୧୯୮୫ ମସିହାରେ ମୁକ୍ତିଲାଭ କରିଥିବା ସୋ’ମ୍ୟାନ୍ ରାଜ୍ କପୁର୍ଙ୍କର ଚଳଚ୍ଚିତ୍ର ‘ରାମ୍ ତେରୀ ଗଙ୍ଗା ମୈଲୀ’ ସାରା ଦେଶର ଦର୍ଶକଙ୍କ ଦ୍ବାରା ଆଦୃତ ହୋଇଥିଲା। ବିଶେଷକରି ଏହାର ଗୀତଗୁଡ଼ିକ ଶ୍ରୋତାଙ୍କ ମନ ଜିଣିନେଇଥିଲା। ରବୀନ୍ଦ୍ର ଜୈନ୍ଙ୍କ ସଂଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମରେ ସ୍ବରସମ୍ରାଜ୍ଞୀ ଲତା ମଙ୍ଗେସକର୍ ଓ ସୁରେଶ ୱାଡେକର୍ ଗାଇଥିବା ଗୀତଗୁଡ଼ିକ ଚିରସବୁଜ ଆଖ୍ୟା ଅର୍ଜନ କରିଥିଲା। ଏହି ଫିଲ୍ମରେ ଥିବା ‘ହୁସ୍ନୋ ପାହାଡ଼ୋଁ କା...’ ଓ ‘ରାମ୍ ତେରୀ ଗଙ୍ଗା ମୈଲୀ ହୋ ଗଈ...’ ଗୀତରେ ନବାଗତା ମନ୍ଦାକିନୀଙ୍କ ଅଭିନୟ ହିଁ ଯୁବଦର୍ଶକଙ୍କୁ ଖୁବ୍ ଆକୃଷ୍ଟ କରିଥିଲା। ହିମାଳୟ ପାଦଦେଶରେ ଯେଉଁ ସବୁ ରମଣୀୟ ସ୍ଥାନରେ ଏ ଗୀତଗୁଡ଼ିକ ସୁଟିଂ କରାଯାଇଥିଲା, ତାହା ଆଜି ଆଉ ଦେଖିବାକୁ ମିଳୁନାହିଁ। ସଂପ୍ରତି ଉତ୍ତରାଖଣ୍ଡର ହର୍ଷିଲ୍ ଉପତ୍ୟକାରେ ସଂଘଠିତ ଭୂସ୍ଖଳନରେ ମାଟି ତଳେ ଚାପି ହୋଇ ସତ୍ତା ହରାଇଛି ସେ ମନୋରମ ଇଲାକା।
ହର୍ଷିଲ୍ ପାର୍ଶ୍ବବର୍ତ୍ତୀ ଉତ୍ତରକାଶୀ ଜିଲ୍ଲାର ଧରାଲି ଗ୍ରାମର ପାହାଡ଼, ଝରଣା ଓ ସବୁଜବନାନୀକୁ ଯିଏ ଆଗରୁ ଦେଖିଥିବ ସେ ଉକ୍ତ ସୌନ୍ଦର୍ଯ୍ୟକୁ ଧ୍ବଂସସ୍ତୁପ ଭିତରୁ ଖୋଜି ପାଇବାକୁ ଅସମର୍ଥ ହେବ। ସୋ’ମ୍ୟାନ୍ ରାଜ୍ କପୁର୍ ପାହାଡ଼ୀ ଇଲାକାର ଝିଅ ଗଙ୍ଗାର ନିଚ୍ଛକ ପ୍ରେମ କାହାଣୀ ଯେଉଁ ସ୍ଥାନଗୁଡ଼ିକର ଛାତି ଉପରେ ଲେଖିଥିଲେ, ସେସବୁ ଆଜି ବିଧ୍ବସ୍ତ। ବରଫ ଆଚ୍ଛାଦିତ ହିମାଳୟର ପର୍ବତ ଶିଖର, ବିସ୍ତୀର୍ଣ୍ଣ ସବୁଜ ଉପତ୍ୟକା, ଭଗିରଥୀ ନଦୀର ତରଙ୍ଗାୟିତ ଜଳରାଶିର ସୌନ୍ଦର୍ଯ୍ୟ ଭିତରେ ଗଡ୍ୱାଲ୍ ସମ୍ପ୍ରଦାୟର ରଙ୍ଗିନ ପୋଷାକ ପରିହିତା ଚୁଲ୍ବୁଲୀ ଅଭିନେତ୍ରୀ ମନ୍ଦାକିନୀଙ୍କ ଗଙ୍ଗା ଚରିତ୍ରରେ ଅଭିନୟ ଥିଲା ସତେର ଥିଲା ଅନନ୍ୟ। ଆଜି ବି ଚଳଚ୍ଚିତ୍ରପ୍ରେମୀଙ୍କ ସ୍ମୃତିରେ ‘ରାମ୍ ତେରୀ ଗଙ୍ଗା ମୈଲୀ’ର ଦୃଶ୍ୟାବଳି ସ୍ମରଣୀୟ ହୋଇ ରହିଛି।
ଏହି ଚଳଚ୍ଚିତ୍ରର ଯେଉଁ ଦୃଶ୍ୟ ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିଲା, ତାହା ଥିଲା ପାହାଡ଼ୀ ଜଳପ୍ରପାତ ତଳେ ନାୟିକା ମନ୍ଦାକିନୀଙ୍କ ସ୍ନାନଦୃଶ୍ୟ। ପତଳା ଧଳାଶାଢ଼ିଟିଏ ପିନ୍ଧି ମନ୍ଦାକିନୀ ଜଳପ୍ରପାତରେ ଗାଧୋଉଥିବା ବେଳର ଦୃଶ୍ୟ ବେଶ୍ ଚର୍ଚ୍ଚିତ ହୋଇଥିଲା। ରାଜ୍ କପୁର୍ଙ୍କ ଉପରେ ଲୋକପ୍ରିୟତା ଲାଗି ଅଙ୍ଗ ପ୍ରଦର୍ଶନର ବ୍ୟବହାର ହୋଇଥିବା ଆରୋପ ଲାଗିଥିଲା। ଏହି ଦୃଶ୍ୟ ହର୍ଷିଲ୍ସ୍ଥିତ ତିଲଗଡ଼ରେ ସୁଟିଂ ହୋଇଥିଲା। ‘ରାମ୍ ତେରୀ ଗଙ୍ଗା ମୈଲୀ’ ସୁପର୍ଡୁପର୍ ହିଟ୍ ହେଲା ପରେ ଏହି ଜଳପ୍ରପାତର ନାମ ସ୍ବତଃ ଲୋକମୁଖରେ ‘ମନ୍ଦାକିନୀ ପ୍ରପାତ’ ହୋଇ ଯାଇଥିଲା। ଏଠାକୁ ପର୍ଯ୍ୟଟକଙ୍କର ମଧ୍ୟ ସୁଅ ଛୁଟିଥିଲା। ତିଲଗଡ଼ର ଏ ପ୍ରପାତ କିନ୍ତୁ ଆଉ ନାହିଁ। ମରିଯାଇଛି ମନ୍ଦାକିନୀ!
ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ଏକ ସ୍ମରଣୀୟ ଦୃଶ୍ୟରେ ହର୍ଷିଲ୍ ଡାକଘର ବି ସ୍ଥାନ ପାଇଥିଲା। ଡାକଘର ନିକଟରେ ମନ୍ଦାକିନୀ ‘ନରେନ୍’ ନାମର ଅର୍ଥ ପଚାରୁଥିବା ଦେଖିବାକୁ ମିଳିଥିଲା। ସେହିପରି ସୂର୍ଯ୍ୟକୁଣ୍ଡ ପ୍ରପାତ, ସ୍ଥାନୀୟ ବିଶ୍ରାମ ଗୃହ ଓ ଭୈରବ ଉପତ୍ୟକାରେ ମନ୍ଦାକିନୀଙ୍କର ଅନେକ ଦୃଶ୍ୟ ସୁଟିଂ ହୋଇଥିଲା। ସିନେମା ରିଲିଜ୍ ହେବାର ୪୦ ବର୍ଷ ପରେ ବି ଏ ସବୁ ସ୍ଥାନ ଦେଖିବାକୁ ପର୍ଯ୍ୟଟକ ଆଗ୍ରହ ପ୍ରକାଶ କରୁଥିଲେ। ଛବିର ବିଭିନ୍ନ ଦୃଶ୍ୟରେ ମନ୍ଦାକିନୀ ପିନ୍ଧିଥିବା ପାରମ୍ପରିକ ଗଡ୍ୱାଲୀ ପୋଷାକ ଓ ରାୱେନ୍ ଅଳଙ୍କାର ପ୍ରତି ପର୍ଯ୍ୟଟକଙ୍କର ଆକର୍ଷଣ ବି କମି ନଥିଲା। ସ୍ଥାନୀୟ ମହିଳାମାନେ ପାରମ୍ପରିକ ପୋଷାକ ଓ ଅଳଙ୍କାର ବିକ୍ରିକରି ଆର୍ଥିକ ସକ୍ଷମ ହେଉଥିଲେ।
ସ୍ଥାନୀୟ ବାସିନ୍ଦା ସୋମେନ ଧାମୀ କହନ୍ତି, “ପ୍ରକୃତିର ଯେଉଁ କମନୀୟ ରୂପ ଦେଖି ନିର୍ଦ୍ଦେଶକ ରାଜ୍ କପୁର୍ ପ୍ରେମର ପବିତ୍ରତାକୁ ତା’ କୋଳରେ ଉପସ୍ଥାପିତ କରିଥିଲେ, ତାହା ଆଜି ଉଜୁଡ଼ି ଯାଇଛି। ପ୍ରକୃତି ତା’ର କରାଳ ରୂପ ଦେଖାଇଛି। ପ୍ରବଳ ବର୍ଷା, ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଏ ସ୍ମୃତିକୁ ଧ୍ୱଂସ କରି କବର ଦେଇଦେଇଛି। ଆଜି ରାଜ୍ କପୁର୍ ବଞ୍ଚିଥିଲେ ଖୁବ୍ ବ୍ୟଥିତ ହୋଇଥାଆନ୍ତେ।” ପୁଣ୍ୟତୋୟା ଭଗିରଥୀ କୂଳରେ ତଥା ଦେବଭୂମି ଉତ୍ତରାଖଣ୍ଡରେ ଅବସ୍ଥିତ ହର୍ଷିଲ୍ ଓ ଧରାଲି କେବଳ ଗୋଟିଏ ଗୋଟିଏ ଭୌଗୋଳିକ ପରିଧି ନୁହନ୍ତି, ସେ ସ୍ଥାନ ସହ ଲୋକଙ୍କ ଆକର୍ଷଣ ଓ ଆବେଗ ଜଡ଼ିତ। ରାଜ୍ କପୁର୍ଙ୍କ ‘ରାମ୍ ତେରୀ ଗଙ୍ଗା ମୈଲୀ’ରେ ଗଙ୍ଗା ଥରେ କାନ୍ଦିଥିଲା, କିନ୍ତୁ ତା’ ଭୂସ୍ବର୍ଗଟି ଧ୍ବଂସସ୍ତୁପରେ ପରିଣତ ହେବା ପରେ ଆଜି ପୂରା ପୃଥିବୀରେ ଲୁହ ଢାଳୁଛି।