ମାର୍ଚ୍ଚ ୨୩ (୧୯୨୧)ରୁ ୧୯୪୬ ଜାନୁଆରି ୨୦- ଏହି ୨୩ ବର୍ଷ ଭିତରେ ଓଡ଼ିଶାରେ ଗାନ୍ଧୀ ପଦଯାତ୍ରା ଓ ଗସ୍ତ କରିଥିଲେ ଆଠ ଥର। ସବୁଠୁ ବେଶି ଦିନ ରହିଥିଲେ ଡେଲାଙ୍ଗ ନିକଟସ୍ଥ ବେରବୋଇ ଗ୍ରାମରେ। ପୁରୀଠାରୁ ପ୍ରାୟ ୩୧ କିଲୋମିଟର। ସେତେବେଳକୁ ଓଡ଼ିଶାରେ ପ୍ରଚଣ୍ତ ଗ୍ରୀଷ୍ମ ଋତୁ। ଉଦ୍ଦେଶ୍ୟ ଥିଲା ଚତୁର୍ଥ ଗାନ୍ଧୀ ସେବା ସମ୍ମିଳନୀରେ ଯୋଗ ଦେବା। ଏହା ସହ ସ୍ଥାନୀୟ ଲୋକମାନେ ଆୟୋଜନ କରିଥିଲେ ହସ୍ତଶିଳ୍ପ ଓ ତନ୍ତମେଳା। ବେରବୋଇ ଗାଁ ଚୟନ ପଛରେ ଏକ ପ୍ରମୁଖ କାରଣ ଥିଲା, ପାଖରେ ରେଳ ଷ୍ଟେସନ ଓ ସଡ଼କ ତଥା ସ୍ବେଚ୍ଛାକୃତ ଜନ ସହଯୋଗ। ସମ୍ମିିଳନୀରେ ପ୍ରାୟ ୪୦୦୦ ପ୍ରତିନିଧି ଯୋଗ ଦେଇଥିଲେ। କିନ୍ତୁ ସେ ସମସ୍ତଙ୍କର ଖାଦ୍ୟପେୟ ଓ ରହଣି ବ୍ୟବସ୍ଥା କରିଥିଲେ ସ୍ଥାନୀୟ ଲୋକମାନେ ଚାନ୍ଦା ଭେଦା କରି। ଲୋକଙ୍କ ପାଇଁ ଏହା ଥିଲା ଆତ୍ମ ସମ୍ମାନର ପ୍ରଶ୍ନ। ଶ୍ରମଦାନ କରି ସମ୍ମିଳନୀ ପାଇଁ ବିରାଟ ଅଞ୍ଚଳ ସଫା କରି ଦେଇଥିଲେ ସେମାନେ। ସପ୍ତାହେ ଆଗରୁ ‘ଗାନ୍ଧୀ ମହାତ୍ମା’ଙ୍କ ବାଟକୁ ଚାହିଁ ରହିଥିଲେ ଅତି ଉତ୍କଣ୍ଠାର ସହ। ୧୯୩୮ ମସିହା ମାର୍ଚ୍ଚ ୨୫ ତାରିଖ ସକାଳ ୭ଟା ବେଳେ ପୁରୀ ଏକ୍‌ସପ୍ରେସ୍‌ ଯୋଗେ ବାପୁ ବେରବୋଇରେ ପହଞ୍ଚିଲେ। ତାଙ୍କୁ ପାଛୋଟି ଆଣିଥିଲେ ହଜାର ହଜାର ଗାନ୍ଧୀ ଭକ୍ତ। ସାଙ୍ଗରେ ଥିଲେ ଅନେକ ସର୍ବଭାରତୀୟ ନେତା ଓ ଗାନ୍ଧୀ ପରିବାରର ସଦସ୍ୟ ଯଥା ପତ୍ନୀ କସ୍ତୁରବା, ପୁଅ ମଣିଲାଲ୍‌, ବୋହୂ ସୁଶୀଳା ଓ ନାତି ଅରୁଣ। ଏହାଛଡ଼ା ତୁଙ୍ଗ ନେତାଙ୍କ ମଧୢରେ ଥିଲେ ଆଚାର୍ଯ୍ୟ କୃପାଳିନୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଡ.