ଚାଣକ୍ୟଙ୍କ ମୃତ୍ୟୁ ରହସ୍ୟ

ପ୍ରାଚୀନ ଭାରତୀୟ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସବୁଠୁ ସ୍ମରଣୀୟ ତଥା ଅଦ୍ଭୁତ ବ୍ୟକ୍ତି ହେଉଛନ୍ତି ଚାଣକ୍ୟ। ଅର୍ଥନୀତି ଏବଂ ରାଜନୀତିକୁ ତାଙ୍କର ଅବଦାନ ଆଜି ମଧ୍ୟ ସମସ୍ତଙ୍କୁ ଆଚମ୍ବିତ କରିଦିଏ। ସେ ‘ଅର୍ଥଶାସ୍ତ୍ର’ ଏବଂ ‘ଚାଣକ୍ୟ ନୀତି’ ନାମରେ ଦୁଇ ଖଣ୍ଡ ଗ୍ରନ୍ଥ ସଙ୍କଳିତ କରିଥିଲେ। ନିଜ ବୁଦ୍ଧିମତା ବଳରେ ସେ ଏକା ଏକା ଗୋଟାଏ ବାରବୁଲା ବାଳକଙ୍କୁ ମହାଶକ୍ତିଶାଳୀ ସମ୍ରାଟରେ ରୂପାନ୍ତରିତ କରି ପାରିଥିଲେ।

ଏଡ଼େ ନାମଜାଦା ବ୍ୟକ୍ତି ହୋଇଥିଲେ ମଧ୍ୟ ଚାଣକ୍ୟଙ୍କ ମୃତ୍ୟୁ ପ୍ରସଙ୍ଗ ବଡ଼ ରହସ୍ୟମୟ ହୋଇ ରହିଛି। ବହୁ ପଣ୍ଡିତ ତାଙ୍କ ମୃତ୍ୟୁର ରହସ୍ୟ ଭେଦ କରିବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ମୃତ୍ୟୁର ବାସ୍ତବ କାରଣ ଜାଣି ପାରି ନାହାନ୍ତି। ସେଥିରୁ ଦୁଇଟି କାରଣ କେତେ ପରିମାଣରେ ବିଶ୍ୱାସ ଯୋଗ୍ୟ ବୋଲି ମନେ ହୁଏ। ଗୋଟିଏ ହେଲା- ସେ ଉପବାସ ବ୍ରତ ପାଳି ମୃତ୍ୟୁ ବରଣ କରିଥିଲେ। ଦ୍ୱିତୀୟଟି ହେଲା ଷଡ୍‌ଯନ୍ତ୍ର କରି ତାଙ୍କୁ ମାରି ଦିଆଯାଇଥିଲା।

ନନ୍ଦ ରାଜାଙ୍କ ଦରବାରୁ ପାଇଥିବା ଅପମାନର ପ୍ରତିଶୋଧ ନେବା ପାଇଁ ଚାଣକ୍ୟ ବାରବୁଲା ଚନ୍ଦ୍ର ଗୁପ୍ତଙ୍କୁ ଦାଣ୍ଡରୁ ତୋଳି ନେଇ ଏକ ବିଶାଳ ସାମ୍ରାଜ୍ୟର ଶାସକ ବନାଇ ଥିଲେ। ଚାଣକ୍ୟଙ୍କ ତତ୍ତ୍ୱାବଧାନରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଜଣେ ମହାନ୍‌ ସମ୍ରାଟ୍‌ ଏବଂ ରାଷ୍ଟ୍ର ନିର୍ମାତା ହୋଇ ପାରିଥିଲେ।
ଚନ୍ଦ୍ରଗୁପ୍ତଙ୍କ ଅନ୍ତେ ତାଙ୍କ ପୁଅ ବିନ୍ଦୁସାର ସିଂହାସନ ଆରୋହଣ କରିଥିଲେ ଏବଂ ଚାଣକ୍ୟ ନିଜ ଜୀବନର ଶେଷ କାଳରେ ବାନପ୍ରସ୍ତ ଗ୍ରହଣ କରିଥିଲେ।

ଚାଣକ୍ୟ ବିନ୍ଦୁସାରଙ୍କର ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ। କୁହାଯାଏ ବିନ୍ଦୁସାର ଏବଂ ଚାଣକ୍ୟଙ୍କ ମଧ୍ୟରେ ଥିବା ଘନିଷ୍ଠତାକୁ ସହ୍ୟ କରି ନ ପାରି ଉଭୟଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରାଇବା ପାଇଁ ଚକ୍ରାନ୍ତ କରାଯାଇଥିଲା। ଷଡ୍‌ଯନ୍ତ୍ର ରଚନାର ମୁଖ୍ୟଥିଲେ ବିନ୍ଦୁସାରଙ୍କର ମନ୍ତ୍ରୀ ସୁବନ୍ଧୁ। ବିଶ୍ୱାସଘାତକତା କରାଇ ଚାଣକ୍ୟ ବିନ୍ଦୁସାରଙ୍କର ମାଆଙ୍କୁ ହତ୍ୟା କରିଥିବା କଥା ସେ ବିନ୍ଦୁସାରଙ୍କୁ କୌଣସି ମତେ ବୁଝାଇ ବିଶ୍ୱାସ କରାଇ ଦେଲେ। ଏଥିଯୋଗୁଁ ବିନ୍ଦୁସାରଙ୍କ ମନରେ ଚାଣକ୍ୟଙ୍କ ପ୍ରତି ଘୃଣା ଭାବ ଜାତ ହେଲା।

Image Courtesy of Postcard News

ବିନ୍ଦୁସାରଙ୍କୁ ଅତ୍ୟନ୍ତ ଶ୍ରଦ୍ଧା କରୁଥିବା ଚାଣକ୍ୟ ତାଙ୍କର ଏ ଭଳି ଆଚରଣକୁ ବରଦାସ୍ତ କରି ପାରିଲେ ନାହିଁ। ତେଣୁ ସେ ରାଜପ୍ରାସାଦ ଛାଡ଼ି ଚାଲି ଯାଇ ମୃତ୍ୟୁ ଯାଏଁ ଉପବାସ ବ୍ରତ ପାଳନ କରିଥିଲେ। ଏହି ସମୟରେ ବିନ୍ଦୁସାରଙ୍କ ମାଆ ଧୁର୍ଦ୍ଧରାଙ୍କ ପାଖରେ ଥିବା ଜଣେ ଧାଈ ରାଣୀଙ୍କ ମୃତ୍ୟୁ ରହସ୍ୟ ବିନ୍ଦୁସାରଙ୍କୁ କହି ଚାଣକ୍ୟଙ୍କୁ ଦୋଷମୁକ୍ତ କରିଥିଲେ।

କଥାଟି ଥିଲା ଏମିତି: ଚନ୍ଦ୍ରଗୁପ୍ତ ରାଜା ଥିବା ସମୟରେ ଚାଣକ୍ୟ ତାଙ୍କ ଖାଦ୍ୟରେ ଦୈନିକ କିଛି ପରିମାଣର ବିଷ ମିଶାଉଥିଲେ। କାରଣ ବିଷ ଶରୀରରେ ପ୍ରତିରୋଧକ ଶକ୍ତି ବଢ଼ାଇ ତାଙ୍କୁ ସବଳ କରିବ। ଭବିଷ୍ୟତରେ ଯଦି କୌଣସି ଚକ୍ରାନ୍ତକାରୀ ତାଙ୍କୁ ବିଷ ଦିଅନ୍ତି, ତାହା ଆଉ କାଟୁ କରିବ ନାହିଁ। ଏ କଥା ରାଣୀ ଧୁର୍ଦ୍ଧରା ଜାଣି ନ ଥିଲେ। ସେ ଅନ୍ତଃସତ୍ୱା ଥିବା ଅବସ୍ଥାରେ ସେ ରାଜାଙ୍କ ଭୋଜନରୁ କିଛି ଖାଇ ଦେଇଥିଲେ।

ଏ କଥା ଜାଣିବା ପରେ ଚାଣକ୍ୟ ଗର୍ଭସ୍ତ ଶିଶୁ ବିନ୍ଦୁସାରଙ୍କୁ ବିଷକ୍ରିୟାରୁ ବଞ୍ଚାଇବାକୁ ରାଣୀଙ୍କ ଜଠ ଚିରି ତାଙ୍କୁ ଜନ୍ମ କରାଥିଲେ। ଏଥିଯୋଗୁଁ ରାଣୀଙ୍କର ମୃତ୍ୟୁ ହୋଇ ଯାଇଥିଲା।

ଧାଈଙ୍କ ଠାରୁ ବିନ୍ଦୁସାର ଏ କଥା ଶୁଣିବା ପରେ ବିନ୍ଦୁସାର ନିଜର ଭୁଲ୍‌ ବୁଝି ପାରିଥିଲେ। ତାଙ୍କୁ ତୁଷ୍ଟ କରି ପୁଣି ଦରବାରକୁ ଫେରାଇ ଆଣିବାକୁ ସେ ଯେତେ ଚେଷ୍ଟା କଲେ ମଧ୍ୟ ଚାଣକ୍ୟ କୌଣସି କଥା ନ ଶୁଣି ମୃତ୍ୟୁ ଯାଏଁ ଉପବାସ ରହିଥିଲେ।

ଅନ୍ୟ ଏକ ଶୁଣା କଥା ଅନୁସାରେ, ସୁବନ୍ଧୁ ତାଙ୍କୁ ଜୀବନ୍ତ ପୋଡ଼ି ପକାଇ ଥିଲେ। ଏ କଥା ଜାଣିବା ପରେ ବିନ୍ଦୁସାର ସୁବନ୍ଧୁଙ୍କୁ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର