‘ଅପରେସନ୍ ସିନ୍ଦୂର’କୁ ନେଇ ସଂସଦରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ବ୍ୟାପକ ଚର୍ଚ୍ଚା ହୋଇଛି। ତେବେ ଆମେ ଏହାର ସଫଳତା କି ବିଫଳତା ନୁହେଁ, ‘ଅପରେସନ୍ ସିନ୍ଦୂର’ ପରବର୍ତ୍ତୀ ସାମରିକ ଆହ୍ବାନ ପ୍ରସଙ୍ଗରେ ଆଲୋକପାତ କରିବା। ଭାରତର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ପରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ପ୍ରତିଆକ୍ରମଣକୁ ବହୁଳାଂଶରେ ପ୍ରତିହତ କରିଥିଲା ରୁଷ୍ ନିର୍ମିତ ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏସ୍-୪୦୦। ‘ଅପରେସନ୍ ସିନ୍ଦୂର’ ସମୟରେ ଏସ୍-୪୦୦ର କ୍ଷମତା ପ୍ରତିପାଦିତ ହୋଇଛି। ତେବେ ଚିନ୍ତାର ବିଷୟ ହେଉଛି, ପାକିସ୍ତାନର ମିତ୍ରରାଷ୍ଟ୍ର ଚୀନ୍ ପାଖରେ ମଧ୍ୟ ଏସ୍-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଛି। ଏକଥା ମଧ୍ୟ ଅଭିଯୋଗ ହୁଏ ଯେ ଭାରତ-ପାକ୍ ଲଢ଼େଇରେ ଚୀନ୍ ଭାରତ ବିରୋଧରେ ଛଦ୍ମଯୁଦ୍ଧକୁ ଓହ୍ଲାଇବ। ତେଣୁ ବର୍ତ୍ତମାନର ଆହ୍ବାନ ହେଉଛି ଚୀନ୍ ପାଖରେ ଥିବା ଏସ୍-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଭେଦ କରିବା କ୍ଷମତା ଥିବା କ୍ଷେପଣାସ୍ତ୍ର ଭାରତକୁ ବିକଶିତ କରିବାକୁ ପଡ଼ିବ।
ଭାରତ ତିଆରୁଛି ଏଲ୍ଆରଲ୍ଏସିଏମ୍
ଏସ୍-୪୦୦ ପରି ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଭେଦକରିବା ଅତ୍ୟନ୍ତ କଷ୍ଟକର, ମାତ୍ର ଅସମ୍ଭବ ନୁହେଁ। ଏହି ଚିନ୍ତାଧାରାକୁ ଆଧାର କରି ଭାରତ ନିଜସ୍ବ ଜ୍ଞାନକୌଶଳରେ ଦୂରଗାମୀ ସ୍ଥଳ ଆକ୍ରମଣ କ୍ରୁଇଜ୍ କ୍ଷେପଣାସ୍ତ୍ର ବା ଲାର୍ଜ ରେଞ୍ଜ୍ ଲ୍ୟାଣ୍ଡ୍ ଆଟାକ୍ କ୍ରୁଇଜ୍ ମିସାଇଲ୍ (ଏଲ୍.ଆର୍.ଏଲ୍.ଏ.ସି.ଏମ୍.) ବିକଶିତ କରୁଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡି.ଆର୍.ଡି.ଓ.) ଦ୍ବାରା ବିକଶିତ ଏଲ୍ଆର୍ଏଲ୍ଏସିଏମ୍ ମାନକ ଦୂରତା ପ୍ରାୟ ୧୦୦୦ରୁ ୧୫୦୦ କିଲୋମିଟର୍। ଏହା ଉଭୟ ପାରମ୍ପରିକ ଏବଂ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ। ଏଲ୍ଆର୍ଏଲ୍ଏସିଏମ୍କୁ ୨୦୨୪ ନଭେମ୍ବର ୧୨ରେ ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ଏଥିରେ ଉନ୍ନତମାନର ଏଭିଓମିକ୍ସ (ଉଡ଼ାଣ ପାଇଁ ସରଞ୍ଜାମ) ଏବଂ ସଫ୍ଟ୍ୱେର୍ ଖଞ୍ଜା ଯାଇଛି। ଏହାକୁ ଭୂପୃଷ୍ଠରୁ ମୋବାଇଲ୍ ଲଞ୍ଚର୍ ଏବଂ ନୌସେନାର ଯୁଦ୍ଧ ଜାହାଜରୁ ଉତ୍କ୍ଷେପଣ କରାଯାଇପାରିବ। ୨୦୨୦ ମସିହା ଜୁଲାଇ ମାସରୁ ଏହାକୁ ବିକଶିତ କରାଯାଉଛି। ଆଶା କରାଯାଉଛି ଯେ ଚଳିତ ବର୍ଷ ଏହାକୁ ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ।
ଭାରତ ବନାମ ଚୀନ୍
ଭାରତ ପାଖରେ ଥିବା ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଚୀନ୍ ଅପେକ୍ଷା ଉନ୍ନତ ବୋଲି କୁହାଯାଉଛି। ରୁଷ୍ ଭାରତକୁ ଯୋଗାଇଥିବା ଏସ୍-୪୦୦ ଏକକାଳୀନ ୩୬ଟି ଶତ୍ରୁପକ୍ଷ ବିପଦକୁ ଚିହ୍ନଟ କରି ଲକ୍ଷ୍ୟଭେଦ କରିବ। ପୁଣି ଭାରତୀୟ ଇଂଜିନିଅର୍ମାନେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ କରି ଏହାର କ୍ଷମତା ଓ ଦକ୍ଷତା ବୃଦ୍ଧି କରିଛନ୍ତି। ରିପୋର୍ଟ ମୁତାବକ, ୨୦୧୮ ମସିହାରେ ଚୀନ୍ ଏସ୍-୪୦୦କୁ ସେନାରେ ସାମିଲ୍ କରିଥିବା ବେଳେ ଏହି ବର୍ଷ ଭାରତ ରୁଷ୍ ସହ ଏସ୍-୪୦୦ କିଣିବାକୁ ଚୁକ୍ତି କରିଥିଲା। ଭାରତକୁ ପ୍ରଥମ ଏସ୍-୪୦୦ ୨୦୨୩ ଡିସେମ୍ବରରେ ମିଳିଥିଲା। ବର୍ତ୍ତମାନ ଚୀନ୍ ନିକଟରେ ୬ ସ୍କ୍ବାର୍ଡନ୍ ଏସ୍-୪୦୦ ପ୍ରତିରକ୍ଷା ପ୍ରଣାଳୀ ରହିଛି। ଚୀନ୍ ମଧ୍ୟ ଏହାର ଏସ୍-୪୦୦ କ୍ଷମତା ବୃଦ୍ଧି କରିବା ପାଇଁ ଅନେକଗୁଡ଼ିଏ ଗୋପନୀୟ ପରିବର୍ତ୍ତନ କରିଛି।
କାହିଁକି ଏସ୍-୪୦୦କୁ ଭେଦ କରିବ ଏଲ୍ଆର୍ଏଲ୍ଏସିଏମ୍?