ରାଜେନ୍ଦ୍ର ପ୍ରସାଦ, ମୌଲାନା ଅବୁଲ କାଲାମ ଆଜାଦ, ପଣ୍ତିତ ଗୋବିନ୍ଦ ବଲ୍ଲଭ ପନ୍ଥ, ଆର.ଆର ଦିବାକର, ଯମୁନା ଲାଲ ବଜାଜ୍‌, ହୃଦୟନାଥ କୁ˚ଜୁରୁ, ଆନ୍ନା ସାହେବ ସହସ୍ର ବୁଦ୍ଧେ, ମହାଦେବ ଦେଶାଇ, ପ୍ୟାରେଲାଲ, ମା’ ରମା ଦେବୀ, କାକା ସାହେବ କାର୍ଲେକର, ଡ. ପ୍ରଫୁଲ୍ଲ ଚନ୍ଦ୍ର ଘୋଷ। ସମସ୍ତଙ୍କ ପାଇଁ ସ୍ଥାନୀୟ ଲୋକେ ପତର କୁଡ଼ିଆ ଓ ସମ୍ମିଳନୀ ପାଇଁ ଛାମୁଣ୍ଡିଆ ତିଆରି କରି ଦେଇଥିଲେ। ପାଖରେ ଥିବା ବ୍ରହ୍ମେଶ୍ବର ପୋଖରୀରେ ସମସ୍ତେ ସ୍ନାନ କରିବା ପରେ ଉଦ୍‌ଘାଟନ ସଭାରେ ଏକତ୍ର ହେଲେ। ଅନତି ଦୂରରେ ଶୌଚ ପାଇଁ ଖୋଳା ହୋଇଥିଲା ଲମ୍ବା ଟ୍ରେଞ୍ଚ୍‌ ସବୁ। ବାପୁଙ୍କ ନିର୍ଦ୍ଦେଶ ଥିଲା ଯେଉଁଠି ସମ୍ମିଳନୀ ଓ ସଭା ହେବ ସେଠି ଆଗେ ଟ୍ରେଞ୍ଚ୍‌ ତିଆରି ହେବ ଓ ଶୌଚ ପରେ ମଳମୂତ୍ର ମାଟିରେ ଘୋଡ଼େଇ ଦିଆଯିବ। ସେତେବେଳେ ଦେଶରେ ଆଧୁନିକ ଟଏଲେଟ୍‌ ବ୍ୟବସ୍ଥା ନ ଥିଲା।

Advertisment

ସମ୍ମିଳନୀକୁ ଗାନ୍ଧୀ ଉଦ୍‌ଘାଟନ କରିଥିଲେ ଓ ପତାକା ଉତ୍ତୋଳନ କରିଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। କୃଷି ଓ ଗ୍ରାମୋଦ୍ୟୋଗ ସମ୍ମିିଳନୀକୁ ସଫଳ କରିବାରେ ଓଡ଼ିଶାର ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ସ୍ବେଚ୍ଛାସେବୀ ଭାବରେ ଦିନରାତି ଲାଗିଥିଲେ ସେମାନଙ୍କ ମଧୢରେ ଥିଲେ ପଞ୍ଚସଖା ମଧୢରୁ ପଣ୍ତିତ କୃପାସିନ୍ଧୁ ହୋତା, ଆଚାର୍ଯ୍ୟ ହରିହର ଏବ˚ ରାଧାନାଥ ରଥ, ମା’ ରମାଦେବୀ, ଅନ୍ନପୂର୍ଣ୍ଣା ମହାରଣା, ମନମୋହନ ଚୌଧୁରୀ, ସତ୍ୟବାଦୀ ନନ୍ଦ ଇତ୍ୟାଦି। ସଭାରେ ଉପସ୍ଥିତ ଥିଲେ ପ୍ରାୟ ୭୦ ହଜାର ଲୋକ ଏବ˚ ସମସ୍ତେ ଏଥିପାଇଁ ଦୁଇ ପଇସା ଲେଖାଏଁ ଦେଇ ଟିକଟ କିଣିଥିଲେ। ଏହି ଅବସରରେ ଭାଷଣ ଦେଇ ଗାନ୍ଧୀ କହିଥିଲେ ଯେ ଓଡ଼ିଶାର ଦୁଇଟି ଶତ୍ରୁ ହେଲେ ନିଶା ଓ ଆଳସ୍ୟପରାୟଣତା। ଏହା ତ୍ୟାଗ କଲେ ଓଡ଼ିଶା ଅଚିରେ ଏକ ଉନ୍ନତ ରାଜ୍ୟ ହେଇପାରିବ। ସମ୍ମିଳନୀ ଅବସରରେ ଆୟୋଜିତ ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆନୀତ ହସ୍ତଶିଳ୍ପ ଓ କଳା କୌଶଳ ଦେଖି ଗାନ୍ଧୀ ବେଶ୍‌ ପ୍ରଭାବିତ ହୋଇଥିଲେ ଓ ଫେରିଲା ପରେ ନିଜ ପତ୍ରିକାରେ ପ୍ରଶ˚ସା କରି ଲେଖିଥିଲେ। ଏହି ସଭାରେ ଗାନ୍ଧୀ କହିଥିଲେ- ସମଗ୍ର ଭାରତବର୍ଷରେ ଓଡ଼ିଶା ମୋର ପ୍ରିୟତମ ସ୍ଥାନ। ମୁଁ ଯଦି ଅଳ୍ପେ ବହୁତେ ଏହାର ସେବା କରି ପାରିବି, ତାହା ଭାରତମାତାଙ୍କର ସେବା କଲା ଭଳି ହେବ। ସେଇ ଦୃଷ୍ଟିରୁ ଓଡ଼ିଶା ମୋ ପାଇଁ ଏକ ପବିତ୍ର ତୀର୍ଥ ସ୍ଥଳ। ତେଣୁ ଗାନ୍ଧୀ ତାଙ୍କ ସାଥୀ ସହଯୋଗୀମାନଙ୍କୁ ପରାମର୍ଶ ଦେଇ କହିଥିଲେ ସେମାନେ ଗରିବ ଓଡ଼ିଶାର ଗ୍ରାମାଞ୍ଚଳରେ ରହି ଲୋକଙ୍କ ସେବା କରନ୍ତୁ। ତା’ ଆର ଦିନ ଗାନ୍ଧୀ ଉପସ୍ଥିତ ସବୁ ପ୍ରତିନିଧିଙ୍କୁ ସାଙ୍ଗରେ ଧରି ଏକ ପୋଖରୀ ଖୋଳା କାମରେ ଶ୍ରମଦାନ କରିଥିଲେ। ତାଙ୍କ ପୁରୁଣା ବାଡ଼ି ଖଣ୍ତିକ ଖରାପ ହେଇ ଯାଇଥିବାରୁ ଏତିକିବେଳେ ଆଚାର୍ଯ୍ୟ ହରିହର ଏକ ନୂଆ ବାଉଁଶ ବାଡ଼ି ତିଆରି କରି ତାଙ୍କୁ ଦେଇଥିଲେ। ୧୯୪୪ ମସିହା ପର୍ଯ୍ୟନ୍ତ ସେ ବାଡ଼ି ଖଣ୍ତିକ ଗାନ୍ଧୀଙ୍କ ପାଖରେ ଥିଲା। ସେମିତି ଯେଉଁ ପୋଖରୀରେ ପ୍ରତିନିଧିମାନେ ପ୍ରତ୍ୟହ ସ୍ନାନ କରୁଥିଲେ ସେଥିରେ ଗାଧୁଆ ତୁଠ ନ ଥିଲା। ସମସ୍ତେ ମିଶି ଗୋଟିଏ ତୁଠ ତିଆରି କରି ଦେଇଥିଲେ ଶ୍ରମଦାନ ଦ୍ବାରା। ଏହା ପୂର୍ବରୁ ୧୯୩୪ ମସିହାରେ ଏହି ଅଞ୍ଚଳରେ ଆରମ୍ଭ ହୋଇଥିଲା ସାକ୍ଷରତା ଅଭିଯାନ। ଆଚାର୍ଯ୍ୟ ହରିହର, ରମାଦେବୀ, କୃପାସିନ୍ଧୁ ହୋତା ନିକଟସ୍ଥ ହରିଜନ ବସ୍ତିରେ ଆରମ୍ଭ କରିଥିଲେ ଗ୍ରାମ ସ୍ବରାଜ ଆଶ୍ରମ ଓ ଅରଟ, ଖଦି ବୁଣା ତାଲିମ କେନ୍ଦ୍ର। ଏଇଠୁ ଗାନ୍ଧୀ ମୀରା ବେନ୍‌ଙ୍କୁ ଲେଖିଥିଲେ ଏକ ଚିଠି। ତାହାର ସାରା˚ଶ ଥିଲା ଏହିପରି: ‘‘ଶ୍ରଦ୍ଧେୟା ମୀରା। ତମକୁ ଚିଠି ଲେଖିବା ପାଇଁ ଏବେ ଟିକେ ସମୟ ମିଳିଲା। ଏଠି ଏବେ ଭାରି ଖରା ଓ ଗରମରେ ଦିହ ତରଳିଗଲା ଭଳି ଲାଗୁଛି, ବା’ ଆଜି ପୁରୀ ବୁଲିବାକୁ ଯାଇଛନ୍ତି। ଏଠି ମତେ ବିଶ୍ରାମ ପାଇଁ ସାଥୀମାନେ ବାଧୢ କରୁଛନ୍ତି। ବେରବୋଇ ଏବେ ସ˚ଗ୍ରାମୀ ଓ ସ୍ବେଚ୍ଛାସେବୀରେ ପରିପୂର୍ଣ୍ଣ।’’

ଅହମଦାବାଦରେ ସା˚ପ୍ରଦାୟିକ ଦଙ୍ଗା କଥା ଶୁଣିି ବାପୁ ଉଦ୍‌ବିଗ୍ନ ଥିଲେ। ତା’ ପରେ ଜାଣିବାକୁ ପାଇଲେ ମହାଦେବ ଦେଶାଇଙ୍କ ଧର୍ମପତ୍ନୀ ଦୁର୍ଗାବତୀଙ୍କୁ ସାଙ୍ଗରେ ନେଇ ବା’ ପୁରୀ ବୁଲିବାକୁ ନୁହେଁ, ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ ପାଇଁ ଯାଇଥିଲେ। କାରଣ ପଣ୍ତାମାନେ ତାଙ୍କୁ କହିଥିଲେ କି ଏବେ ଦଳିତଙ୍କ ପାଇଁ ମନ୍ଦିର ପ୍ରବେଶ ବାରଣ ନାହିଁ। କିନ୍ତୁ ଏହା ମିଥ୍ୟା ଥିଲା। ବାପୁଙ୍କ ମତରେ ଏହା ଜଗତ୍‌ର ନାଥ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ। ସେ କହୁଥିଲେ ଯେଉଁଠିକୁ ହରିଜନ ଯିବା ମନା ମୁଁ ସେଠାକୁ ଆଦୌ ଯିବି ନାହିଁ। ପୁରୀ ବୁଲିବା ପାଇଁ କହି ଯାଇଥିବା କସ୍ତୁରବାଙ୍କ ମନ୍ଦିର ଦର୍ଶନରେ କ୍ଷୁବ୍‌ଧ ହୋଇ ବାପୁ ଅନଶନରେ ବସିଥିଲେ ବେରବୋଇରେ। ଲଜ୍ଜା, ଅପମାନ ଯନ୍ତ୍ରଣାରେ ତାଙ୍କ ଦେହ ଥରିବାକୁ ଲାଗିଲା। ଏହା ଶୁଣି କସ୍ତୁରବା