ଆଜିକାଲି ବାସ୍ତବ ‌ଫଟୋ ସବୁକୁ ଘିବ୍‌ଲି-ଅନୁସୃତ ଏଆଇ-ସୃଷ୍ଟ ଚିତ୍ରରେ ପରିଣତ କରିବାର ଟ୍ରେଣ୍ଡ୍‌ ସାମାଜିକ ଗଣମାଧ୍ୟମରେ ବେଶ୍‌ ଲୋକପ୍ରିୟ ହୋଇଛି। ସାମାଜିକ ଗଣମାଧ୍ୟମରେ ସ୍କ୍ରୋଲ୍‌ କଲେ ମାଳମାଳ ଘିବ୍‌ଲି-ଷ୍ଟାଇଲ୍‌ ଫଟୋ ନିଶ୍ଚୟ ଦୃଷ୍ଟିଗୋଚର ହେଉଛି। ସେ କୌଣସି ସେଲିବ୍ରିଟି ହୁଅନ୍ତୁ ବା ଇନ୍‌ଫ୍ଲୁଏନ୍‌ସର୍‌ ଅଥବା ସାଧାରଣ ଜନତା; ସଭିଏଁ ଆନନ୍ଦରେ ନିଜ ନିଜର ‘ଆନିମେଟେଡ୍‌’ ଫ‌ଟୋ ପୋଷ୍ଟ୍‌ କରି ଲେଖୁଛନ୍ତି- ‘‘ଫଲୋଇଙ୍ଗ୍‌ ଦି ଜିବ୍‌ଲି ଟ୍ରେଣ୍ଡ୍‌’’ ଅର୍ଥାତ୍‌ ଆମେ ବି ଘିବ୍‌ଲି ଧାରା ଅନୁସରଣ କରୁଛୁ। କିନ୍ତୁ, ବାସ୍ତବ କଥା ହେଲା ଧାରାରେ ପଡ଼ିଥିଲେ ବି ‘ଘିବ୍‌ଲି’ ସତରେ କ’ଣ ତାହା ହୁଏତ ଅଧିକାଂଶ ଜାଣନ୍ତି ନାହିଁ।

Advertisment

‘ଘିବ୍‌ଲି’ ଶୈଳୀରେ ଏମିତି କ’ଣ ଅଛି ଯେ ତାହା ଇଣ୍ଟର୍‌ନେଟ୍‌କୁ କବଳିତ କରିପକାଇଛି। ସମସ୍ତଙ୍କୁ ବିମୁଗ୍ଧ କରିବା ଲାଗି ‘ଚାଟ୍‌ଜିପିଟି’ର ନୂତନ ବୈଶିଷ୍ଟ୍ୟ ବା କାହିଁକି ଏହାକୁ ଏତେ ସରଳ କରିଛି?

‘ଘିବ୍‌ଲି’ ହେଉଛି ଜାପାନର ଗୋଟାଏ ପ୍ରସିଦ୍ଧ ଆନିମେସନ୍‌ ଚଳଚ୍ଚିତ୍ର ଷ୍ଟୁଡିଓ। ସାଧାରଣ ଅର୍ଥରେ କହିଲେ ‘ଘିବ୍‌ଲି’ ଚିତ୍ର ହେଉଛି ଜାପାନସ୍ଥିତ ଷ୍ଟୁଡିଓ ‘ଘିବ୍‌ଲି’ର ପ୍ରସିଦ୍ଧ ଆନିମେସନ୍‌ ଶୈଳୀରେ ଅଙ୍କିତ ଚିତ୍ର ପରି ଦିଶୁଥିବା ଚିତ୍ର ପ୍ରସ୍ତୁତ କରିବା। ହାଲୁକା ରଙ୍ଗ, କୌତୁକିଆ ଚରିତ୍ର ଓ ସ୍ବପ୍ନପରି ଦିଶୁଥିବା ଯାଦୁକରୀ ଦୃଶ୍ୟରାଜି ଭରା ସେଠାକାର ହାତଅଙ୍କା ଚିତ୍ରଗୁଡ଼ିକ ସହଜରେ ବାରି ହୋଇପଡ଼େ। ହାତରେ ଅଙ୍କନ କରାଯାଉଥିବା ‘ଘିବ୍‌ଲି’-ଶୈଳୀ ଚିତ୍ରରେ ଅନେକ ନିଗୂଢ଼ ତଥା ସୂକ୍ଷ୍ମ ବିଚାର ଭରି ରହିଥାଏ। ତେଣୁ, ଏହା ଦର୍ଶକଙ୍କୁ ଅତୀତସ୍ମୃତି, ବିସ୍ମୟ ଏବଂ ମାନବ ଓ ପ୍ରକୃତି ମଧ୍ୟରେ ଥିବା ନିବିଡ଼ ବନ୍ଧନ ଇତ୍ୟାଦି ଉପଲବ୍‌ଧି କରାଏ।

