ପିଲା ଜନ୍ମ ହେଲେ ଦେଶର ଜନସଂଖ୍ୟା ବଢ଼ିବା ଏକ ସାଧାରଣ କଥା। ହେଲେ ବିଶ୍ବରେ ଏମିତି ଏକ ଦେଶ ରହିଛି ଯେଉଁଠାରେ ଦୀର୍ଘ ୯୫ ବର୍ଷ ହେବ ଗୋଟିଏ ବି ପିଲା ଜନ୍ମ ହୋଇନାହାନ୍ତି। କିନ୍ତୁ ଜନସଂଖ୍ୟା ଚିରାଚରିତ ଢଙ୍ଗରେ ବଢ଼ିଚାଲିଛି। ଏପରି ଅଜବ ଘଟଣା ଘଟିଛି ପୁଣି ବିଶ୍ବର ସବୁଠୁ କମ୍ ଲୋକ ବାସ କରୁଥିବା ଦେଶରେ। ଏସବୁ ଆଶ୍ଚର୍ଯ୍ୟ ମନେ ହେଉଥିଲେ ବି ସତ। ଦୁନିଆର କ୍ଷୁଦ୍ରତମ ଦେଶ କୁହାଯାଉଥିବା ଭାଟିକାନ୍ ସିଟିରେ ଏପରି ଘଟିଚାଲିଛି। କ୍ଷେତ୍ରଫଳ ଅନୁସାରେ, ଏହା ମାତ୍ର ୧୧୮ ଏକର ପରିମିତ ଅଞ୍ଚଳରେ ଦଣ୍ଡାୟମାନ। ପୁଣି ଏଠାକାର ଜନସଂଖ୍ୟା ମାତ୍ର ୫୨୬ ଏବଂ ସେମାନଙ୍କ ମଧ୍ୟରେ ମାତ୍ର ୩୦ ଜଣ ହେଉଛନ୍ତି ମହିଳା। କୁହାଯାଏ ଏହି ଦେଶର ଇସାରାରେ ଅନେକ ବଡ଼ ବଡ଼ ଦେଶ ଚାଲିଛି। କାରଣ ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଗୁରୁ ପୋପ୍ ଏହିଠାରେ ବାସ କରନ୍ତି ଏବଂ ତାଙ୍କ ନିର୍ଦ୍ଦେଶରେ ପୃଥିବୀର ସମସ୍ତ କ୍ୟାଥଲିକ୍ ଖ୍ରୀଷ୍ଟିଆନ୍ ପରିଚାଳିତ ହୁଅନ୍ତି।
ଇତିହାସ କହେ, ୧୧ ଫେବ୍ରୁଆରି ୧୯୨୯ରେ ଭାଟିକାନ୍ ସିଟିର ନିର୍ମାଣ ହୋଇଥିଲା। ତେବେ କଥା ଉଠୁଛି ୯୫ ବର୍ଷର ଏହି ଦେଶରେ ଏମିତି କି କାରଣ ରହିଛି ଯେ, ଏଠାରେ ଗୋଟିଏ ବି ପିଲା ଜନ୍ମ ହେଉନାହାନ୍ତି! ଏଠାକାର ପୁରୁଷ-ମହିଳା ବିବାହ କରନ୍ତି ଏବଂ ସେମାନଙ୍କର ପିଲା ଜନ୍ମ କରିବାର କ୍ଷମତା ବି ରହିଛି। କିନ୍ତୁ ପିଲା ଜନ୍ମ ନହେବା ପଛରେ ରହିଛି ଭିନ୍ନ ଏକ କାରଣ। ଏଠାରେ ଅନେକ ବଡ଼ ବଡ଼ ଐତିହାସିକ ସ୍ଥାପତ୍ୟ ରହିଛି, ମାତ୍ର ଗୋଟିଏ ହେଲେ ହସ୍ପିଟାଲ ନିର୍ମାଣ କରାଯାଇନାହିଁ। ଏଣୁ ସାମାନ୍ୟ କୌଣସି ବେମାରି ହେଲେ କିମ୍ବା ପ୍ରସବ ସମୟରେ ମହିଳାମାନଙ୍କୁ ପ୍ରତିବେଶୀ ରୋମ୍ ନଗରୀ ଉପରେ ନିର୍ଭର କରିବାକୁ ପଡ଼େ।
