ଜଣେ ଭାରତୀୟ ଛାତ୍ରଙ୍କ ଉଦ୍ଭାବନ ଏବେ ଚର୍ଚ୍ଚା ପରିସରକୁ ଆସିଛି। ସେ ଏଭଳି ଏକ ଅଭିନବ ଯନ୍ତ୍ର ପ୍ରସ୍ତୁତ କରିଛନ୍ତି, ଯେଉଁଥିପ‌ାଇଁ ସମଗ୍ର ଦେଶର ଦୃଷ୍ଟି ତାଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି। ସେ ହେଉଛନ୍ତି ଅଜୟ ଏଚ୍‌। ଚଳିତ ବର୍ଷ ମେ ମାସରେ ‘ଏଣ୍ଟେ କେରଲମ୍‌ ଏକ୍‌ସ୍ପୋ’ରେ ଏହି ୨୨ ବର୍ଷୀୟ କେରଳୀ ଇଞ୍ଜିନିୟରିଙ୍ଗ୍‌ ଛାତ୍ର ‘ଟକ୍‌-ଟୁ-ରାଇଟ୍‌’ ନାମକ ଯନ୍ତ୍ର ପ୍ରଦର୍ଶିତ କରି ପ୍ରଶଂସିତ ହୋଇଛନ୍ତି। କୃତ୍ରିମ ବୁଦ୍ଧିମତା  (ଏଆଇ) ଦ୍ବାରା ଚାଲୁଥିବା ଏହି ଯନ୍ତ୍ରର ସ୍ବାତନ୍ତ୍ରୢ ହେଉଛି- ଏହା କଥିତ ଶବ୍ଦ ଶୁଣି ତହାକୁ ଅକ୍ଷରରେ ରୂପାନ୍ତର କରି ପୁଣି ସେଗୁଡ଼ିକୁ କାଗଜ ଉପରେ ହାତ ଲେଖା ନୋଟ୍‌ରେ ପରିଣତ କରିପାରୁଛି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଲାଗି ଏ ଯନ୍ତ୍ରଟି ବିଶେଷ ସହାୟକ ହେବ ବୋଲି ଏହାର ନିର୍ମାତା ଅଜୟ ଓ ତାଙ୍କର ସହଯୋଗୀମାନେ ଆଶା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଲିଙ୍କ୍‌ଡ୍‌ଇନ୍‌’ରେ ଅଜୟ ଏଚ୍‌ ତାଙ୍କ ଯନ୍ତ୍ରର ଭିଡିଓ ଜାରି କରିଛନ୍ତି। ସେ ଲେଖିଛନ୍ତି ଯେ ଏଇଟା ହେଉଛି ଏଆଇ ବଳରେ ପରିଚାଳିତ ଗୋଟାଏ ‘ଭଏସ୍‌-ଟୁ-ପେନ୍‌’ ବା ‘କଥାରୁ ଲେଖା’ ଉପକରଣ। ପାଟି‌ରେ ଉଚ୍ଚାରିତ ଶବ୍ଦକୁ ହାତଲେଖା ଅକ୍ଷରରେ ପରିଣତ କରୁଥିବା ଏହି ଯନ୍ତ୍ରଟିରେ ଗୋଟିଏ ଛୋଟ ରୋବଟିକ୍‌ ବାହୁ ଖଞ୍ଜାଯାଇଛି। ସେ ବାହୁରେ ରହିଛି ଗୋଟାଏ ‘ସିଏନ୍‌ସି’ ପେନ୍‌ ପ୍ଲଟର୍‌। ତା’ରି ଦ୍ବାରା ଏହି ଉପକରଣ କଥିତ ଶବ୍ଦଗୁଡ଼ିକୁ ଖଣ୍ଡିଏ କାଗଜରେ ହସ୍ତଲିଖିତ ଅକ୍ଷର ଭଳି ଧାଡ଼ି ଧାଡ଼ି କରି ଲେଖିପକାଉଛି। ମାଇକ୍ରୋଫୋନ୍ ଯୋଗେ ଉଚ୍ଚାରିତ ଶବ୍ଦକୁ ଏହି ରୋବାଟିକ୍‌ ହାତରେ ଖଞ୍ଜା ଯାଇଥିବା ଡଟ୍‌ପେନ୍ ସ୍ବୟଂକ୍ରିୟ ଭ‌ାବେ ଅତି ଅନାୟାସରେ ଲେଖିପକାଉଛି।

