ଘରେ ରୋଷେଇ ସାଧାରଣତଃ ମହିଳାଙ୍କ କାମ ବୋଲି କୁହାଯାଏ। ମା’ ହାତରନ୍ଧା ଖାଦ୍ୟ ଆମ ସମସ୍ତଙ୍କର ପ୍ରିୟ। ପିଲାଟିଏ ଯେତେ ଦୂରରେ ଥିଲେ ବି ଛୁଟିରେ ଘରକୁ ଫେରିଲେ ମା’ ଆଗରେ ଅଳି କରି ବସେ, ‘ମା’ ଆଜି ଏଇଟା କରିବୁ, ସେଇଟା କରିବୁ’। ସେଥିପାଇଁ ମା’କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ। ଏବେ କିନ୍ତୁ ଅନେକ ପରିବର୍ତ୍ତନ ଆସିଲାଣି। ଚାକିରି ହେଉ ଅବା ରୋଷେଇଘର, ସ୍ବାମୀ ସ୍ତ୍ରୀ ଉଭୟ ସମ୍ଭାଳୁଛନ୍ତି। ସିନେ ଜଗତର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ମଞ୍ଚ ବା ସିନେମାରେ ଯେପରି ହାସ୍ୟରସ ପରିବେଷଣ କରି ଦର୍ଶକଙ୍କୁ ଖୁସି ଦିଅନ୍ତି ସେମିତି ନୂଆ ନୂଆ ରୋଷେଇ ଆଇଟମ୍‌ ପରିବେ‌ଷଣ କରି ‌ ପରିବାର ଲୋକଙ୍କ ମନକୁ ଜିଣନ୍ତି।

Advertisment

ଟିକେ ମଜା କରି ପପୁ କହନ୍ତି, ‘‘ପୁରୁଷଙ୍କ ହାତରନ୍ଧା ରୋଷେଇର ସ୍ବାଦ ମହିଳାଙ୍କ ପାଖେ ନାହିଁ! ମୋର ରୋଷେଇ କ୍ଷେତ୍ରରେ ଛୋଟବେଳୁ ଦୁର୍ବଳତା ରହିଛି। ବିଭିନ୍ନ ପ୍ରକାର ନୂଆ ଆଇଟମ୍‌ କରି ମୋର ପରିବାରଙ୍କୁ ଖୁଆଏ। ଆଉ ମୋ ଧର୍ମପତ୍ନୀଙ୍କ ବରାଦ ଯଦି ଅଛି ମାନେ ରୋଷେଇ ନ କରି ବାହାରକୁ ବାହରି ପାରିବିନି। ସ୍ତ୍ରୀ ‌ଆଜି ସବୁ ରୋଷେଇ ମୋ’ଠାରୁ ଶିଖିଛନ୍ତି। ଆମିଷ ନିରାମିଷ ଦୁଇଟିଯାକ ରୋଷେଇ ଭଲ କରେ। ଆଉ ଏହିସବୁ ମୋ ଜେଜେଙ୍କଠାରୁ ଶିଖିଛି। ବହୁତ ସହଜ ଉପାୟରେ କିପରି ସ୍ବାଦ ଆଣିହେବ ସେଇଟା ହିଁ ହେଉଛି କଳା। ଆଉ ସେହି ଭିତରୁ ଖାସ୍‌ ବ୍ୟାଚ୍‌ଲର୍‌ମାନଙ୍କ ପାଇଁ ରହିଛି ମୋର ନିଜ ତିଆରି ରେସିପି ଚିକେନ୍ ପମ୍‌ପମ୍‌। ଏହା ସମ୍ପୂର୍ଣ୍ଣ ନିରାମିଷ! ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏହା ସତ ଯେ ଏଥିରେ ପିଆଜ ଓ ରସୁଣ ବ୍ୟବହାର କରାଯାଇ ନାହିଁ। ଏହା ସମ୍ପୂର୍ଣ୍ଣ ମୟୂରଭଞ୍ଜିଆ ଷ୍ଟାଇଲ୍‌।’’