‘ଘିବ୍‌ଲି’ର ଜନ୍ମକାହାଣୀ
ଚଳଚ୍ଚିତ୍ର ସିରିଜ୍‌ ଓ ଟେଲିଭିଜନ୍‌ ପ୍ରସାରଣ ନିମନ୍ତେ ସହକାରୀ ଭାବେ କିଛି ଦିନ କାର୍ଯ୍ୟକରିବା ପରେ ଜାପାନର ହାୟାୟୋ ମିୟାଜାକି, ଇସାଓ ତାକାହାତା ଓ ତୋସିଓ ସୁଜୁକି ୧୯୮୫ ଜୁନ୍‌ ୧୫ ତାରିଖରେ ନିଜସ୍ବ ଆନିମେସନ୍‌ ଷ୍ଟୁଡିଓ ସ୍ଥାପନ କଲେ। ମିୟାଜାକି ହିଁ ଷ୍ଟୁଡିଓ ନାଁ ଦେଲେ ‘ଘିବ୍‌ଲି’। ‘ଘିବ୍‌ଲି’ ଶବ୍ଦଟି ଇଟାଲି ଭାଷାର। ଏହା ମଧ୍ୟ ଇଟାଲୀୟ ବିମାନ ‘ଦି କ୍ୟାପ୍ରୋନି ସିଏ.୩୦୯’ର ଡାକ ନାଁ। ଆଉ ମିୟାଜାକି ଥିଲେ ବିମାନ-ସଉକୀ। ଏହାଛଡ଼ା ସାଧାରଣ ଅଭିଧାନରେ ‘ଘିବ୍‌ଲି’ ଶବ୍ଦର ଅର୍ଥ ଉତ୍ତର ଆଫ୍ରିକୀୟ ମରୁଭୂମିର ଉତ୍ତପ୍ତ ଧୂଳିବାହୀ ପବନ। ମିୟାଜାକି ଭାବିଥିଲେ ଏ ଷ୍ଟୁଡିଓ ଆନିମେସନ୍‌ ଶିଳ୍ପରେ ଗୋଟାଏ ନୂଆ ବତାସ ପ୍ରବାହିତ କରିବ। ସତକୁ ସତ ତାହା ହିଁ ହେଲା। ସମଗ୍ର ବିଶ୍ବର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ଜାପାନର ପ୍ରଖ୍ୟାତ ଆନିମେସନ୍‌ ଷ୍ଟୁଡିଓ ‘ଘିବ୍‌ଲି’। ସଜୀବ ସ୍ବପ୍ନରାଇଜ ସୃଷ୍ଟି କରିବାକୁ ‘ଘିବ୍‌ଲି’ର ଚିତ୍ରାଙ୍କନ ଶୈଳୀ ସୂକ୍ଷ୍ମାତିସୂକ୍ଷ୍ମ ବୈଶିଷ୍ଟ୍ୟ ଏବଂ ହାଲୁକା ରଙ୍ଗ ଉପରେ ଗୁରତ୍ବାରୋପ କରୁଥିଲା। କିନ୍ତୁ, କୌତୂହଳର କଥା ହେଲା, ଏକଦା ସ୍ବୟଂ ମିୟାକାଜି ଏଆଇ-ସୃଷ୍ଟ ଚିତ୍ରଗୁଡ଼ିକୁ ନାପସନ୍ଦ କରୁଥିଲେ। ୨୦୧୬ରେ ଗୋଟାଏ ଏଆଇ ଆନିମେସନ୍‌ ଡେମୋନ୍‌ଷ୍ଟ୍ରେସନ୍‌ ସମୟରେ ସେ କହିଥିଲେ, ‘‘ମୋ ରାଗ ଚିଡୁଛି। ସତରେ ଯଦି ଆପଣମାନେ ଗୁଡ଼ାଏ ଭୟାବହ ଜିନିଷ କରିବାକୁ ଚାହୁଛନ୍ତି, ତା’ହେଲେ କରନ୍ତୁ, ଆପତ୍ତି ନାହିଁ। କିନ୍ତୁ, ମୁଁ ମୋର କୌଣସି ଚଳଚ୍ଚିତ୍ରରେ ଏ ପ୍ରଯୁକ୍ତିବିଦ୍ୟା ଆଦୌ ବ୍ୟବହାର କରିବି ନାହିଁ। ମୁଁ ହୃଦ୍‌ବୋଧ କରୁଛି ଯେ, ଏଇଟା ଜୀବନ ପ୍ରତି ଘୋର ଅପମାନ।’’