Advertisment

‘ଇଲେକ୍ଟ୍ରୋନିକ୍‌ସ୍‌ ଆଣ୍ଡ୍‌ କମ୍ୟୁନିକେସନ୍‌’ ଇଞ୍ଜିନିୟରିଙ୍ଗ୍‌ରେ ସ୍ନାତକ କରିଥିବା ଅଜୟ ଏଚ୍ କହିଛନ୍ତି, ‘‘ଏହି ଉଦ୍ଭାବନର ଉଲ୍ଲେଖନୀୟ ଦିଗଟି ହେଉଛି- ଏହା ବଜେଟ୍‌ ଅନୁକୂଳ ଓ ସହଜରେ ଉପଲବ୍ଧ ହାର୍ଡୱେର୍ ଉପକରଣରେ ନିର୍ମିତ। ଏଥିରେ ରାସ୍‌ପ୍‌ବେରି ପିଆଇ ହାର୍ଡୱେର୍‌, ଆର୍ଡୁଇନୋ (ଜିଆର୍‌ବିଏଲ୍‌) ଫାର୍ମୱେର୍‌ ଓ ପାଇଥନ୍‌ ପ୍ରୋଗ୍ରାମିଂ ଲାଙ୍ଗୁଏଜ୍‌ ଲାଗିଛି। ଏହାର ନିର୍ମାଣ ପଦ୍ଧତି ଖୁବ୍‌ ସାଧାରଣ ହେଲେ ମଧ୍ୟ ଏହି ଉପକରଣ ଦର୍ଶକ ଓ ପ୍ରଯୁକ୍ତିପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅତି ସରଳ ଚିନ୍ତାଧାରା ଯୋଗେ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେହେଉଥିବା ଏଭଳି ଉପକରଣ କିପରି ହୋଇ ପାରିଲା ଭାବି ସେମାନଙ୍କ ମଧ୍ୟରୁ ଅନେକେ ଆଚମ୍ବିତ ହେଉଛନ୍ତି। ଅଜୟ ମଧ୍ୟ ତାଙ୍କ ଟିମ୍‌ରେ ଥିବା ଅପର୍ଣ୍ଣା ହରି, ରୂବାକ୍‌ ହରି ନାୟାର୍‌ ଓ ଆକାଶ ଜି ନାୟାର୍‌ଙ୍କୁ ନିଜ ସଫଳତାର ଶ୍ରେୟ ଦେଇଛନ୍ତି। ଏହି ଉପକରଣ ପ୍ରସ୍ତୁତି କରିବାରେ ତାଙ୍କ ସହଯୋଗୀମାନଙ୍କ ସୃଜନଶୀଳତା ଅନସ୍ବୀକାର୍ଯ୍ୟ ବୋଲି ସେ କହିଛନ୍ତି। ମୂଳତଃ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଲାଗି ଏହି ଉପକରଣ ଗୋଟାଏ ଡିଜିଟାଲ୍‌ ଲେଖାଳି ଭାବେ କାମ କରିବା ଉଦ୍ଦେଶ୍ୟରେ ନିର୍ମିତ। କିନ୍ତୁ, ଭବିଷ୍ୟତରେ ‘ଟକ୍‌-ଟୁ-ରାଇଟ୍‌’ ପ୍ର‌େୟାଗ କରି ବିଭିନ୍ନ କ୍ଷେତ୍ରରେ ଚଳିଆସୁଥିବା ଧାରା ପରିବର୍ତ୍ତନ କରାଯାଇପାରେ। ଏହାଦ୍ବାରା ଶିକ୍ଷାର୍ଥୀମାନେ ବିଭିନ୍ନ ବିଷୟରେ ନୋଟ୍‌ ଲେଖାଇପାରିବେ। ଫଳରେ ତାଙ୍କ ଉପ‌ରୁ ହୋମ୍‌ୱାର୍କ ବୋଝ ବହୁଳାଂଶରେ ହ୍ରାସ ପାଇବ। ‘ଟକ୍‌-ଟୁ-ରାଇଟ୍‌’ ଯନ୍ତ୍ରରେ ଥିବା ‘ଏଆଇ ଆଲ୍‌ଗୋରିଦିମ୍‌’ ଆଗ ନମୁନାରୁ ସମ୍ପୃକ୍ତ ଶିକ୍ଷାର୍ଥୀଙ୍କ ହାତଲେଖା ଶୈଳୀ ଓ ବୈଶିଷ୍ଟ୍ୟ ସ୍କାନ୍‌ କରି ନିଜେ ଶି‌ଖିବ। ତା’ପରେ ଉକ୍ତ ଶୀକ୍ଷାର୍ଥୀଙ୍କ ହସ୍ତାକ୍ଷର ଅନୁକରଣ କରି ନୋଟ୍‌ ଲେଖିବ। ତା’ ଅନୁକୃତ ଅକ୍ଷର ସବୁ ଏତେ ସଠିକ୍‌ ହେଉଛି ଯେ ନୋଟ୍‌ ମେସିନ୍‌ ଲେଖିଛି ନା, ଶିକ୍ଷାର୍ଥୀ ଲେଖିଛନ୍ତି ଜାଣିବା ମୁସ୍କିଲ୍‌ ହୋଇଯାଉଛି।

ଭଲ ଭାବେ ହାତ ଚଳୁ ନ ଥିବା ଲୋକେ ବି ଏହାଦ୍ବାରା ବିଶେଷ ଭାବେ ଉପକୃତ ହେବେ। ଏହାଛଡ଼ା, ଚଞ୍ଚଳ ଲେଖା ଆବଶ୍ୟକ ହେଉଥିବା କାର୍ଯ୍ୟ ପରିସରରେ ଏହା ଖୁବ୍‌ ସହାୟକ ହେବ। ଶିକ୍ଷା କ୍ଷେତ୍ରରେ ଏହି ଉପକରଣର ଉପଯୋଗିତା ଯେତେ ସହାୟକ ହେବ, ତା’ଠାରୁ ଅଧିକ ସହାୟକ ହେବ ଭିନ୍ନକ୍ଷମଙ୍କୁ। ଇଣ୍ଟର୍‌ନେଟ୍‌ରେ ଜରିଆରେ ‘ଟକ୍‌-ଟୁ-ରାଇଟ୍‌’ କାର୍ଯ୍ୟକରୁଥିବା ଭିଡିଓ ଦେଖି ବିଶ୍ବବ୍ୟାପୀ ଲୋକେ ଅଜୟଙ୍କ ମେଧାକୁ ଭୂୟସୀ ପ୍ରଶଂସା କରୁଛନ୍ତି। ଏ ଉପକରଣଟି ଖୁବ୍‌ ଚମତ୍କାର ଓ ଏହାକୁ ଆହୁରି ବିକଶିତ କରିବା ଉଚିତ ବୋଲି ଅନେକ ମନ୍ତବ୍ୟ ଦେଇଛନ୍ତି। କିନ୍ତୁ, ଶିକ୍ଷକ ଓ ଅଭିଭାବକମାନେ ଆଶଙ୍କା ବ୍ୟକ୍ତକରି ଚେତାଇ ଦେଇଛନ୍ତି ଯେ ଏହା ଶିକ୍ଷାର୍ଥୀଙ୍କ ଉପରେ ବିପରୀତ ପ୍ରଭାବ ପକାଇବା ଆଶଙ୍କା ରହିଛି। ପିଲାମାନେ ଶିକ୍ଷା ଧାରାରୁ ଓହରି ଯିବେ ଓ ସେମାନଙ୍କର ହସ୍ତଲିଖନ ଦକ୍ଷତା କ୍ଷତିଗ୍ରସ୍ତ ହେବ। ସେମାନେ ପାଠ୍ୟ ଉପକରଣ ପ୍ରତି ଅଧିକ ସମୟ ଓ ଧ୍ୟାନ ନିବିଷ୍ଟ କରିବେ ନାହିଁ।