ଚାହାଣି ମଣ୍ଡପ

ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟ

ଶ୍ରୀକ୍ଷେତ୍ରରେ ପ୍ରାୟ କୋଡ଼ିଏଟିରୁ ଊର୍ଦ୍ଧ୍ୱସଂଖ୍ୟକ ‘ମଣ୍ଡପ’ର ଅବସ୍ଥିତି ରହିଛି। ସେଥିପାଇଁ କୁହାଯାଇଥାଏ, ‘ମଣ୍ଡପମୟ ଶ୍ରୀକ୍ଷେତ୍ର’। ‘ମଣ୍ଡପ’ର ସମାନାର୍ଥକ ଶବ୍ଦ ଭାବରେ ‘ବେଦି’କୁ ଗ୍ରହଣ କରାଯାଉଥିବାରୁ, ମଣ୍ଡପ ସ୍ଥାନରେ ବେଦିର ପ୍ରୟୋଗ କରାଯାଏ; ଯଥା ସ୍ନାନବେଦି, ଦୋଳବେଦି, ଗହ୍ମାବେଦି ଇତ୍ୟାଦି।

ମଣ୍ଡପରେ ଅନୁଷ୍ଠିତ ପ୍ରମୁଖ ନୀତି ଅନୁସାରେ ଏହି ମଣ୍ଡପଗୁଡ଼ିକର ନାମକରଣ କରାଯାଇଛି। ‘ଚାହାଣି’ ପ୍ରଚଳିତ ଓଡ଼ିଆ ବିଶେଷ୍ୟ ପଦ- ଯାହାର ଅର୍ଥ କଟାକ୍ଷ ବା ଦୃଷ୍ଟି। ମାନବୀୟ ଦାମ୍ପତ୍ୟଲୀଳାର ପରିପ୍ରକାଶ ଭାବରେ ବିରହିଣୀ ଲକ୍ଷ୍ମୀଠାକୁରାଣୀ ବ୍ୟାକୁଳ ହୋଇ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ଅପେକ୍ଷା କରି ରହିଥାଆନ୍ତି। ତାଙ୍କର ପ୍ରତ୍ୟାଗମନ ଆଶା କରି, ବାହୁଡ଼ାଯାତ୍ରା ଅବସରରେ ଯେଉଁ ମଣ୍ଡପରୁ ସେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପ୍ରତି ଦୃଷ୍ଟି ନିକ୍ଷେପ କରନ୍ତି, ତାହା ଚାହାଣି ମଣ୍ଡପ ନାମରେ ଅଭିହିତ। ଏ ସଂପର୍କରେ ଗୋଟିଏ ଲୋକପ୍ରିୟ ଉକ୍ତି ଅଛି-
ଚାହିଁଲେ ମାୟେ ଚାହାଣି ମଣ୍ଡପେ ଉଠି।
ନନ୍ଦିଘୋଷ ରଥ ପରେ ଦେଇଣ ଦୃଷ୍ଟି।।

ସ୍ୱତ୍ୱଲିପି ଅନୁସାରେ, ଶ୍ରୀମନ୍ଦିର ପରିସର ମଧ୍ୟରେ, ପ୍ଲଟ୍ ନମ୍ବର ୧୪୯ରେ, ସ୍ନାନମଣ୍ଡପର ଅନତିଦୂରରେ ୧୨ ଫୁଟର ବର୍ଗାକାର କ୍ଷେତ୍ର ମଧ୍ୟରେ ବଉଳମାଳା ପ୍ରସ୍ତରରେ ନିର୍ମିତ ୧୨ଟି ସ୍ତମ୍ଭ ଉପରେ ଚାହାଣି ମଣ୍ଡପ ପ୍ରତିଷ୍ଠିତ। ଉକ୍ତ ମଣ୍ଡପର ଚତୁଃପାର୍ଶ୍ବରେ ବାଡ଼ଟିଏ ରହିଛି- ଯେଉଁଥିରୁ ଏହାର ଦୈର୍ଘ୍ୟ ପ୍ରସ୍ଥ ୨୮ଫୁଟ ୬ ଇଞ୍ଚ ଥିବା ଜଣାଯାଏ। ପାବଚ୍ଛ ଶ୍ରେଣୀ ଦେଇ ଏହି ମଣ୍ଡପ ଉପରକୁ ଯିବାକୁ ହୁଏ।

