ଚନ୍ଦ୍ରଯାନ-୧ର ପୂର୍ଣ୍ଣ ସଫଳତା ଏବଂ ଚନ୍ଦ୍ରଯାନ-୨ର ଆଂଶିକ ସଫଳତା ପରେ ଚନ୍ଦ୍ରଯାନ-୩ର ପ୍ରେରଣ ଭାରତ ପାଇଁ ଗର୍ବ ଆଣିଛି। ଚନ୍ଦ୍ର ବା ଆକାଶର ଶଶୀ ନିକଟରେ ପହଞ୍ଚିବା ପାଇଁ ଏହି ଉଦ୍ୟମ ଦିନେ ସଫଳ ହେବ।
ସୌର ଜଗତରେ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। ପୃଥିବୀ ପୃଷ୍ଠରୁ ପ୍ରାୟ ୩ ଲକ୍ଷ ୮୪ ହଜାର କିଲୋମିଟର ଦୂରରେ ଅବସ୍ଥିତ ଏହି ମହାଜାଗତିକ ବସ୍ତୁ ଆଦିମ ଯୁଗରୁ ଲୋକଙ୍କୁ ବିଭିନ୍ନ କାରଣରୁ ଆକର୍ଷିତ କରିଆସିଛି। ଆଧୁନିକ ବିଜ୍ଞାନର ବିକାଶ ଫଳରେ ଏହା ପୃଥିବୀର ପ୍ରାକୃତିକ ଉପଗ୍ରହ ବୋଲି ଜଣାପଡ଼ିଥିଲା। ଚନ୍ଦ୍ରକୁ ନେଇ ମଣିଷର ଅନୁସନ୍ଧିତ୍ସା କିନ୍ତୁ ଏଇଠି ଶେଷ ହୋଇନଥିଲା। ବିଂଶ ଶତାବ୍ଦୀର ମଧ୍ୟଭାଗରୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସୋଭିଏତ ରୁଷ୍ ଭଳି ଆର୍ଥିକ ଓ ସାମରିକ ମହାଶକ୍ତି ଚନ୍ଦ୍ର ଓ ଅନ୍ତରୀକ୍ଷକୁ ନେଇ ବିଭିନ୍ନ ପରୀକ୍ଷାନିରୀକ୍ଷା କରି ମହାକାଶ ଶକ୍ତିରେ ବଳୀୟାନ ହେବାପାଇଁ ପ୍ରତିଯୋଗିତା ଆରମ୍ଭ କରିଦେଇଥିଲେ। ଏହି ଦୁଇ ଦେଶ ପରେ ଚୀନ, ଜାପାନ, ଭାରତ, ଦକ୍ଷିଣ କୋରିଆ, ଇସ୍ରାଏଲ, ଇଟାଲୀ, ଲକ୍ଜମ୍ବର୍ଗ, ସଂଯୁକ୍ତ ଆରବ ଏମିରେଟ୍ସ ଓ ୟୁରୋପୀୟ ମହାକାଶ ଏଜେନ୍ସି ଆଦି ଦେଶ ଓ ସଂସ୍ଥା ମହାକାଶ ଓ ଚନ୍ଦ୍ର ଅଭିଯାନ ଦୌଡ଼ରେ ସାମିଲ ହୋଇଥିଲେ।
ପଚାଶ ଦଶକରୁ ଚନ୍ଦ୍ରକୁ ପ୍ରଥମେ ମାନବ ରହିତ ଏବଂ ମାନବ ଯୁକ୍ତ ଯାନ ପ୍ରେରଣ ଅଭିଯାନ ଜାରି ରହିଛି। ମାନବବିହୀନ ଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ୧୧ଟି ଦେଶ ସଫଳ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କେବଳ ଆମେରିକା ଚନ୍ଦ୍ରରେ ମହାକାଶଚାରୀଙ୍କୁ ନେବା ଆଣିବାରେ ସକ୍ଷମ ହୋଇଛି। ୧୨ ଜଣ ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇ ଏହି ଦେଶ ଏ କ୍ଷେତ୍ରରେ ତା’ର ଶକ୍ତି ଓ ସାମର୍ଥ୍ୟକୁ ପ୍ରଦର୍ଶନ କରିଛି। ସୋଭିଏତ ରୁଷ୍ ୧୯୫୯ ମସିହା ସେପ୍ଟେମ୍ବର ୧୩ ତାରିଖରେ ପ୍ରଥମେ ଚନ୍ଦ୍ରପୃଷ୍ଠରେ ମହାକାଶ ଯାନ ଅବତରଣ କରିଥିଲା। କିନ୍ତୁ, ଏହାର ୧୦ ବର୍ଷ ପରେ ୧୯୬୯ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ମହକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ ଏବଂ ଏଡ୍ୱିନ୍ ଆଲ୍ଡ୍ରିନଙ୍କୁ ଚନ୍ଦ୍ରପୃଷ୍ଠରେ ପହଞ୍ଚାଇ ବିରଳ ସଫଳତା ହାସଲ କରିଥିଲା।
