ଭାରତରେ ଗ୍ରୀଷ୍ମକାଳରେ ସବୁଠୁ ଆକାଙ୍କ୍ଷିତ ଫଳଟି ହେଉଛି, ମଧୁର, ରସାଳ ଓ ସୁସ୍ବାଦୁ ଆମ୍ବ। କେବେ ଗୋଟାଏ ଆମ୍ବ ଧରି ଭାବିଛନ୍ତି କି, ‘‘ଏ ଆମ୍ବର ଏମିତି ନାଁ ଦିଆଯାଇଛି କାହିଁକି?’’ ଏ କଥା କିଏ ଭାବୁ କି ନ ଭାବୁ ଆମ୍ବକୁ ଦିଆଯାଇଥିବା ପ୍ରତି ନାଁ’ର କିଛି ନା କିଛି କାରଣ ଓ ଇତିହାସ ବି ରହିଛି। ଦଶହରୀ, ବାଦାମୀ, ଚୌଁସା, ହିମସାଗର ହେଉ କି, ଅନ୍ୟ କୌଣସି ଆମ୍ବ ହେଉ, ସେ କାହାରି ନା କାହାରି ପ୍ରିୟଭାଜନ ହୋଇଥିବ ନିଶ୍ଚୟ। ସମଗ୍ର ଭାରତରେ ଆମ୍ବ ସବୁରି ପ୍ରିୟ ଫଳ। କିନ୍ତୁ, ସବୁଠୁ ଅଧିକ ଜନାଦୃତ ଆମ୍ବର ନାଁ ଆଲ୍ଫନ୍ସୋ।
ଆଲ୍ଫନ୍ସୋ: ଫଳରାଜ ଆମ୍ବର ରାଜା ହେଉଛି ଆଲ୍ଫନ୍ସୋ। ୧୫ଶ ଶତାବ୍ଦୀରେ ଭାରତକୁ ଆସିଥିବା ପର୍ତ୍ତୁଗୀଜ୍ ସେନାପତି ଆଲ୍ଫ୍ନ୍ସୋ ଡି ଅଲ୍ବ୍ୟୁକ୍ବେର୍କ୍ବିଙ୍କ ନାମାନୁସାରେ ଆଲ୍ଫନ୍ସୋ ଆମ୍ବର ନାମକରଣ କରାଯାଇଛି। ସେ ସମଗ୍ର ଏସିଆରେ ପର୍ତ୍ତୁଗୀଜ୍ ଉପନିବେଶ ସଂସ୍ଥାପନା କରିଥିଲେ ଏବଂ ‘ଗୋଆ ବିଜେତା’ ଉପାଧି ପ୍ରାପ୍ତ ହୋଇଥିଲେ। ପର୍ତ୍ତୁଗୀଜ୍ମାନେ ମୁଖ୍ୟତଃ ମସଲା ପାଇଁ ଆସିଥିଲେ ବି ଗୋଆରେ ଆମ୍ବଚାଷ କରିବାରେ ମଧ୍ୟ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେବେଠାରୁ ଆରମ୍ଭ ହୋଇଥିବା ଏହି ଧାରା ଆଜି ବି ବଞ୍ଚିରହିଛି। ସଂପ୍ରତି ସବୁଠୁ ଭଲ ଆଲ୍ଫନ୍ସୋ ଆମ୍ବ ମହାରାଷ୍ଟ୍ରର ରତ୍ନଗିରିରୁ ହିଁ ଆସିଥାଏ।
ଲଙ୍ଗଡ଼ା: ବିହାରର ପୂର୍ବାଞ୍ଚଳରେ ଫଳେ ଅସାଧାରଣ ନାମଧାରୀ ଲଙ୍ଗଡ଼ା ଆମ୍ବ। କିଂବଦନ୍ତି କହେ, ବାରାଣସୀର ଜଣେ ଛୋଟା ବା ଲଙ୍ଗଡ଼ା କୃଷକଙ୍କ ସ୍ମୃତିରେ ଏହି ଆମ୍ବ ନାମିତ କରାଯାଇଛି। ଶାରୀରିକ ଅକ୍ଷମତା ସତ୍ତ୍ବେ ସେ ତାଙ୍କ ତୋଟାର ବହୁ ଯତ୍ନ ନେଇ ଅତି ସୁସ୍ବାଦୁ ଆମ୍ବ ଫଳାଉଥିଲେ। ତାଙ୍କ ସମର୍ପିତ ଶ୍ରମ ପ୍ରତି ସ୍ବୀକୃତି ଜଣାଇ କାଳକ୍ରମେ ତାଙ୍କ ଗଛରେ ଫଳିଥିବା ଆମ୍ବକୁ ଲୋକେ ଲଙ୍ଗଡ଼ା ଆମ୍ବ ବୋଲି କହିଲେ। ଆଜି ସମଗ୍ର ଉତ୍ତର ଭାରତରେ ଏ ଆମ୍ବ ଅତି ଲୋକପ୍ରିୟ।
