ଭଜା- ଓଡ଼ିଆ ଘରର ଏକ ଅତି ସାଧାରଣ ବ୍ୟଞ୍ଜନ। ଆଳୁଭଜା, କୋବିଭଜା, ଝୁଡ଼ଙ୍ଗଭଜା ଆଦି ଆପଣ ଖାଇଥିବେ ନିଶ୍ଚିତ। ହେଲେ ଚିକେନ ଭଜା ଖାଇଛନ୍ତି କି? ସେ ବି ପୁଣି ତେଲ, ମସଲା ବା କୌଣସି ଅଦାରସୁଣ ବଟା ବିନା। ତେବେ ଆସନ୍ତୁ ଟିଭି ଜଗତର ସବୁଠାରୁ ଫିଟ୍ ଓ ହ୍ୟାଣ୍ଡ୍ସମ୍ ଅଭିନେତା ସୁକାନ୍ତ ରଥଙ୍କ ହାତ ତିଆରି ତଥା ଅତିପ୍ରିୟ ବ୍ୟଞ୍ଜନ ‘ଚିକେନ ଭଜା’ ପ୍ରସ୍ତୁତି ପ୍ରଣାଳୀ ଜାଣିବା। ସୁକାନ୍ତ କହନ୍ତି, ‘‘ମୁଁ ଖାଦ୍ୟପ୍ରିୟ ନୁହେଁ। ସ୍ବାସ୍ଥ୍ୟ ସଚେତନ େହାଇଥିବାରୁ ଘର ତିଆରି ଖାଦ୍ୟ ହିଁ ଖାଇବାକୁ ଭଲପାଏ ଓ ସବୁକିଛି ଖାଏ। ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ମୁଁ ତେଲ ଓ ମସଲାଯୁକ୍ତ ଖାଦ୍ୟରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରୁହେ। ଏଣୁ ବିନା ତେଲରେ ମୁଁ ଏକ ‘ଚିକେନ ଭଜା’ କରେ, ଯାହାକୁ ମୁଁ ମୋର ‘ଡାଏଟ୍ ଚିକେନ’ ବୋଲି କହିଥାଏ। ଜଣେ ବନ୍ଧୁଙ୍କଠାରୁ ୧୦ ବର୍ଷ ତଳେ ମୁଁ ଏହି ବ୍ୟଞ୍ଜନ ଶିଖିଥିବା ବେଳେ ଆଜି ଏହା ମୋର ଏକ ପ୍ରିୟ ବ୍ୟଞ୍ଜନ ହୋଇଯାଇଛି।’’
ପ୍ରସ୍ତୁତି ପ୍ରଣାଳୀ
l ପ୍ରଥମେ ଚିକେନକୁ ଛୋଟ ଛୋଟ ଖଣ୍ଡ କରି କାଟି, ତାକୁ ଭଲ ଭାବେ ଧୋଇ ଦିଅନ୍ତୁ।
l ଦହିରେ ଭଲ ଭାେବ ଚିକେନକୁ ଗୋଳାଇ ଦୁଇ ଘଣ୍ଟା ଏହାକୁ ମାରିନେଟ୍ କରି ରଖନ୍ତୁ।
l ଚିକେନ ଭଲ ଭାବେ ମ୍ୟାରିନେଟ୍ ହେବା ପରେ ଏକ ଖାଲି କଡ଼େଇକୁ ଚୁଲିରେ ବସାନ୍ତୁ।
l କଡ଼େଇ ଗରମ ହେବା ପରେ ଏଥିରେ ଅଧିକ ପରିମାଣରେ ପିଆଜ ପକାଇ ଭାଜନ୍ତୁ। ଏଥିସହ କିଛି କଞ୍ଚାଲଙ୍କାକୁ ମଝିରୁ ଚିରି, ଲମ୍ବା ଲମ୍ବା କରି ପିଆଜରେ ପକାଇ ଭାଜନ୍ତୁ। ଯଦି ସ୍ବାଦ ପାଇଁ କେହି ତେଲ ପକାଇବାକୁ ଚାହାନ୍ତି, ତେବେ ଅଳ୍ପ ତେଲ ପକାଇ ସେଥିରେ ପିଆଜ ଓ ଲଙ୍କାକୁ ଭାଜି ହେବ।
l ପିଆଜ ଓ ଲଙ୍କା ଭଲ ଭାବେ ଭାଜି ହେବା ପରେ ଏଥିରେ ପ୍ରଚୁର ପରିମାଣରେ ଭୁର୍ସୁଙ୍ଗ ପତ୍ର ପକାଇ ଭାଜନ୍ତୁ। ଚିକେନ ଭଜାର ମୁଖ୍ୟ ସାମଗ୍ରୀ ହେଉଛି ଭୁର୍ସୁଙ୍ଗ ପତ୍ର। ଏହା ଖାଦ୍ୟରେ ଏକ ବାସ୍ନା ଓ ଫ୍ଲେବର ଯୋଡ଼ିବା ସହ ଖାଦ୍ୟକୁ ଅଧିକ ସ୍ବାସ୍ଥ୍ୟକର କରିଥାଏ।
l ଏହାପରେ ମ୍ୟାରିନେଟ୍ ଚିକେନକୁ ସେଥିରେ ପକାଇ ଭାଜନ୍ତୁ।
l ସ୍ବାଦ ପାଇଁ କିଛି ଅଦା ଓ ରସୁଣକୁ ମଧ୍ୟ ଟିକିଟିକି କରି ପକାଇ ପାରିବେ।
l ହଳଦୀ ଓ ଲୁଣ ପକାଇ ଏହାକୁ ଭାଜନ୍ତୁ।
l ଚିକେନ ଭଲ ଭାବେ ଭାଜି ହୋଇ ସିଝିଯିବା ପରେ ଗରମ ଗରମ ଏହାକୁ ଭାତ ଓ ରୁଟି ସହ ଖାଇବାର ମଜା ନେଇପାରିବେ।