ଚନ୍ଦ୍ରଯାନ-୧
୨୦୦୩ ମସିହା ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭାରତର ଚନ୍ଦ୍ର ମିସନ ସଂପର୍କରେ ଘୋଷଣା କରିଥିଲେ। ଭାରତ ଚନ୍ଦ୍ରକୁ ଏହାର ଯାନ ୨୦୦୮ ସୁଦ୍ଧା ପଠାଇବ ଯାହାର ନାମ ଚନ୍ଦ୍ରଯାନ-୧ ହେବ ବୋଲି ସେ କହିଥିଲେ।
୨୦୦୮ ଅକ୍ଟୋବର ୨୨ ତାରିଖରେ ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିଲା। ସେହିବର୍ଷ ନଭେମ୍ବର ୮ରେ ତାହା ଚନ୍ଦ୍ରର କକ୍ଷରେ ପହଞ୍ଚିଥିଲା। ଚନ୍ଦ୍ରଯାନ-୧ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମହାକାଶ ପ୍ରଯୁକ୍ତି କ୍ଷମତାର ପ୍ରଦର୍ଶନ ସହିତ ଚନ୍ଦ୍ରର ଭୌଗୋଳିକ ସ୍ଥିତି ଓ ସେଠାରେ ଥିବା ଖଣିଜ ସାମଗ୍ରୀର ଅନୁସନ୍ଧାନ। ୨୦୦୮ ନଭେମ୍ବର ୧୪ ତାରିଖରେ ମହାକାଶ ଯାନରୁ ମୁନ୍ ଇମ୍ପାକ୍ଟ ପ୍ରୋବ୍ (ଏମ୍ଆଇପି) ନାମକ ଯନ୍ତ୍ରକୁ ପୃଥକ୍ କରାଯାଇ ଚନ୍ଦ୍ରପୃଷ୍ଠରେ ଅବତରଣ କରାଯାଇଥିଲା। ଏଥିରୁ ସଂଗୃହୀତ ତଥ୍ୟ ସହାୟତାରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଚନ୍ଦ୍ରରେ ପାଣି ଥିବା ଜାଣି ପାରିଥିଲା। ୨୦୦୯ ସେପ୍ଟେମ୍ବରରେ ନାସା ଏ ବିଷୟ ଘୋଷଣା କରିଥିଲା। ଚନ୍ଦ୍ରଯାନ-୧ ଚନ୍ଦ୍ରର କକ୍ଷପଥରେ ୩୪୦୦ ଥର ବୁଲି ତଥ୍ୟ ପ୍ରେରଣ ଜାରି ରଖିଥିଲା। ଶେଷରେ ୨୦୦୯ ଅଗଷ୍ଟ ୨୯ରେ ଏହା ସହିତ ସବୁଦିନ ପାଇଁ ସଂପର୍କ ଛିନ୍ନ ହୋଇଯିବାରୁ ଏହି ମିସନର ପରିସମାପ୍ତି ଘଟିଥିଲା।
ଚନ୍ଦ୍ରଯାନ-୨
ଚନ୍ଦ୍ରଯାନ-୧ ମିସନ୍ ପରେ ଚନ୍ଦ୍ରଯାନ ୨ ମିସନ ନେଇ ଇସ୍ରୋ କାର୍ଯ୍ୟ ଆରମ୍ଭ କରିଦେଇଥିଲା। ଦ୍ବିତୀୟ ମିସନରେ ଚନ୍ଦ୍ରଯାନରେ ଥିବା ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ ପାଇଁ ଭାରତ ନିଷ୍ପତ୍ତି ହୋଇଥିଲା। ଫଳରେ ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ଘୂରି ଚନ୍ଦ୍ର ସଂପର୍କରେ ଅଧିକ ତଥ୍ୟ ପଠାଇଥା’ନ୍ତା। ଚନ୍ଦ୍ରଯାନ-୨ର ପ୍ରେରଣ ସୋଭିଏତ ରୁଷ୍ର ମହାକାଶ ଗବେଷଣା ସଂସ୍ଥା ସହ ମିଶି ୨୦୧୩ରେ ହେବାର ଥିଲା। କିନ୍ତୁ ପରେ ଇସ୍ରୋ ସହିତ ହୋଇଥିବା ରାଜିନାମାରୁ ରୁଷ୍ ଓହରିଯିବାରୁ ଭାରତ ଏକାକୀ ଆଗକୁ ବଢ଼ିବାକୁ ସ୍ଥିର କରିଥିଲା।
