ନୂଆଦିଲ୍ଲୀ: ଆଜିକାଲି ଦେଖିବାକୁ ମିଳିଛି ସ୍ବାମୀ-ସ୍ତ୍ରୀଙ୍କ ଭିତରେ ସମ୍ପର୍କ ବେଶି ଦିନ ଯାଏଁ ତିଷ୍ଟି ରହୁନି । ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ହେଉ ବା ପରକୀୟା ପ୍ରୀତି ହେଉ କିମ୍ବା ଅନ୍ୟାନ୍ୟ କାରଣ ପାଇଁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ମନ ମନାନ୍ତର ହୋଇ ଶେଷରେ ବିବାହ ବିଚ୍ଛେଦ ପରି ପରିସ୍ଥିତି ଉପୁଜୁଛି ।
ଆଜିର ସମୟରେ ପ୍ରତି ଦିନ ସ୍ବାମୀ-ସ୍ତ୍ରୀଙ୍କୁ ନେଇ ନୂଆ ନୂଆ ଖବର ଆସୁଛି । କେଉଁଠି ସ୍ବାମୀକୁ ସ୍ତ୍ରୀ ତା ପ୍ରେମିକ କଥାରେ ପଡି ହତ୍ୟା କଲାଣି ତ କେଉଁଠି ପର ସ୍ତ୍ରୀ ପାଇଁ ନିଜ ସ୍ତ୍ରୀକୁ ସ୍ବାମୀ ଅବହେଳା କରିବା ସହ ନିର୍ମମ ହତ୍ୟା କରିବା ପରି କରୁଣ ଘଟଣା ସାମ୍ନାକୁ ଆସୁଛି ।
ହେଲେ ଏମିତି କିଛି ଉପାୟ ଅଛି ଯାହା ଦ୍ବାରା ସ୍ବାମୀ-ସ୍ତ୍ରୀଙ୍କ ଭିତରେ ବି ଉତ୍ତମ ବୁଝାବଣା ହୋଇପାରିବ । ସେମାନଙ୍କ ଭିତରେ ଥିବା ସମ୍ପର୍କ ଦୀର୍ଘସ୍ଥାୟୀ ହେବ ଏବଂ ସେମାନଙ୍କ ଭିତରେ ଭଲପାଇବା ଓ ପ୍ରେମର ପରିମାଣ କମିବନି ।
ଅର୍ଥଶାସ୍ତ୍ର ଓ ନୀତିଶାସ୍ତ୍ରର ଜନକ କୁହାଯାଉଥିବା ଚାଣକ୍ୟଙ୍କ ବାଣୀ ଅବା ତାଙ୍କ ନୀତିକୁ ପାଥେୟ କରି ଜୀବନରେ ଅନେକ ସମସ୍ୟାର ସମାଧାନ କରାଯାଉଥିବା ବେଳେ ଏହାକୁ ମଧ୍ଯ ଦାମ୍ପତ୍ୟ ଜୀବନରେ ପ୍ରୟୋଗ କରି ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ମଧୁମୟ କରିହେବ ।
ପ୍ରେମ ସହ ସଚ୍ଚୋଟତା
ପ୍ରେମରେ ଏବଂ ସମ୍ପର୍କରେ ନିଷ୍ଠା ରହିବା ନିହାତି ଦରକାର । କୁହାଯାଏ ଜଣେ ଯଦି ତା ସମ୍ପର୍କକୁ ନେଇ ଯେତେ ଦୃଢ ତାହାଲେ ତା ଦାମ୍ପତ୍ୟ ଜୀବନ ସେତେ ଦୃଢ । ଚାଣକ୍ୟଙ୍କ ନୀତି ଅନୁସାରେ ଯଦି ସ୍ବାମୀ-ସ୍ତ୍ରୀ ଉଭୟ ଉଭୟଙ୍କୁ ଭରପୂର ଭଲପାଇବା ଦେଉଛନ୍ତି ଆଉ ନିଜ ସମ୍ପର୍କରେ ସଚ୍ଚୋଟତା ରଖୁଛନ୍ତି ତାହାଲେ ସେମାନଙ୍କ ସାଂସାରିକ ଜୀବନରେ କେବେ ବି ଝଡ ଆସିବନି । ଯେତେ ଦୂରରେ ଥିଲେ ବି ସେମାନେ ଗୋଟେ ସୂତାରେ ବାନ୍ଧି ହୋଇଥିବେ...
ସମ୍ମାନ ଦେଇ ଶିଖନ୍ତୁ
କୁହାଯାଏ ଯେଉଁ ସମ୍ପର୍କରେ ସମ୍ମାନ ଅଛି, ସେ ସମ୍ପର୍କରେ ଜୀବନ ଅଛି । ଦାମ୍ପତ୍ୟ ଜୀବନରେ ସବୁଠାରୁ ବଡ଼ କଥା ହେଉଛି ସ୍ବାମୀ-ସ୍ତ୍ରୀ ଉଭୟ ଉଭୟଙ୍କୁ ସମ୍ମାନ ଦେବା । ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଏହି ସମ୍ମାନ ହିଁ ସେମାନଙ୍କ ଦାମ୍ପତ୍ୟ ଜୀବନକୁ ଅଧିକ ସଫଳ ଓ ସୁନ୍ଦର କରେ ।
ଅହଙ୍କାର ରହିଲେ ସର୍ବନାଶ
ନିଜର ଲୋକଙ୍କ ପାଖରେ କି ଅହଙ୍କାର... ସ୍ବାମୀ-ସ୍ତ୍ରୀଙ୍କ ଭିତରେ ପ୍ରେମ, ଆକର୍ଷଣ ଆଉ ଆତ୍ମୀୟତା ରହିବା ଦରକାର । ତା ବଦଳରେ ଯଦି ଅହଙ୍କାର ରହିଲା ତାହାଲେ କଥା ସରିଲା । ଅହଙ୍କାର ଯେଉଁଠି ଦାମ୍ପତ୍ୟ ଜୀବନରେ ଅସନ୍ତୋଷ ସେଇଠି । ଚାଣକ୍ୟଙ୍କ ନୀତି ଅନୁସାରେ ଯେଉଁ ସମ୍ପର୍କରେ ଅହଙ୍କାର ରହିଲା, ସେ ସମ୍ପର୍କ ଶୀଘ୍ର ଭାଙ୍ଗିଯିବ । ତେଣୁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଅହଙ୍କାର ନରହିବା ଭଲ ।