ଗତ ଅଗଷ୍ଟ ୨୨ ତାରିଖରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବନରାସ ହିନ୍ଦୁ ବିଶ୍ବବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଆସୋସିଏଟ୍ ପ୍ରଫେସର ଡକ୍ଟର ପୂରବୀ ସାଇକିଆଙ୍କୁ ସମ୍ମାନଜନକ ଶାନ୍ତି ସ୍ବରୂପ ଭଟ୍ଟନାଗର ଯୁବ ବିଜ୍ଞାନୀ ସମ୍ମାନରେ ପୁରସ୍କୃତ କରିଛନ୍ତି। ତାଙ୍କ ସହିତ ମୋଟ ୧୮ ଜଣ ଯୁବ ବୈଜ୍ଞାନିକଙ୍କୁ ସରକାରଙ୍କ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ୪୫ ବର୍ଷରୁ କମ୍ ବୟସର ବୈଜ୍ଞାନିକମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏହା ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଅଧୀନରେ ଦିଆଯାଇଥାଏ। ଉଦ୍ଭିଦ ବିଜ୍ଞାନ କ୍ଷେତ୍ରରେ ଏପରି ସମ୍ମାନର ଅଧିକାରିଣୀ ହୋଇଥିବା ହାତଗଣତି ମହିଳା ବୈଜ୍ଞାନିକଙ୍କ ମଧ୍ୟରେ ଡକ୍ଟର ପୂରବୀ ସାଇକିଆ ଅନ୍ୟତମ।
ଆସାମର ଗୁଆହାଟି ବିଶ୍ବବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ପରେ ପୂରବୀ ନର୍ଥ ଇଷ୍ଟର୍ଣ୍ଣ ରିଜିଓନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିରେ ବନବିଜ୍ଞାନରେ ପିଏଚ୍.ଡି. କରିଥିଲେ। ସେହି ସମୟରେ ସେ ଜୈବପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ବାରା ଉତ୍ତର ପୂର୍ବାଞ୍ଚଳର ଉଦ୍ଭିଦ ସଂପଦର ଚିହ୍ନଟ ଓ ପରିମାଣାତ୍ମକ ଆକଳନ ପ୍ରକଳ୍ପ ଅଧୀନରେ ଏକମାତ୍ର ମହିଳା ରୂପେ ଅରୁଣାଚଳ ପ୍ରଦେଶରେ ଜଙ୍ଗଲରେ କ୍ଷେତ୍ର ପର୍ଯ୍ୟବେକ୍ଷଣ ଅନୁଧ୍ୟାନ ଓ ଗବେଷଣା କରିଥିଲେ। ଉଲ୍ଲେଖଯୋଗ୍ୟ ମହିଳା ବୈଜ୍ଞାନିକମାନେ ଏପରି ଗବେଷଣାରେ ସଂପୃକ୍ତ ହେବା ବିରଳ। ସେ ସେଠାରେ ୩୫୦ରୁ ଅଧିକ ଉଦ୍ଭିଦ ପ୍ରଜାତି ଚିହ୍ନଟ କରିଥିଲେ। ସାଇକିଆଙ୍କ ମାନପତ୍ରରେ ଉଲ୍ଲେଖ କରାଯାଇଛି ଯେ, ତାଙ୍କ ଗବେଷଣାଲବ୍ଧ ତଥ୍ୟ ‘‘କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ବିଜ୍ଞାନସମ୍ମତ ପ୍ରମାଣ ରୂପେ ବେଶ୍ ଗୁରୁତ୍ବପୂର୍ଣ୍ଣ’’। ଏହି ସଫଳତା ପରେ ତାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ବିଭୂତି ପତି...
ଜଙ୍ଗଲ ସମ୍ବଳର ଚିହ୍ନଟୀକରଣର ଗୁରୁତ୍ବ କ’ଣ ଏବଂ ଭୂ-ବ୍ୟବହାର କ୍ଷେତ୍ରରେ ନୀତି ନିର୍ଦ୍ଧାରଣରେ ଏହା କିପରି ସହାୟକ ହୁଏ?