ଦଶହରୀ: ଦଶହରୀ ଆମ୍ବର ଇତିହାସ ରାଜକୀୟ। ଲକ୍ଷ୍ନୌ ନିକଟ ଦଶହରୀ ଗାଁ’ ଅନୁଯାୟୀ ଏହାର ନାଁ ଦିଆଯାଇଛି। ସେଠାରେ ଲକ୍ଷ୍ନୌର ନବାବଙ୍କ ରାଜକୀୟ ତୋଟାରେ ସେ ଆମ୍ବ ପ୍ରଥମେ ଫଳିଥିଲା। ଆଜିକାଲି ଏହି ଲମ୍ବୁରା, ହଳଦିଆ ଆମ୍ବକୁ ଉତ୍ତର ଭାରତରେ ସଭିଏଁ ପସନ୍ଦ କରନ୍ତି। କେବଳ ଉତ୍ତର ଭାରତ ନୁହେଁ, ଦେଶର ଅନ୍ୟ ପ୍ରାନ୍ତରେ ମଧ୍ୟ ଦଶହରୀ ଆମ୍ବର ଢେର୍ ଚାହିଦା ଅଛି।
ଚୌଁସା: ଇତିହାସ ପ୍ରସିଦ୍ଧ ଯୁଦ୍ଧ ନାମାନୁସାରେ ଚୌଁସା ଆମ୍ବର ନାମକରଣ କରାଯାଇଥିଲା। ବିହାରର ଚୌଁସାରେ ଲଢ଼ା ଯାଇଥିବା ଏହି ଯୁଦ୍ଧରେ ମୋଗଲ ସମ୍ରାଟ୍ ହୁମାୟୁନ୍ଙ୍କୁ ପରାଜିତ କରି ଆଫଗାନ୍ ଶାସକ ଶେର୍ ଶାହା ସୁରି ଏତେ ଖୁସି ହୋଇଯାଇଥିଲେ ଯେ ଏହି ମିଠା ଆମ୍ବର ନାଁ ଚୌଁସା ଦେଇଥିଲେ। ବିଜୟ ପାଳନ ଲାଗି ଏହାଠାରୁ ବଳି ଅଭିନବ ଉପାୟ ଆଉ କ’ଣ ଥାଇପାରେ!
ବାଦାମୀ: ଆଲ୍ମଣ୍ଡ ବା କାଠବାଦାମ ଭଳି ଆକୃତି ହୋଇଥିବାରୁ କର୍ଣ୍ଣାଟକରେ ଅଧିକ ଫଳୁଥିବା ଏହି ଆମ୍ବର ନାଁ ଦିଆଯାଇଛି ବାଦାମୀ। କାଠବାଦାମ ଭଳି ଏ ଆମ୍ବ ମଧ୍ୟ ରସାଳ, ମଧୁର ଓ ସମ୍ପୂର୍ଣ୍ଣ ରୁଚିକର। ଅତୁଳନୀୟ ମଧୁର ସ୍ବାଦ ଲାଗି ଏ ଆମ୍ବକୁ କର୍ଣ୍ଣାଟକର ଆଲ୍ଫନ୍ସୋ ବୋଲି କହନ୍ତି। ଏଥିରୁ ଜଣାପଡ଼େ ଯେ ପ୍ରତି ଆମ୍ବ ନାମକରଣର କିଛି ନା, କିଛି ତାତ୍ପର୍ଯ୍ୟ ରହିଛି। ଏ ନାଁ ଖାଲି ନାଁ ନୁହେଁ, ଏ ସବୁ ହେଉଛି ଭାରତ ଇତିହାସରୁ ଏକ ଏକ କଣିକା। ସେ ଆମ୍ବ ଖାଇଲା ବେଳେ ଆମେ ଅଜ୍ଞାତରେ ସେ ଇତିହାସର ରସ ଆସ୍ବାଦନ କରିଥାଉ।