ଲସ୍‌ ଏଞ୍ଜେଲସ୍‌ : ଚାଟ୍‌ଜିପିଟିର କୃତ୍ରିମ୍ ମେଧାକୁ ବ୍ୟବହାର କରି ଏକ ବିବାଦୀୟ ମେସେଜିଙ୍ଗ ଆପ୍‌ ପ୍ରସ୍ତୁତ କରାଯାଇଛି। ‘ଟେକ୍‌ଷ୍ଟ ଉଇଥ ଜେସସ୍‌’ ନାମକ ଆପ୍‌ ଦ୍ବାରା ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ସମେତ ବାଇବେଲ୍‌ର ଅନ୍ୟ ଈଶ୍ବରମାନଙ୍କ ସହିତ ମେସେଜ୍‌ ଜରିଆରେ କଥାବାର୍ତ୍ତା କରିପାରିବେ। ଲସ୍‌ ଏଞ୍ଜେଲସ୍‌ର ‘କ୍ୟାଟ୍‌ ଲୋଫ୍ ସଫ୍‌ଟୱେର୍’ କମ୍ପାନି ଏହାକୁ ତିଆରି କରିଛି। ଏଥିରେ ଯୀଶୁ, ଜୁଡାସ୍, ମେରି, ଯୋଶେଫ୍, ପିଟର୍, ରଥ୍‌, ଜବ୍, ଲଟ୍‌ ଆଦି ଐଶ୍ବରୀୟ ଚରିତ୍ରଙ୍କ ସହିତ ଚାଟ୍‌ କରିବାର ସୁବିଧା ମିଳୁଛି।

Advertisment

ଏହି ଆପ୍‌ର ସବୁଠାରୁ ବିବାଦୀୟ ବିଭାଗଟି ହେଉଛି ‘ସେଟାନ୍’ ସହିତ ଚାଟ୍‌ କରିବାର ସୁବିଧା। ଏହି ଆପ୍‌ ପ୍ରସ୍ତୁତ କରିଥିବା ଷ୍ଟିଫାନି ପିଟର୍ସଙ୍କ କହିବା ଅନୁସାରେ ଏହି ଆପ୍‌ ହେଉଛି ବାଇବେଲ୍‌ ଗ୍ରନ୍ଥ ବିଷୟରେ ଜାଣିବାର ଏକ ଅଭିନବ ଉପାୟ। ଏହି ଆପ୍‌ ବଜାରକୁ ଛାଡ଼ିବା ପୂର୍ବରୁ କେତେଜଣ ପାଦ୍ରିଙ୍କ ଉପଦେଶ ଅନୁଯାୟୀ ଏଥିରେ ସଂଶୋଧନ କରାଯାଇଥିଲା। ଏହି ଆପ୍‌ଟି ଆଧୁନିକ ଡିଜିଟାଲ୍‌ ଦୁନିଆ ସହିତ ପୁରାତନ ଧାର୍ମିକ ଶିକ୍ଷାର ସଙ୍ଗମସ୍ଥଳ ବୋଲି କିଛି ଲୋକ କହୁଛନ୍ତି। ଏଭଳି ଆପ୍‌ ଡିଜିଟାଲ୍‌ ଯୁଗରେ ଧର୍ମବିଶ୍ବାସର ବିବର୍ତ୍ତନ ଘଟାଇବା ନେଇ ମଧ୍ୟ ନୂଆ ସମ୍ଭାବନା ସୃଷ୍ଟି ହେଉଛି। ଆପ୍‌ଟି ଏବେ କେବଳ ଆଇଫୋନ୍‌, ଆଇପ୍ୟାଡ୍‌ ଓ ମ୍ୟାକ୍ କମ୍ପ୍ୟୁଟର୍‌ ଲାଗି ଉପଲବ୍ଧ ଅଛି। ଆଗକୁ ଆଣ୍ଡ୍ରୋଏଡ୍ ପ୍ଲେ ଷ୍ଟୋର୍‌ରେ ମଧ୍ୟ ଆପ୍‌ଟି ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।