ମିଶରର ଗ୍ରେଟ୍ ପିରାମିଡ୍ର ମଝିରେ ଯାତ୍ରୀବାହି ଉଡ଼ାଜାହାଜ ଆକାରର ଏକ ଗହ୍ଵର ଆବିଷ୍କାର କରାଯାଇଛି। ଗୁପ୍ତ ରଖାଯାଇଥିବା ଏହି ଖୁଆଡ଼କୁ ୪୫୦୦ ବର୍ଷ ହେବ କେହି ସ୍ପର୍ଶ କରି ନାହାନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି।
ପ୍ରାଚୀନ ମିଶରର ଫରାଓ ଖୁଫୁଙ୍କ ଅମଳରେ ନିର୍ମିତ ବିଶାଳ ସ୍ମାରକୀର ଚାରିଟି ଗହ୍ଵର (ରାଜା ଓ ରାଣୀଙ୍କ ପ୍ରକୋଷ୍ଠ ଏବଂ ‘ଗ୍ରାଣ୍ଡ୍ ଗ୍ୟାଲେରି’) ମଧ୍ୟରେ ଏହା ଅନ୍ୟତମ।
ଅକ୍ଟୋବର ୨୦୧୫ରୁ ସୁବାଟୋମିକ୍ ପାର୍ଟିକ୍ଲ୍ ଟେକ୍ନୋଲଜିରେ ଖୁଫୁଙ୍କ ପିରାମିଡ୍ ଅନୁଧ୍ୟାନ କରୁଥିବା ସ୍କାନ୍ ପିରାମିଡ୍ର ସହ ଆବିଷ୍କାରକ ମେଧି ତେୟୋବୁ କହିଛନ୍ତି, ‘ପିରାମିଡ୍ ମଝିରେ ଏହା ୨୦୦ ଆସନ ବିଶିଷ୍ଟ ଉଡ଼ାଜାହଜ ପରି ବଡ଼।
ଊନବିଂଶ ଶତାବ୍ଦୀରୁ ଆବିଷ୍କୃତ ଏହି ବିଶାଳ ପିରାମିଡ୍ ମଧ୍ୟରେ ଗହ୍ଵରଟି ହେଉଛି ମୁଖ୍ୟ ଢାଞ୍ଚା। ପିରାମିଡ୍ ମଧ୍ୟରେ ଗୁପ୍ତ କୋଠରି ରହିବା ସଂକ୍ରାନ୍ତରେ ଅନେକ ତତ୍ତ୍ୱ ରହିଛି। କିନ୍ତୁ, ଏଡ଼େ ବଡ଼ ଗହ୍ଵର ଥିବା କଥା କେହି ପ୍ରକାଶ କରି ନ ଥିଲେ।
/sambad/media/post_attachments/wp-content/uploads/2017/11/1025821-640172516-300x182.jpg)
ଏହି ଗହ୍ଵରର ସଠିକ୍ ଆକାର ଏବଂ ଆକୃତି ଅସ୍ପଷ୍ଟ। ଏହାର ଉଦ୍ଦେଶ୍ୟ ଏବଂ ଭିତରେ ଥିବା ସାମଗ୍ରୀମାନ ମଧ୍ୟ ରହସ୍ୟମୟ।
କିନ୍ତୁ ଏହା ଅତି କମ୍ରେ ୯୮ ଫୁଟ୍ ଲମ୍ବ ଏବଂ ‘ଗ୍ରାଣ୍ଡ୍ ଗ୍ୟାଲେରି’ ଉପରେ ଅବସ୍ଥିତ। ପିରାମିଡ୍ ମଧ୍ୟସ୍ଥଳରେ ଥିବା ଖୁଫୁଙ୍କ ସମାଧି ପ୍ରକୋଷ୍ଠରୁ ବାହାରକୁ ପଡ଼ିଥିବା ଏକ ସୁଡ଼ଙ୍ଗକୁ ଏହି ୫୦ ମିଟର୍ ଲମ୍ବ ଓ ୯ ମିଟର୍ ଉଚ୍ଚତା ବିଶିଷ୍ଟ ଏକ ଗଡ଼ାଣିଆ ବାରଣ୍ଡା ସଂଯୋଗ କରୁଛି।
