ଆସାମର କଛଡ଼ ଜିଲ୍ଲା ଅନ୍ତର୍ଗତ ମଦରପୁରର ବାସିନ୍ଦା ଅବ୍ଦୁଲ୍‌ କଲାମ୍‌। ବୃତ୍ତି ତାଙ୍କର ମାଛମରା। ଢେର୍‌ ବର୍ଷ ହେବ ମାଛ ଧରି ତିନିପ୍ରାଣୀ କୁଟୁମ୍ବ ଚଳାଇ ଆସୁଛନ୍ତି ସେ। ଆଉ ସେ ଦୃଷ୍ଟିରୁ ଘର ପାଖ ଦେଇ ବହିଯାଉଥିବା ବରାକ୍‌ ନଦୀ ହିଁ ତାଙ୍କର ଭାତହାଣ୍ଡି। ଆଉ ମା’ ଭଳି ନଦୀ କେବେ ନିରାଶ କରିନି ତାଙ୍କୁ । ଜାଲ ବୁଲେଇ ଦେଲେ କିଛି ନା କିଛି ପଡ଼ିଯାଏ ସେଥିରେ। ହେଲେ କିଛି ଦିନ ତଳେ ଦୀର୍ଘ ଦିନର ଧାରଣା ବଦଳିଗଲା। ନଈପାଣିରେ ଜାଲ ପକେଇଲେ କିନ୍ତୁ ଗୋଟାଏ ବି ମାଛ ପଡ଼ିଲାନି। କେବେ ସେ ନଈରୁ ଖାଲିହାତରେ ଫେରି ନ ଥିଲେ। କିନ୍ତୁ, ଚଳିତବର୍ଷ ମୌସୁମୀ ବର୍ଷା କାରଣରୁ ଜୁନ୍‌ ମାସରେ ହୋଇଥିବା ବନ୍ୟା ତାଙ୍କର ଜୀବିକା ଭସାଇ ନେଇଛି। ଅର୍ଥାତ୍‌ ଦୁଇ ମାସ ହୋଇଗଲାଣି ବରାକ୍‌ ନଦୀ ମାଛଶୂନ୍ୟ ହୋଇଯାଇଛି। ମୁଣ୍ଡରେ ହାତଦେଇ ବସିଛନ୍ତି କଲାମ୍‌ ଓ ତାଙ୍କ ଭଳି ଅନେକ କୈବର୍ତ୍ତ। ସେ କହନ୍ତି, ‘‘ବନ୍ୟା ପରଠାରୁ ନଦୀରେ ମାଛ ନାହାନ୍ତି। ଆମ ବାରାକ୍‌ ନଦୀ ସତେ ଯେମିତି ବନ୍ଧ୍ୟା ହୋଇଯାଇଛି। ତା’ ଗର୍ଭ ଶୁଖିଯାଇଛି। ପିଲାଦିନରୁ ଆମେ ଦେଖି ଆସିଥିଲୁ କି, ନଈବଢ଼ି ବେଶୀ ମାଛ ଆଣେ, କିନ୍ତୁ ଏବେ ପରିସ୍ଥିତି ପୂରା ବିପରୀତ ହୋଇଯାଇଛି। ଚଳିତବର୍ଷ ନଦୀରେ ଆଦୌ ମାଛ ନାହାନ୍ତି।’’

Advertisment

ସେ ଗାଁରେ ବାସ କରୁଥିବା ପ୍ରାୟ ୯୦୦ ପରିବାରରୁ ଅଧିକାଂଶ ମାଛମାରି ଜୀବିକା ଉପାର୍ଜନ କରନ୍ତି। ଧୀବରମାନେ ବଡ଼ି ସକାଳୁ ବେଶ୍‌ କିଛି ଘଣ୍ଟା ନଦୀରେ ମାଛ ଧରନ୍ତି, ମଧ୍ୟାହ୍ନରେ ଦଣ୍ଡେ ବିଶ୍ରାମ ନିଅନ୍ତି ଓ ସଞ୍ଜ ନଇଁଲେ ପୁନଶ୍ଚ ନଦୀକୁ ଯାଆନ୍ତି। କଲାମ୍‌ କହନ୍ତି, ‘‘ଆମେ ରାତି ୧୦ଟା ପର୍ଯ୍ୟନ୍ତ ନଦୀରେ ମାଛମାରୁ। ଏଥିରୁ ଦୈନିକ ଅନ୍ୟୂନ ୧୦୦ ଟଙ୍କା ଉପାର୍ଜନ ହୁଏ। ଯୋଗ ଭଲ ଥିଲେ ଦିନେ ଦିନେ ଉପାର୍ଜନ ପରିମାଣ ୫୦୦ ଟଙ୍କା ବି ହୋଇଯାଏ। ମାତ୍ର ଗତ ଦୁଇମାସ ହେଲା ଆମେ ଦିନକୁ ୨୦ ଟଙ୍କାର ମାଛ ବି ଧରିପାରୁ ନାହୁଁ।’’

