କଥାରେ ଅଛି ‘ରଖେ ହରି ମାରେ କିଏ, ମାରେ ହରି ରଖେ କିଏ?’ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଘଟିଛି ଏକ ଅବିଶ୍ବସନୀୟ ଓ ଚମତ୍କାର ଘଟଣା। ଜିଲ୍ଲାର ସେରଜ୍ ଉପତ୍ୟକାର ଶରଣ ଗ୍ରାମରେ ଗତ ସପ୍ତାହରେ ଭୟଙ୍କର ଭୂସ୍ଖଳନ ହୋଇଥିଲା। ଏହି ଭୂସ୍ଖଳନ ପୂର୍ବରୁ ଯେତେବେଳେ ପ୍ରବଳ ବର୍ଷା ହେତୁ ବନ୍ୟା ପାଣି ମାଡ଼ି ଆସିଥିଲା ସେତେବେଳେ ତନୁଜା ଠାକୁର ନାମ୍ନୀ ୨୦ ବର୍ଷୀୟା ମହିଳା ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। କାରଣ ତାଙ୍କ ଘରର କାନ୍ଥ ଭୁଶୁଡ଼ିବା ଆରମ୍ଭ ହୋଇଥିଲା। ସେ ବାହାରକୁ ଆସିବାର ଅଳ୍ପ କିଛି ସମୟ ପରେ ଘର ସମ୍ମୁଖରେ ଥିବା ପାହାଡ଼ିଆ ଢାଲୁରୁ ଭୂସ୍ଖଳନ ଆରମ୍ଭହେଲା। ବଡ଼ ବଡ଼ ଅତଡ଼ା ଧସି ପାଣିରେ ଗୋଳିହୋଇ ମାଡ଼ି ଆସୁଥିଲା। କାଦୁଅ, ପଥର, ଗଛବୃଚ୍ଛ ଓ ଘରର ଭଗ୍ନାବଶେଷ ମଧ୍ୟରେ ଚାହୁଁ ଚାହୁଁ ତନୁଜା ପୋତି ହୋଇଯାଉଥିଲେ। ସେ ଅନୁଭବ କରୁଥିଲେ, ପ୍ରତି ମୁହୂର୍ତ୍ତରେ ଯେପରି ଭୂସ୍ଖଳନ ତାଙ୍କୁ ପଛକୁ ଠେଲି ନେଉଛି ଏବଂ ସେ ତା’ଗର୍ଭରେ ପୋତି ହୋଇଯାଉଛନ୍ତି।

Advertisment

ସଂକଟ ସମୟରେ ସାହସ ହିଁ ମୁଖ୍ୟ ସମ୍ବଳ। ତନୁଜା ଅନୁଭବ କରିପାରୁଥିଲେ ଯେ ଯଦି ଏହି ପରିସ୍ଥିତିରେ ସେ ସାହସ ହରାଇବେ ତେବେ ତାଙ୍କର ମୃତ୍ୟୁ ସୁନିଶ୍ଚିତ। ତେଣୁ ବଞ୍ଚିବା ପାଇଁ ତନୁଜା ସଂଗ୍ରାମ କରିଚାଲିଲେ। ସବୁ ବଳ ଖଟାଇ ମାଟି, କାଦୁଅ ଓ ପଥର ଆଦି  ହାତରେ ଆଡ଼େଇ ନିଜ ମୁହଁକୁ ସୁରକ୍ଷିତ ରଖି ନିଃଶ୍ବାସ ନେଉଥିଲେ। ଭୂସ୍ଖଳନର ଝଟ୍‌କା ଆସୁଥିଲା ଏବଂ ତନୁଜା ପ୍ରାଣପଣେ ଉଦ୍ୟମ କରି ନିଜ ମୁହଁକୁ ନିଃଶ୍ବାସ ନେବା ସ୍ଥିତିରେ ରଖୁଥିଲେ। ତାଙ୍କ ପୂରା ଶରୀର ମାଟିକାଦୁଅ ଭିତରେ ଫସି ରହିଥିଲା। ଟିକିଏ ଏପାଖସେପାଖ ହେଲେ ମୃତ୍ୟୁ ମାଡ଼ିବସିବା ନିଶ୍ଚିତ। ତନୁଜା ବଞ୍ଚିବା ଲାଗି ଅହରହଃ ସଂଘର୍ଷ ଜାରି ରଖିଥିଲେ। ଏଣେ ପରିବାର, ସୁରକ୍ଷାକର୍ମୀ ଓ ଗ୍ରାମବାସୀ ତନୁଜାଙ୍କୁ ଖୋଜାଖୋଜି ଆରମ୍ଭ କରିଦେଇଥିଲେ। ମଧ୍ୟାହ୍ନ ବେଳକୁ ହଠାତ୍ ତନୁଜାଙ୍କ କ୍ଷୀଣ ସ୍ବର ତାଙ୍କ ବାପାଙ୍କ କାନରେ ପଡ଼ିଲା। ସେ ମୁହଁ ବୁଲାଇ ଦେଖିଲା ବେଳକୁ ବିସ୍ତୀର୍ଣ୍ଣ କାଦୁଅ ଭିତରେ ଗୋଟାଏ କୋଣରେ ତନୁଜାଙ୍କ ଛୋଟ ମୁହଁଟି ଦେଖାଯାଉଛି। ଦୀର୍ଘ ପାଞ୍ଚ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ବଞ୍ଚିବା ପ୍ରୟାସ ଚଳାଇ ତନୁଜା ନିସ୍ତେଜ ହୋଇପଡୁଥିଲେ। ବାପାଙ୍କୁ ଦେଖି ତାଙ୍କର ମରି ମରି ଆସୁଥିବା ବଞ୍ଚିବା ଆଶା ଜାଗ୍ରତ ‌ହେଲା। ତତ୍‌କ୍ଷଣାତ୍ ସମସ୍ତେ ତନୁଜାଙ୍କ ପାଖରେ ପହଞ୍ଚିଗଲେ ଏବଂ ଏକ ଘଣ୍ଟାରୁ ଅଧିକ ସମୟ ମାଟି, କାଦୁଅ ଓ ପଥର ସଫା କରି ତାଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କ‌େଲା।