ପ୍ରାପ୍ତ ତଥ୍ୟରୁ ଜଣାଯାଏ ଯେ ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ (୧୪୩୫-୧୪୬୭) ଶ୍ରୀମନ୍ଦିରର ବାହାରବେଢ଼ାର ନିର୍ମାଣ ଅବସରରେ, ଏହାର ନିର୍ମାଣ ହୋଇଥିଲା। ପରେ, ସପ୍ତଦଶ ଶତାବ୍ଦୀର ଶେଷ ପାଦରେ, ଭୋଇବଂଶର ରାଜତ୍ୱ କାଳରେ, ସାମନ୍ତ ବେଣୁ ଛୋଟରାୟଙ୍କ ଦ୍ୱାରା ତାହା ପୁନଃ ନିର୍ମିତ ହୋଇଥିଲା।

ଚାହାଣି ମଣ୍ଡପ ଦୁଇଟି ନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏଥିରୁ ପ୍ରଥମଟି ହେଉଛି, ଶ୍ରୀଗୁଣ୍ଡିଚା ରଥଯାତ୍ରା ଦିନ ପ୍ରାତଃକାଳରେ, ଦେଉଳ ପୁରୋହିତଙ୍କ ତତ୍ତ୍ୱାବଧାନରେ, ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କଦ୍ୱାରା ସେଠାରେ ରଥତ୍ରୟର ପ୍ରତିଷ୍ଠାକର୍ମ ଅନୁଷ୍ଠିତ ହୋଇଥାଏ। ସେଠାରୁ ଅଭିମନ୍ତ୍ରିତ ଜଳପୂର୍ଣ୍ଣ କଳସ ଯାଇ ରଥତ୍ରୟ ଉପରେ ସିଞ୍ଚନ କରାଯିବାର ବିଧି ରହିଛି।

ଏହି ମଣ୍ଡପରେ ହେଉଥିବା ଦ୍ୱିତୀୟ ନୀତିଟି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଅନୁସାରେ ମଣ୍ଡପଟି ନାମିତ ହୋଇଛି। ଏହାର ସଂପର୍କ ରହିଛି ଶ୍ରୀଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ସହିତ। ସେଦିନର ନୀତି ଅନୁସାରେ, ବାହୁଡ଼ାଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ମରୀଚିକୋଟ ନିକଟସ୍ଥ ଶ୍ରୀନଅରଠାରେ ପହଞ୍ଚିବା ପରେ, ‘ଲକ୍ଷ୍ମୀନାରାୟଣ ଭେଟ’ ନୀତି ଅନୁଷ୍ଠିତ ହୋଇଥାଏ। ତା’ ପୂର୍ବରୁ ମହାଜନ ସେବକମାନେ ଦେବୀ ଲକ୍ଷ୍ମୀ (ଶ୍ରୀଦେବୀ)ଙ୍କୁ ପାଟବସ୍ତ୍ର, ଫୁଲମାଳ ଓ ସ୍ୱର୍ଣ୍ଣ ଅଳଙ୍କାର ଆଦିରେ ସୁବେଶ କରାଇ, ଶ୍ରୀମନ୍ଦିରର ସାତପାହାଚ ଦ୍ୱାରଠାରେ ଥିବା ପାଲିଙ୍କିରେ ବିଜେ କରାଇ ଥାଆନ୍ତି। ସେହି ପାଲିଙ୍କିକୁ ପାରମ୍ପରିକ ବିଧି ଅନୁସାରେ, ଘଣ୍ଟ, ଛତ୍ର ଓ କାହାଳି ସହିତ ଆଡ଼ମ୍ବରରେ ଚାହାଣିମଣ୍ଡପକୁ ନିଆଯାଏ।