ଏବେ କିନ୍ତୁ, ଅନାୟାସରେ ଏ କାର୍ଯ୍ୟ କରୁଛି ‘ଚାଟ୍‌ଜିପିଟି’- ‘ଓପନ୍‌ଏଆଇ’ର ସଦ୍ୟତମ ଟୁଲ୍‌। ଏଥିରେ ଗୋଟାଏ ସାଧାରଣ ଫଟୋ ପକାଇଲେ ବା ‘ଫିଡ୍‌’ କରାଇଲେ ନିମିଷକେ ତାହା ‘ଘିବ୍‌ଲି’ ଯାଦୁକରୀ ଆନିମେସନ୍‌ ଚିତ୍ରକଳା ପାଲଟି ଯାଉଛି। ଏହାରି ବଳରେ ବ୍ୟବହାରକାରୀମାନେ ସାଧାରଣ ଫଟୋ ସବୁକୁ ଆନିମେସନ୍‌-ଷ୍ଟାଇଲ୍‌ ଫଟୋ କରିପାରୁଛନ୍ତି। ଏଥିରେ ଥିବା ଗୋଟାଏ ବିଶେଷ ବୈଶିଷ୍ଟ୍ୟ ହିଁ ସାଧାରଣ ସେଲ୍‌ଫି, ପାରିବାରିକ ଫଟୋ ଅଥବା କୌଣସି ଭାଇରାଲ୍‌ ଫଟୋକୁ ମାତ୍ର ଗୋଟିଏ ବଟନ୍‌ କ୍ଲିକ୍‌ରେ ‘ଘିବ୍‌ଲି’ ଶୈଳୀ ଚିତ୍ରରେ ପରିଣତ କରିପକାଉଛି।
କେବଳ ସେତିକି ନୁହେଁ, ଆଜିର ଏ ଧାରା କଳା ଓ ସର୍ଜନଶୀଳତା କ୍ଷେତ୍ରରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌ ବର୍ଦ୍ଧିଷ୍ଣୁ ଭୂମିକା ଉପରେ ଗୁରୁତ୍ବାରୋପ କରୁଛି। ଅତୀତରେ ‘ଘିବ୍‌ଲି’ ଶୈଳୀର ଚିତ୍ରଟିଏ ଅଙ୍କନ କରିବା ଲାଗି ଅସାଧାରଣ ଦକ୍ଷତା ଓ ଦୀର୍ଘସମୟ ପରିଶ୍ରମ କରିବାକୁ ପଡୁଥିଲା। କିନ୍ତୁ, ଚାଟ୍‌ଜିପିଟି ଭଳି ଏଆଇ ଟୁଲ୍‌ ଦ୍ବାରା ତାହା ନିମି‌ଷକେ ସମ୍ଭବ ହୋଇପାରୁଛି। ଏଥିପାଇଁ ଆଉ ଚିତ୍ରକର ଆବଶ୍ୟକ ହେଉନାହାନ୍ତି।