ଭାରତୀୟ ଧର୍ମ, ଦର୍ଶନ ଓ ପରମ୍ପରାରେ ‘ଚକ୍ର’ ଶବ୍ଦ ଭିନ୍ନ ଭିନ୍ନ ତାତ୍ତ୍ୱିକ ଅର୍ଥରେ ବ୍ୟବହୃତ ହୋଇଥାଏ; ଯେପରି କାଳଚକ୍ର, ଜ୍ୟୋତିଶ୍ଚକ୍ର, ଋତୁଚକ୍ର, ସୃଷ୍ଟିଚକ୍ର, ଶ୍ରୀଚକ୍ର, ଭୈରବୀଚକ୍ର, ଧର୍ମଚକ୍ର, ଷଟ୍ଚକ୍ର ଓ କୁରାଳଚକ୍ର। ଏବଂ ଏ ସବୁର ସମାହାରରେ ଯେ ପ୍ରତିଷ୍ଠିତ, ସେ ମହାବିଷ୍ଣୁଙ୍କର ସୁଦର୍ଶନ ଚକ୍ର। ଏହାକୁ ମହାବିଷ୍ଣୁ ପ୍ରାୟ ଦକ୍ଷିଣ ହସ୍ତରେ ଧାରଣ କରିଥାନ୍ତି। କାଳଚକ୍ର- କାଳ ଅର୍ଥାତ୍ ସମୟ; ଯାହାର ଆଦି ନାହିଁ କି ଅନ୍ତ ନାହିଁ। ଅର୍ଥାତ୍, କାଳ ଗର୍ଭରୁ ସୃଷ୍ଟି ଜାତ ହୁଏ ଏବଂ କାଳ ଗର୍ଭରେ ବିଲୀନ ହୁଏ। ଏହାର ଅନ୍ୟ ନାମ ବିଷ୍ଣୁମାୟା। ପ୍ରଳୟ ଶେଷରେ ବିଷ୍ଣୁ ନିଜର ନାଭିରୁ ବ୍ରହ୍ମାଙ୍କୁ ସୃଷ୍ଟି କରନ୍ତି। ବ୍ରହ୍ମା ପର୍ଯ୍ୟାୟକ୍ରମେ ସମଗ୍ର ସୃଷ୍ଟିର ନିର୍ମାଣ କରନ୍ତି ଏବଂ ପରିଶେଷରେ ଏହି ସୃଷ୍ଟିଚକ୍ର ପ୍ରଳୟ ଜଳରେ ବୁଡ଼ିଯାଏ, ନୂତନ ବ୍ରହ୍ମାଙ୍କର ଉଦ୍ଭବ ପର୍ଯ୍ୟନ୍ତ। ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସୃଷ୍ଟିର ମୂଳ ଉତ୍ସ। ତାଙ୍କର ଶୀତଳତାରୁ ଜଳ ଓ ଜଳରସରୁ ରସା ବା ପୃଥିବୀର ସୃଷ୍ଟି। ସେ ଆଦିତ୍ୟ-ନାରାୟଣ।
ଏହି ଆଦିତ୍ୟ-ନାରାୟଣ ପୁନଶ୍ଚ ଏ ସୃଷ୍ଟିକୁ ପାଳନ କରିଥାନ୍ତି। ତାଙ୍କର ତେଜରୁ ସୁଦର୍ଶନଙ୍କର ସୃଷ୍ଟି ବୋଲି ପୁରାଣରେ ବର୍ଣ୍ଣନା ଅଛି। ପ୍ରତୀକାତ୍ମକ ଭାବରେ ଏହା ଜ୍ୟୋତିଶ୍ଚକ୍ର। ତେଣୁ ଶ୍ରୀନାରାୟଣଙ୍କ ହସ୍ତରେ ଶୋଭିତ ଚକ୍ର, ଭବଚକ୍ର ବା ସଂସାରର ନିତ୍ୟ ନୈମିତ୍ତିକ ସତ୍ୟର ଉଦ୍ଘୋଷଣ କରୁଥାଏ। ଏ ସୃଷ୍ଟି କ୍ଷଣଭଙ୍ଗୁର। ତେଣୁ ଯେତେଦିନ ଏ ସଂସାରରେ ମନୁଷ୍ୟ ରୂପରେ ପ୍ରାଣୀ ଆତଜାତ ହେବ, ସେ ଧର୍ମର ପରିପାଳନ କରିବ। ଯଦି ମନୁଷ୍ୟ ଧର୍ମରୁ ବିଚ୍ୟୁତ ହୁଏ, ତେବେ ଅକାଳରେ ତାର ବିଲୟ ଘଟିବ। ଚକ୍ରର କାର୍ଯ୍ୟ- ଧର୍ମର ସୁରକ୍ଷା ଓ ଅଧର୍ମର ଛେଦନ। ତେଣୁ ପୁରାଣରେ ଏକାଙ୍ଗ ଚକ୍ରବର୍ତ୍ତୀ ଦେବ ନିରାକାରଙ୍କର ଏହି ଚକ୍ର ସଂପର୍କରେ କୁହାଯାଇଛି-
“ଯେତେକ ଆତଙ୍କ ପଡ଼େ ସଂସାର ମଧ୍ୟରେ
କେହି ନ ରହଇ ସୁଦର୍ଶନ ଚକ୍ର ଡରେ।”
ପାଶୁପତ ଦର୍ଶନରେ ବର୍ଣ୍ଣିତ ଅଛି- ବିଶ୍ୱ ଏକ ଚକ୍ର ସଦୃଶ। ଭଗବାନ ଶଙ୍କର ସର୍ବଦା ଏହି ସଂସାର ରୂପକ ସୁଦର୍ଶନ ଚକ୍ରରେ ଅବସ୍ଥାନ କରିଥାନ୍ତି। ଶଙ୍କର ଆପାତତଃ ଆଶୁତୋଷ। ତଥାପି ସେ ଧ୍ୱଂସର ଦେବତା। ଅତଏବ ଏହି ଦୃଷ୍ଟିରୁ, ପାଳନ ଓ ଧ୍ୱଂସ- ଉଭୟକୁ ଆୟୁଧ ଭାବରେ ଧାରଣ କରିଛନ୍ତି ଶ୍ରୀବିଷ୍ଣୁ। ସ୍ୱୟଂ ନାରାୟଣ ଚାରିମୂର୍ତ୍ତି ହୋଇ ସଂସାରର ପାଳନ କରନ୍ତି- ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ ଓ ଅନିରୁଦ୍ଧ। ଏହି ଅନିରୁଦ୍ଧ ମୂର୍ତ୍ତି ସ୍ୱୟଂ ସୁଦର୍ଶନ। ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ପ୍ରତିଜ୍ଞା କରିଥିଲେ, ସେ କୌଣସି ଅସ୍ତ୍ର ଧାରଣ କରିବେ ନାହିଁ। କିନ୍ତୁ ଯୁଦ୍ଧ ଶେଷରେ ଯେତେବେଳେ ଶୁଭସ୍ତମ୍ଭ ଉପରେ ସ୍ଥାପିତ ବେଲାଳସେନକୁ ପଚରାଗଲା- କିଏ ସର୍ବଶ୍ରେଷ୍ଠ ବୀର ଭାବରେ ଏହି ଯୁଦ୍ଧରେ ଶତ୍ରୁ ସଂହାର କରିଛି? ବେଲାଳସେନ ହସି ହସି କହିଥିଲା, ଏ ଯୁଦ୍ଧରେ କିଏ କାହାକୁ ମାରିଥିବାର ମୁଁ ଦେଖିନି, କେବଳ ଦେଖିଛି-
“ଗୋଟିଏ ଚକ୍ର ଆସଇ ହୋଇ ପରଖର।
ସମର ପ୍ରାଙ୍ଗଣେ ସେହି କରଇ ବିହାର।
ପାଣ୍ଡବଙ୍କ ଥାଟୁ ଯାଇ କୁରୁସୈନ୍ୟ ନାଶେ।
ତେଣୁ ଫେରି ପାଣ୍ଡବଙ୍କ ସୈନ୍ୟ ମାରି ଆସେ।
ସେହି ଚକ୍ର ହେଉଛି ସୁଦର୍ଶନ- ଶ୍ରୀ ବିଷ୍ଣୁଙ୍କର ଚକ୍ରାୟୁଧ।
-ଡକ୍ଟର ତୁଳସୀ ଓଝା