ଗୋଟିଏ କମ୍ପାନିର ଆର୍ଥିକ ବିବରଣୀ ବିଶ୍ଳେଷଣ କରି ଲାଭ-କ୍ଷତିର ପୂର୍ବାନୁମାନ କରିବାରେ ମଲ୍‌ଟିମୋଡାଲ୍‌ ଲାର୍ଜ ଲାଙ୍ଗୁଏଜ୍‌ (ଏମ୍‌ଏଲ୍‌ଏଲ୍) ମଡେଲ ‘ଜିପିଟି-୪’ ତା’ର ପ୍ରଦର୍ଶନରେ ବିଶେଷଜ୍ଞମାନଙ୍କୁ ଟପିଯାଇଛି ବୋଲି ଚିକାଗୋ ବିଶ୍ବବିଦ୍ୟାଳୟର ବୁଥ୍‌ ସ୍କୁଲ୍ ଅଫ୍ ବିଜନେସ୍ ଦ୍ବାରା କରାଯାଇଥିବା ଅନୁଧ୍ୟାନରୁ ଜଣାଯାଇଛି। ଏଥିରେ ଗବେଷକମାନେ ଓପନ୍‌ଏଆଇ କମ୍ପାନିର ସଦ୍ୟତମ ମଡେଲ୍‌ ‘ଜିପିଟି-୪’କୁ ମାନକ ଓ ଅଜ୍ଞାତ ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ ଏବଂ ଭବିଷ୍ୟତରେ ରୋଜଗାରର ଦିଗ ନିର୍ଣ୍ଣୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଚେନ୍ ଅଫ୍ ଥଟ୍ (ସିଓଟି) ତାର୍କିକତା ବ୍ୟବହାର କରି ‘ଜିପିଟି-୪’କୁ ଭବିଷ୍ୟତରେ ଆୟ ହ୍ରାସ ହେବ କି ବୃଦ୍ଧି ହେବ ତାହାର ଯୁକ୍ତିଯୁକ୍ତ ଭବିଷ୍ୟବାଣୀ କରିବାକୁ କୁହାଯାଇଥିଲା। ଏଥିରେ ‘ଜିପିଟି-୪’ ୬୦.୩୫ ପ୍ରତିଶତ ସଠିକତା ହାସଲ କରିଥିଲା। ଗୋଟିଏ କମ୍ପାନିର ଏକ ମାସ ପରର ଆୟ ବାବଦରେ ମାନବ ବିଶ୍ଳେଷକଙ୍କ ପୂର୍ବାନୁମାନର ସଠିକତା ଠାରୁ ଏହା ୭ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି।

Advertisment

କୌଣସି କମ୍ପାନିର ରୋଜଗାର ନେଇ ଗୋଟିଏ ବର୍ଷ ଆଗୁଆ ପୂର୍ବାନୁମାନ କରିବାରେ ବିଶେଷଜ୍ଞମାନଙ୍କର ସଠିକତା ୫୨.୭୧ ପ୍ରତିଶତ ରହିଥିବା ବେଳେ ‘ଜିପିଟି-୪’ ୬୦.୩୫ ପ୍ରତିଶତ ସଠିକତା ହାସଲ କରିପାରିଛି

ଗବେଷକମାନଙ୍କ କହିବାନୁଯାୟୀ, ଶିଳ୍ପ ଓ ଅର୍ଥନୀତି ବାବଦରେ ବ୍ୟାପକ ଧାରଣା ଓ ଜ୍ଞାନ ବହନ କରୁଥିବା ଆର୍ଥିକ ବିବରଣୀର ବିଶ୍ଳେଷଣ କରିବା ‘ଜିପିଟି-୪’ ପରି ଲାଙ୍ଗୁଏଜ ମଡେଲ୍ ପାଇଁ ଏକ କଷ୍ଟସାଧ୍ୟ କାର୍ଯ୍ୟ। କାରଣ ସୂକ୍ଷ୍ମ ସୂଚନା, ଶିଳ୍ପଭିତ୍ତିକ ଜ୍ଞାନ ତଥା ନିୟାମକ, ରାଜନୈତିକ ଓ ଅର୍ଥନୈତିକ ପରିସରକୁ ଧ୍ୟାନରେ ରଖି ମଣିଷ ଅଧିକ ବିସ୍ତୃତ ପ୍ରସଙ୍ଗରେ ନିଜ ଜ୍ଞାନକୁ ଉପଯୋଗ କରିବାରେ ପାରଙ୍ଗମ, ଯାହା ଏକ ଯନ୍ତ୍ର କରିପାରିବାର ପୂର୍ବ ଉଦାହରଣ ନାହିଁ। ତେବେ ‘ଜିପିଟି-୪’ ପ୍ରଥମ ଥର ପାଇଁ ଏ କାମ କରିବାରେ ମଣିଷକୁ ପଛରେ ପକାଇଦେଇଛି। କୌଣସି କମ୍ପାନିର ରୋଜଗାର ବାବଦରେ ଗୋଟିଏ ବର୍ଷ ଆଗୁଆ ପୂର୍ବାନୁମାନ କରିବାରେ ବିଶେଷଜ୍ଞମାନଙ୍କର ସଠିକତା ୫୨.୭୧ ପ୍ରତିଶତ ରହିଥିବା ବେଳେ ‘ଜିପିଟି-୪’ ୬୦.୩୫ ପ୍ରତିଶତ ସଠିକତା ହାସଲ କରିପାରିଛି। ଖାଲି ସେତିକି ନୁହେଁ, ଏହା ଅତ୍ୟାଧୁନିକ ମେସିନ୍‌ ଲର୍ଣ୍ଣିଂ (ଏମ୍ଏଲ୍‌ଏଲ୍‌) ପ୍ରୟୋଗଗୁଡ଼ିକୁ ମଧ୍ୟ ଦକ୍ଷତାର ସହ ସଂପନ୍ନ କରିପାରୁଥିବା କଥା ସ୍ପଷ୍ଟ ହୋଇଛି।