ଏବେ ୧୩୯ ମିଟର ଉଚ୍ଚ ଏବଂ ୨୩୦ ମିଟର୍ ଓସାର ସ୍ମାରକଟି ରାଜା ଖୁଫୁଙ୍କ ସମାଧି ଭାବେ ନିର୍ମିତ ହୋଇଥିଲା। ଆଜି କେହି ଜାଣନ୍ତି ନାହିଁ ତାହା କେମିତି ନିର୍ମିତ ହୋଇଥିଲା।
୪୫୦୦ ବର୍ଷ ତଳୁ ପିରାମିଡ୍ ନିର୍ମାଣ ହେବା ଦିନରୁ ସେ ଗହ୍ଵର ସଂକ୍ରାନ୍ତରେ ଆଜି ଯାଏ କେହି ଜାଣି ନ ଥିଲେ ବୋଲି କହନ୍ତି ସହ ଲେଖକ, ଜାପାନସ୍ଥିତ ନାଗୋୟା ବିଶ୍ୱବିଦ୍ୟାଳୟର କୁନିହିରୋ ମୋରିଶିମା।
/sambad/media/post_attachments/wp-content/uploads/2017/11/bbbb-300x169.jpg)
ବୃହତ୍ ଗହ୍ଵରଟି ସଂପୂର୍ଣ୍ଣ ବନ୍ଦ ଅଛି। ପିରାମିଡ୍ ନିର୍ମାଣ ହେବା ପରଠାରୁ ତା’ ଅର୍ଥ ତା’ ଭିତରେ ଥିବା ସାମଗ୍ରୀକୁ କେହି ଛୁଇଁ ନାହାନ୍ତି ବୋଲି ସେ କହନ୍ତି।
ପ୍ରାଚୀନ ମିଶରର ଫରାଓମାନେ ନିଜର ସମାଧି ନିମନ୍ତେ ଏହି ବିଶାଳ ସ୍ମାରକୀ ନିର୍ମାଣ କରି ସେମାନଙ୍କ ମମି ରଖାଯିବା ନିମନ୍ତେ କଫିନ୍ ସହର ମୃତ୍ୟୁପରେ ସେମାନେ ଯାହା ଆବଶ୍ୟକ କରିବେ ସେ ସବୁ ଜିନିଷ ଯଥା:- ଖାଦ୍ୟ, ଲୁଗାପଟା ଏବଂ ଗହଣାଗାଣ୍ଠି ଗଚ୍ଛିତ କରି ରଖୁଥିଲେ।
ଆଧୁନିକ ପ୍ରତ୍ନତତ୍ତ୍ୱବିତ୍ମାନେ ଦେଖିବାର ବହୁ ପୂର୍ବରୁ ଖୁଫୁଙ୍କ ପିରାମିଡ୍ରୁ ଲୁଟ୍ ହୋଇଥିଲା। କୌଣସି ଜଣାଶୁଣା ପ୍ରକୋଷ୍ଠ ମଧ୍ୟରୁ କିଛି ଦେହାବଶେଷ ମିଳି ନ ଥିଲା।
ଏଥିରେ କିଛି ଅଛି କି, ନାହିଁ ଜଣା ନ ପଡ଼ିଥିଲେ ମଧ୍ୟ ଏହି କାରଣରୁ ନୂତନ ଗହ୍ଵରଟି ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ମୋରିଶିମା କହନ୍ତି।
ପରବର୍ତ୍ତୀ ପଦକ୍ଷେପରେ, ସେ ଗହ୍ଵର ମଧ୍ୟରେ କ’ଣ ରହିଛି ତାହା ଜାଣିବାକୁ ଛୋଟିଆ ଗାତ କରି ତହିଁ ମଧ୍ୟକୁ ରୋବଟ୍ ପଠାଇ ପରୀକ୍ଷଣ କରାଯାଇ ପାରେ। ଏହି ଆବିଷ୍କାରକୁ ‘ବୃହତ୍ ଗହ୍ଵର’ ବୋଲି ନାମିତ କରାଯାଇଛି।