଗୁଣ୍ଡ ପକାଇ ଭଲ ଭାବେ କଷି ଦେବା। (ଏଥିରେ ମୁଁ ଘର ତିଆରି ମସଲା ପକାଇଥାଏ)
l ଏହାପରେ ପନିରକୁ ହାତରେ ଚକଟି କିମ୍ବା ଛେଲାରେ ଛେଲି ସେହି କଷାରେ ପକାଇ କିଛି ସମୟ ଏପଟ ସେପଟ କରିଦେବା।
l ଶେଷରେ ସେଥିରେ ଅଳ୍ପ କସୁରୀ ମେଥି ଓ ଧନିଆ ପତ୍ର ପକାଇ ଓହ୍ଲାଇଦେବା।
ଏବେ ପ୍ରସ୍ତୁତ ହୋଇଗଲା ଆମର ‘ପନିର ଭର୍ତ୍ତା’। ପିଲାଙ୍କ ଟିଫିନ୍ରେ ପରଟା କିମ୍ବା ରୁଟି ସହ ଏହା ଦେଇହେବ। ଏହାକୁ ତିଆରି କରିବା ପାଇଁ ଖୁବ୍ କମ୍ ସମୟ ଲାଗିଥାଏ।
ମାନସୀଙ୍କ ଟିପ୍ସ୍: ପ୍ରେସର୍ କୁକର୍ ସିଟି ଆସି ସାରିଲା ପରେ କୌଣସି ଖାଦ୍ୟ ଅଧିକ ସମୟ ନ ଶିଝିବା ପାଇଁ କୁକର୍ର ସିଟିକୁ ଟେକିବା ଅନୁଚିତ। ଏହାଦ୍ବାରା ସେଥିରେ ଥିବା ପାଣି ବାହାରକୁ ବାହାରି ଆସେ ନଚେତ୍ କୁକର୍ଟି ଫାଟିଯିବାର ଭୟ ଥାଏ। ସେଥିପାଇଁ ସିଟି ଆସି ସାରିଲା ପରେ ପ୍ରେସର କୁକର୍ଟିକୁ ପାଣି ଟ୍ୟାପ୍ ତଳେ ଦେଖାଇଦେଲେ ଆରାମରେ ସିଟି ଖୋଲିଯାଇଥାଏ।