ସଫ୍‌ଟ୍‌ୱେର୍‌ ତତ୍ତ୍ବାବଧାନରେ ପ୍ରସ୍ତୁତ ତଥା ଥ୍ରି-ଡି ପଦ୍ଧତିରେ ମୁଦ୍ରିତ ଭୋଜନ (ପ୍ରିଣ୍ଟେଡ୍‌ ଫୁଡ୍‌) ଭବି‌ଷ୍ୟତ‌େର ଖାଦ୍ୟଶିଳ୍ପକୁ ଅକ୍ତିଆର କରିପାରେ ବୋଲି ଗବେଷକମାନେ ଦାବି କରୁଛନ୍ତି। ମେସିନ୍‌ ଖାଦ୍ୟ ମୁଦ୍ରଣ କରିପାରିବ କି, ନାହିଁ- ଏ ବିଷୟରେ ପ୍ରାରମ୍ଭିକ ସମୟରେ ଗବେଷକମାନେ ସନ୍ଦିହାନ ଥିଲେ। କିନ୍ତୁ, ଏବେ ତାହା ସମ୍ଭବ ବୋଲି ପ୍ରମାଣିତ ହୋଇ ବ୍ୟାପକ ଆକାର ଧାରଣ କରୁଛି। ଇଞ୍ଜିନିୟର୍‌ ଓ ବୈଜ୍ଞାନିକମାନେ ଥ୍ରି-ଡି ପ୍ରିଣ୍ଟର୍‌ ବ୍ୟବହାର କରି ନରମ ଓ ଅର୍ଦ୍ଧତରଳ କରାଯାଇଥିବା ଖାଦ୍ୟ ସାମଗ୍ରୀରୁ ଲୋକଙ୍କ ବରାଦମୁତାବକ ଭୋଜନ ପ୍ରସ୍ତୁତ କରିପାରୁଛନ୍ତି। ଗବେଷଣାରୁ ଜଣାପଡ଼ିଛି, ଦୀର୍ଘଦିନ ପାଇଁ ମହାକାଶ ଯାତ୍ରା କରୁଥିବା ମହାକାଶଚାରୀ, କ୍ରୀଡ଼ାବିତ୍‌, ବୟସ୍କ ଲୋକମାନଙ୍କ ହଜମଶକ୍ତିକୁ ଚାହିଁ ବହଳ ଖାଦ୍ୟ, ଗିଳିବାରେ ସମସ୍ୟା ଥିବା ରୋଗୀଙ୍କ ପାଇଁ ଥ୍ରି-ଡି ଖାଦ୍ୟ ମୁଦ୍ରଣ ମେସିନ୍‌ ବେଶ୍‌ ଉପଯୋଗୀ।

Advertisment

ଏବେ ପାରମ୍ପରିକ ଖାଦ୍ୟ ପଦାର୍ଥର ରୂପ, ସ୍ବାଦ ଓ ସ୍ତର ଆଦି ଅନୁକରଣ କରି ଅନେକ କମ୍ପାନି ଓ ଷ୍ଟାର୍ଟ-ଅପ୍‌ ଥ୍ରି-ଡି ପ୍ରିଣ୍ଟର୍‌ ଦ୍ବାରା ବିଭିନ୍ନ ଖାଦ୍ୟ ମୁଦ୍ରଣ କଲେଣି। ପାଚକ ବା ସେଫ୍‌ମାନେ ବି ସେମାନଙ୍କ କଳ୍ପନା-ପ୍ରସୂତ ଖାଦ୍ୟ ପଦାର୍ଥ ଥ୍ରି-ଡି ପ୍ରିଣ୍ଟର୍‌ ମାଧ୍ୟମରେ ସାକାର କରୁଛନ୍ତି। ଏ ପଦ୍ଧତିରେ ଭୋଜନ ପ୍ରସ୍ତୁତି ଲାଗି କମ୍ପ୍ୟୁଟର୍‌ ଓ ସଫ୍‌ଟ୍‌ୱେର୍‌ ଆଦି ଡିଜିଟାଲ୍‌ ଉପକରଣ ଥିବାରୁ ବ୍ୟଞ୍ଜନ ଲାଗି ବ୍ୟବହୃତ ଉପାଦାନ ସଠିକ୍‌ ଓ ନିୟନ୍ତ୍ରିତ ମାତ୍ରାରେ ଉପଯୋଗ କରାଯାଉଛି। ଆବଶ୍ୟକସ୍ଥଳେ ସ୍ବାସ୍ଥ୍ୟପ୍ରଦ ଭୋଜନ ଲାଗି ଅତିରିକ୍ତ ପୋଷକତତ୍ତ୍ବ ମିଶ୍ରଣ କରାଯାଉଛି। ତେଣୁ ଖାଦ୍ୟସାମଗ୍ରୀ ଅଯଥା ନଷ୍ଟ ହେଉନାହିଁ।
ଥ୍ରି-ଡି ପଦ୍ଧତିରେ ଖାଦ୍ୟ ମୁଦ୍ରଣ କରିବା ଚିନ୍ତାଧାରା ୨୦୦୬ ମସିହା ବେଳକୁ ଆମେରିକାର କର୍ଣ୍ଣେଲ୍‌ ୟୁନିଭର୍ସିଟିସ୍ଥିତ ‘ଫ୍ୟାବ୍‌ଆଟ୍‌ହୋମ୍‌ ପ୍ରୋଜେକ୍ଟ୍‌’ରେ ଆରମ୍ଭ ହୋଇଥିଲା। ଆଦ୍ୟକାଳରେ ଏଥିରେ ଚକ୍‌ଲେଟ୍‌, କୁକିଗୁଣ୍ଡ ଓ ଛେନା ଆଦି ଉପାଦାନରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଥିଲା। ଏହାପରେ ପରେ ଅନ୍ୟାନ୍ୟ ଅନେକ କମ୍ପାନି ଥ୍ରି-ଡି ପଦ୍ଧତିରେ ଖାଦ୍ୟପଦାର୍ଥ ମୁଦ୍ରଣ ଲାଗି ଗବେଷଣା କରି ଉନ୍ନତ ଡିଜିଟାଲ୍‌ ମେସିନ୍‌ ବିକଶିତ କଲେ।

ତା’ପରେ କଲମ୍ବିଆ ୟୁନିଭର୍ସିଟି ସ୍କୁଲ୍‌ ଅଫ୍‌ ଇଞ୍ଜିନିୟରିଙ୍ଗ୍‌ ଗୋଟାଏ ଥ୍ରି-ଡି ପ୍ରିଣ୍ଟର୍‌ ବିକଶିତ କଲା, ଯେଉଁଥିରେ ଲେଜର୍‌ ରଶ୍ମି ଦ୍ବାରା ଭୋଜନ ରନ୍ଧାହେଲା। ପ୍ରଥମେ ସେମାନେ ଏହି ପ୍ରିଣ୍ଟର୍‌ରେ ସାତ ପ୍ରକାର ସାମଗ୍ରୀ ପକାଇ ‘ଚିଜ୍‌କେକ୍‌’ ପ୍ରସ୍ତୁତ କଲେ। ନରମ ବା ଅର୍ଦ୍ଧତରଳ କରାଯାଇଥିବା ଖାଦ୍ୟ ସାମଗ୍ରୀଗୁଡ଼ିକୁ କୁହାଗଲା ‘ଫୁଡ୍‌ ଇଙ୍କ୍’ ଓ ତାହାକୁ ସଠିକ୍‌ ଭାବେ ରାନ୍ଧିବାକୁ ବ୍ୟବହାର କରାଗଲା ଲେଜର୍‌ ରଶ୍ମି। ସେତେବେଳେ ସେମାନଙ୍କ ଫୁଡ୍‌ ଇଙ୍କ୍‌ରେ ଥିଲା କଦଳୀ, ଜାମ୍‌, ଚିନାବାଦାମ ଲହୁଣି ଓ ନଟେଲା। ‘ଇଙ୍କ୍‌’ କୁହାଯାଉଥିବା ଏହି ନରମ ତଥା ଅର୍ଦ୍ଧତରଳ ଖାଦ୍ୟସାମଗ୍ରୀ ନିର୍ଦ୍ଧାରିତ ନୋଜଲ୍‌ ଦେଇ ବାହାରେ ଏବଂ ରନ୍ଧନ ନିମନ୍ତେ ଥ୍ରି-ଡି ପ୍ରିଣ୍ଟର୍‌ରେ ପରସ୍ତ ପରସ୍ତ ହୋଇ ବିଛାଇ ହୋଇଯାଏ।

