ହୀରାପୁରସ୍ଥିତ ଚଉଷଠୀ ଯୋଗିନୀ ପୀଠ : ଅଷ୍ଟମୀରେ ସଂପନ୍ନ ହୁଏ ପୋଡ଼ାମାଛ ବଳି ପରମ୍ପରା

 ହାକେରା ହାଣ୍ଡି ପ୍ରସାଦ ପାଇଁ ଚାହିଁ ରହିଥାନ୍ତି ଭକ୍ତ

ବାଲିଅନ୍ତା : ମହାମାରୀ କରୋନା ଲକଡାଉନ ପାଇଁ ତାଲାପଡ଼ିଥିବା ସ୍ଥାନୀୟ ହୀରାପୁରସ୍ଥିତ ଚଉଷଠୀ ଯୋଗିନୀ ପୀଠ ଷୋଳପୂଜା ପାଇଁ ଉତ୍ସବମୁଖର ହୋଇପଡ଼ିଛି । ଶାରଦୀୟ ଦୁର୍ଗାପୂଜା ନେଇ ମହାମାୟାଙ୍କ ଷୋଳପୂଜା ରୀତିନୀତି ବିଧି ମୁତାବକ ଚାଲିଛି । ଚଳିତ ବର୍ଷ ଯୋଡ଼ା ଆଶ୍ବିନ ମାସ ପାଇଁ ମଳମାସ ପଡ଼ିଥିବାରୁ ଦୁଇଟି ପର୍ଯ୍ୟାୟରେ ମା’ଙ୍କ ଷୋଳପୂଜା ନୀତି ଅନୁଷ୍ଠିତ ହେଉଥିବା କୁହାଯାଇଛି । ଦ୍ବିତୀୟା ଓଷା ଦିନ ଆରମ୍ଭ ହୋଇଥିବା ଷୋଳପୂଜା‌ ଗତମାସରେ ୮ ଦିନ  କରାଯାଇ ବନ୍ଦ ରହିଥିଲା । ଏ ମାସରେ ପୁଣି ୮ ଦିନ ଅର୍ଥାତ ଆଜିଠାରୁ ୭ମୀ ପର୍ଯ୍ୟନ୍ତ ଷୋଳପୂଜା ଚାଲିବ ବୋଲି ମୁଖ୍ୟ ପୂଜକ ଭୀମସେନ ପାଢ଼ୀ ସୂଚନା ଦେଇଛନ୍ତି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମା’ଙ୍କର ଏହି ଷୋଳପୂଜା ଅବସରରେ ଚଉଷଠୀ ଯୋଗିନୀ ଟ୍ରଷ୍ଟ ପକ୍ଷରୁ ପଣ୍ଡା ପୂଜାରୀମାନଙ୍କ ଦ୍ବାରା ପ୍ରସ୍ତୁତ ହାକେରା ହାଣ୍ଡି ପ୍ରସାଦ ଖାଇବା ପାଇଁ  ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଚାହିଁ ରହିଥାନ୍ତି । ନୈବେଦ୍ୟ ଭାବେ ସଂଧ୍ୟାରେ ମାଟିହାଣ୍ଡି ଭିତରେ ଖେଚୁଡ଼ି , ଖିରି ଓ ପୁର ଏଣ୍ଡୁରି ପିଠା ଦେବୀଙ୍କୁ ଅର୍ପଣ କରାଯାଇଥାଏ  । ଏବେ ପୁର ଏଣ୍ଡୁରି ବଦଳରେ ପୁର ଇଟିଲ ପିଠା ଭୋଗ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।  ମା’ଙ୍କର ହାକେରା ହାଣ୍ଡି ପ୍ରସାଦ ସେବନ କରିବା ପାଇଁ ଲୋକମାନେ ଉତ୍କଣ୍ଠାର ସହ ଚାହିଁ ରହୁଥିବା ବେଳେ  ଅନେକ ଶ୍ରଦ୍ଧାଳୁ ମା’ଙ୍କ ହାକେରା ପ୍ରସାଦ ଖାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ହେଲେ ମନ୍ଦିର ପ୍ରଶାସନ , ପଣ୍ଡା ସେବାୟତ ଏବଂ ଟ୍ରଷ୍ଟର କର୍ମକର୍ତ୍ତା ଏଭଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପୂର୍ବଭଳି ଏହି ପ୍ରଥା ପରଂପରା ଚାଲିଥିବା କହିଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟ ଷୋଳପୂଜା ଅବସରରେ  ଆଜି ପ୍ରତ୍ୟୁଷରେ ମା’ଙ୍କର ମାର୍ଜନା , ସୁବାସିତ ଜଳରେ ମହାସ୍ନାନ ଓ ନବ ପାଟବସ୍ତ୍ର ପରିଧାନ ନୀତି ସଂପନ୍ନ ହୋଇଥିଲା । ଏହାପରେ ଆଳତି ଏବଂ  ବାଳଭୋଗ  ନୈବେଦ୍ୟ ହୋଇଥିଲା । ମଧ୍ୟାହ୍ନରେ ଶଙ୍ଖୁଡ଼ି ଧୂପ ହୋଇଥିଲା । ଆଜିଠାରୁ ନବରାତ୍ର ପୂଜା ମଧ୍ୟ ଆରମ୍ଭ ହୋଇଛି । ଆଉ ଗୋଟିଏ ବଡ଼ କଥା ହେଉଛି ଅଷ୍ଟମୀ ଦିନ ବିଳମ୍ବିତ ରାତିରେ ମା’ଙ୍କ ପାଖରେ ପୋଡ଼ାମାଛ ବଳି ଚଢ଼ାଯିବା ଅନ୍ୟତମ ମୁଖ୍ୟ ପରଂପରା ବୋଲି ବରିଷ୍ଠ ସେବାୟତ ରଘୁନାଥ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ୮ମୀ ପର୍ଯ୍ୟନ୍ତ ପ୍ରତ୍ୟୁଷରେ ଓ ଅପରାହ୍ନରେ ସ୍ନାନ ନୀତି ସଂପନ୍ନ ହୁଏ । ମା’ଙ୍କୁ ବିଭିନ୍ନ ପୁଷ୍ପରେ ସଜାଯିବା ସହ ମୁଖା , ଚକ୍ଷୁ , କିରିଟି , ଚୂଡ଼ି , ମଥାମଣୀ ଓ ଘାଗରା ଆଦି ସୁନା ଓ ରୂପା ଅଳଙ୍କାରରେ ଆଭୂଷଣ କରାଯାଇଥାଏ ।  ବାଲିଅନ୍ତା ପଞ୍ଚାୟତ ମା’ ଉତ୍ତରମୁଖୀ ପୀଠ , ବାଳକାଟିସ୍ଥିତ ଦୁଲ୍ଲାଦେବୀ ମନ୍ଦିର , ଟଙ୍କପାଣି ଠାକୁରାଣୀଙ୍କ ଓ ସରକଣାସ୍ଥିତ ଭଗବତୀଙ୍କ ପୀଠରେ ଅନୁରୂପ ଭାବେ ଷୋଳପୂଜା ଚାଲିଛି ।

ସମ୍ବନ୍ଧିତ ଖବର