ସେହିପରି ଏହି ଭାଟିକାନ୍ ସିଟିରେ ଗୋଟିଏ ବି ହେଲେ ଜେଲ୍ ନାହିଁ। ଯଦି କୌଣସି ଅପରାଧିକ ମାମଲାରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଏ, ତାକୁ ଇଟାଲିର ଜେଲ୍କୁ ପଠାଇଦିଆଯାଏ। କିନ୍ତୁ କଏଦୀମାନଙ୍କ ସମସ୍ତ ଖର୍ଚ୍ଚ ଭାଟିକାନ୍ ସିଟି ବହନ କରିଥାଏ। ଦେଶରେ ହସ୍ପିଟାଲ୍ ନିର୍ମାଣ ପାଇଁ ଅନେକ ଥର ଦାବି ଉଠିଥିଲେ ମଧ୍ୟ ବାରମ୍ବାର ଏହାକୁ ଖାରଜ କରିଦିଆଯାଉଛି। ସ୍ଥାନର ଅଭାବ ପାଇଁ ଏଠାରେ କୌଣସି କ୍ଲିନିକ୍ ବା ହସ୍ପିଟାଲ୍ ତିଆରି ହୋଇନାହିଁ କିମ୍ବା ଆଗକୁ ତିଆରି ହେବାର ଯୋଜନା ବି ନାହିଁ। ତେବେ ବର୍ତ୍ତମାନ କେବଳ ୯୫ ବର୍ଷ ଧରି ନୁହେଁ ପରବର୍ତ୍ତୀ ସମୟରେ ମଧ୍ୟ ଏହି ଦେଶରେ ପିଲା ଜନ୍ମ ହେବାର କୌଣସି ସମ୍ଭାବନା ନାହିଁ ବୋଲି କୁହାଯାଇପାରେ।
ଏହାବାଦ୍ ଏଠାରେ ଧାର୍ମିକ ବିଶ୍ବାସ ଅନୁସାରେ ବିବାହ ଓ ପିଲା ଜନ୍ମ ଉପରେ କଠୋର ରୋକ୍ ରହିଛି। ଯେହେତୁ ଭାଟିକାନ୍ର ଅଧିକାଂଶ ବାସିନ୍ଦା ନନ୍ ଓ ଫାଦର୍ ବର୍ଗର ହୋଇଥା’ନ୍ତି, ସେମାନେ ବିବାହ ଓ ପ୍ରସବକୁ ଧାର୍ମିକ ଦୃଷ୍ଟିରୁ ଉଚିତ ବୋଲି ବିବେଚନା କରନ୍ତି ନାହିଁ। ଏହି ଦେଶରେ ପୁରୁଷ ଓ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ପୋଷାକ ପରିଧାନ କରିବାର ନିୟମ ମଧ୍ୟ ରହିଛି। ମହିଳାମାନଙ୍କୁ ସ୍ବଳ୍ପବସ୍ତ୍ର ପରିଧାନ ଲାଗି ବାରଣ ରହିଛି। ଭାଟିକାନ୍ ସିଟିର ମହିଳାମାନେ ସାଧାରଣତଃ ଗୃହିଣୀ। ବିଶ୍ବରେ ଜନସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଭାଟିକାନ୍ ସିଟିରେ କୌଣସି ପିଲା ଜନ୍ମ ନ ହେବା ଏକ ବିରଳ ରେକର୍ଡ। ଯଦିଓ ଅନ୍ୟ ଦେଶରେ ଜନ୍ମ େହାଇ ନିଜ ଦେଶକୁ ନବଜାତକଟି ଫେରିଥାଏ, ତଥାପି ହଠାତ୍ ଯେ କେହି ବି ଏକଥା ଶୁଣିବ ସେ ଆଶ୍ଚର୍ଯ୍ୟ ହେବା ନିଶ୍ଚିତ।