ଭୁବନେଶ୍ବର: ପ୍ରଯୁକ୍ତିଗତ ପରିବର୍ତ୍ତନ ହିଁ ସର୍ବଦା ଅବଧାରିତ। ଅତୀତରେ ନବସୃଜନ ଓ ଉଦ୍ଭାବନ ଫଳରେ ନୂଆ ପ୍ରଯୁକ୍ତିର ବ୍ୟବହାର ହୋଇଛି। ସେହି ସମୟରେ ଉଦ୍ୟୋଗ ଜଗତରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଚାକିରି ଚାଲିଯିବା ଭୟ ସୃଷ୍ଟି ହୋଇଛି। କିନ୍ତୁ ସେଭଳି କିଛି ହୋଇନାହିଁ। କମ୍ପ୍ୟୁଟର, ଇଣ୍ଟରନେଟ୍ ଏବଂ ଗୁଗଲ୍‌ ଆଦିର ପ୍ରଚଳନ  ସମୟରେ ଏଭଳି ଆଶଙ୍କା ସମାଜରେ ଦେଖାଦେଇଛି। କିନ୍ତୁ କର୍ମଚାରୀମାନେ ଚାକିରି ହରାଇ ନାହାନ୍ତି। ବରଂ ନୂଆ ଉଦ୍ଭାବନ  ଫଳରେ ବହୁ ନୂଆ ଦକ୍ଷତା ଆବଶ୍ୟକ କରୁଥିବା ଚାକିରି ସୃଷ୍ଟି ହୋଇଛି। ତେଣୁ ବର୍ତ୍ତମାନ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଆସିବା ପରେ ବିଶ୍ବରେ ଚାକିରି ଚାଲିଯିବା ଏବଂ ଏହି ପ୍ରଯୁକ୍ତିର ଅପବ୍ୟବହାର ହେବା ନେଇ ଯେଉଁ ଆଶଙ୍କା ଦେଖାଦେଇଛି ସେନେଇ କେହି ଭୟଭୀତ ହେବା ଉଚିତ ନୁହେଁ। ସମୟକୁ ସମୟ ପ୍ରଯୁକ୍ତିରେ ପରିବର୍ତ୍ତନ ହେବ। ନୂଆ ପ୍ରଯୁକ୍ତି ଆସିବ। ଏହା ସହିତ ଖାପ ଖୁଆଇ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସମ୍ବାଦ ପକ୍ଷରୁ ଆଜି ଅନୁଷ୍ଠିତ ସିଇଓ କନ୍‌କ୍ଲେଭର ଚତୁର୍ଥ ସଂସ୍କରଣରେ ‘ଗ୍ରିନର୍‌ ୱିଥ୍‌ ଏଆଇ: ହାଓ ସ୍ମାର୍ଟ ଟେକ୍‌ ଇଜ୍‌ ପାୱାରିଂ ସଷ୍ଟେନବେଲ୍‌ ଇଣ୍ଡଷ୍ଟ୍ରିଜ୍‌’ ବିଷୟବସ୍ତୁ ଉପରେ ଆୟୋଜିତ ପ୍ୟାନେଲ ଆଲୋଚନାରେ ଭାଗନେଇ ବକ୍ତାମାନେ ଏଭଳି ମତ ରଖିଛନ୍ତି। 

Advertisment

ବିପଦ ଅଛି, ଡରିଗଲେ ହେବନାହିଁ: ଝା ଏହା ସମାଧାନର ଏକ ସାଧନ: କାମତ୍‌

ଏଆଇ ଆସିବା ପରେ ଫେକ୍‌ ନ୍ୟୁଜ୍‌, ସିନ୍ଥେଟିକ୍‌ ନ୍ୟୁଜ୍‌ ଆଦିର ବହୁଳ ପ୍ରସାର ଘଟିଛି। ଏଆଇର ଅପବ୍ୟବହାର କରି ଏଭଳି କରାଯାଉଛି। ତେଣୁ ଏଆଇ ଆସିବା ପରେ ଗଣମାଧ୍ୟମ ସଂସ୍ଥା ଏବଂ ପ୍ରଯୁକ୍ତି କମ୍ପାନିଗୁଡ଼ିକର ଦାୟିତ୍ବ ବଢ଼ିଯାଇଛି। ଏଆଇଠାରୁ ବିପଦ ରହିଛି, କିନ୍ତୁ ଏହାକୁ ଡରିଗଲେ ହେବ ନାହିଁ। ଏଆଇକୁ ଆମେ ବ୍ୟବହାର କରିବା ଆବଶ୍ୟକ, ସେ ଆମକୁ ‌ଯେଭଳି ମାଡ଼ି ନବସିବ ତାହା ଉପରେ ଧ୍ୟାନ ଦେବାକୁ ହେବ। ଏଥିସହିତ ଏଆଇର ନୈତିକ ବ୍ୟବହାର କିଭଳି କରାଯିବ ତାହା ଉପରେ ଆମକୁ ଦୃଷ୍ଟି ଦେବାକୁ ହେବ ବୋଲି କଲେକ୍ଟିଭ୍‌ ନ୍ୟୁଜରୁମ୍‌ର ସିଇଓ ତଥା ସହ-ପ୍ରତିଷ୍ଠାତା ରୁପା ଝା ମତ ଦେଇଛନ୍ତି। 

ସେହିଭଳି କାମତ୍‌ ହୋଟେଲ୍‌ସ (ଇଣ୍ଡିଆ) ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଶାଲ ବିଠଲ୍‌ କାମତ୍‌ ଆଲୋଚନାରେ ଭାଗ ନେଇ କହିଥିଲେ ଏଆଇ ପୂର୍ବରୁ ଥିଲା। ଏହା ବଡ଼ କମ୍ପାନିର ପ୍ରଚ୍ଛଦପଟରେ ରହି କାର୍ଯ୍ୟ କରୁଥିଲା। କିନ୍ତୁ ଏବେ ଏହି ପ୍ରଯୁକ୍ତିକୁ ଗ୍ରାହକଙ୍କୁ ବିଭିନ୍ନ ସେବା ପ୍ରଦାନ ସମୟରେ ବ୍ୟବହାର କରାଯାଉଛି। ଏଆଇ ଆସିବା ଦ୍ବାରା ବହୁ ପ୍ରକାରର କାର୍ଯ୍ୟ ସହଜ ହୋଇଯାଇଛି। ଏହା ସତ୍ତ୍ବେ ଏଆଇ ଏକ ସମାଧାନ ନୁହେଁ, ବରଂ ସମାଧାନର ଏକ ସାଧନ ବୋଲି ଶ୍ରୀ କାମତ୍‌ କହିଛନ୍ତି। ସେହିଭଳି ଏଆଇ ଉପରେ ଆମେ ଏତେମାତ୍ରାରେ ନିର୍ଭର କରିବା ଉଚିତ ନୁହେଁ ଯାହା ଦ୍ବାରା ଆମର କଳା, ସଂସ୍କୃତି ଆଦି ନଷ୍ଟ ହୋଇଯିବ। ଏ ‌କ୍ଷେତ୍ରରେ ଦେଖା ଦେଉଥିବା ସବୁ ସମସ୍ୟାର ସମାଧାନ ସରକାରୀ ଆଇନ ବା କଟକଣା ଦ୍ବାରା ହୋଇପାରିବ ନାହିଁ ବୋଲି ଶ୍ରୀ କାମତ୍‌ ମତ ଦେଇଥିଲେ। ଅନ୍ୟପକ୍ଷରେ ଶ୍ରୀମତୀ ଝା କହିଥିଲେ ଏଆଇର ନିୟନ୍ତ୍ରଣ ବ୍ୟବସ୍ଥା ରହିଲେ ଏ କ୍ଷେତ୍ରରେ ସ୍ଥିରତା ରହିବ ଏବଂ ଗଣମାଧ୍ୟମ ଭଳି ଶିଳ୍ପରେ ଏହି ପ୍ରଯୁକ୍ତିର ନୈତିକ ବ୍ୟବହାର ସମ୍ଭବ ହୋଇପାରିବ। ଏହି ଅଧିବେଶନକୁ କନକ ନ୍ୟୁଜ୍‌ ବାର୍ତ୍ତା ସଂଯୋଜକ ଭବାନୀ ଶଙ୍କର ମହାପାତ୍ର ସଂଯୋଜନା କରିଥିଲେ।