ରଥଖଳାର ରକ୍ଷିକା: ମା’ ଚର୍ଚ୍ଚିକା

ଶ୍ରୀଜଗନ୍ନାଥଙ୍କ ବାହାର ଚନ୍ଦନ ଯାତ୍ରାର ଗୋଟିଏ ମୁଖ୍ୟ ଆକର୍ଷଣ ହେଉଛି- ଭଉଁରୀ। ସେହିଦିନଟି ମଧ୍ୟ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତିଥି। ସେଦିନ ତିନିରଥ ପାଇଁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ଠାରୁ ତିନିଟି ଆଜ୍ଞାମାଳ ରଥଖଳାକୁ ଆସେ ଏବଂ ତାହାପରେ, ତିନିରଥର ଦୁଇଟି ଲେଖାଏଁ ଚକରେ ଅର ସଂଯୋଗ କରାଯାଇ ସେଥିରେ ଆଜ୍ଞାମାଳ ଲାଗି ହୁଏ। ଏହି ତିନିଯୋଡ଼ା ଚକ ହେଉଛି ତିନିରଥର ନାହାକା ଚକ।

କିନ୍ତୁ ଏ ପ୍ରସଙ୍ଗରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି- ରଥ ନିର୍ମାଣ ହେଉଥିବା ବଡ଼ଦାଣ୍ଡର ରଥଖଳାଠାରେ ବିରାଜମାନା ଅଛନ୍ତି ମା’ ଚର୍ଚ୍ଚିକା। ସେ ବିଶ୍ୱକର୍ମା ସେବକ ଓ ଭୋଇ ସେବକଙ୍କର ଉପାସ୍ୟା। ଏହି ଦୁଇ ଶ୍ରେଣୀର ସେବକ ରଥନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଆନ୍ତି। ଜ୍ୟେଷ୍ଠ କୃଷ୍ଣ ପ୍ରତିପଦା ତିଥିରେ ରଥଚକର ତୁମ୍ବରେ ଅରସଂଯୋଗ ବା ‘ସିଙ୍ଗଡ଼ା ବାଡ଼ିଆ’ର ଅନୁକୂଳ ପୂର୍ବରୁ, ସେମାନେ ମା’ ଚର୍ଚ୍ଚିକାଙ୍କ ନିକଟରେ ମାଜଣା କରି, ସେହି କାମ ସୁଚାରୁ ରୂପେ ସଂପନ୍ନ କରାଇବାପାଇଁ ତାଙ୍କୁ ପ୍ରାର୍ଥନା କରିଥାନ୍ତି। ସେଠାରେ ପୂଜା ଓ ଭୋଗ କରି ନଡ଼ିଆ ବାଡ଼େଇବା ପରେ, ମାଆଙ୍କଠାରୁ ଆଣିଥିବା ଫୁଲ, ଚନ୍ଦନ ଓ ସିନ୍ଦୂର ଆଦିକୁ ତୁମ୍ବ, ଅଖ ଓ କୋରାମୁଣ୍ଡା (ବଡ଼ କାଠ ହାତୁଡ଼ି)ରେ ଲାଗି କରାଯାଏ। ପରେ ସିଙ୍ଗଡ଼ା ବାଡ଼ିଆର ଅନୁକୂଳ କରାହୁଏ। ସିଙ୍ଗଡ଼ା ବାଡ଼ିଆ କାମ ସମାପ୍ତ ହେବା ପରେ ମଧ୍ୟ, ଭୋଇ ସେବକ ମା’ ଚର୍ଚ୍ଚିକାଙ୍କୁ ମାଜଣା କରି ପଣା ଭୋଗ ଅର୍ପଣ କରିଥାନ୍ତି।

ଭଉଁରୀ ଦିନ ତିନିଯୋଡ଼ା ଚକରେ ଅଖ ଖଞ୍ଜା ବା ‘ଚକଡେରା’ ହେବା ପରେ, ଚକମାନଙ୍କୁ ଯେଉଁ ତିନିଟି ଆଜ୍ଞାମାଳ ଲାଗି ହୁଏ, ତାହାକୁ ମଧ୍ୟ ତିନିରଥର ମୁଖ୍ୟ ବିଶ୍ୱକର୍ମା ସେବକ ନେଇ ମାଆ ଚର୍ଚ୍ଚିକାଙ୍କୁ ସମର୍ପଣ କରିଥାଆନ୍ତି। ଏହାର କାରଣ ହେଉଛି- ମାଆ ଚର୍ଚ୍ଚିକା ହେଉଛନ୍ତି ରଥଖଳାର ରକ୍ଷିକା। ବୌଦ୍ଧଦେବୀ ‘କୁରୁକୁଲ୍ଲା’ଙ୍କ ପରି, ସେ ଧନୁ ଓ ଅନ୍ୟାନ୍ୟ ଆୟୁଧଧାରିଣୀ ଦେବୀ। ନାଟ୍ୟେଶ୍ୱରୀ ଭଙ୍ଗୀରେ ସେ ବିରାଜମାନା ଏବଂ ଚିରଜାଗ୍ରତା। ତେଣୁ ରଥଖଳାର ରକ୍ଷୟିତ୍ରୀ ଦେବୀ ଭାବରେ ତାଙ୍କୁ ଉପାସନା କରାଯାଇଥାଏ।

ସମ୍ବନ୍ଧିତ ଖବର