ସେହି ଭୟଙ୍କର ଅନୁଭୂତି ବର୍ଣ୍ଣନା କରି ତନୁଜା କହନ୍ତି, ‘‘ପାହାନ୍ତା ପ୍ରହରରୁ ହଠାତ୍‌ ମୂଷଳ ଧାରାରେ ବର୍ଷା ଆରମ୍ଭ ହୋଇଗଲା। ପାହାଡ଼ ଉପରୁ ବର୍ଷା ଓ ବନ୍ୟା ଜଳ ତୀବ୍ର ବେଗରେ ତଳକୁ ମାଡ଼ି ଆସିଲା। ଚାହୁଁ ଚାହୁଁ ଆମ ଘରର କାନ୍ଥ ଭୁଶୁଡ଼ିବା ଆରମ୍ଭ ହେଲା। ସମସ୍ତେ ଭୟଭୀତ ହୋଇ ବାହାରକୁ ଦୌଡ଼ିବାକୁ ଲାଗିଲେ। ସେତେବେଳକୁ ଆମ ସାହିର ୨୦ଟି ଘର ଭୁଶୁଡ଼ି ଯାଇଥିଲା ଏବଂ ସମସ୍ତେ ବାହାରେ ଆସି ରୁଣ୍ଡ ହୋଇଥିଲେ। ଦୌଡ଼ାଦୌଡ଼ି କରି ନିରାପଦ ସ୍ଥାନକୁ ସମସ୍ତେ ପଳାଇ ଯାଉଥିବା ସମୟରେ ମୁଁ ପଛରେ ରହି ଯାଇଥିଲି। ଠିକ୍ ସେତିକିବେଳେ ଭୂସ୍ଖଳନ ଆରମ୍ଭ ହେଲା। ପାହାଡ଼ ଉପରୁ ପ୍ରବଳ ବେଗରେ କାଦୁଅର ବନ୍ୟା ମାଡ଼ିଆସିଲା। ମୋତେ ଲାଗୁଥିଲା, ଏହି ଭୂସ୍ଖଳନ ମୋତେ ମାରିଦେବା ପାଇଁ ମାଡ଼ି ଆସୁଛି। ଚାହୁଁ ଚାହୁଁ ଭୂସ୍ଖଳନ ମୋତେ ପୋତି ଦେଉଥିଲା। ମୁଁ ଚିତ୍କାର କରିବା ପୂର୍ବରୁ ସଂପୂର୍ଣ୍ଣ ପୋତି ହୋଇଯାଇଥିଲି। ନିଃଶ୍ବାସପ୍ରଶ୍ବାସ ନେବା ପାଇଁ ପ୍ରାଣ ବିକଳରେ ମୁଁ କେବଳ ମୋ ମୁହଁ ଉପରୁ ମାଟି, ପଥର ଓ କାଦୁଅ ସଫା କରୁଥିଲି। ମୃତ୍ୟୁର ପଞ୍ଝାରୁ ଭଗବାନ ମୋତେ ବଞ୍ଚାଇଦେଲେ।’’