ଚନ୍ଦ୍ରଯାନ-୨ରେ ଅର୍ବିଟର, ଲ୍ୟାଣ୍ଡର ଏବଂ ରୋଭର ରହିଥିଲା। ଅର୍ବିଟରର କାର୍ଯ୍ୟ ହେଲା ଚନ୍ଦ୍ରର କକ୍ଷରେ ଘୂରି ମ୍ୟାପିଂ କରିବ। ଏଥିସହିତ ଚନ୍ଦ୍ରପୃଷ୍ଠର ତଥ୍ୟ ଏବଂ ଛବି ପ୍ରେରଣ କରିବ। ଲ୍ୟାଣ୍ଡର ବିକ୍ରମର କାର୍ଯ୍ୟ ହେଲା ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରି ରୋଭର ପ୍ରଜ୍ଞାନକୁ ସୁରକ୍ଷିତ ଭାବେ ପହଞ୍ଚାଇବ। ୬ଟି ଚକା ଲାଗିଥିବା ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବୁଲି ନମୁନା ସଂଗ୍ରହ କରିବା ସହିତ ତାହାର ବିଶ୍ଳେଷଣ କରି ତଥ୍ୟ ପଠାଇବ।
ଚନ୍ଦ୍ରଯାନ ୨କୁ ୨୦୧୯ ଜୁଲାଇ ୨୨ରେ ପ୍ରେରଣ କରାଯାଇଥିଲା। ସେହିବର୍ଷ ଅଗଷ୍ଟ ୨୦ରେ ତାହା ସଫଳତାପୂର୍ବକ ଚନ୍ଦ୍ରର କକ୍ଷରେ ପହଞ୍ଚି ମଧ୍ୟ ଯାଇଥିଲା। ସେପ୍ଟେମ୍ବର ୭ରେ ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ ମଧ୍ୟ ଆରମ୍ଭ ହୋଇ ସାରିଥିଲା। କିନ୍ତୁ ହଠାତ୍ ସହିତ ଯୋଗାଯୋଗ ତୁଟି ଯାଇଥିଲା। ତେବେ ଏହାର ୪ ଦିନ ପରେ ବିକ୍ରମ ଲ୍ୟାଣ୍ଡର ପଡ଼ିଥିବା ସ୍ଥାନକୁ ଯଦିଓ ଅର୍ବିଟର ଚିହ୍ନଟ କରି ପାରିଥିଲା କିନ୍ତୁ ତାହା ସହିତ ଆଉ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା। ଏହାପରେ ସରକାର ସଂସଦରେ ଘୋଷଣା କରିଥିଲେ ଯେ ଲ୍ୟାଣ୍ଡରର ବ୍ରେକ୍ ଗଡ଼ବଡ଼ ଯୋଗୁଁ କ୍ରାସ ଲ୍ୟାଣ୍ଡିଂ ହୋଇଥିଲା। ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବା ପୂର୍ବରୁ ବିକ୍ରମ ଲ୍ୟାଣ୍ଡରର ସେକେଣ୍ଡ ପିଛା ବେଗ ୧୬୮୩ ମିଟର ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବେଗକୁ ସେକେଣ୍ଡ ପିଛା ୧୪୬ ମିଟର କରାଯାଇଥିଲା। ତେବେ ଅବତରଣ ପ୍ରକ୍ରିୟାର ଦ୍ବିତୀୟ ପର୍ଯ୍ୟାୟରେ ବ୍ରେକ ଠିକ୍ରେ କାମ ନକରିବାରୁ ୫୦୦ ମିଟର ପୂର୍ବରୁ ତାହା ନିୟନ୍ତ୍ରଣ ହରାଇବା ସହିତ କ୍ରାସ ଲ୍ୟାଣ୍ଡିଂ ହୋଇଥିଲା। କିନ୍ତୁ ଅର୍ବିଟର ଏବେ ବି ଚନ୍ଦ୍ରର କକ୍ଷପଥରେ ଘୂରି ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବାରେ ଲାଗିଛି। ଅନୁମାନ କରାଯାଉଛି ଯେ ଏହା ସାଢ଼େ ୭ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ।
ଚନ୍ଦ୍ରଯାନ-୩
