‘ଚନ୍ଦ୍ରଯାନ-୨’ ୯୫% ଲକ୍ଷ୍ୟ ହାସଲ କରିସାରିଛି, ଅର୍ବିଟର ଚନ୍ଦ୍ରକୁ ପରିକ୍ରମା କରୁଛି

ଚନ୍ଦ୍ରଯାନ-୨ର ସମୀକ୍ଷା କରୁଛନ୍ତି ଇସ୍ରୋ ମୁଖ୍ୟ

ବେଙ୍ଗାଲୁରୁ : ଚନ୍ଦ୍ରଯାନ-୨ ଅଭିଯାନରେ ଲ୍ୟାଣ୍ଡର୍‌ ବିକ୍ରମ ସହିତ ସଂପର୍କ ଛିନ୍ନ ହେବା ଇସ୍ରୋ ପାଇଁ ଝଟ୍‌କା ହୋଇଥିଲେ ମଧ୍ୟ ଏହି ମିସନ୍‌ରେ ୯୫ ପ୍ରତିଶତ ସଫଳତା ହାସଲ ହୋଇଛି। ଚନ୍ଦ୍ରଯାନର ମଧ୍ୟ ୯୫ ପ୍ରତିଶତ ଠିକ୍‌ଠାକ ରହିଛି। କେବଳ ଲ୍ୟାଣ୍ଡର୍‌ ଓ ରୋଭର୍‌ ସହ ସଂପର୍କ ଛିନ୍ନ ହେବା ବ୍ୟତୀତ ଅନ୍ୟ ସମସ୍ତ ଯୋଜନାରେ ଶତ ପ୍ରତିଶତ ସଫଳତା ମିଳିଛି। ଚନ୍ଦ୍ରଯାନର ଅର୍ବିଟର ଏବେ ଚନ୍ଦ୍ରର କକ୍ଷପଥରେ ପରିକ୍ରମା କରୁଛି ଏବଂ ଏହା ବର୍ଷେ ପର୍ଯ୍ୟନ୍ତ ସକ୍ରିୟ ରହିବ। ଆବଶ୍ୟକସ୍ଥଳେ ଏହାର କାର୍ଯ୍ୟକାଳ ୭ ବର୍ଷ ପର୍ଯ୍ୟନ୍ତ ବି ରହିବ। ଚନ୍ଦ୍ରଯାନ-୨ର ଦୀର୍ଘ ସଫଳ ଯାତ୍ରା ଏବଂ ଅର୍ବିଟରରୁ ଲ୍ୟାଣ୍ଡର୍‌ ଅଲଗା ହେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସଫଳତା ମିଳିବା ବହୁତ ବଡ଼ ଉପଲବ୍ଧି ବୋଲି ଇସ୍ରୋର ପୂର୍ବ ଅଧ୍ୟକ୍ଷ ଜି. ମାଧବନ କହିଛନ୍ତି। ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କିମି ଦୂରରୁ ସଂପର୍କ ଛିନ୍ନ ହେବାରୁ ଲ୍ୟାଣ୍ଡର୍‌ ବିକ୍ରମର ସୂକ୍ଷ୍ମ ଅବତରଣ ସମ୍ଭବ ହୋଇପାରିନଥିଲା। ଚନ୍ଦ୍ରଯାନ ୨ର ଅର୍ବିଟର ସଫଳତାର ସହ ଲୁନାର ଅର୍ବିଟରେ ନିଜର କାମ କରୁଛି। ତେଣୁ ଏକ ଛୋଟ ବିଫଳତାକୁ ନେଇ ଅଧିକ ଚିନ୍ତା କରିବା ଉଚିତ ନୁହେଁ ବୋଲି ମାଧବନ କହିଛନ୍ତି। ଲ୍ୟାଣ୍ଡର୍‌ ବିକ୍ରମର ମିସନ୍‌ ଲାଇଫ୍‌ ମାତ୍ର ୧୪ ଦିନ ଥିଲା। ଅର୍ବିଟର ତା’ର ୧ ବର୍ଷର କାର୍ଯ୍ୟକାଳରେ ଚନ୍ଦ୍ରମାର ଅନେକ ଫଟୋ ଇସ୍ରୋକୁ ପଠାଇବ। ଲ୍ୟାଣ୍ଡର୍‌ର ଫଟୋ ଆସିଲେ ଏହାର ସ୍ଥିତି ଠାବ କରାଯାଇ ପାରିବ ବୋଲି ସେ କହିଛନ୍ତି।

ଚନ୍ଦ୍ରଯାନ-୨ର ସମୀକ୍ଷା କରୁଛନ୍ତି ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ର ଅବତରଣ କରିବାର ମାତ୍ର କିଛି ସମୟ ପୂର୍ବରୁ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେବେ କେଉଁ କାରଣ ପାଇଁ ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ସୂକ୍ଷ୍ମ ଅବତରଣ ପାଇଁ ଉଦ୍ୟମ କରିବା ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହେଲା ‌ସେନେଇ ସମୀକ୍ଷା ଆରମ୍ଭ ହୋଇଯାଇଛି। ଇସ୍ରୋ ମୁଖ୍ୟ କେ ଶିବନ ତାଙ୍କ ଟିମ୍‌ ସଦସ୍ୟଙ୍କ ସହ ଏନେଇ ପ୍ରତ୍ୟେକଟି ପର୍ଯ୍ୟାୟର ଡାଟା ସମୀକ୍ଷା କରୁଛନ୍ତି। ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ପହଞ୍ଚିବାପାଇଁ ଭାରତର ଏହି ପ୍ରଥମ ଅଭିଯାନ ୯୫ ପ୍ରତିଶତ ସଫଳ ହୋଇଛି ବୋଲି କୁହାଯାଉଛି। ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ମାତ୍ର ୨.୧ କିମି ଦୂର‌ରେ ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଲ୍ୟାଣ୍ଡର ସହ ଯୋଗା‌ଯୋଗ କରିବାପାଇଁ ଶନିବାର ସନ୍ଧ୍ୟା ସୁଦ୍ଧା ଉଦ୍ୟମ ଜାରି ରହିଥିଲେ ମଧ୍ୟ ଏଥିରେ ବିଫଳ ହେବାକୁ ପଡ଼ିଛି ଇସ୍ରୋ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ‌ ତେବେ ଏଥିପାଇଁ ଲଗାତାର ପ୍ରୟାସ ଜାରି ରହିବ ବୋଲି ଜଣାପଡ଼ିଚି। ଯୋଗାଯୋଗ ଛିନ୍ନ ହେବା ପୂର୍ବରୁ ଗ୍ରହଣ କରାଯାଇଥିବା ସମସ୍ତ ଡାଟାର ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି ।

ସମ୍ବନ୍ଧିତ ଖବର