ଏବେ କିନ୍ତୁ ମାଛ, ମାଂସ, ପାସ୍ତା ଓ ଡେଜର୍ଟ ଆଦି ବିଭିନ୍ନ ଆକୃତିରେ ଥ୍ରି-ଡି ପ୍ରିଣ୍ଟର୍‌ରେ ମୁଦ୍ରଣ କରାଗଲାଣି। ଏସବୁ ଭୋଜନ ସଫ୍‌ଟ୍‌ୱେର୍‌ ଦ୍ବାରା ନିୟନ୍ତ୍ରିତ ହେଉଛି, ଅର୍ଥାତ୍‌ ଇଞ୍ଜିନିୟର୍‌ମାନଙ୍କ ଦ୍ବାରା ପୂର୍ବନିର୍ଦ୍ଧାରିତ ଆକାରପ୍ରକାର ଅନୁସାରେ ଖାଦ୍ୟ ମୁଦ୍ରିତ ହେଉଛି। ଆବଶ୍ୟକସ୍ଥଳେ ଇଞ୍ଜିନିୟର୍‌ମାନେ ଦୁଇଟି ସମ୍ପୂର୍ଣ୍ଣ ପୃଥକ୍‌ ଖାଦ୍ୟ ସାମଗ୍ରୀକୁ ଏକତ୍ର ମିଶାଇ ପାରୁଛନ୍ତି। ଧରନ୍ତୁ, ପୁଷ୍ଟିସାର ଓ ଚର୍ବି। ଲେଜର୍‌ ରଶ୍ମିରେ ଉତ୍ତପ୍ତ ହେଲେ ଏହା ତରଳିଯାଇ ପରସ୍ପର ସହିତ ମିଳେଇଯାଉଛି।
ଏଥିରେ ଥିବା ସଫ୍‌ଟ୍‌ୱେର୍‌ ଓ ଡିଜିଟାଲ୍‌ ଉପକରଣ ଦ୍ବାରା ମନ ମାଫିକ୍‌ ଡିଜାଇନ୍‌ ବା ଆକୃତିର ଖାଦ୍ୟ ତିଆରି କରି ରନ୍ଧାଯାଇ ପାରୁଛି। ମନେକରନ୍ତୁ ଜଣେ ମାଛ ଖାଇବାକୁ ଚାହୁଛନ୍ତି, କିନ୍ତୁ ତାହା ମାଛ ଭଳି ନ ଦିଶି ଅନ୍ୟ କିଛି ଜିନିଷ ଭଳି ଦିଶୁ ବୋଲି ତାଙ୍କର ଇଚ୍ଛା। ଥରେ ଜଣେ ଗ୍ରାହକଙ୍କ ଅନୁରୋଧକ୍ରମେ ମାଛକୁ ଟେନିସ୍‌ ରୢାକେଟ୍‌ ଓ ବଲ୍‌ ସେଟ୍‌ ଆକାରରେ ମୁଦ୍ରଣ କରାଯାଇ ପରିବେଷଣ କରାଯାଇଥିଲା। ଖାଦ୍ୟଶିଳ୍ପରେ ଏହା ହେଉଛି ଏ ଟେକ୍ନୋଲଜିର ବିଶେଷ ବୈଶିଷ୍ଟ୍ୟ ବୋଲି ଅଷ୍ଟ୍ରିଆର ‘ରେଭୋ ଫୁଡ୍‌ସ୍‌’ର ସିଇଓ କହନ୍ତି।

ଭାରତର ମହୀଶୂର ଓ ମୁମ୍ବାଇ ଆଦି ସହରରେ ବି ଥ୍ରି-ଡି ମୁଦ୍ରିତ ଖାଦ୍ୟ ଉପଲବ୍ଧ ହେ‌ଲାଣି। ଗତ ସାତ ବର୍ଷ ହେବ ଭାରତୀୟ ଇଞ୍ଜିନିୟର୍‌ମାନେ ବି ଏହା ଉପରେ ଗବେଷଣା ଚଳାଇ ସଫଳ ହୋଇଛନ୍ତି। ଆଜିକାଲି ପ୍ରଯୁକ୍ତିବିଦ୍ୟା ଏତେ ଅଗ୍ରଗତି କରିଥିଲେ ବି ଥ୍ରି-ଡି ମୁଦ୍ରିତ ଖାଦ୍ୟଶିଳ୍ପରେ ସଫ୍‌ଟ୍‌ୱେର୍‌, ଡିଜାଇନ୍ ଓ ଉତ୍ପାଦନ କ୍ଷେତ୍ର ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ହୋଇପାରି ନାହିଁ। ଏହାଛଡ଼ା, ଏସବୁ ବ୍ୟୟବହୁଳ ବ୍ୟାପାର ହୋଇଥିବାରୁ ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ଭୋଜନ ପରିବେଷଣ କରିବା ସମ୍ଭବପର ହେଉନାହିଁ। କିନ୍ତୁ, ବୈଜ୍ଞାନିକମାନେ ଆଶାବାଦୀ ଯେ ଏଥିପାଇଁ ଆହୁରି ଉନ୍ନତ ଓ ସୁଲଭ ଥ୍ରି-ଡି ପ୍ରିଣ୍ଟର୍‌ ବିକଶିତ ହେବାସହିତ ଭୋଜନ ମୂଲ୍ୟ ସୁଲଭ ହେବ।