ମଙ୍ଗଳରେ ପାଦ ଦେଇଥିବା ଦ୍ବିତୀୟ ମଣିଷ ବଜ୍ ଆଲ୍ଡ୍ରିନ୍ଙ୍କ ଏକ ଜ୍ୟାକେଟ୍ ୨.୮ ମିଲିଅନ୍ ଡଲାର୍ ବା ପ୍ରାୟ ସାଢ଼େ ବାଇଶ କୋଟି ଟଙ୍କାରେ ନିଲାମ ହୋଇଛି। ନିଲାମ ପରେ ଏହା ମହାକାଶ ଅଭିଯାନ ସହ ଜଡ଼ିତ ସର୍ବାଧିକ ମୂଲ୍ୟବାନ ଆମେରିକୀୟ ବସ୍ତୁର ମାନ୍ୟତା ହାସଲ କରିଛି। ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ପତାକା ଓ ‘ନାସା’ର ଲୋଗୋ ସମ୍ବଳିତ ଏହି ଧଳା ରଙ୍ଗର ଜ୍ୟାକେଟ୍ଟିକୁ ବଜ୍ ଆଲ୍ଡ୍ରିନ୍ ‘ଆପୋଲୋ ୧୧’ ଅଭିଯାନରେ ପିନ୍ଧିଥିଲେ। ଉଲ୍ଲେଖନୀୟ ଯେ ୧୯୬୯ ମସିହାର ଏହି ଚନ୍ଦ୍ର ଅଭିଯାନରେ ଯାଇଥିବା ତିନି ଜଣ ମହାକାଶଚାରୀଙ୍କ ମଧ୍ୟରୁ କେବଳ ବଜ୍ ଆଲ୍ଡ୍ରିନ୍ ଏବେ ଜୀବିତ। ଛଅ ଦିନର ଏହି ଅଭିଯାନରେ ରକେଟ୍ ମଧ୍ୟରେ ସେ ଏହି ଧଳା ଜ୍ୟାକେଟ୍ ପିନ୍ଧିଥିଲେ। କେବଳ ଚନ୍ଦ୍ର ପୃଷ୍ଠରେ ପାଦ ଦେବା ସମୟରେ ତାଙ୍କୁ ଏହି ଜ୍ୟାକେଟ୍ ଖୋଲି ଏକ ପ୍ରେସର୍ ସୁଟ୍ ପିନ୍ଧିବାକୁ ପଡ଼ିଥିଲା।
ସେ ଚନ୍ଦ୍ରରେ ପାଦ ଦେବାର ଦୃଶ୍ୟକୁ ପୃଥିବୀର ପ୍ରାୟ ୬୫ କୋଟି ଲୋକ ସିଧାସଳଖ ଟେଲିଭିଜନ୍ ପରଦାରେ ଦେଖିଥିଲେ। ମଙ୍ଗଳ ପୃଷ୍ଠରେ ୨୧ ଘଣ୍ଟାରୁ ଅଧିକ ସମୟ କାଟିବା ପରେ ବଜ୍ ଓ ନିଲ୍ ଆର୍ମଷ୍ଟ୍ରଙ୍ଗ ଆପୋଲୋ ଯାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରେସର୍ ସୁଟ୍ ଖୋଲି ପୁଣି ଥରେ ଉକ୍ତ ଜ୍ୟାକେଟ୍ ପିନ୍ଧିବା ତାଙ୍କ ପାଇଁ ଅଧିକ ଆରାମଦାୟକ ଥିଲା ବୋଲି ସେ ପ୍ରକାଶ କରିଥିଲେ। ଏହି ଜ୍ୟାକେଟ୍ଟି ‘ବିଟା’ ନାମକ ଏକ ସ୍ବତନ୍ତ୍ର ଅଗ୍ନି-ନିରୋଧୀ କପଡ଼ାରେ ତିଆରି। ଏହା ୧୯୬୯ର ମହାକାଶ ଅଭିଯାନର ଏକମାତ୍ର ପୋଷାକ ସାମଗ୍ରୀ ଯାହାକୁ ନିଲାମ କରାଯାଇଛି। ତେଣୁ ଏହାର ନିଲାମ ଆରମ୍ଭ ହେବାର ୧୦ ମିନିଟ୍ ମଧ୍ୟରେ ଏହାକୁ ଜଣେ ବ୍ୟକ୍ତି କିଣିନେଇଥିଲେ। ୯୨ ବର୍ଷୀୟ ବଜ୍ ସମୁଦାୟ ୬୯ଟି ବ୍ୟକ୍ତିଗତ ସାମଗ୍ରୀ ନିଲାମ କରିଛନ୍ତି। ଏଥିରୁ ତାଙ୍କୁ ୮.୨ ମିଲିଅନ୍ ଡଲାର୍ ବା ପ୍ରାୟ ୬୫ କୋଟି ଟଙ୍କା ମିଳିଛି।