ଏହି କ୍ଷେପଣାସ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି କମ୍ ଉଚ୍ଚତାରେ ଉଡ଼ିବା ଦକ୍ଷତା। ଖୁବ୍ କମ୍ ଉଚ୍ଚତାରେ ଉଡୁଥିବାରୁ ଏହା ରାଡାର୍ ଦ୍ବାରା ସହଜରେ ଚିହ୍ନଟ ହୋଇପାରିବ ନାହିଁ। ଅନ୍ୟ ପକ୍ଷରେ ରାଡାର୍ ଦ୍ବାରା ଧରା ନ ପଡ଼ିବା ଲାଗି ଏଥିରେ ଉନ୍ନତମାନର ଏଭିଓନିକ୍ସ ଖଞ୍ଜାଯାଇଛି। ପୁଣି ସଠିକ୍ ଦିଗ ନିର୍ଣ୍ଣୟ ସହ ଲକ୍ଷ୍ୟକୁ ନିର୍ଭୁଲ୍ ଭାବେ ଠାବ କରି ଧ୍ବଂସ କରିବା ଲାଗି ଏହା ଡିଜାଇନ୍ କରାଯାଇଛି। ନିର୍ମାଣ ଶୈଳୀର ଏହି ଦିଗ ଯୋଗୁ ଏଲ୍ଆର୍ଏଲ୍ଏସିଏମ୍ ଏସ୍-୪୦୦ ପରି ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଭେଦ କରିବାକୁ ସକ୍ଷମ ହେବ ବୋଲି ଆକଳନ କରାଯାଉଛି। ବିଶେଷଜ୍ଞଙ୍କ ମତରେ, କମ୍ ଉଚ୍ଚତାରେ ଉଡ଼ିବା ଦକ୍ଷତା ସଙ୍ଗକୁ କ୍ଷୀପ୍ରବେଗରେ ଗତିକରିବାର କ୍ଷମତା ହେତୁ ଏଲ୍ଆର୍ଏଲ୍ଏସିଏମ୍କୁ ଚିହ୍ନଟ କରିବାକୁ ଏସ୍-୪୦୦ର ରାଡାର୍ ବ୍ୟବସ୍ଥାକୁ ସଂଘର୍ଷ କରିବାକୁ ପଡ଼ିପାରେ। ଇଲେକ୍ଟ୍ରୋନିକ୍ କାଉଣ୍ଟର୍-ମେଜର୍ ଓ ଡିକଏ ବ୍ୟବସ୍ଥା ଏଲ୍ଆର୍ଏଲ୍ଏସିଏମ୍ର ଅନ୍ୟତମ ଶକ୍ତିଶାଳୀ ବୈଶିଷ୍ଟ୍ୟ। ଡିକଏ ବ୍ୟବସ୍ଥା କ୍ଷେପଣାସ୍ତ୍ର ଛଡ଼ା ଯାଇଥିବା ସ୍ଥାନକୁ ଲକ୍ଷ୍ୟ କରି ଆସିଥିବା ଅନ୍ୟ କ୍ଷେପଣାସ୍ତ୍ରକୁ ଦିଗଭ୍ରଷ୍ଟ କରିଥାଏ। ତେଣୁ ଏହି କ୍ଷେପଣାସ୍ତ୍ର ଏସ୍-୪୦୦ ଉପରେ ନଜର ରଖିବା ସହ ଲକ୍ଷ୍ୟଭେଦ କରିବାର କ୍ଷମତାକୁ ବାଧା ଦେଇପାରେ। ବିଶେଷଜ୍ଞମାନେ କହିଛନ୍ତି କି ଏକସଙ୍ଗେ ବହୁସଂଖ୍ୟକ ଏଲ୍ଆର୍ଏଲ୍ଏସିଏମ୍ କ୍ଷେପଣାସ୍ତ୍ର ଛଡ଼ାଗଲେ ତାହା ଏସ୍-୪୦୦କୁ ଭାରୀ ପଡ଼ିବ। ଏପରିସ୍ଥଳେ ଏସ୍-୪୦୦ ପ୍ରତିରକ୍ଷା ପ୍ରଣାଳୀ ପ୍ରଭାବହୀନ ହୋଇଯାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/03/ddggdccvcv-2025-08-03-00-05-24.jpg)