ରାଉରକେଲାସ୍ଥିତ ‘ଏନ୍‌ଆଇଟି’ର ଗବେଷକମାନେ ପଣସ, ଜାମୁ ଓ ଲିଚୁ ଆଦି ଫଳ ମଞ୍ଜିରୁ ଅଣୁଜୀବ ଦ୍ବାରା ବିଘଟିତ ହୋଇପାରୁଥିବା ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି। ପରିବେଶ ଅନୁକୂଳ ଏହି ପ୍ୟାକେଜିଂ ଫିଲ୍ମ  ପଲିଥିନ୍‌ର ବିକଳ୍ପ ଭାବେ ବ୍ୟବହୃତ ହୋଇପାରିବ। ବହୁକାଳ ଧରି ଆବର୍ଜନା ଆକାରରେ ଫିଙ୍ଗାହୋଇ ଆସୁଥିବା ଫଳମଞ୍ଜିରୁ ରାଉରକେଲାସ୍ଥିତ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜି’ (ଏନ୍‌ଆଇଟି)ର ଗବେଷକମାନେ ଅଭିନବ ପ୍ୟାକେଜିଙ୍ଗ୍‌ ଉପାଦାନ ଉଦ୍ଭାବନ କରିଛନ୍ତି। ‘ଫୁଡ୍‌ ପ୍ରୋସେସ୍‌ ଇଞ୍ଜିନିୟରିଙ୍ଗ୍‌’ ବିଭାଗର ସହକାରୀ ପ୍ରାଧ୍ୟାପକ ଡକ୍ଟର୍‌ ପ୍ରୀତମ୍‌ ସରକାରଙ୍କ ନେତୃତ୍ବ‌େର ଡକ୍ଟର ସନ୍ତୋଷ ରବିଚନ୍ଦ୍ରନ୍‌, ରାହୁଲ୍‌ ଠାକୁର, ବିନ୍ଦୁ ସ୍ରବନ୍ତୀ ଓ ସୌଭିକ ଗିରି କୃଷିଜାତ ବର୍ଜ୍ୟସାମଗ୍ରୀ ସବୁକୁ ଅଣୁଜୀବ-ବିଘଟନଯୋଗ୍ୟ ସ୍ବଚ୍ଛ-ପଟଳ ବା ଫିଲ୍ମରେ ରୂପାନ୍ତର କରୁଛନ୍ତି। ପଣସ, ଜାମୁ ଓ ଲିଚୁ ମଞ୍ଜିରୁ ପ୍ରସ୍ତୁତ ଏହି ଫିଲ୍ମ ଖାଦ୍ୟ ପ୍ୟାକେଜିଙ୍ଗ୍‌ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଏ।

Advertisment

ସ୍ଥାୟିତ୍ବ ଓ ନମନୀୟତା ଯୋଗୁଁ ବିଶ୍ବ ଖାଦ୍ୟ ଶିଳ୍ପରେ ପ୍ୟାକେଜିଙ୍ଗ୍‌ ପାଇଁ ‘ଲୋ-ଡେନ୍‌ସିଟି ପଲିଥିନ୍‌’, ‘ହାଇ-ଡେନ୍‌ସିଟି ପଲିଥିନ୍‌’ ଓ ‘ପଲିଷ୍ଟାଇରିନ୍‌’ ବହୁ ପରିମାଣରେ ବ୍ୟବହୃତ ହେଉଛି। କିନ୍ତୁ, ପରିବେଶ ଉପରେ ଏହାର ବ୍ୟାପକ କୁପ୍ରଭାବ ରହିଛି। ଡକ୍ଟର୍‌ ପ୍ରୀତମ୍‌ କହନ୍ତି, ‘‘ପେଟ୍ରୋଲିୟମ୍‌ରୁ ଜାତ ଏସବୁ ସାମଗ୍ରୀ ବିଘଟିତ ହେବାକୁ ୭୦୦ ବର୍ଷ ଲାଗେ। ତେଣୁ, ଏହା ବଡ଼ ପ୍ରଦୂଷଣକାରକ। ତା’ଛଡ଼ା ପ୍ଲାଷ୍ଟିକ୍‌ ବିଘଟିତ ହେଲେ ତାହା ଗୁଣ୍ଡହୋଇ ‘ମାଇକ୍ରୋପ୍ଲାଷ୍ଟିକ୍‌’ ଓ ‘ନାନୋପ୍ଲାଷ୍ଟି୍‌’ରେ ପରିଣତ ହୁଏ। ଏହି ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା ମଣିଷ ଓ ଜୀବଜନ୍ତୁଙ୍କ ଶରୀରକୁ ଯାଇ କର୍କଟରୋଗ ଓ ପ୍ରଜନନ ସମସ୍ୟା ଭଳି ଗୁରୁତର ସ୍ବାସ୍ଥ୍ୟସଂକଟର କାରଣ ହୋଇଥାଏ।’’

ଉପରୋକ୍ତ ଅସୁବିଧା ଦୂର କରିବା ଲାଗି ଡକ୍ଟର ପ୍ରୀତମ୍‌ ନୂଆ ଉପାୟ ପାଞ୍ଚିଲେ। ସେ କହନ୍ତି, ‘‘ଏ ଫିଲ୍ମ ପ୍ରସ୍ତୁତ କରିବା ଲାଗି ପଣସ, ଜାମୁ ଓ ଲିଚୁ ମଞ୍ଜିରୁ ବାହାରୁଥିବା ମଣ୍ଡ ଚୟନ କରାଗଲା। ପଣସ ମଞ୍ଜିରେ ଥିବା ପ୍ରଚୁର ମଣ୍ଡରୁ ପ୍ରାକୃତିକ ‘ପଲିମର୍‌’ ମିଳେ। ପ୍ରକ୍ରିୟାକରଣ କରିବା ପରେ ତାହା ଜୈବବିଘଟିତ ଫିଲ୍ମ ପାଇଁ ଦୃଢ଼ ଆଧାର ହେଲା। ସେହିପରି, ଜାମୁ ମଞ୍ଜିରୁ ବି ବିଶେଷଧରଣର ଉପାଦାନ ବାହାର କରାଗଲା। ଛୋଟ ହେଲେ ବି ଲିଚୁ ମଞ୍ଜିରୁ ବାହାରୁ ଥିବା ମଣ୍ଡ ଏହି ପ୍ୟାକେଜିଙ୍ଗ୍‌ ଫିଲ୍ମକୁ ସୁଦୃଢ଼ ଓ ନମନୀୟ କରିବାରେ ସାହାଯ୍ୟ କଲା । ତା’ଛଡ଼ା ତେନ୍ତୁଳିମଞ୍ଜି ଶସରୁ ପ୍ରାପ୍ତ ‘ପଲିସାକାରାଇଡିସ୍‌’ ବଢ଼ିଆ ମେକାନିକାଲ୍‌ ସାମର୍ଥ୍ୟ ଓ ପ୍ରତିରୋଧକ କ୍ଷମତା ପ୍ରଦାନ କଲା।’’

