ଦିନ ପରେ ରାତି ଆସେ- ଏହା ହିଁ ସୃଷ୍ଟିର ନିୟମ। କିନ୍ତୁ ଦୁନିଆରେ ଏମିତି କତିପୟ ସ୍ଥାନ ଅଛି ଯେଉଁଠି ସୃଷ୍ଟିର ଏ ନିୟମ ମଧ୍ୟ ବଦଳିଯାଇଥାଏ। କୁହାଯାଏ, ଏହି ସ୍ଥାନରେ ସୂର୍ଯ୍ୟ ଅସ୍ତ ହୋଇ ନଥାଆନ୍ତି।
ଆମ ଚାରିପଟେ ଅନେକ ଅଜବ ଘଟଣା ଘଟିଥାଏ। ଏତେ ବଡ଼ ଦୁନିଆରେ ଆମେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଜିନିଷ ଜାଣିବାକୁ ପାଉ। କିଛି ଘଟଣା ଛାତି ଥରାଇବା ଭଳି ହୋଇଥିବା ବେଳେ ଆଉ କେତେକ ଘଟଣାକୁ ଜାଣିବାକୁ ସମୟ ଲାଗିଯାଇଥାଏ। ତେବେ ପ୍ରକୃତିର ନିୟମ ଅନୁଯାୟୀ, ରାତି ପରେ ଦିନ ଓ ଦିନ ପରେ ରାତି ହୋଇଥାଏ। ତେବେ କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ପୃଥିବୀରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଗୋଟିଏ ବର୍ଷରେ ୭୦ ଦିନରୁ ଅଧିକ ସମୟ ଏହି ସ୍ଥାନରେ ସୂର୍ଯ୍ୟ ଅସ୍ତ ହୋଇ ନଥାନ୍ତି।
ନର୍ୱେକୁ ‘ଲ୍ୟାଣ୍ତ୍ ଅଫ୍ ମିଡ୍ନାଇଟ୍ ସନ୍’ ବୋଲି କୁହାଯାଏ। ଏହା ଆର୍କଟିକ୍ ସର୍କଲରେ ଅବସ୍ଥିତ। ଏହି ସ୍ଥାନରେ ମେରୁ ଜୁଲାଇ ମାସ ଯାଏଁ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ, ଅର୍ଥାତ୍ ଲଗାତର ୭୬ ଦିନ ଏଠାରେ ରାତି ହୋଇ ନଥାଏ। ଏହା ବ୍ୟତୀତ ଏଠାରେ ଥିବା ସାଲାବାର୍ଡରେ ମଧ୍ୟ ୧୦ ଏପ୍ରିଲ୍ରୁ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ।କାନାଡ଼ାରେ ବହୁ ସଂଖ୍ୟକ ଭାରତୀୟ ବାସ କରନ୍ତି। କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ନୁନାଭୁଟ ସହରରେ କ୍ରମାଗତ ଦୁଇ ମାସ ପାଇଁ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ସେହିପରି ଶୀତ ରତୁରେ ଏଠାରେ ୩୦ ଦିନ କେବଳ ରାତି ରହିଥାଏ। ଏହି ସମୟରେ ସୂର୍ଯ୍ୟ ଅସ୍ତ ହୋଇ ଲୁଚିଯାଇଥାଆନ୍ତି ।
ୟୁରୋପର ବୃହତ୍ତମ ଦ୍ୱୀପପୁଞ୍ଜ ମଧ୍ୟରୁ ଆଇସ୍ଲ୍ୟାଣ୍ଡ୍ ଅନ୍ୟତମ। ଜୁନ୍ ମାସରେ ସୂର୍ଯ୍ୟ ଏହି ଦ୍ୱୀପରେ କେବେ ବି ଅସ୍ତ ହୁଅନ୍ତି ନାହିଁ। ଆଇସ୍ଲ୍ୟାଣ୍ଡ୍ରେ ୨୪ ଘଣ୍ଟା ଦିନ ହୋଇଥାଏ। ମେ’ ମାସ ଶେଷରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଆଲାସ୍କାର ବାରୋ ସହରରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ନଭେମ୍ବର ମାସ ସାରା ଏଠାରେ ରାତି ହୋଇଥାଏ। ଏହି ସମୟକୁ ପୋଲାର ନାଇଟ୍ ବୋଲି କୁହାଯାଏ। ଏହି ୪ଟି ସ୍ଥାନ ଏହି ପ୍ରାକୃତିକ ବୈଚିତ୍ର୍ୟ ଲାଗି ବେଶ୍ ପ୍ରସିଦ୍ଧ।