ଅନ୍ତର୍ଜାତୀୟ ଗଣମାଧ୍ୟମ, ବିଦେଶୀ ବୈଜ୍ଞାନିକଙ୍କ ମତ : ଚନ୍ଦ୍ରଯାନ-୨ ଏକ ବିଫଳ ମିସନ୍ ନୁହେଁ

ବେଙ୍ଗାଲୁରୁ : ଗତକାଲି ରାତିରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବାରେ ସଫଳ ହୋଇ ନଥିଲେ ମଧ୍ୟ ବିଦେଶୀ ଗଣମାଧ୍ୟମ ଏବଂ ବିଦେଶୀ ବୈଜ୍ଞାନିକମାନେ ଇସ୍ରୋର ଏହି ଅଭିଯାନକୁ ପ୍ରଶଂସା କରିଛନ୍ତି। ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋର ‌ବେଙ୍ଗାଲୁରୁସ୍ଥିତ କେନ୍ଦ୍ରର ଯୋଗାଯୋଗ ବିଚ୍ଛିନ୍ନକୁ ସେମାନେ ଆଂଶିକ କ୍ଷତି ବୋଲି କହିଛନ୍ତି। ସବୁକିଛି ହରାଇବାକୁ ପଡ଼ିନାହିଁ। କାରଣ ପ୍ରମୁଖ ବୈଜ୍ଞାନିକ ଉପକରଣ ଅର୍ବିଟର ଏବେ ବି ଚନ୍ଦ୍ରର କକ୍ଷପଥରେ ପରିକ୍ରମା କରୁଛି।

ଆମେରିକାର ପୂର୍ବତନ ମହାକାଶଚାରୀ ଏବଂ ମହାକାଶ ବି‌ଶ୍ଳେଷକ ଜେରି ଏମ ଲିନେଗର କହିଛନ୍ତି, ଭାରତ ଅତ୍ୟନ୍ତ ଜଟିଳ କାର୍ଯ୍ୟ କରିବାକୁ ଯାଉଥିଲା। ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ନିକଟତର ହେବା ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା। ତେବେ ଦୁର୍ଭାଗ୍ୟବଶତଃ ଏହା ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରି ନଥିଲା। କିନ୍ତୁ ମୋଟାମୋଟି ଭାବେ ମିସନ୍ ଅତ୍ୟନ୍ତ ସଫଳ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଅର୍ବିଟର ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ ଜାରି ରଖିବ। ଅର୍ବିଟରରେ ସବୁ ବ୍ୟବସ୍ଥା କାର୍ଯ୍ୟ କରୁଛି। ଚଳିତ ଥର ଭାରତର ବୈଜ୍ଞାନିକମାନେ ଯାହା ଶିକ୍ଷା କରିଛନ୍ତି ତାହାକୁ ଭିତ୍ତିକରି ଆଗାମୀ ଦିନରେ ସମ୍ପୂର୍ଣ୍ଣ ସଫଳତା ପାଇବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଲେଖକ ତଥା ନାସା ସ୍ପେସଫ୍ଲାଇଟ୍‌ର ପରିଚାଳନା ସମ୍ପାଦକ କ୍ରିସ୍ ଜି କହିଛନ୍ତି, ଅର୍ବିଟର କାର୍ଯ୍ୟ କରୁଥିବାରୁ ୯୫ ପ୍ରତିଶତ ପରୀକ୍ଷାନିରୀକ୍ଷା ହେଉଛି ବୋଲି ଧରିନେବାକୁ ହେବ। ଇସ୍ରାଏଲ ମଧ୍ୟ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଛି। ଇସ୍ରାଏଲର ରାଷ୍ଟ୍ରଦୂତ ରୋନ୍ ମଲ୍‌କା କହିଛନ୍ତି, ଭାରତ ଏହାକୁ ନେଇ ଗର୍ବିତ ହେବା ସହିତ ସାହସ ରଖିବା ଉଚିତ।

ବିଶ୍ବର ଅଧିକାଂଶ ସମ୍ବାଦପତ୍ର ଭାରତର ଚନ୍ଦ୍ରଯାନ-୨ ମିସନକୁ ସମ୍ପୂର୍ଣ୍ଣ ବିଫଳ ବୋଲି ଦର୍ଶାଇ ନାହାଁନ୍ତି। ଆମେରିକାର ଅନଲାଇନ୍ ମାଗାଜିନ୍ ‘ୱେୟାର୍ଡ’ ପକ୍ଷରୁ କୁହାଯାଇଛି, ସବୁକିଛି ନଷ୍ଟ ହୋଇଯାଇ ନାହିଁ। ଦି ନ୍ୟୁୟର୍କ ଟାଇମ୍ସ ପକ୍ଷରୁ କୁହାଯାଇଛି, ଭାରତର ଇଞ୍ଜିନିୟରିଂ ଦକ୍ଷତା ଏବଂ ମହାକାଶ ବିଜ୍ଞାନ କାର୍ଯ୍ୟକ୍ରମର ଅଗ୍ରଗତିକୁ ପ୍ରଶଂସା କରିଛି। ତେବେ ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଚୌଧୁରୀ ଫୱାଦ୍ ହୁସେନ୍ ବିଦ୍ରୂପାତ୍ମକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦୟାକରି ଶୋଇପଡ଼। ଖେଳନା ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରିବର୍ତ୍ତେ ମୁମ୍ବାଇରେ ଓହ୍ଲାଇ ପଡ଼ିଛି ବୋଲି ସେ ଟ୍ବିଟ୍‌ କରି ଉଲ୍ଲେଖ କରିଛନ୍ତି।

ଳି ବିବିସି, ସିଏନଏନ ଏବଂ ଫ୍ରାନ୍ସର ଲି ମଣ୍ଡେ ପ୍ରଭୃତି ଭାରତର ଏହି ଅଭିଯାନକୁ ପ୍ରଶଂସା କରିଛନ୍ତି। ଚନ୍ଦ୍ରଯାନକୁ ୯୫ ପ୍ରତିଶତ ସଫଳତା ମିଳିଛି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର