ସମଗ୍ର ବିଶ୍ବର ଆତ୍ମ-ଅନ୍ବେଷୀ ବା ଆଧ୍ୟାତ୍ମିକ ସାଧକମାନଙ୍କ ଆଶ୍ରୟସ୍ଥଳ ବିହାରର ବୋଧଗୟା ଅନ୍ତର୍ଗତ ଏହି ଜନଗହଳିପୂର୍ଣ୍ଣ ଗାଁ’ରେ ବାରି ହୋଇପଡ଼େ ୨୫ ବର୍ଷୀୟା ପୂଜା କୁମାରୀଙ୍କ ଚା ଦୋକାନ। ପର୍ଯ୍ୟଟକମାନଙ୍କୁ ଗୟା ଅନ୍ତର୍ଗତ ମଝୌଲୀ ବନକଟ ଗାଁ’ର ବାସିନ୍ଦା ପୂଜା ଖାଲି ଗରମାଗରମ ଚା ପରିବେଷଣ କରନ୍ତି ନାହିଁ, ବିଭିନ୍ନ ଭାଷାରେ କଥାବାର୍ତ୍ତା କରିପାରୁଥିବାରୁ ଗୋଟାଏ ଆନନ୍ଦପ୍ରଦ ବାତାବରଣ ବି ସୃଷ୍ଟି କରନ୍ତି।
ପୂଜାଙ୍କ ଅସାଧାରଣ ଗୁଣ ଅନେକଙ୍କୁ ଉତ୍ସାହ ଦିଏ। ଆପଣା ଅଧ୍ୟବସାୟ କଥା ସ୍ମରଣ କରି ସେ କହନ୍ତି, ‘‘ମୋର ମନେହୁଏ କୌଣସି କାମ ନିଷ୍ପ୍ରୟୋଜନ ନୁହେଁ। ନୂଆ ନୂଆ ଲାଜ ମାଡୁଥିଲା, କିନ୍ତୁ ତା’ପରେ ଚା ବିକିବାକୁ ବେଶ୍ ଭଲ ଲାଗିଲା। ଏବେ ଅତି ଶ୍ରଦ୍ଧାଶୀଳ ହୋଇ ମୁଁ ଏ କାର୍ଯ୍ୟ କରୁଛି। ଚା’ ଦୋକାନ ଯୋଗୁଁ ହିଁ ମୁଁ ବିଶ୍ବର ଏତେ ଲୋକଙ୍କୁ ଭେଟିପାରିଛି। ବିଦେଶୀ ଝିଅ ଓ ମହିଳାମାନେ ମୋ ବାନ୍ଧବୀ ହୋଇଯାଇଛନ୍ତି।’’ ଆତ୍ମନିର୍ଭରଶୀଳତା ଓ ଶିକ୍ଷା ପ୍ରତି ଆଗ୍ରହ ତାଙ୍କୁ ସାମାନ୍ୟ ଚା ବିକାଳି ଅପେକ୍ଷା ଜଣେ ବିଦୂଷୀ ରୂପେ ବିଶେଷ ପରିଚୟ ଦେଇଛି। ସେ ବହୁଭାଷୀ, ଭାଷାବିତ୍ ଏ ପ୍ରାଚୀନ ନଗରୀକୁ ଆସୁଥିବା ବହୁ ବିଦେଶୀଙ୍କ ବାନ୍ଧବୀ।
ଶିକ୍ଷାରେ ସଫଳତା ଲାଭ କରିବା ଏବଂ ଚା ଦୋକାନ ମାଲିକାଣୀ ହେବା ପୂଜାଙ୍କ ପକ୍ଷେ ସହଜସାଧ୍ୟ ବ୍ୟାପାର ନ ଥିଲା। ନବମ ଶ୍ରେଣୀରେ ପଢୁଥିବା ବେଳେ ସେ ଉପେନ୍ଦ୍ର କୁମାର ନାମରେ ବୋଧଗୟାର ଜଣେ ଶ୍ରମିକଙ୍କୁ ବାହା ହୋଇଥିଲେ। ଦିନ ମଜୁରିଆ ସ୍ବାମୀଙ୍କ ସ୍ବଳ୍ପ ଉପାର୍ଜନ ଜନିତ ଆର୍ଥିକ ଅନଟନ ସତ୍ତ୍ବେ ପୂଜା ଶିକ୍ଷା ଓ ଉନ୍ନତ ଜୀବନଯାପନ ଅଭିଳାଷ ପରିତ୍ୟାଗ କରି ନ ଥିଲେ।
୨୦୨୩ରେ ତାଙ୍କ ପରିବାର ଉପରେ ଭୀଷଣ ଆର୍ଥିକ କ୍ଳେଶ ପଡ଼ିଲା। ସେହି ସମୟରେ ହିଁ ସେ ଘର ଚଳାଇବା ଲାଗି ସ୍ବାମୀଙ୍କୁ ସାହାଯ୍ୟ କରିବା ଲାଗି ବୋଧଗୟା ଚାଲିଯିବାକୁ ସ୍ଥିରକଲେ। ସେ ଗୋଟାଏ ଚା ଦୋକାନ ଖୋଲିଲେ। ସେଥିରୁ ଭଲ ଉପାର୍ଜନ ହେଲା ଏବଂ ତାହା ପରିବାର ଚଳାଇବାରେ ସହାୟକ ହେଲା। ସେ ପୁନଶ୍ଚ ପାଠପଢ଼ା ଆରମ୍ଭ କରିବାରୁ ତାଙ୍କ ଶିକ୍ଷା କ୍ଷେତ୍ରରେ ବି ଏହା ଘଡ଼ିସନ୍ଧି ମୁହୂର୍ତ୍ତ ଭାବେ ସାବ୍ୟସ୍ତ ହେଲା। ସେ ମେଟ୍ରିକ୍, ଉଚ୍ଚମାଧ୍ୟମିକ, ସ୍ନାତକ ଓ ମଗଧ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ପାସ୍କଲେ। ଉଚ୍ଚ ଶିକ୍ଷିତା ହୋଇ ସୁଦ୍ଧା ଚା ଦୋକାନ ଚଳାଉଥିବାରୁ ପୂଜା ମନଊଣା କରନ୍ତି ନାହିଁ। ତାଙ୍କ ଦୋକାନରେ ଚା ସହିତ କିଛି ଜଳଖିଆ ମଧ୍ୟ ସୁଲଭ ମୂଲ୍ୟରେ ବିକ୍ରିହୁଏ। ସେ ସାଧାରଣ ଭାବେ କପେ ଚା ୧୦ ଓ ୨୦ ଟଙ୍କାରେ ବିକନ୍ତି; କିନ୍ତୁ ବିଦେଶୀମାନେ ୨୦ ଟଙ୍କିଆ ଚା କପ୍ ପସନ୍ଦ କରନ୍ତି। ଚା ବିକ୍ରିରୁ ସେ ମାସକୁ ୧୦ ହଜାରରୁ ଅଧିକ ଟଙ୍କା ଲାଭ କରନ୍ତି।
ପୁଣି ସେ କହନ୍ତି, ‘‘ପିଏଚ୍ଡି କରି ମୁଁ ପ୍ରଫେସର୍ ହେବାକୁ ଚାହେ, କିନ୍ତୁ ପରିବାର ଦାୟିତ୍ବ ତୁଲାଇବା ବଡ଼କଥା। ଏବେ ଏଠାରେ ମୁଁ ମୋ କାମକୁ ନେଇ ଖୁବ୍ ପ୍ରୀତ। ଏଥିରୁ ଖାଲି ଅର୍ଥ ଉପାର୍ଜନ କରିବା ଗୁରୁତ୍ବପୂର୍ଣ୍ଣ ନୁହେଁ, ଅନେକ ଲୋକଙ୍କୁ ଭେଟିବା ଓ ଅନେକ ଭାଷା ଶିଖିବା ବି ଗୁରୁତ୍ବପୂର୍ଣ୍ଣ।’’ ଶିକ୍ଷା ଗ୍ରହଣରୁ ନିବୃତ ହେଉ ନ ଥିବାରୁ, ଦୈନିକ ବିଦେଶୀମାନଙ୍କୁ ଭେଟୁଥିବାରୁ ଏବଂ ତାଙ୍କର ବିଭିନ୍ନ ଭାଷା ପ୍ରତି ଆଗ୍ରହ ବଢୁଥିବାରୁ ବୋଧଗୟା ପରିବ୍ରାଜକମାନଙ୍କ ମଧ୍ୟରେ ପୂଜା ଜଣେ ବହୁଭାଷୀ ବିଦୁଷୀ ରୂପେ ସୁପରିଚିତା। ହର୍ଷିତା ପୂଜା କହନ୍ତି, ‘‘ଇଂରାଜୀ, ଜାପାନୀ, ଚୀନୀ, ଥାଇ ଓ ଆମେରିକୀୟ ଇଂରାଜୀ ସମେତ ମୁଁ ଅନେକ ଭାଷା ଶିଖିଛି। ଭାରତର ବିଭିନ୍ନ ରାଜ୍ୟର ଭାଷା ବି ମୁଁ ବୁଝିପାରେ। ସମଗ୍ର ବିଶ୍ବରୁ ଆସୁଥିବା ଲୋକଙ୍କୁ ନିଜ ନିଜ ଦେଶରେ ଥିବା ଭଳି ଅବ୍ହାୱା ସୃଷ୍ଟି କରିବା ଲାଗି ମୁଁ ମୋ ଭାଷାଗତ ଦକ୍ଷତା ଉପଯୋଗ କରେ। ସେଇଥିପାଇଁ ମୋ ଦୋକାନରେ ସଦାବେଳେ ବିଦେଶୀଙ୍କ ଗହଳି ଲାଗିଥାଏ।’’
ପୂଜାଙ୍କର ଭାଷା ଦକ୍ଷତା ଆଖପାଖ ଦୋକାନୀମାନଙ୍କୁ ବି ଉପକୃତ କରୁଛି। ବିଦେଶୀ ଗ୍ରାହକମାନଙ୍କ ସହିତ କଥାବାର୍ତ୍ତା କରିବାରେ ଅସୁବିଧା ବୋଧକରୁଥିବାରୁ ସେମାନେ ପୂଜାଙ୍କ ସହାୟତା ଲୋଡୁଛନ୍ତି। ପୂଜା ସେମାନଙ୍କୁ ଇଂରାଜୀ ଓ ଅନ୍ୟାନ୍ୟ ବିଦେଶୀ ଭାଷା ଶିଖାଉଛନ୍ତି। ଏହା ବ୍ୟତିରେକେ, ପୂଜା ନିଜ ସନ୍ତାନସନ୍ତତିଙ୍କୁ ମଧ୍ୟ ବିଭିନ୍ନ ଭାଷା ଶିଖାଉଛନ୍ତି। ଭାଷା ଦକ୍ଷତାରେ ପିଲାଏ ତାଙ୍କଠାରୁ ଅଧିକ ନିପୁଣ ହୁଅନ୍ତୁ ବୋଲି ସେ ଆଶା କରନ୍ତି।