ସମ୍ପ୍ରତି ଜୁଲାଇ ମାସ ସରିଥିବା ବେଳେ ଭାରତ ମୌସୁମୀ ଋତୁର ମଧ୍ୟବିନ୍ଦୁ ନିକଟରେ ପହଞ୍ଚିଛି। ଏହା ଦେଶର କୃଷି, ଜଳସମ୍ପଦ ଓ ଜଳବାୟୁ ଢାଞ୍ଚା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ୨୦୨୫ରେ ଏ ପର୍ଯ୍ୟନ୍ତ ବର୍ଷା ବଣ୍ଟନ ବିଭିନ୍ନ ରାଜ୍ୟରେ ସ୍ପଷ୍ଟ ଅସମାନତା ଦେଖାଇଛି, ଯାହା କେଉଁଠି ଚିନ୍ତା ତ ଆଉ କେଉଁଠି ଆଶା ସୃଷ୍ଟି କରିଛି। ବିଶେଷକରି ପାରମ୍ପରିକ ଭାବରେ ପ୍ରବଳ ମୌସୁମୀ ବର୍ଷା ହେଉଥିବା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏ ବର୍ଷ ବର୍ଷା ପରିମାଣରେ ନାଟକୀୟ ହ୍ରାସ ଦେଖାଯାଇଛି। ପୃଥିବୀର ସବୁଠାରୁ ଆର୍ଦ୍ର ସ୍ଥାନ ଭାବରେ ବିବେଚିତ ମେଘାଳୟରେ ଏ ପର୍ଯ୍ୟନ୍ତ ବର୍ଷାରେ ୫୬% ହ୍ରାସ ଅନୁଭୂତ ହୋଇଛି। ସେହିପରି ଅରୁଣାଚଳ ପ୍ରଦେଶ, ବିହାର, ଆସାମ, ସିକ୍କିମ ଆଦି ରାଜ୍ୟରେ ବର୍ଷା ପରିମାଣ ୪୦%ରୁ ଅଧିକ ହ୍ରାସ ପାଇଛି। 

Advertisment

ପୃଥିବୀର ସବୁଠାରୁ ଆର୍ଦ୍ର ସ୍ଥାନ ଭାବରେ ବିବେଚିତ ମେଘାଳୟରେ ଏ ପର୍ଯ୍ୟନ୍ତ ବର୍ଷାରେ ୫୬% ହ୍ରାସ ଦେଖାଦେଇଛି। ଅପରପକ୍ଷେ ଭାରତର ସବୁଠାରୁ ଶୁଷ୍କ ରାଜ୍ୟ ଭାବରେ ପରିଚିତ ରାଜସ୍ଥାନରେ ୯୨% ଅଧିକ ବର୍ଷା ହୋଇଛି। 

୨୮ ଜୁଲାଇ ସୁଦ୍ଧା ୨୫%ରୁ ଅଧିକ ବର୍ଷାଭାବ ଦେଖାଦେଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ବିହାର (-୪୩%), ଅରୁଣାଚଳ ପ୍ରଦେଶ (-୪୫%), ଆସାମ (-୪୧%), ମେଘାଳୟ (-୫୬%), ସିକ୍କିମ (-୩୧%) ଓ ଦିଲ୍ଲୀ (-୨୬%) ରହିଛନ୍ତି। ଅପରପକ୍ଷେ, ଶୁଷ୍କ ପରିସ୍ଥିତି ପାଇଁ ଜଣାଶୁଣା ଅନେକ ରାଜ୍ୟ ସ୍ୱାଭାବିକ ଠାରୁ ଯଥେଷ୍ଟ ଅଧିକ ବର୍ଷା ପାଇଛନ୍ତି। ଭାରତର ସବୁଠାରୁ ଶୁଷ୍କ ରାଜ୍ୟ ଭାବରେ ପରିଚିତ ରାଜସ୍ଥାନ, ଏହି ଋତୁରେ ଏ ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବରେ ୯୨% ଅଧିକ ବର୍ଷା ସହିତ ବର୍ଷା ତାଲିକାର ଶୀର୍ଷରେ ରହିଛି। ସେହିପରି ଅନ୍ୟ ଏକ ଶୁଷ୍କ ଅଞ୍ଚଳ ଗୁଜରାଟ ସ୍ୱାଭାବିକ ଠାରୁ ୩୫% ଅଧିକ ବର୍ଷା ରେକର୍ଡ କରିଛି। ବିହାର ଭଳି ବର୍ଷାନିର୍ଭର ଅଞ୍ଚଳଗୁଡ଼ିକ ଚିନ୍ତାଜନକ ଜଳ ଅଭାବର ସମ୍ମୁଖୀନ ହେଉଛନ୍ତି, ଯାହା ଚଳିତ ବର୍ଷ ବର୍ଷାର ଅସମାନ ଓ ଅନିଶ୍ଚିତ ପ୍ରକୃତିକୁ ଉଜାଗର କରୁଛି। ହିମାଚଳ ପ୍ରଦେଶ (୫% ଅଧିକ), ହରିୟାଣା (୧୧%), ମିଜୋରାମ (୬%), ଓଡ଼ିଶା (୧୫%), ଛତିଶଗଡ଼ (୧୫%), ମହାରାଷ୍ଟ୍ର (୬%), କର୍ଣ୍ଣାଟକ (୧୪%) ଏବଂ ଗୋଆ (୩%) ପରି ରାଜ୍ୟରେ ବର୍ଷା ପରିମାଣ ତୁଳନାତ୍ମକ ଭାବରେ ବୃଦ୍ଧି ପାଇଛି, ଯାହା ସ୍ୱାଭାବିକ ଠାରୁ ୦ ରୁ ୨୫% ଅଧିକ। ବୃଷ୍ଟିପାତର ଏହି ବିରୋଧାଭାସ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଉପୁଜିଥିବା ବର୍ଦ୍ଧିତ ଆହ୍ବାନକୁ ଆଲୋକପାତ କରିବା ସହ ମୌସୁମୀ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନର ସଙ୍କେତ ଦେଇଛି। ଏହି ଅସଙ୍ଗତିଗୁଡ଼ିକ ବିଶ୍ୱ ଉତ୍ତପ୍ତୀକରଣ ଓ ବାୟୁମଣ୍ଡଳୀୟ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ଜଳବାୟୁ ପରିବର୍ତ୍ତନର ପ୍ରାରମ୍ଭିକ ସୂଚକ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।