ସେତେବେଳେ ମନେହୁଏ, ମହାପ୍ରଭୁଙ୍କ ରଥ କେତେବେଳେ ଆସିବ ଏବଂ ସେ ରଥ ନିକଟକୁ ଯାଇ କିପରି ମହାପ୍ରଭୁଙ୍କୁ ଭେଟିବେ, ଏହି ଉତ୍କଣ୍ଠାରେ ଦେବୀ ଲକ୍ଷ୍ମୀ ସତୃଷ୍ଣ ନୟନରେ ପ୍ରତୀକ୍ଷା କରିଥାନ୍ତି। ଚାହାଣି ମଣ୍ଡପଠାରେ ଅବସ୍ଥାନ କଲେ, ସିଂହଦ୍ୱାର ସମ୍ମୁଖରୁ ଶ୍ରୀନଅର ପର୍ଯ୍ୟନ୍ତ, ରଥଦାଣ୍ଡର ସବୁକିଛି, ଦୃଷ୍ଟିପଥାରୂଢ଼ ହୋଇଥାଏ। ସେ ଦୃଷ୍ଟିରୁ ବାହୁଡ଼ା ଯାତ୍ରାର ନୀତିରେ ଏହି ମଣ୍ଡପର ଗୁରୁତ୍ୱ ରହିଛି। ସେହି ଚାହାଣି ମଣ୍ଡପଠାରୁ ଲକ୍ଷ୍ମୀ ଠାକୁରାଣୀଙ୍କ ଦୃଷ୍ଟି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ‘ନନ୍ଦିଘୋଷ’ ରଥ ଉପରେ ପଡ଼ିବା ପରେ, ସେ ଆଶ୍ୱସ୍ତି ଲାଭ କରି ସେଠାରୁ ବିମାନରେ ବିଜେ ହୋଇ ମହାପ୍ରଭୁଙ୍କ ସହ ଭେଟ ପାଇଁ ତାଙ୍କ ରଥ ନିକଟକୁ ଯାଇଥାନ୍ତି। ସେଠାରେ ଗଜପତି ମହାରାଜା ‘ଲକ୍ଷ୍ମୀ-ନାରାୟଣ ଭେଟ’ କରାନ୍ତି।
ସେହି ସମୟରେ ଶ୍ରୀବଳଭଦ୍ରଙ୍କ ସମ୍ମୁଖରେ ରଥଘେର ବା କନାର ବେଢ଼ଣ ପକାଯାଇଥାଏ। ସଂପର୍କରେ ଶ୍ରୀବଳଭଦ୍ର ଦେବୀ ଲକ୍ଷ୍ମୀଙ୍କର ଦେଢ଼ଶୁର ହୋଇଥିବାରୁ, ଓଡ଼ିଆ ପରିବାରର ପାରମ୍ପରିକ ଚଳଣିମତେ ଦେବୀ ଲକ୍ଷ୍ମୀଙ୍କ ପାଇଁ ଏହି ବ୍ୟବସ୍ଥା ରହିଛି।

ଏହି ଲକ୍ଷ୍ମୀ ନାରାୟଣ ଭେଟ ସମୟକୁ ଗଜପତି ମହାରାଜା, ଶ୍ରୀନଅରର ସିଂହଦ୍ୱାରଠାରେ ଉପସ୍ଥିତ ରହିଥାଆନ୍ତି। ଦହିପଟି ମଣୋହି ବିଧି ପରେ, ସେ ସ୍ୱହସ୍ତରେ ଦେବୀ ଲକ୍ଷ୍ମୀଙ୍କୁ ବିଜେ କରାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହ ତାଙ୍କର ଭେଟ କରାନ୍ତି। ତତ୍ପରେ ଦେବୀଲକ୍ଷ୍ମୀ ନନ୍ଦିଘୋଷ ରଥକୁ ପ୍ରଦକ୍ଷିଣ କରନ୍ତି ଏବଂ ଶ୍ରୀଜଗନ୍ନାଥଙ୍କଠାରୁ ତାଙ୍କୁ ଆଜ୍ଞାମାଳ ଦିଆଯାଏ। ତା’ପରେ ସେ ସେହି ବିମାନରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଏହାପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇ ଆସି ଶ୍ରୀମନ୍ଦିର ସିଂହଦ୍ୱାରଠାରେ ଲାଗେ। ଏହା ଶ୍ରୀଜଗନ୍ନାଥଙ୍କର ଏକ ମାଧୁର୍ଯ୍ୟ ଲୀଳାର ପରିଚାୟକ।

ମୋ: ୯୮୬୧୪ ୪୪୬୫୫

ସମ୍ବନ୍ଧିତ ଖବର