ଜଙ୍ଗଲ ସମ୍ବଳ ଆକଳନ ପାଇଁ ଆମେ ଜଙ୍ଗଲକୁ ଯାଇ ଏକ କ୍ଷେତ୍ରକୁ ଚିହ୍ନଟ କରୁ ଏବଂ ଏହି କ୍ଷେତ୍ର ମଧ୍ୟରେ କେତେ ପ୍ରଜାତିର ଉଦ୍ଭିଦ ଅଛି, ସେମାନଙ୍କ ସଂଖ୍ୟା ଏବଂ ଭୂଇଁରୁ ୧.୭୫ ମିଟର ଉଚ୍ଚରେ ଗଛର ଗୋଲେଇ ମାପିଥାଉ। ଗୋଲେଇରୁ ଗଛର ବୟସ ଜଣାପଡ଼େ। ଗୋଟିଏ ଜଙ୍ଗଲ ସଂପର୍କରେ ଏତିକି ତଥ୍ୟ ମଧ୍ୟ ନୀତି ନିର୍ଦ୍ଧାରଣ ସକାଶେ ଗୁରୁତ୍ବପୂର୍ଣ୍ଣ ଦିଗ୍ଦର୍ଶନ ଦେଇଥାଏ। କିଛି ଜଙ୍ଗଲରେ ଚାରାଗଛ ତୁଳନାରେ ଗୋଟିଏ ପ୍ରଜାତିର ଅନେକଗୁଡ଼ିଏ ପରିପକ୍ବ ଓ ବୁଢ଼ା ଗଛ ମିଳେ। ଗଛର ଗୋଲେଇ ବେଶୀ ଥିଲେ ତାହା ବୁଢ଼ାଗଛ ଏବଂ ହୁଏତ ଆଗାମୀ ୧୦/୧୫ ବର୍ଷ ମଧ୍ୟରେ ତା’ର ଜୀବନଚକ୍ର ଶେଷ ହେବ। ତେଣୁ ଗଜା ବା ଚାରା ଗଛ ନ ଥିଲେ ଆଗାମୀ ଦିନରେ ସେହି ପ୍ରଜାତି େଲାପ ପାଇଯିବ। ନୂଆ ଗଛ ସୃଷ୍ଟି ନ ହେବା ପଛରେ ଅନେକଗୁଡ଼ିଏ କାରଣ ଥାଇପାରେ। ଯେପରିକି କୌଣସି କାରଣରୁ ମଞ୍ଜିଗୁଡ଼ିକ ଗଜା ହେଉନାହାନ୍ତି କିମ୍ବା ପରାଗ ସଙ୍ଗମକାରୀମାନେ ସେଠାରେ ପହଞ୍ଚୁ ନାହାନ୍ତି। ଜଙ୍ଗଲ ସମ୍ବଳ ଆକଳନ ଅଧ୍ୟୟନ ଦ୍ବାରା ପ୍ରଜାତିଗୁଡ଼ିକର ପୁନଃସୃଷ୍ଟିର ସମ୍ଭାବନାକୁ ଭଲ ଭାବରେ ବୁଝିହୁଏ ଏବଂ ଏଥିପାଇଁ ନୀତି ନିର୍ଦ୍ଧାରଣ କରାଯାଏ।
ଉଦ୍ଭିଦ ଏକମାତ୍ର ଜୀବଶ୍ରେଣୀ ଯାହା ଅଙ୍ଗାରକାମ୍ଳକୁ ଭାଙ୍ଗି ତାକୁ ଆଲୋକ ସଂଶ୍ଳେଷଣରେ ବ୍ୟବହାର କରିଥାଏ। କିନ୍ତୁ ସବୁ ପ୍ରଜାତିର ଉଦ୍ଭିଦମାନଙ୍କ ଠାରେ ଏସବୁ କ୍ଷମତା ସମାନ ନୁହେଁ। ସେମାନଙ୍କ ମଧ୍ୟରୁ ମାତ୍ର ୧୩% ପ୍ରଜାତିର ଉଦ୍ଭିଦ ସର୍ବାଧିକ ପରିମାଣର ଅଙ୍ଗାରକ ଅବଶୋଷଣ କରିଥାଆନ୍ତି। ଏହି ୧୩% ପ୍ରଜାତି ବିଲୁପ୍ତ ହୋଇଗଲେ କ’ଣ ହେବ? ଏହି ପ୍ରଜାତି ବିଷୟରେ, ସେମାେନ କେଉଁ ଅଞ୍ଚଳରେ ବଢ଼ନ୍ତି ଏବଂ ସେମାନଙ୍କ ପାଇଁ ଅନୁକୂଳ ଆବାସସ୍ଥଳୀଗୁଡ଼ିକ କ’ଣ ତାହା ଜାଣିବା ଏକାନ୍ତ ଆବଶ୍ୟକ। ଯଦ୍ବାରା ବୃକ୍ଷରୋପଣ ବେଳେ ଏହି ପ୍ରଜାତିଗୁଡ଼ିକୁ ଅଗ୍ରାଧିକାର ଦିଆଯାଇପାରିବ। ସେହିପରି କିଛି ପ୍ରଜାତିର ଉଦ୍ଭିଦ ପାରିବେଶିକ ଚାପ ସହନ କରିପାରନ୍ତି। ମୁଁ ଓ ମୋର ଗବେଷକଦଳ ବର୍ତ୍ତମାନ ପ୍ରଦୂଷଣକୁ ପ୍ରତିହତ କରିପାରୁଥିବା ଉଦ୍ଭିଦ ପ୍ରଜାତି ସଂପର୍କରେ ଗବେଷଣା କରୁଛନ୍ତି। ଆମେ ଏପରି ୧୨ ପ୍ରକାରରୁ ଅଧିକ ଉଦ୍ଭିଦ ପ୍ରଜାତି ଚିହ୍ନଟ କରିଛୁ ଯେଉଁଗୁଡ଼ିକ ପ୍ରଦୂଷିତ ବାୟୁକୁ ନିର୍ମଳ କରିପାରିବେ। ସହରାଞ୍ଚଳ ପାଇଁ ଯୋଜନା ପ୍ରସ୍ତୁତି ସକାଶେ ଏହା ସହାୟକ ହୋଇପାରିବ।
ଆପଣଙ୍କର ଅନେକଗୁଡ଼ିଏ କାର୍ଯ୍ୟ ଦୂରସମ୍ବେଦୀ ପ୍ରଯୁକ୍ତିବିଦ୍ୟା (ରିମୋଟ ସେନ୍ସିଂ) ଉପରେ ଆଧାରିତ। ଦୂରସମ୍ବେଦୀ ପ୍ରଯୁକ୍ତିବିଦ୍ୟା ଜଙ୍ଗଲରେ ଉଦ୍ଭିଦ ପ୍ରଜାତିଗୁଡ଼ିକର ବିନ୍ୟାସ ଓ ପରିସ୍ଥିତିକୁ ବୁଝିବାରେ କିପରି ସହାୟକ ହେଉଛି?
ପାହାଡ଼ିଆ ଅଞ୍ଚଳରେ ଯେଉଁଠି ଭୂମି ବେଶୀ ତୀଖ, ସେଠାରେ ଜଙ୍ଗଲକୁ ଯାଇ ଉଦ୍ଭିଦ ପ୍ରଜାତି ସଂପର୍କିତ ତଥ୍ୟସଂଗ୍ରହ କରିବା ସମ୍ଭବ ହୁଏନାହିଁ। ଏପରି ପରିସ୍ଥିତିରେ ଉପଗ୍ରହ ଚିତ୍ରର ତର୍ଜମା କରି ସେଠାରେ କେଉଁ ପ୍ରଜାତି କିପରି ଭାବେ ଅଛନ୍ତି ସେ ସଂପର୍କରେ ଜାଣିହେବ। ଟୋପୋଗ୍ରାଫିକାଲ୍ ମ୍ୟାପ୍ ଦେଖି ପ୍ରଥମେ ତଥ୍ୟସଂଗ୍ରହ ପାଇଁ ସ୍ଥାନ ଚିହ୍ନଟ କରାଯାଏ ଏବଂ ତା’ପରେ ସେ ସ୍ଥାନକୁ ଯାଇ ତଥ୍ୟସଂଗ୍ରହ କରିବା ଏକ କଷ୍ଟକର କାର୍ଯ୍ୟ। ମାତ୍ର ଉପଗ୍ରହ ମାଧ୍ୟମରେ ଉତ୍ତୋଳିତ ଚିତ୍ର ଦ୍ବାରା ନିର୍ଦ୍ଦିଷ୍ଟ ସ୍ଥାନରୁ ସଠିକ୍ ତଥ୍ୟ ସଂଗ୍ରହ କରାଯାଇପାରିବ। କ୍ଷେତ୍ରାଞ୍ଚଳକୁ ଯାଇ ପ୍ରତ୍ୟକ୍ଷ ତଥ୍ୟସଂଗ୍ରହ ବେଶ୍ ଖର୍ଚ୍ଚବହୁଳ ଏବଂ ଅନେକ ଜନବଳ ଆବଶ୍ୟକ। ଏହାସତ୍ତ୍ବେ ଏଥିରେ ଭୁଲ୍ଭଟକା ରହିଯିବାର ସମ୍ଭାବନା ମଧ୍ୟ ରହିଥାଏ। ତେବେ ଦୂରସମ୍ବେଦୀ ସୂଚନା ସଂଗ୍ରହର କେତେକ ଦୁର୍ବଳତା ବି ରହିଛି। ବହୁକାଳରୁ ପ୍ରଚଳିତ ଆଲୋକ ଆଧାରିତ ଦୂରସମ୍ବେଦନ ବ୍ୟବସ୍ଥାରେ ଉଦ୍ଭିଦର ଉପସ୍ଥିତି ନାଲି ରଙ୍ଗ ଦ୍ବାରା ଜଣାପଡ଼ିଥାଏ ଏବଂ ନାଲିରଙ୍ଗ ପତ୍ରରେ ଥିବା ସବୁଜ କଣିକାର ସୂଚନା ଦେଇଥାଏ। ଉପଗ୍ରହ ଚିତ୍ର ସବୁଜ କଣିକାର ଘନତ୍ବକୁ ଦର୍ଶାଉଥିବାରୁ ବେଳେ ବେଳେ ଉପଗ୍ରହ ଚିତ୍ରର ନାଲି ରଙ୍ଗ କୃଷି କ୍ଷେତ୍ରକୁ ଦର୍ଶାଉଛି ଅଥବା ସେଠାରେ ଚା’ବଗିଚା, ବୃକ୍ଷରୋପଣ ବା ଜଙ୍ଗଲ ରହିଛି ସେ କଥା ଭଲ ଭାବେ ଜାଣିହୁଏ ନାହିଁ। ତେବେ, ଇତିମଧ୍ୟରେ ଦୂରସମ୍ବେଦୀ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବେଶ୍ ଅଗ୍ରଗତି ଘଟିଲାଣି। ଏବେ ଇସ୍ରୋ ଓ ନାସା ମଧ୍ୟରେ ସହଯୋଗମୂଳକ କାର୍ଯ୍ୟକ୍ରମରେ ସିନ୍ଥେଟିକ୍ ଏପାରଚର୍ ରାଡାର ଦ୍ବାରା ଦୂରସ୍ଥାନରୁ ତଥ୍ୟ ସଂଗ୍ରହ କରାଯାଉଛି, ଯାହା ମାଧ୍ୟମରେ ଭୌତିକ ଗୁଣ ସଂପର୍କରେ ତଥ୍ୟସଂଗ୍ରହ ପାଇଁ ମାଇକ୍ରୋୱେଭର୍ ବ୍ୟବହାର ହେଉଛି। ଏହା ପ୍ରୟୋଗରେ ଅଧିକ ବିସ୍ତୃତ ସୂଚନା ମିଳିଥାଏ। ଗୋଟିଏ ଉପାୟରେ ଆବଶ୍ୟକ ସୂଚନା ନ ମିଳିଲେ ଦୂରସମ୍ବେଦନର ଅନ୍ୟାନ୍ୟ କୌଶଳମାନ ପ୍ରୟୋଗ କରାଯାଏ।
ଗବେଷଣାରୁ ଜଣାଯାଉଛି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜଙ୍ଗଲଗୁଡ଼ିକର ଅଙ୍ଗାରକ ଧରି ରଖିବାର ତଥା ସାଇତିବାର କ୍ଷମତା ହ୍ରାସ ପାଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜଙ୍ଗଲ ପରିସଂସ୍ଥାନରେ କ’ଣ ପରିବର୍ତ୍ତନ ସଂଘଟିତ ହେଉଛି ବୋଲି ଆପଣଙ୍କ ଗବେଷଣାରୁ ଜଣାପଡୁଛି?