କଥା ଏଇଠି ଶେଷ ହୋଇନାହିଁ। ସୁରକ୍ଷାତ୍ମକ ଗୁଣ ଓ ବିଘଟନ ଦକ୍ଷତା ବୃଦ୍ଧି କରିବା ଲାଗି ଡକ୍ଟର ପ୍ରୀତମ୍‌ଙ୍କ ଟିମ୍‌ ଏହି ଫିଲ୍ମ ଉପରେ ‘ଥିଙ୍କ୍‌ ଜିଙ୍କ୍‌ ଅକ୍ସାଇଡ୍‌’, ‘କାଇଟୋସାନ୍‌’ ଓ ‘ଲିଗ୍‌ନିନ୍‌’ର ସୂକ୍ଷ୍ମକଣିକା ବା ‘ମାଇକ୍ରୋପାର୍ଟିକ୍ଲ’ ଆସ୍ତରଣ ଦେଇଛନ୍ତି। ଏସବୁ ସୂକ୍ଷ୍ମକଣିକାରୁ ପ୍ରସ୍ତୁତ ଆସ୍ତରଣରେ ‘ଆଣ୍ଟିମାଇକ୍ରୋବାଲ୍‌’ ଏବଂ ‘ଆଣ୍ଟିଅକ୍ସିଡାଣ୍ଟ୍‌’ ଗୁଣ ରହିଛି। ଖାଦ୍ୟବାହିତ ରୋଗ ସୃଷ୍ଟିକାରୀ ‘ବେସିଲସ୍‌ ସିରିୟସ୍‌’ ଓ ‘ଇ-କୋଲାଇ’ ପରି ହାନିକାରକ ଅଣୁଜୀବ ଏହି ଆସ୍ତରଣ ଭେଦ କରି ପାରନ୍ତିନାହିଁ। ଏହାଛଡ଼ା, ଏହି ଫିଲ୍ମ ତରଳ ଅବସ୍ଥାରେ ଥିବାବେଳେ ଏଥିରେ ଫଳ ଆଦି ବୁଡ଼ାଇ ଦେଲେ ତାହା କ୍ରମେ ଶୁଖି ଚୋପା ଉପରେ ଆସ୍ତରଣ ପାଲଟିଯିବ। ତେଣୁ ସେ ଫଳଗୁଡ଼ିକୁ ସାଧାରଣ ଭାବେ ଯେତେ ଦିନ ପର୍ଯ୍ୟନ୍ତ ଖାଇବାଯୋଗ୍ୟ ହୋଇ ରହେ, ଫିଲ୍ମ ଆସ୍ତରଣ ଦେଲେ ଆହୁରି ୧୫ ଦିନ ଅଧିକ ରହେ। ଟମାଟୋରେ ଏହି ଆସ୍ତରଣ ଦେଇ ସେମାନେ ପରୀକ୍ଷା କରିଥିଲେ। ଏହି ଉପାୟରେ କଦଳୀ ଓ ସପେଟା ଆଦି ଫଳର ଆୟୁ କିଛିଦିନ ବା କିଛି ସପ୍ତାହ ବଢ଼ାଇ ହେବ ବୋଲି ଗବେଷକମାନେ ଆଶାବାଦୀ। ଡକ୍ଟର ରବିଚନ୍ଦ୍ରନ୍‌ କହନ୍ତି, ‘‘ପଣସ, ଜାମୁ ଓ ଲିଚୁ ମଞ୍ଜି ଚୂର୍ଣ୍ଣରୁ ଫିଲ୍ମ ପ୍ରସ୍ତୁତ କରିବାକୁ ପ୍ରାୟ ବର୍ଷେ ଲାଗିଗଲା। ପ୍ରାରମ୍ଭିକ କାଳରେ ସଫଳତା ମିଳି ନ ଥିଲା। କିନ୍ତୁ, ଏସବୁ ମଞ୍ଜିରେ ପ୍ୟାକେଜିଙ୍ଗ୍‌ ନିମନ୍ତେ ଉପଯୁକ୍ତ ପ୍ରାକୃତିକ ସାମଗ୍ରୀ ରହିଛି ବୋଲି ଜଣାଥିଲା।‘’ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜୈବ-ଅନୁକୂଳ ଏହି ଫିଲ୍ମ ୬୦ ଦିନ ଭିତରେ ବିଘଟିତ ହୋଇଯାଏ। ତା’ପରେ ଏହା ମାଟି ଓ ଉଦ୍ଭିଦରେ ଥିବା ଅଣୁଜୀବଙ୍କ ଆହାର ହୋଇଥାଏ।