ଭାରତର ସର୍ବୋଚ୍ଚ ଶିବାଳୟ ତୁଙ୍ଗନାଥ ପର୍ବତ ଶିଖରରୁ ଦୃଷ୍ଟିଗୋଚର ହୁଏ ଚନ୍ଦ୍ରଶିଳା। ସମୁଦ୍ରପତ୍ତନଠାରୁ ପ୍ରାୟ ୩୬୯୦ମିଟର ଉଚ୍ଚରେ ଅବସ୍ଥିତ ଏହି ପର୍ବତ। ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲାରେ ଚନ୍ଦ୍ରଶିଳା ଏକ ଶାନ୍ତ ସୁନ୍ଦର ପର୍ବତ ଉପରେ ରହିଛି। ଏଠାରୁ ନନ୍ଦାଦେବୀ, ତ୍ରିଶୂଳ ପର୍ବତ, କେଦାରନାଥ, ବନ୍ଦର ପଞ୍ଚ ଓ ଚୌଖମ୍ବାର ସୌନ୍ଦର୍ଯ୍ୟ ସନ୍ଦର୍ଶନ କରାଯାଏ। ଯେଉଁମାନେ ତୁଙ୍ଗନାଥ ଯାଇ ପଞ୍ଚକେଦାର ଯାତ୍ରା ଶେଷ କରନ୍ତି, ସେମାନେ ତା’ ପରେ ଯାଇ ଚନ୍ଦ୍ରଶିଳା ଆରୋହଣ କରି ଗଙ୍ଗାଦେବୀଙ୍କୁ ଦର୍ଶନ କରନ୍ତି। ଚନ୍ଦ୍ରଶିଳା ଉପରେ କେବଳ ଗଙ୍ଗାଦେବୀଙ୍କର ଏକ ମନ୍ଦିର ଅଛି। ଏହି ପର୍ବତକୁ ନେଇ ରହିଛି ଅନେକ ରୋଚକ କାହାଣୀ।

Advertisment

କଥନ ଅନୁଯାୟୀ, ଚନ୍ଦ୍ରଦେବ ଦକ୍ଷ ପ୍ରଜାପତିଙ୍କର ସତେଇଶ କନ୍ୟାଙ୍କୁ ବିବାହ କରିଥିଲେ; କିନ୍ତୁ ସେ କେବଳ ରୋହିଣୀଙ୍କ ପ୍ରତି ଅତ୍ୟଧିକ ଆକର୍ଷିତ ହେବା ଫଳରେ କ୍ରୋଧିତ ଦକ୍ଷ ତାଙ୍କୁ କ୍ଷୟ ରୋଗରେ ଆକ୍ରାନ୍ତ ହେବାକୁ ଅଭିଶାପ ଦେଲେ। ଫଳରେ ଚନ୍ଦ୍ରଙ୍କର ପ୍ରଭା ହ୍ରାସ ପାଇଲା। ବନସ୍ପତିମାନେ ନିର୍ଜୀବ ହୋଇ ପଡ଼ିଲେ। ଦେବତାମାନଙ୍କ ଅନୁରୋଧରେ, ଅଭିଶାପରୁ ମୁକ୍ତ ହେବା ନିମନ୍ତେ ଶିବଙ୍କୁ ଆରାଧନା କରିବାପାଇଁ ଚନ୍ଦ୍ରଙ୍କୁ ଦକ୍ଷ ଉପଦେଶ ଦେଲେ। ତାହା ଅନୁସାରେ, ଚନ୍ଦ୍ର ଆସି ଏହି ପର୍ବତ ଶୃଙ୍ଗରେ ବସି କିଛି ବର୍ଷ ଶିବଙ୍କୁ ତପସ୍ୟା କରିଥିଲେ। ତେଣୁ ଏହି ପର୍ବତର ନାମ ଚନ୍ଦ୍ରଶିଳା ହୋଇଛି। ଏହି ଶାନ୍ତ-ଶୀତଳ ପର୍ବତ ମଧ୍ୟ ରାମଚନ୍ଦ୍ରଙ୍କର ତପସ୍ୟା ଭୂମି ଥିଲା। ରାବଣବଧ ପରେ ରାମଚନ୍ଦ୍ର ବ୍ରହ୍ମହତ୍ୟା ପାପରେ ଭାଗୀ ହୋଇଥିଲେ। ସେ ପାପମୁକ୍ତ ହେବା ପାଇଁ ଏଠାରେ ଦୀର୍ଘଦିନ ତପସ୍ୟା କରିଥିଲେ।

ଲୋକକାହାଣୀ ଅନୁସାରେ, ଏହି ପର୍ବତ ମଧ୍ୟ ଥିଲା ଶ୍ରୀକୃଷ୍ଣଙ୍କର ତପସ୍ୟା ଭୂମି। ଯେତେବେଳେ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କ ନନ୍ଦନକାନନରୁ ପାରିଜାତ ହରଣ କରି ଆଣିଲେ, ଇନ୍ଦ୍ର ତାଙ୍କ ସହିତ ଯୁଦ୍ଧ କରିବାପାଇଁ ତାଙ୍କର ଅନୁଧାବନ କଲେ। ଯୁଦ୍ଧରେ ଜୟଲାଭ କରିବାପାଇଁ ଶ୍ରୀକୃଷ୍ଣ ପାରିଜାତ ପୁଷ୍ପ ଓ ବେଲପତ୍ର ଦେଇ ଏଠାରେ ଶିବଙ୍କୁ ଆରାଧନା କରିଥିଲେ। ଶିବ ସନ୍ତୁଷ୍ଟ ହୋଇ ତାଙ୍କୁ ଇନ୍ଦ୍ରଙ୍କୁ ପରାସ୍ତ କରିବାପାଇଁ ଆଶୀର୍ବାଦ ଦେଇଥିଲେ।
ଅନ୍ୟତ୍ର ବର୍ଣ୍ଣନା ରହିଛି, ଜୟଦ୍ରଥଙ୍କୁ ବଧ କରିବା ପାଇଁ ଅର୍ଜୁନ ଶପଥ ନେବା ପରେ, ସେ ଅନୁଭବ କଲେ ଯେ ପାଶୁପତ ଅସ୍ତ୍ର ଚାଳନା କରିବା ପାଇଁ ସେ ଅସମର୍ଥ। କାରଣ ପାଶୁପତମନ୍ତ୍ର ସେ ବିସ୍ମୃତ ହୋଇଯାଇଛନ୍ତି। ଶ୍ରୀକୃଷ୍ଣ ଏହା ଜାଣି, ଅର୍ଜୁନଙ୍କୁ ସାଥିରେ ନେଇ ଚନ୍ଦ୍ରଶିଳା ଉପରେ ଶିବଙ୍କୁ ଆରାଧନା କରିଥିଲେ। ଶିବ ପୁନର୍ବାର ଅର୍ଜୁନଙ୍କୁ ପାଶୁପତମନ୍ତ୍ର ପ୍ରଦାନ କରିଥିଲେ। ଏଣୁ ରାମ ଓ କୃଷ୍ଣଙ୍କର ତପସ୍ୟାଭୂମି ହେତୁ ଏହି ପର୍ବତକୁ ପରମ ପବିତ୍ର ଶିଳା ଭାବରେ ଗ୍ରହଣ କରାଯାଏ।