ଗୋଲାପ ପରି ସୁନ୍ଦର ଦିଶୁଥିବାରୁ ଏ ଫୁଲକୁ ମରୁଗୋଲାପ କୁହାଯାଏ ସତ, କିନ୍ତୁ ବାସ୍ତବରେ ଗୋଲାପଫୁଲ ସହ ଏହାର କୌଣସି ସାମଞ୍ଜସ୍ୟ ନାହିଁ। ଏହା କାଠଚମ୍ପା ବର୍ଗର ଫୁଲ, ଉଦ୍ଭିଦ ବିଜ୍ଞାନରେ ଏହାର ନାଁ ‘ଅଡେନିୟମ୍‌ ଓବେସମ୍‌’ ଓ ଇଂରାଜୀ ଭାଷାରେ ‘ଡେଜର୍ଟ ରୋଜ୍‌’। ଏହାର ଆଦିନିବାସ ଆଫ୍ରିକା, ମଧ୍ୟପ୍ରାଚ୍ୟ ଓ ମାଡାଗାସ୍କାର୍‌ ଆଦି ମରୁଭୂମି ଥିବା ଦେଶ। ଏ ବୁଦାଳିଆ ଉଦ୍ଭିଦଟି ମରୁଅଞ୍ଚଳ ଭଳି ଶୁଷ୍କ ଜଳବାୟୁରେ ଭଲ ଉଧାଏ। ବର୍ଷକୁ ମାତ୍ର ୧୨ ଇଞ୍ଚ୍‌ ବଢୁଥିବା ଏ ଗଛରେ ଲାଲ୍‌, ଗୋଲାପୀ ଓ ଧଳା ରଙ୍ଗର ଆକର୍ଷଣୀୟ ଫୁଲ ଫୁଟେ। ବର୍ତ୍ତମାନ ପୁଷ୍ପପ୍ରେମୀ ମହଲରେ ମରୁଗୋଲାପ ଏକ ଦାମୀ ଉଦ୍ଭିଦ ଭାବେ ପରିଗଣିତ ଏବଂ ଏହାର ବଜାର ଚାହିଦା ବି ଢେର୍‌।

Advertisment

ମରୁଗୋଲାପ ଚାଷରେ ନିୟୋଜିତ ଜଳନ୍ଧର ନାମରେ ଜଣେ ବ୍ୟବସାୟୀ ପ୍ରାୟ ୨୦ ବର୍ଷ ଧରି ଆଦୌ ଲାଭ କରିପାରୁ ନ ଥିବା ବେଳେ ଏବେ ବର୍ଷକୁ ପ୍ରାୟ ୬୦ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି। ଚେନ୍ନାଇ ନିକଟବର୍ତ୍ତୀ ଈଶାନମ୍‌ କୁପ୍ପମ୍‌ର ଜଳନ୍ଧର ପ୍ରାୟ ୧୫ ଏକର ଜମିରେ କରିଥିବା ମରୁଗୋଲାପ ଉଦ୍ୟାନ ବା ନର୍ସରିରୁ ଚାରା ବିକ୍ରୟ କରି ଏବେ ଭଲ ଆୟ କରୁଛନ୍ତି। ୧୯୮୬ ମସିହାରେ ଜଳନ୍ଧର ଈଶାନମ୍‌ କୁପ୍ପମ୍‌ ମରୁଗୋଲାପ ନର୍ସରି ଆରମ୍ଭ କରିଥିଲେ। କିନ୍ତୁ, ଏହାର ବିଶେଷ ଚାହିଦା ନ ଥିବାରୁ ବିନା ଲାଭରେ ବ୍ୟବସାୟ ବଞ୍ଚାଇ ରଖିବାକୁ ପଡ଼ିଲା। ସେ କହନ୍ତି, ଏ ବ୍ୟବସାୟରେ ଲାଭ ପାଇଁ ସମୟ ଲାଗେ।
ସମ୍ପ୍ରତି ତାଙ୍କ ଉଦ୍ୟାନରେ ବଢୁଥିବା ୪୫୦ ପ୍ରକାର ମରୁଗୋଲାପ ବୁଦାରେ ତିନି ପ୍ରକାରର ଫୁଲ ଫୁଟୁଛି। ଛୋଟ ମରୁଗୋଲାପ ଚାରା ଦାମ୍‌ ୧୫୦ ଟଙ୍କା ହୋଇଥିବା ବେଳେ ପୂର୍ଣ୍ଣ ବିକଶିତ ତଥା ବଡ଼ ମରୁଗୋଲାପ ଗଛ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରୟ ହେଉଛି। କଲମୀ ପ୍ରଣାଳୀରେ ଗୋଟିଏ ମରୁଗୋଲାପ ଗଛରେ ଭିନ୍ନ ଭିନ୍ନ ରଙ୍ଗର ଫୁଲ ଫୁଟାଯାଇ ପାରୁଛି। ଏ ବହୁରଙ୍ଗୀ ଫୁଲ ଫୁଟୁଥିବା ମରୁଗୋଲାପ ଚାରାରୁ ଟିକେ ଅଧିକ ଲାଭ ମିଳେ ବୋଲି କହନ୍ତି ସେ।

ଭିଏତ୍‌ନାମ୍‌ ଓ ଥାଇଲାଣ୍ଡ୍ ପରେ କେବଳ ଚେନ୍ନାଇରେ ବ୍ୟାବସାୟିକ ଉଦ୍ଦେଶ୍ୟରେ ମରୁଗୋଲାପ ଚାରା ପ୍ରସ୍ତୁତି କରାଯାଉଛି ବୋଲି ଦାବି କରନ୍ତି ଜଳନ୍ଧର। ସେ କହନ୍ତି, ‘‘ମରୁଗୋଲାପ ଚାରା ରକ୍ଷଣାବେକ୍ଷଣ କରିବା ଅତି ସହଜ। ଏ ଚାରା ସପ୍ତାହକୁ ମାତ୍ର ଦୁଇଥର ପାଣି ଆବଶ୍ୟକ କରେ। ଯେପର୍ଯ୍ୟନ୍ତ ପ୍ରଚଣ୍ଡ ଖରାରେ ଥିବ ସେପର୍ଯ୍ୟନ୍ତ ଏ ଚାରା ଆଦୌ ଖତସାର ଆବଶ୍ୟକ କରିବନାହିଁ। ତୁଷାରପାତ ହେଉଥିବା ଅଞ୍ଚଳକୁ ବାଦ୍‌ ଦେଲେ ବାକି ପ୍ରାୟ ସବୁ ସ୍ଥାନରେ ଏ ଗଛ ଉଧାଇ ପାରେ। ମରୁଗୋଲାପ ଗଛକୁ ଉପାଡ଼ି ପକାଇ ଖରାରେ ଥୋଇଦେଲେ ବି ଦୁଇ ମାସରେ ସେଥିରୁ ଗଜା ବାହାରିବ। ତିନି କି, ଛଅ ମାସ ପରେ ସେଇ ଗଛକୁ ନେଇ ମାଟିରେ ପୋତି ପାଣି ଦେଲେ ବି ତାହା ଗଜୁରିବ। ଏ ଚାରା ସହଜେ ମରେନାହିଁ କି, ବେଶୀ ପାଣି ଲୋଡ଼େନାହିଁ।’’