ଚନ୍ଦ୍ରଯାନ-୨ ଅଭିଯାନର ୪ ବର୍ଷ ପରେ ଇସ୍ରୋ ଚନ୍ଦ୍ରପୃଷ୍ଠରେ ସେହି ଅଧୁରା କାର୍ଯ୍ୟକୁ ସଫଳ କରିବା ଲାଗି ପ୍ରୟାସ କରିଛି। ଚଳିତ ମାସ ୧୪ ତାରିଖ ଅପରାହ୍ଣ ୨ଟା ୩୫ ମିନିଟ୍ରେ ଚନ୍ଦ୍ରଯାନ-୩କୁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରକୁ ପ୍ରେରଣ କରାଯାଇଛି। ଏଲ୍ଭିଏମ୍ (ଲଞ୍ଚ ଭେଇକିଲ ମାର୍କ)-୩ ନାମକ ରକେଟ୍ ଜରିଆରେ ଚନ୍ଦ୍ରଯାନ ପଠାଯାଇଛି। ଏହା ଦେଶର ସବୁଠୁ ଶକ୍ତିଶାଳୀ ରକେଟ। ଏହାର ଓଜନ ପ୍ରାୟ ୬୪୦ ଟନ୍ ଏବଂ ଲମ୍ବ ୪୩.୫ ମିଟର। ୨୦୦ଟି ବଡ଼ ହାତୀ ସହିତ ଏହାର ଓଜନ ସମାନ। ରକେଟ୍ର ଉପରି ଭାଗରେ ଥିବା ଚନ୍ଦ୍ରଯାନର ଓଜନ ୩୯୦୦ କିଗ୍ରା। ପ୍ରାୟ ୬୧୫ କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ ହୋଇଛି। ଚନ୍ଦ୍ରଯାନ ଭିତରେ ଏକ ଲ୍ୟାଣ୍ଡର ରହିଛି ଯାହାର ନାମ ବିକ୍ରମ (ଇସ୍ରୋର ପ୍ରତିଷ୍ଠାତା ବିକ୍ରମ ସରାଭାଇଙ୍କ ନାମରେ ନାମିତ)। ଲ୍ୟାଣ୍ଡରର ଓଜନ ୩୯୦୦ କିଗ୍ରା। ସେହି ଲ୍ୟାଣ୍ଡର ଭିତରେ ରୋଭର ପ୍ରଜ୍ଞାନ (ସଂସ୍କୃତରେ ଯାହାର ଅର୍ଥ ଜ୍ଞାନ) ଅଛି ଯାହାର ଓଜନ ୨୬ କେଜି। ଶ୍ରୀହରିକୋଟାସ୍ଥିତ ଲଞ୍ଚ୍ପ୍ୟାଡ୍ରୁ ଉପରକୁ ଯିବାର କିଛିସମୟ ପରେ ଚନ୍ଦ୍ରଯାନଟି ପୃଥିବୀର କକ୍ଷପଥରେ ପହଞ୍ଚିବା ନେଇ ଇସ୍ରୋ ପକ୍ଷରୁ ଘୋଷଣା କରାଯିବା ପରେ ବୈଜ୍ଞାନିକମାନଙ୍କ ମନ ଖୁସିରେ ଭରି ଉଠିଥିଲା। ଇସ୍ରୋ ଅଧ୍ୟକ୍ଷ ଶ୍ରୀଧର ପାନିକର ସୋମନାଥ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ ଚନ୍ଦ୍ରଯାନ ପ୍ରେରଣ ସଫଳ ହୋଇଥିବା କହିଛନ୍ତି। ଚନ୍ଦ୍ରଯାନ ଏବେ ପୃଥିବୀର କକ୍ଷରେ ବୁଲିବା ସହିତ ପର୍ଯ୍ୟାୟକ୍ରମେ ଚନ୍ଦ୍ରର ନିକଟବର୍ତ୍ତୀ ହେଉଛି। ଆସନ୍ତା କିଛିଦିନ ମଧ୍ୟରେ ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ। ୪୦ ଦିନ ଯାତ୍ରା କରିବା ପରେ ଚନ୍ଦ୍ରପୃଷ୍ଠରେ ୨୦୨୩ ଅଗଷ୍ଟ ୨୩ କିମ୍ବା ୨୪ରେ ତାହା ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରିବ ବୋଲି ଆକଳନ କରାଯାଇଛି।
ବିଶେଷଜ୍ଞମାନଙ୍କ କହିବାନୁଯାୟୀ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ଅତ୍ୟନ୍ତ ବନ୍ଧୁର ଅଞ୍ଚଳ। ତେଣୁ ଏଠାରେ ସଫ୍ଟ ଲ୍ୟାଣ୍ଡିଂ ବା ସୂକ୍ଷ୍ମ ଅବତରଣ କଷ୍ଟକର। ଏଭଳି ସ୍ଥଳେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରାଇବା ଲକ୍ଷ୍ୟ ଇସ୍ରୋ ରଖିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ ସଫଳ ହେଲେ ଭାରତ ବିଶ୍ବର ଏକମାତ୍ର ଦେଶ ଭାବେ ବିରଳ କୃତିତ୍ବ ହାସଲ କରିବ।
ଆଲେଖ୍ୟ: ରୁଦ୍ର ପ୍ରସାଦ ଜେନା