ଏହି ଅଭୂତପୂର୍ବ ଘଟଣାରେ ଭାଙ୍ଗିପଡ଼ିଛନ୍ତି କୈବର୍ତ୍ତ ସମୁଦାୟ। ସେମାନେ ଏହାର କାରଣ ବି ବୁଝିବାକୁ ଅକ୍ଷମ। ମତ୍ସ୍ୟଜୀବୀମାନେ କହୁଛନ୍ତି, ‘‘ଏବେ ନଦୀରେ ଖାଲି ଇଲିଶିଛୁଆ ମିଳୁଛନ୍ତି। ଏକଦା ଏ ନଦୀ ରୋହି, ଭାକୁର, ଇଲିଶି ଆଉ ବଡ଼କଣ୍ଟିଆ ମାଛରେ ଭରପୂର ହୋଇଉଠୁଥିଲା।‌ ଯେତେଥର ଜାଲ ପକେଇଲେ କିଛି ନା କିଛି ପଡୁଥିଲା। ଏ ଅଞ୍ଚଳରେ ବଢ଼ି ଅପୂର୍ବ ନୁହେଁ, କିନ୍ତୁ ଏ ବର୍ଷ ବଢ଼ିରେ ମାଛ ସବୁ ଯେମିତି କୁଆଡ଼େ ଉଭେଇ ଗଲେ।’’ ପାଖ ଗାଁ ନିଜ୍‌ ହରିତିକାର ପାର୍ଟ-ୱାନ୍‌ର ୭୭ ବର୍ଷୀୟ ବୃଦ୍ଧ ମତ୍ସ୍ୟଜୀବୀ ଲୀଳାରାମ ଦାସ କହନ୍ତି, ‘‘ବିଗତ ୫୦ ବର୍ଷରେ ମୁଁ ଏଭଳି ପରିସ୍ଥିତି ଦେଖି ନ ଥିଲି। ପ୍ରତିବର୍ଷ ବଢ଼ି ପରେ ନଦୀରେ ପର୍ଯ୍ୟାପ୍ତ ମାଛ ମିଳୁଥିବାରୁ ଆମେ ଅଧିକ ଉପାର୍ଜନ କରୁଥିଲୁ। ଚଳିତବର୍ଷ ମୁଁ ଡଙ୍ଗା ନେଇ ନଦୀର ଉପରମୁଣ୍ଡକୁ ୫ କିଲୋମିଟର୍‌ ଓ ତଳମୁଣ୍ଡକୁ ଗୋଟାଏ କିଲୋମିଟର୍‌ ଯାଇଥିଲି। ମୋର ସବୁ ଶ୍ରମ ବୃଥା ହେଲା।’’ କିନ୍ତୁ, ମାଛ ସବୁ ହଠାତ୍‌ କାହିଁକି ଉଭେଇ ଗଲେ ସେ ବିଷୟରେ ମତ୍ସ୍ୟଜୀବୀମାନେ କିଛି କହିପାରୁ ନାହାନ୍ତି। କେତେକଙ୍କର ସନ୍ଦେହ ହୁଏ ଯେ ବଢ଼ି ବେଳେ ପ୍ରବଳ ଖାରି ମାଟି ପ୍ରବାହ ଘଟିବାରୁ ମାଛସଂଖ୍ୟା ହ୍ରାସ ପାଇଛି। ନଦୀକୂଳ କ୍ଷୟ ହୋଇ ନଦୀ କ୍ରମଶଃ ଓସାରିଆ ହୋଇଯାଉଛି। ନଦୀକୂଳ ଓସାରିଆ ହୋଇଗଲେ ଜାଲରେ ମାଛ ପଡ଼ିବା କଷ୍ଟ।

ଚଳିତବର୍ଷ ଗବେଷକ ସନତ ଚକ୍ରବର୍ତ୍ତୀ ବରାକ୍‌-ମେଘନା ନଦୀ ଅବବାହିକା ଉପରେ ଅଧ୍ୟୟନ କରି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଋତୁକାଳୀନ ବୃଷ୍ଟିପାତଗତ ଓ ଜଳପ୍ରବାହ ତାରତମ୍ୟ ମଧୁରଜଳକୁ ପ୍ରଭାବିତ କରିପାରେ। ଫଳରେ ଜଳଚର ଜୀବଙ୍କର ଆଚାରବ୍ୟବହାର ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଚଳିତ ଦଶକରେ ବରାକ୍‌ ନଦୀ ଅବବାହିକା କ୍ଷେତ୍ରରେ ସେଭଳି ପରିବର୍ତ୍ତନ ଓ ଅବକ୍ଷୟ ହୋଇଛି। ତାହା ତଳିଆ ଅଞ୍ଚଳ ପରିସଂସ୍ଥାନ କାର୍ଯ୍ୟକଳାପକୁ ବଦଳାଇ ଦେଇଛି। ଏଥିଯୋଗୁଁ ହୁଏତ ନଦୀରୁ ଜଳଚର ଜୀବଙ୍କ ସଂଖ୍ୟା ହ୍ରାସ ପାଇଥାଇ ପାରେ।
 ୨୦୨୩ରେ ଗ୍ଲାସ୍‌ଗୋ ବିଶ୍ବବିଦ୍ୟାଳୟର ଗବେଷକମାନେ ବି ଅଧ୍ୟୟନ କରି ଜାଣିପାରିଥିଲେ ଯେ ଉତ୍ତାପ ବୃଦ୍ଧି ପାଉଥିବାରୁ ଅନେକ ମତ୍ସ୍ୟ ପ୍ରଜାତି ମେରୁ ଅଞ୍ଚଳ ଅନ୍ତର୍ଗତ ଶୀତଳ ଜଳ ଅଥବା ସମୁଦ୍ରର ଗଭୀର ପ୍ରାନ୍ତକୁ ଚାଲିଯାଉଛନ୍ତି। କେତେକ ମାଛ ପ୍ରଜାତି ସେମାନଙ୍କର ସ୍ବାଭାବିକ ନିବାସ ଅଞ୍ଚଳରୁ ଚିରଦିନ ଲାଗି ବିଦାୟ ନେଇ ଅନ୍ୟତ୍ର ଚାଲିଯାଉଛନ୍ତି।