ମୋ ଗବେଷଣା ଜଳବାୟୁ ପରିବର୍ତ୍ତନ ପ୍ରଭାବ ସଂପର୍କରେ ସ୍ବତନ୍ତ୍ର ରୂପେ କାର୍ଯ୍ୟ କରୁନାହିଁ। ମାତ୍ର ମୋର ଗବେଷଣା ସମୟରେ ମୁଁ ଲକ୍ଷ୍ୟ କରିଛି ଯେ, ପ୍ରତ୍ୟେକ ଗଛରେ ବର୍ଷକରେ ଥରଟିଏ ଫୁଲ ହୁଏ, ଫଳ ଧରେ। ଗଛରେ କେବେ ନୂଆ ପତ୍ର କଅଁଳିବ ଏବଂ ଗଛ କେବେ ପାକଳ ହେବ ତା’ର ନିର୍ଦ୍ଦିଷ୍ଟ ସମୟ ରହିଛି। କିନ୍ତୁ ଅନେକ ସ୍ଥାନରେ ମୁଁ ଦେଖିବାକୁ ପାଇଲି କେତେକ ଗଛରେ ବର୍ଷକରେ ଦୁଇଥର ଫୁଲ ଫୁଟୁଛି ଓ ଫଳ ଧରୁଛି। ଅର୍ଥାତ୍ ବର୍ଷରେ ୨ଥର ଫୁଲ ଫୁଟିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେଉଛି। କିନ୍ତୁ ଫୁଲ ଫୁଟିବାର ଏହି ଦୁଇଟିଯାକ ସମୟ ବା ଋତୁ ସଂପୂର୍ଣ୍ଣ ଭିନ୍ନ ଭିନ୍ନ। ଗଛର ଏପରି ବଦଳୁଥିବା ଆଚରଣ ପ୍ରମାଣ କରୁଛି ଜଳବାୟୁରେ ପରିବର୍ତ୍ତନ ଘଟୁଛି। ସେହିପରି ବୃଷ୍ଟିପାତ ଓ ଉତ୍ତାପରେ ପରିବର୍ତ୍ତନ ଯୋଗୁଁ ପାର୍ବତ୍ୟାଞ୍ଚଳରେ ଆରିପାଇନ୍ ଜଙ୍ଗଲର ଗଛଗୁଡ଼ିକର ବୃଦ୍ଧି ବ୍ୟାଧିତ ହେଉଛି ଏବଂ ଏପରି ବୃକ୍ଷଗୁଡ଼ିକର ସମାହାର ଆଉ ଜଙ୍ଗଲ ବୋଲି ଅଭିହିତ କରାଯିବା ଯୋଗ୍ୟ ହୋଇ ରହୁନାହିଁ। ଏହି ଜଙ୍ଗଲ ଅଞ୍ଚଳ ସ୍ଥାନାନ୍ତରିତ ହେଉଛି। ଏବେ ଲକ୍ଷ୍ୟ କରାଯାଉଛି ଯେ, ଉଷ୍ଣମଣ୍ଡଳୀୟ ଜଙ୍ଗଲ ଅଣ-ଉଷ୍ଣମଣ୍ଡଳୀୟ ଜଙ୍ଗଲର ଇଲାକାରେ ଦେଖାଯାଉଛି ବା ଅନୁପ୍ରବେଶ କରୁଛି ଏବଂ ଅଣ-ଉଷ୍ଣମଣ୍ଡଳୀୟ ଜଙ୍ଗଲଗୁଡ଼ିକ ନାତିଶୀତୋଷ୍ଣ ଜଙ୍ଗଲ ଅଞ୍ଚଳରେ ଅନୁପ୍ରବେଶ କରୁଛି।
ଆପଣ ଦୀର୍ଘକାଳୀନ ପରିସଂସ୍ଥାନ ଯାଞ୍ଚ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏପରି ଗବେଷଣାଗୁଡ଼ିକ କ୍ଷେତ୍ରରେ କେଉଁପରି ଆହ୍ବାନସବୁର ମୁକାବିଲା କରିବାକୁ ପଡୁଛି?
ମୁଁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ଥିବା ଲଙ୍ଗ୍ ଟର୍ମ ଇକୋଲୋଜିକାଲ୍ ମନିଟରିଂ ଅବ୍ଜର୍ଭେଟରୀ (ଏଲ୍.ଟି.ଇ.ଓ.)ର ଜଣେ ସଦସ୍ୟ। ଏଲ୍.ଟି.ଇ.ଓ. ଏକ ଅତ୍ୟନ୍ତ କଷ୍ଟସାଧ୍ୟ କାର୍ଯ୍ୟ। ଯେଉଁ ଦେଶରେ ସଂଖ୍ୟାଗରିଷ୍ଠ ଲୋକେ କୃଷି ଓ ଜଙ୍ଗଲରୁ ସେମାନଙ୍କର ଜୀବିକାର୍ଜନ କରନ୍ତି, ସେଠାରେ ଏପରି ଏକ ଜଙ୍ଗଲ ଅଞ୍ଚଳକୁ ଚିହ୍ନିତ କରିବା ଯାହା ମାନବୀୟ କାର୍ଯ୍ୟକଳାପ ଦ୍ବାରା ଆଦୌ ପ୍ରଭାବିତ ହୋଇନାହିଁ ଏବଂ ପରବର୍ତ୍ତୀ ୩୦/୪୦ ବର୍ଷ ପର୍ଯ୍ୟନ୍ତ ସେଠାରୁ ତଥ୍ୟସଂଗ୍ରହ କରିବା ସହଜ କାର୍ଯ୍ୟ ନୁହେଁ। ଏପରିକି ବନ ବିଭାଗ ନିକଟରେ ମଧ୍ୟ ଏପରି ଅଞ୍ଚଳକୁ ନିରନ୍ତର ଜଗି ରହିବା ସକାଶେ ସାମର୍ଥ୍ୟ ନାହିଁ। ଏହା ବ୍ୟତୀତ ଅବୈଧ ପଶୁ ଶିକାର, ବନ୍ୟପ୍ରାଣୀ କାରବାର ପରି ପ୍ରସଙ୍ଗମାନ ମଧ୍ୟ ରହିଛି। ଭାରତର ପ୍ରତ୍ୟେକଟି ଇକୋ-ଜୋନ୍ରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି। ଏ ବାବଦକୁ ଖର୍ଚ୍ଚ ବହୁତ, ମାତ୍ର ବ୍ୟୟ ଅଟକଳ ଖୁବ୍ କମ୍। ସାଧାରଣ ଭାବେ ବିଶ୍ବର ବିଭିନ୍ନ ସ୍ଥାନରେ ଏପରି ଦୀର୍ଘକାଳୀନ ଯାଞ୍ଚ କରାଯାଉଛି। ଏ ବାବଦକୁ ପାଣ୍ଠି ପାଇବା ମଧ୍ୟ ବେଶ୍ କଠିନ। ସୌଭାଗ୍ୟର ବିଷୟ ଆମ ଦଳ କେନ୍ଦ୍ରୀୟ ଓ ପୂର୍ବ ହିମାଳୟ ଅଞ୍ଚଳରେ ଦୀର୍ଘକାଳୀନ ଜଙ୍ଗଲ ଯାଞ୍ଚ ଦାୟିତ୍ବରେ ଅଛି। ଏହି ପ୍ରକଳ୍ପରେ ଆମେ ଗୋଟିଏ ନିର୍ଦ୍ଦିଷ୍ଟ ବନଖଣ୍ଡରେ କେଉଁ ପ୍ରକାରର ଜଳବାୟୁରେ କେଉଁ ଅଣୁ ପରିବର୍ତ୍ତନ ଘଟୁଛି, ସେକଥା ଅନୁଧ୍ୟାନ କରି ଗବେଷଣା ଜାରି ରଖିଛୁ। ଏହି ତଥ୍ୟସବୁକୁ ନିୟମିତ ରୂପେ ସଂଗ୍ରହ କରିବା ପାଇଁ ଆମେ ସ୍ଥାନୀୟ ପାଣିପାଗ କେନ୍ଦ୍ର ସ୍ଥାପନ ସହ ଅନ୍ୟାନ୍ୟ ବହୁ ସାଧନର ବ୍ୟବହାର କରୁଛୁ। ଏହି ପ୍ରକ୍ରିୟାରେ ସ୍ଥାନୀୟ ପାଣିପାଗ ଉପରେ ନିଘା ରଖିବା, ପ୍ରତ୍ୟେକ ଗୁଳ୍ମ ଓ ବୃକ୍ଷ ପ୍ରଜାତିର ପର୍ଯ୍ୟବେକ୍ଷଣ, ଉଦ୍ଭିଦ ଅଭିବୃଦ୍ଧିର ପ୍ରତ୍ୟେକ ସ୍ତରକୁ ଧ୍ୟାନ ଦେବା ଏବଂ ଜଙ୍ଗଲର ପରିବର୍ତ୍ତନକୁ ବୁଝିବା ପାଇଁ ଆବଶ୍ୟକ ପ୍ରତ୍ୟେକଟି ତଥ୍ୟ ସଂଗ୍ରହ କରାଯାଉଛି।