ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରାର ଦୁଇ ବିଜେପ୍ରତିମା ହେଉଛନ୍ତି ରାମ ଓ କୃଷ୍ଣ। ଏହି ଦୁଇ ପ୍ରତିମାଙ୍କ ମଧ୍ୟରୁ ରାମ ତ୍ରେତୟା ଯୁଗର ଶ୍ରୀରାମ ନୁହନ୍ତି; ସେ ଦ୍ୱାପର ଯୁଗର ବଳରାମ। ସେ ଶ୍ରୀକୃଷ୍ଣଙ୍କର ସହୋଦର ଭାଇ। ଉଭୟେ ଦେବକୀନନ୍ଦନ। କାରଣ, ବଳରାମଙ୍କୁ ଦେବକୀଙ୍କ ଗର୍ଭରୁ ଆକର୍ଷଣ କରିନେଇ ଯୋଗମାୟା ରୋହିଣୀଙ୍କ ଗର୍ଭରେ ସଂସ୍ଥାପନ କରିଥିଲେ। ସେ ଦୃଷ୍ଟିରୁ ତାଙ୍କର ଅନ୍ୟନାମ ସଂକର୍ଷଣ ଓ ରୋହିଣୀନନ୍ଦନ। ଦ୍ୱାପରଯୁଗୀୟ ଲୀଳା ଅନୁସାରେ, ଶ୍ରୀବଳଭଦ୍ରଙ୍କୁ ରାମ ଓ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣରୂପେ ଅଭିହିତ କରାଯାଇଛି। ସେଥିପାଇଁ ଚନ୍ଦନ ଯାତ୍ରାର ଜଳକ୍ରୀଡ଼ାରେ ଅଂଶଗ୍ରହଣ କରିବାପାଇଁ ରାମ ଶ୍ରୀବଳଭଦ୍ରଙ୍କଠାରୁ ଏବଂ କୃଷ୍ଣ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇଥାଆନ୍ତି।
ଚନ୍ଦନଯାତ୍ରାରେ ଏହି ରାମ ଓ କୃଷ୍ଣ ଯୋଡ଼ି ହେବା ପଛରେ ରହିଛି ‘ମହାଭାରତ’ର ଏକ ଆଖ୍ୟାନ। ସେଥିରେ ଥିବା ବର୍ଣ୍ଣନା ଅନୁସାରେ- ଗ୍ରୀଷ୍ମକାଳରେ କୃଷ୍ଣ, ବଳରାମ ଓ ପଞ୍ଚୁପାଣ୍ଡବଙ୍କୁ ନେଇ ବିରାଟ ରାଜା ମତ୍ସ୍ୟଦେଶରେ ଜଳକ୍ରୀଡ଼ା କରିଥିଲେ। ଏଣୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରା କୃଷ୍ଣାବତାରର ଲୀଳା। ଏଥିରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ଗୋଟିଏ ଚାପରେ, ଏବଂ କୃଷ୍ଣ, ବଳରାମ ଓ ପଞ୍ଚୁପାଣ୍ଡବ ଆଉ ଗୋଟିଏ ଚାପରେ ବିରାଜମାନ କରିଥାଆନ୍ତି। ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ବିରାଜମାନ କରୁଥିବା ଚାପର ରଙ୍ଗ ଧଳା ଏବଂ ଏହାର ନାମ ସୁନନ୍ଦା ବା ସଂକ୍ଷେପରେ ନନ୍ଦା। ମଦନମୋହନ ନନ୍ଦନନ୍ଦନ ଶ୍ରୀକୃଷ୍ଣ ବା ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା। ଏଣୁ ଶ୍ରୀଦେବୀ ଓ ଭୂଦେବୀଙ୍କୁ ନେଇ ସେ ବିଜେ କରୁଥିବା ଚାପର ନାମ ‘ନନ୍ଦା’।
ସେହିପରି, ପଞ୍ଚୁପାଣ୍ଡବ (ପଞ୍ଚ ମହାଦେବ)ଙ୍କୁ ନେଇ ରାମ ଓ କୃଷ୍ଣ ଯେଉଁ ଚାପରେ ବିରାଜମାନ କରନ୍ତି- ତାହାର ରଙ୍ଗ ଲାଲ। ‘ମହାଭାରତ’ ଅନୁଯାୟୀ, ବିରାଟରାଜାଙ୍କ ଜଳକ୍ରୀଡ଼ାର ସ୍ମୃତି ବହନ କରୁଥିବାରୁ ସେହି ଚାପର ନାମ ‘ବୈରାଟକୀ’। କିନ୍ତୁ ତାହାର ପ୍ରଚଳିତ ଲୋକପ୍ରିୟ ନାମ ‘ଭଦ୍ରା’। କାରଣ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କଠାରୁ ଆଜ୍ଞାମାଳ ପାଇ ବଳରାମ ସେଥିରେ ବିରାଜମାନ କରନ୍ତି। ତେବେ ଶ୍ରୀଜଗନ୍ନାଥଙ୍କର ଏହି ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରାର ଏକ ବିଶେଷତ୍ୱ ହେଉଛି- ଏଥିରେ ପ୍ରତିଦିନ ଦିନଚାପ ଏକଘେରା ଓ ରାତିଚାପ ତିନିଘେରା ହୋଇଥାଏ। ଏହି ବାହାର ଚନ୍ଦନ ଯାତ୍ରାର ଶେଷଦିନରେ ରାମ ଓ କୃଷ୍ଣ ନାଲି ଚାପରୁ ଧଳା ଚାପକୁ ଆସନ୍ତି ଏବଂ ସେଠାରେ ହଳଦି ପାଣି ପିଚକାରୀ ଉତ୍ସବ ପାଳିତ ହୁଏ। ସେଦିନ ସମସ୍ତେ ଶୀତଳଭୋଗ ଓ ମାଣ୍ଡୁଅ ଭୋଗ ଖାଇ ଶ୍ରୀମନ୍ଦିରକୁ ବାହୁଡ଼ି ଥାଆନ୍ତି।
-ଡକ୍ଟର ନରେଶ ଚନ୍ଦ୍ର ଦାଶ