ଗ୍ରହଣକୁ ସାଧାରଣତଃ ଅଶୁଭ ସମୟ ଭାବେ ବିବେଚନା କରାଯାଏ। ଏପରିକି ଯାହାର ବେଳା ଭଲ ନ ଥାଏ ତା’ର ଭାଗ୍ୟକୁ ଗ୍ରହଣ ଲାଗିଥିବା କଥା କୁହାଯାଏ। ମାତ୍ର ଗ୍ରହଣ ଏକ ପ୍ରମୁଖ ଜ୍ୟୋତିଷୀୟ ଘଟଣା ହୋଇଥିବାରୁ ଏହାର ପ୍ରଭାବକୁ ସକାରାତ୍ମକ ଦୃଷ୍ଟିକୋଣରୁ ମଧ୍ୟ ଦେଖାଯାଇପାରେ। ଆଜି ଚନ୍ଦ୍ରଗ୍ରହଣ ଅବସରରେ କେଉଁ କେଉଁ ରାଶି ପାଇଁ ଏଥରର ଗ୍ରହଣ ଶୁଭପ୍ରଦ ତଥା ଲାଭଦାୟକ ଏବଂ ଏହାକୁ ନେଇ କ’ଣ କହେ ଜ୍ୟୋତିଷଶାସ୍ତ୍ର ଆସନ୍ତୁ ଜାଣିବା...
ଏଥର ଚନ୍ଦ୍ରଗ୍ରହଣର ସ୍ପର୍ଶ ରାତି ୯ଟା ୫୭ ମିନିଟ୍ରେ ହେବ। ଏହା ଏକ ସମ୍ପୂର୍ଣ୍ଣ ବା ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ। ଆରମ୍ଭ ଓ ଶେଷରେ କିଛି ସମୟ ଆଂଶିକ ଏବଂ ମଝିରେ କିଛି ସମୟ ସମ୍ପୂର୍ଣ୍ଣ ଗ୍ରହଣ ଦୃଶ୍ୟ ହେବ। ରାତ୍ରି ୧୧ଟାରେ ପୂର୍ଣ୍ଣଗ୍ରାସ ଆରମ୍ଭ ହୋଇ ରାତ୍ରି ୧୨ଟା ୨୩ରେ ଶେଷ ହେବ। ରାତ୍ରି ୧୧ଟା ୪୨ ହେଉଛି ସର୍ବାଧିକ ଗ୍ରସ୍ତ ସମୟ (ଗ୍ରହଣ ମଧ୍ୟ) ଏବଂ ରାତ୍ରି ୧ଟା ୨୭ ମିନିଟ୍ରେ ଆଂଶିକ ଗ୍ରହଣ ଶେଷ ବା ସର୍ବମୋକ୍ଷ ହେବ। ଗ୍ରହଣ ସାରା ଦେଶରେ ଦୃଶ୍ୟମାନ ହେବ। ଗ୍ରହଣର ସୂତକ କାଳ ସ୍ପର୍ଶର ନଅ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦ୍ବିପ୍ରହର ୧୨ଟା ୫୭ରୁ ଆରମ୍ଭ ହେବ।
ଜ୍ୟୋତିଷୀମାନଙ୍କ କହିବା ମୁତାବକ, ଏହି ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ କୁମ୍ଭରାଶିରେ ହେଉଛି। ଅର୍ଥାତ୍ ଚନ୍ଦ୍ରମା ଓ ରାହୁଙ୍କ ଚଳନ କୁମ୍ଭ ରାଶିରେ ହେଉଛି। ଶନିଙ୍କ ରାଶି କୁମ୍ଭରେ ଚନ୍ଦ୍ର ପୂର୍ବାଭାଦ୍ରପଦ ନକ୍ଷତ୍ରରେ ଅଛି। ଏହାଦ୍ୱାରା ଏକ ବିଶେଷ ଗ୍ରହଣ ଯୋଗ ସୃଷ୍ଟି ହେଉଛି। ଏହାକୁ ଜ୍ୟୋତିଷଶାସ୍ତ୍ରରେ ରାହୁ-ଚନ୍ଦ୍ର ଯୋଗ ବୋଲି କୁହାଯାଏ। ଗ୍ରହଣ ସମୟରେ ସୂର୍ଯ୍ୟ-କେତୁଙ୍କ ଯୋଗ ସିଂହରାଶିରେ ହେଉଛି। ଏହା କିଛି ରାଶି ଉପରେ ବିଶେଷ ପ୍ରଭାବ ପକାଇପାରେ। ଜ୍ୟୋତିର୍ବିଦ୍ଙ୍କ କହିବା ଅନୁସାରେ, ସେପ୍ଟେମ୍ବର ୭ ତାରିଖ ୨୦୨୫ର ସଂପୂର୍ଣ୍ଣ ଚନ୍ଦ୍ରଗ୍ରହଣ କେବଳ ଜ୍ୟୋତିଷୀୟ ଦୃଷ୍ଟିରୁ ନୁହେଁ ବରଂ ସାମାଜିକ କ୍ଷେତ୍ରରେ ମଧ୍ୟ ବିଶ୍ୱବ୍ୟାପୀ ପ୍ରଭାବ ପକାଇବ। ଏହି ଗ୍ରହଣ ଏସିଆ, ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ ଓ ଆମେରିକାର ଅନେକ ଭାଗରୁ ଦେଖାଯାଇପାରିବ। ଜ୍ୟୋତିର୍ବିଦ୍ମାନେ ଏହାକୁ ‘ବ୍ଲଡ୍ ମୁନ୍’ ମଧ୍ୟ କହିଥାନ୍ତି। ରାହୁ-ଚନ୍ଦ୍ରଙ୍କ ଯୋଗ କାରଣରୁ ଅନେକ ଦେଶରେ ରାଜନୈତିକ ଅସ୍ଥିରତା, ଅବିଶ୍ୱାସ ଓ ନେତୃତ୍ୱ ସଙ୍କଟ ଦେଖିବାକୁ ମିଳିପାରେ। ଆନ୍ତର୍ଜାତୀୟ ସମ୍ବନ୍ଧରେ ହଠାତ୍ ଉତ୍ତେଜନା ବା ବିବାଦର ସମ୍ଭାବନା ସୃଷ୍ଟି ହୋଇପାରେ। ଚନ୍ଦ୍ରଗ୍ରହଣ ଜଳତତ୍ତ୍ୱ ସହ ଜଡ଼ିତ ବୋଲି ମନେ କରାଯାଏ। ତେଣୁ ସାମୁଦ୍ରିକ ଝଡ଼, ବନ୍ୟା ଓ ପ୍ରବଳ ବର୍ଷାର ସମ୍ଭାବନା ଅଧିକ ରହିଥାଏ। ଭୂକମ୍ପ ଭଳି