ଗାନ୍ଧୀଙ୍କ ପାଖକୁ ଆସି ନତମସ୍ତକ ହୋଇ କହିଲେ- ଏଇଟା ମୋର ଭୁଲ୍‌ ଓ ସେଥିପାଇଁ ମୁଁ ଅନୁତପ୍ତ। ବାପୁ ଉତ୍ତର ଦେଇ କହିଲେ- ବା’ ଅନୁତାପ କରି ତମେ ଆମ ସ˚ପର୍କକୁ ପୁଣି ଥରେ ପବିତ୍ର କରି ଦେଲ। କାରଣ ପ୍ରାୟଶ୍ଚିତ୍ତ ଅହି˚ସାର ଆଉ ଏକ ଶକ୍ତିଶାଳୀ ଅସ୍ତ୍ର। ଏହା ପରେ ମହାଦେବ ଦେଶାଇ ଗାନ୍ଧୀଙ୍କ ହାତକୁ ବଢ଼ାଇ ଦେଲେ ଛୋଟ ଚିଠିଟିଏ ଓ ତା’ ପରେ କଇଁ କଇଁ କାନ୍ଦିଲେ। ଏହା ଥିଲା ଏକ କବିତା- ଅର୍ଥ ହେଲା ‘‘ବାପୁ, ଏ ଦୋଷରେ ମୁଁ ବି ଦୋଷୀ, ମତେ ଆପଣ ଛାଡ଼ି ଦିଅନ୍ତୁ। ମୁଁ ଆପଣଙ୍କ ପାଖରେ ରହିବାକୁ ଅଯୋଗ୍ୟ।’’ ସାରା ସମ୍ମିଳନୀରେ ଏହି ଘଟଣାର ପ୍ରଭାବ ପଡ଼ିଥିଲା। ଶେଷ ଦିନ (ମାର୍ଚ୍ଚ ୩୧) ବାପୁ ଚିଠି ଲେଖିଥିଲେ ମହାଦେବ ଦେଶାଇଙ୍କୁ। ସ˚କ୍ଷେପରେ: ‘‘ଶ୍ରଦ୍ଧେୟ ମହାଦେବ, ଗୋଟିଏ ଭୁଲ୍‌ ଠିକ୍‌ ସମୟରେ ସ˚ଶୋଧିତ ନ ହେଲେ, ଅନେକ ନୂଆ ଭୁଲ୍‌ ସୃଷ୍ଟି କରିଥାଏ। ମୁଁ ତୁମର ହଜାରେ ଭୁଲ୍‌କୁ ସହ୍ୟ କରିବା ପାଇଁ ପ୍ରସ୍ତୁତ, କିନ୍ତୁ ତୁମକୁ ଆଦୌ ଛାଡ଼ିପାରିବି ନାହିଁ’’। (ଅନୁବାଦ- ଗୌରାଙ୍ଗ ଚରଣ ପରିଡ଼ା)।

ଏହା ପରେ ୩୦ ତାରିଖ ଦିନ ଗାନ୍ଧୀ ପୁଣି ସମ୍ମିଳନୀରେ ଭାଗ ନେଲେ। ଏବ˚ ତାଙ୍କ ଭାଷଣରେ ବାରମ୍ବାର ଚେତାଇ ଦେଇ କହୁଥିଲେ- ‘‘ମନେରଖ ମୁଁ ଜଣେ ମହାତ୍ମା ବା ଧର୍ମଗୁରୁ ବା ପ୍ରଚାରକ ନୁହେଁ। ମୁଁ କେବଳ ସତ୍ୟ ଓ ଅହି˚ସା, ଶାନ୍ତି, ସଦ୍‌ଭାବନା, ଗ୍ରାମ ସ୍ବରାଜ କଥା କହିବାକୁ ବେରବୋଇ ଆସିଚି’’।

ଦୁଃଖର କଥା ଯେ ଏକଦା ଓଡ଼ିଶାରେ ବାପୁଙ୍କ ଦୁଇ ପୁରୁଣା ବନ୍ଧୁ ମଧୁସୂଦନ ଦାସ ଓ ଗୋପବନ୍ଧୁ ଦାସ ଏତିକି ବେଳେ ଇହଧାମରେ ନ ଥିଲେ।

ମୋ-୯୯୩୭୦୨୭୦୧୭
[email protected]