ଚନ୍ଦନ ପନ୍ତି

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରାରେ ହେଉଥିବା ‘ପନ୍ତିଭୋଗ’କୁ ‘ଚନ୍ଦନପନ୍ତି’ କୁହାଯାଏ। ଏହି ଭୋଗ ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡ଼ାଯାତ୍ରାରେ ଶ୍ରୀବିଗ୍ରହମାନଙ୍କ ପାଇଁ ଏବଂ ଚନ୍ଦନ ଯାତ୍ରାରେ ଉତ୍ସବପ୍ରତିମା ବା ବିଜେପ୍ରତିମାମାନଙ୍କ ପାଇଁ ହୋଇଥାଏ। ‘ପନ୍ତ’ ବା ‘ପନ୍ଥା’ର ଅର୍ଥ ପଥ ବା ମାର୍ଗ। ଏ ଦୃଷ୍ଟିରୁ ଶ୍ରୀବିଗ୍ରହ ବା ବିଜେପ୍ରତିମାମାନେ ଯାତ୍ରା ବା ଉତ୍ସବ ଆଦି ନିମନ୍ତେ ପଥଯାତ୍ରା କଲାବେଳେ, ସେମାନଙ୍କ ଉଦ୍ଦେଶ୍ୟରେ ଯେଉଁ ଭୋଗ ଅର୍ପିତ ହୁଏ, ତାହା ‘ପନ୍ତି’ ବା ପଥଭୋଗ। ଏ ସଂପର୍କରେ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ରେ ଉଲ୍ଲେଖ ଅଛି- “ଉତ୍ସବାଦି ଉପଲକ୍ଷେ ଦେବପ୍ରତିମା ଗ୍ରାମଦାଣ୍ଡରେ ବିଜେ କଲାବେଳେ, ପ୍ରତ୍ୟେକ ଗୃହସ୍ଥର ଘରେ ବା ପିଣ୍ଡାରେ ବଢ଼ା ହୋଇଥିବା ଯେଉଁ ଭୋଗ ନୈବେଦ୍ୟ ତାଙ୍କୁ ଅର୍ପିତ ହୁଏ- ତାହା ପନ୍ତିଭୋଗ।” ଦୋଳଯାତ୍ରାରେ ଗ୍ରାମେ ଗ୍ରାମେ ସ୍ଥାନୀୟ ଦେବତା ମଧ୍ୟ ଚାଚେରୀ ଯାତ୍ରାରେ ଭ୍ରମଣ କରି, ଗ୍ରାମର ଗୃହସ୍ଥମାନଙ୍କ ପକ୍ଷରୁ ଏପରି ପନ୍ତିଭୋଗ ଗ୍ରହଣ କରିଥାନ୍ତି।

‘ପନ୍ତି’ର ଅନ୍ୟ ଏକ ଅର୍ଥ- ‘ପଙ୍‌୍‌କ୍ତି’ ବା ଶ୍ରେଣୀ। ଏଣୁ ଧାଡ଼ିଧାଡ଼ି ହୋଇ ବଢ଼ା ହୋଇଥିବା ଭୋଗ ମଧ୍ୟ ପନ୍ତିଭୋଗ। ସାଧାରଣତଃ ପନ୍ତିଭୋଗରେ ଅନେକ ଭୋଗଦ୍ରବ୍ୟ ଧାଡ଼ିଧାଡ଼ି ହୋଇ ବଢ଼ା ହୋଇଥାଏ। ତେଣୁ ତାହା ପନ୍ତିଭୋଗ। ଏହି ଅର୍ଥରେ, ଧାଡ଼ି ହୋଇ ବସି ଭୋଜନ କରିବା ମଧ୍ୟ ପନ୍ତି (ପଙ୍‌କ୍ତି) ଭୋଜନ। ଶ୍ରୀମନ୍ଦିର ପରିଭାଷାରେ- ଗର୍ଭଗୃହ ବା ‘ପୋଖରିଆ’ରେ ମୁରୁଜପଡ଼ି ନିର୍ଦ୍ଦିଷ୍ଟ ରୀତିରେ ଯେଉଁ ଭୋଗ ନୈବେଦ୍ୟ ବଢ଼ା ହୁଏ, ତାହା ପନ୍ତି। ତେବେ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ଚନ୍ଦନଯାତ୍ରା ବେଳେ ଯେଉଁସବୁ ପଥଭୋଗ ହୁଏ, ତାହା ପନ୍ତିଭୋଗ। ଚନ୍ଦନଯାତ୍ରାର ଏହି ପନ୍ତିଭୋଗ ରୂପେ ଗଜାମୁଗ, ଆମ୍ବ, ପଣସ, ଚାଉଳିଆ (ପିଜୁଳି), କାକୁଡ଼ି, କଦଳୀ, ଖୁଆମଣ୍ଡା, ଚୁଡ଼ାଭଜା, ଖଇ ନଡ଼ିଆ ପାତି, ପଇଡ଼ ଇତ୍ୟାଦି ବଢ଼ା ହୋଇଥାଏ। ପ୍ରଚଳିତ ପରମ୍ପରା ଅନୁଯାୟୀ କେତେକ ମଠ, ଜାଗା ଆଖଡ଼ା, ଶ୍ରୀନଅର ଏବଂ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଏହି ପନ୍ତିଭୋଗ କରାଯାଇଥାଏ।

ସମ୍ବନ୍ଧିତ ଖବର