ଭୂ-ପରିବର୍ତ୍ତନକାରୀ ଘଟଣା ମଧ୍ୟ ଘଟିପାରେ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହଣ ଚାରିଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସକାରାତ୍ମକ ପରିବର୍ତ୍ତନ ଆଣିବ। ହଠାତ୍ ଧନପ୍ରାପ୍ତି ହେବ। ଏଥିସହିତ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ଆସନ୍ତୁ ଜାଣିବା କେଉଁ ରାଶିଗୁଡ଼ିକ ଏହି ସମୟରେ ଲାଭାନ୍ୱିତ ହେବେ:
ମେଷ ରାଶି: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଏହା ଆପଣଙ୍କ ରାଶିର ଲାଭ ସ୍ଥାନରେ ଘଟୁଥିବାରୁ ଆପଣଙ୍କୁ ଅପ୍ରତ୍ୟାଶିତ ଭାବେ ଆର୍ଥିକ ଲାଭ ମିଳିପାରେ। ବ୍ୟବସାୟରେ ନୂତନ ସୁଯୋଗ ସୃଷ୍ଟି ହେବ ଏବଂ ପୁରୁଣା ନିବେଶରୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି। ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ।
ମିଥୁନ ରାଶି: ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଏବଂ ଧନପ୍ରାପ୍ତିର ନୂତନ ମାର୍ଗ ଉନ୍ମୁକ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଦର୍ଶନକୁ ପ୍ରଶଂସା କରାଯିବ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ।
କନ୍ୟା ରାଶି: ଏହି ଚନ୍ଦ୍ରଗ୍ରହଣ କନ୍ୟାରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶତ୍ରୁମାନଙ୍କ ଉପରେ ବିଜୟ ପ୍ରଦାନ କରିବ। କୋର୍ଟ-କଚେରୀ ମାମଲାରେ ସଫଳତା ମିଳିବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ସହିତ ଆୟବୃଦ୍ଧିର ଯୋଗ ରହିଛି। ଆପଣଙ୍କର ନିଷ୍ଠା ଓ କଠିନ ପରିଶ୍ରମର ଉଚିତ ଫଳ ମିଳିବ।
ଧନୁ ରାଶି: ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଚନ୍ଦ୍ରଗ୍ରହଣର ପ୍ରଭାବ ଅନୁକୂଳ ରହିବ। ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଭାଇଭଉଣୀଙ୍କ ସହିତ ସମ୍ପର୍କ ମଧୁର ହେବ। କାର୍ଯ୍ୟକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ ଏବଂ ଆପଣଙ୍କୁ ନୂତନ ଦାୟିତ୍ୱ ମିଳିପାରେ। ଗ୍ରହଣକୁ ସାଧାରଣତଃ ଅଶୁଭ ସମୟ ଭାବେ ବିବେଚନା କରାଯାଏ।
ବୃଷ, ମିଥୁନ, କର୍କଟ, ସିଂହ, କୁମ୍ଭ ଓ ମୀନ ରାଶି ପାଇଁ ଗ୍ରହଣ ଦର୍ଶନ ଅଶୁଭପ୍ରଦ ହୋଇଥିବା ବେଳେ ଅନ୍ୟ ରାଶି ପାଇଁ ଶୁଭପ୍ରଦ। ସେହିପରି ୧, ୭, ୧୦, ୧୬, ୧୯ ଓ ୨୫ ନକ୍ଷତ୍ର ପାଇଁ ଗ୍ରହଣ ଦର୍ଶନ ଅଶୁଭ ହୋଇଥିବା ବେଳେ ଅନ୍ୟ ନକ୍ଷତ୍ର ପାଇଁ ଶୁଭ। କିନ୍ତୁ ପ୍ରଥମ ଦର୍ଶନ ଅଶୁଭ ନୁହେଁ। ଚଳିତ ପାଞ୍ଜିବର୍ଷ (୨୦୨୫ ଏପ୍ରିଲ ୧୪ରୁ ୨୦୨୬ ଏପ୍ରିଲ ୧୩)ରେ ପରବର୍ତ୍ତୀ କେତୁଗ୍ରସ୍ତ ସମ୍ପୂର୍ଣ୍ଣ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ତା୦୩ା୦୩ା୨୦୨୬ ଫାଲ୍ଗୁନ ପୂର୍ଣ୍ଣିମା ମଙ୍ଗଳବାର ସଂଘଟିତ ହେବ।