ବିଭୂତି ପତି
ଫେବ୍ରୁଆରି ମାସ ଆରମ୍ଭ ହେଉ ହେଉ ସମଗ୍ର ଓଡ଼ିଶାରେ ତାପମାତ୍ରା ହଠାତ୍ ବୃଦ୍ଧି ପାଇଛି। ପ୍ରଚଳିତ ଧାରା ଅନୁସାରେ, ଗ୍ରୀଷ୍ମଋତୁର ଆଗମନ ପ୍ରାୟ ଏକ ମାସ ବାକି ଥିବାବେଳେ ଓଡ଼ିଶା ଓ କେରଳରେ କିନ୍ତୁ ଏବେଠାରୁ ପ୍ରବଳ ତାତି ଦେଖାଦେଲାଣି। ଏହା ବସନ୍ତଋତୁରେ ବୈଶାଖର ପଦଧ୍ବନି ସଦୃଶ ହୋଇଛି। ସାଧାରଣ ଭାବେ ମାର୍ଚ ଓ ଏପ୍ରିଲ୍ ମାସରେ ପ୍ରତ୍ୟାଶିତ ତାପ ଲହରୀ ବର୍ତ୍ତମାନଠାରୁ ଆରମ୍ଭ ହେଲାଣି। ବସନ୍ତଋତୁରେ ବୈଶାଖର ନିଦାଘ ଅନୁଭୂତ ହେଲାଣି। ସମଗ୍ର ରାଜ୍ୟରେ ଏଭଳି ଆଗୁଆ ଗ୍ରୀଷ୍ମ ଲହରୀକୁ ନେଇ ଚିନ୍ତା ଓ ଭୟ ଉଦ୍ରେକ ହୋଇଛି। ଗ୍ରୀଷ୍ମରେ ତାପମାତ୍ରା ଅସହ୍ୟ ହେବନାହିଁ ତ? ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ଉତ୍ତରାୟଣ ଯୋଗୁଁ ସୂର୍ଯ୍ୟ ଏବେ କର୍କଟକ୍ରାନ୍ତି ଆଡ଼କୁ ଗତି କରୁଥିବା କାରଣରୁ ତାପମାତ୍ରା ବୃଦ୍ଧି ପାଇଛି। ପାଣିପାଗ ବିଭାଗ ପକ୍ଷରୁ ଯଦିଓ ତାପମାତ୍ରା ବୃଦ୍ଧିକୁ ନେଇ ସତର୍କ କରାଇ ଦିଆଯାଇଛି, କିନ୍ତୁ ଏହାକୁ ନେଇ ଭୟଭୀତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇଛି।
ଓଡ଼ିଶାରେ ଏବେ ତାପମାତ୍ରା ୩୬ ଡିଗ୍ରି ଟପିଯିବା ସଂପର୍କିତ ପ୍ରଶ୍ନର ଉତ୍ତରରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ‘ରବିବାର ସମ୍ବାଦ’କୁ ସ୍ୱତନ୍ତ୍ର ସାକ୍ଷାତ୍କାର ଦେଇ କହିଛନ୍ତି, “ସାଧାରଣତଃ ଫେବ୍ରୁଆରି ମାସରେ ଦକ୍ଷିଣ ଭାରତରେ ତାପମାତ୍ରା ଉତ୍ତର ଭାରତ ତୁଳନାରେ ଅଧିକ ଥାଏ। ବିଭିନ୍ନ ସମୟରେ ଲକ୍ଷ୍ୟ କରାଯାଇଛି, ପ୍ରାୟତଃ ଫେବ୍ରୁଆରିରେ ଗୋଟିଏ ‘ଏଣ୍ଟି-ସାଇକ୍ଲୋନ୍’ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥାଏ। ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଏଣ୍ଟି-ସାଇକ୍ଲୋନ୍ ସକ୍ରିୟ ରହିବା ଫଳରେ ଦକ୍ଷିଣର ବାୟୁ ଉତ୍ତର ଆଡ଼କୁ ପ୍ରବାହିତ ହେଉଛି। ଏହା ପ୍ରଭାବରେ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇଛି। ତେବେ ବର୍ତ୍ତମାନ ତାପମାତ୍ରା ୩୫/୩୬ ଡିଗ୍ରି ସେଲ୍ସିଅସ୍ ହୋଇଯିବାର ଅର୍ଥ ନୁହେଁ ଏପ୍ରିଲ୍/ ମେ ବେଳକୁ ଓଡ଼ିଶାରେ ତାପମାତ୍ରା ୫୦ ଡିଗ୍ରି ଛୁଇଁବ। କାରଣ ତାପମାତ୍ରା ଦୈନନ୍ଦିନ ଆଧାରରେ ପରିବର୍ତ୍ତିତ ହୁଏ। ବର୍ତ୍ତମାନ କୌଣସି ଏଲ୍ ନିନୋ ସ୍ଥିତି ନାହିଁ ବରଂ ଲା ନିନାର ଏକ ଦୁର୍ବଳ ସ୍ଥିତି ବଳବତ୍ତର ରହିଛି। ଏହି ସ୍ଥିତି ଏପ୍ରିଲ୍ ମାସ ପର୍ଯ୍ୟନ୍ତ ଚାଲୁ ରହିବ, ତା’ପରେ ଏହା ଏକ ନିଷ୍ପକ୍ଷ ସ୍ଥିତି ବଜାୟ ରଖିବ। ମୌସୁମୀ ପ୍ରବାହ ଆରମ୍ଭ ହେବା ପର୍ଯ୍ୟନ୍ତ ଏଲ୍ ନିନୋ ସ୍ଥିତି ସୃଷ୍ଟି ହେବାର କୌଣସି ପୂର୍ବାନୁମାନ ନାହିଁ। ପ୍ରକୃତରେ ଓଡ଼ିଶାରେ ଗ୍ରୀଷ୍ମଋତୁ ମାର୍ଚ ମାସରୁ ଆରମ୍ଭ ହୋଇ ମୌସୁମୀର ଆଗମନ ଜୁନ୍ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ।’’
ବର୍ତ୍ତମାନର ତାପମାତ୍ରା ବୃଦ୍ଧି କ’ଣ ଜଳବାୟୁ ପରିବର୍ତ୍ତନ ପାଇଁ ହେଉଛି କି? ଏ ପ୍ରଶ୍ନର ଉତ୍ତରରେ ଡ. ମହାପାତ୍ର କହନ୍ତି, “ଜଳବାୟୁ ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା ଭାବେ ଚାଲିଛି। କେତେକ ମନୁଷ୍ୟକୃତ କାରଣ ଯୋଗୁଁ ତାପମାତ୍ରା ତ୍ବରାନ୍ବିତ ଭାବରେ ବୃଦ୍ଧି ଘଟିବାର ଏକ ଧାରା ସୃଷ୍ଟି ହୋଇଛି। କିନ୍ତୁ, ତା’ର ଅର୍ଥ ନୁହେଁ ଯେ ପ୍ରତିବର୍ଷ ପ୍ରତ୍ୟେକ ସ୍ଥାନରେ ଉତ୍ତାପ ବୃଦ୍ଧି ହେବ। ହଁ, ଏହା ନିଶ୍ଚିତ ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗ୍ରୀଷ୍ମଋତୁର ସ୍ବାଭାବିକ ତାପମାତ୍ରାରେ ବୃଦ୍ଧି ହେଉଛି। ଅଧିକ ଦୀର୍ଘ ତଥା ଅଧିକ ତୀବ୍ର ଗ୍ରୀଷ୍ମ ଲହର ଦେଖିବାକୁ ମିଳୁଛି। ଓଡ଼ିଶା ଏକ ଗ୍ରୀଷ୍ମଲହର ପ୍ରବଣ ରାଜ୍ୟ। ତେଣୁ ଆମ ରାଜ୍ୟରେ ତାପମାତ୍ରା ବୃଦ୍ଧି ଓ ଗ୍ରୀଷ୍ମ ଲହର ଅଧିକ ଦେଖିବାକୁ ମିଳିଥାଏ। ଏହି କାରଣରୁ ବର୍ତ୍ତମାନ ବସନ୍ତଋତୁ ଚକ୍ର ଦୂରେଇ ଯାଇ ପ୍ରଖର ଗ୍ରୀଷ୍ମ ପ୍ରବାହର ଅଣୁବିହିତ ହେଉଛି।’’ ଏ ପ୍ରସଙ୍ଗରେ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଭି. କେ. ମିନିଙ୍କ ମତ ଏମିତି। ସେ କହନ୍ତି, “ସହରାଞ୍ଚଳରେ ତାପମାତ୍ରା ବୃଦ୍ଧିର ପ୍ରଭାବ ଅଧିକ। କାରଣ ସହର ଆଖପାଖ ଗ୍ରାମାଞ୍ଚଳ ତୁଳନାରେ ମାନବୀୟ କାର୍ଯ୍ୟକଳାପ ତଥା ଭିତ୍ତିଭୂମି ଘନତ୍ବ ଯୋଗୁଁ ଅଧିକ ଉତ୍ତାପ ଅନୁଭବ କରିଥାନ୍ତି।”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/08/SskX3tTk0sthqyfIe7wS.jpg)