୫ ବର୍ଷୀୟା ଝିଅର ହାର୍ଟ ସର୍ଜରୀ ପାଇଁ ୫ ଲକ୍ଷ ଟଙ୍କା ଯୋଗାଡ଼ କରି ଚର୍ଚ୍ଚା ପାଲଟିଲେ ଚେନ୍ନାଇର ପୁଲିସ୍କର୍ମୀ
ଚେନ୍ନାଇ: ପୂର୍ବରୁ ଆମେ ଅନେକ ପୁଲିସ୍ଙ୍କ ଉଦାରତାର ଉଦାହରଣ ଦେଖିଛେ। ନିକଟରେ ଚେନ୍ନାଇର ଜଣେ ପୁଲିସ୍ କର୍ମଚାରୀ ଏକ ୫ ବର୍ଷୀୟା ଝିଅର ଓପନ୍ ହାର୍ଟ ସର୍ଜରି ପାଇଁ ୫ ଲକ୍ଷ ଟଙ୍କା ଯୋଗାଡ଼ କରି ଚର୍ଚ୍ଚା ପାଲଟିଛନ୍ତି। ଏକ ବେସରକାରୀ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଏହି ନାବାଳିକା ପାଇଁ ଟଙ୍କା ଯୋଗାଡ଼ କରି ପ୍ରଶଂସିତ ହୋଇଛନ୍ତି ନନ୍ଦମବକମର ହେଡ୍ କନ୍ଷ୍ଟେବଲ୍ ପି ସେନ୍ଥିଲ୍ କୁମାର।
ଜାଣିବାକୁ ମିଳିଛି ଯେ ଗୁଦୁଭଞ୍ଚେରିର ବାସିନ୍ଦା କାର୍ତ୍ତିକ ନିଜ ସ୍ତ୍ରୀ ପ୍ରିୟଙ୍କା ଓ ୫ ବର୍ଷୀୟା ଝିଅ କାଭିଷ୍କାଙ୍କ ରହୁଥିଲେ। କାର୍ତ୍ତିକ ଚେନ୍ନାଇର ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ସେଲ୍ସମ୍ୟାନ୍ ଭାବେ କାମ କରୁଥିଲେ। ମାତ୍ର ଲକ୍ଡାଉନ୍ ହେତୁ ସେ ନିଜର ଜୀବିକା ହରାଇବାକୁ ବାଧ୍ୟ ହୋଇଥିଲେ।

କାର୍ତ୍ତିକଙ୍କ ଝିଅ କାଭିଷ୍କାଙ୍କ ହୃତପିଣ୍ଡରେ ଜନ୍ମ ସମୟରେ ଏକ କଣା ଥିଲା। ସେ ଜନ୍ମ ଦିନଠାରୁ ହିଁ ଡାକ୍ତରୀ ଚିକିତ୍ସାରେ ରହୁଥିଲେ। ଦିନେ ଅଚାନକ ଝିଅଟିର ଅବସ୍ଥା ବିଗିଡ଼ିବାରେ ଲାଗିବାରୁ ବାପା କାର୍ତ୍ତକ ଝିଅଟିକୁ ନେଇ ଏକ ସ୍ଥାନୀୟ ହସ୍ପିଟାଲ୍କୁ ଗଲେ ଓ ତାଙ୍କ ହୃତପିଣ୍ଡରେ କଣା ଥିବା କାରଣରୁ ଡାକ୍ତର ତାଙ୍କର ଓପନ ସର୍ଜରି କରିବାକୁ ପରାମର୍ଶ ଦେଇଥିଲେ। ମାତ୍ର ତାଙ୍କର ଆର୍ଥିକ ସମ୍ବଳ ଦୁର୍ବଳ ଥିବାରୁ ସେ କ’ଣ କରିବେ କିଛି ଭାବିପାରୁନଥିଲେ।
ସେହି ସମୟରେ ପି ସେନ୍ଥିଲ୍ କୁମାର କାର୍ତ୍ତିକଙ୍କ ଝିଅ ବିଷୟରେ ଜାଣିବା ପରେ ତାଙ୍କ ହୃଦୟରେ ଦୟା ଭାବ ଜାତ ହେଲା। ସେ ଝିଅଟିକୁ ସାହାଯ୍ୟ କରିବା ପାଇଁ ଚିନ୍ତା କଲେ। ସବୁ ଜାଣିବା ପରେ ପି ସେନ୍ଥିଲ୍ ହସ୍ପିଟାଲ୍ ଯାଇ ଡାକ୍ତରଙ୍କ ସହ ଝିଅଟିର ସର୍ଜରି ବିଷୟରେ କଥା ହୋଇଥିଲେ। ଝିଅଟି ଅସ୍ତ୍ରୋପଚାର କରିବାକୁ ପି ସେନ୍ଥଲି ପାଣ୍ଠି ଯୋଗାଡ଼ କରିବା ଆରମ୍ଭ କରି ଝିଅଟିର ଅସ୍ତ୍ରୋପଚାର କରାଇଥିବା ସୂଚନା ରହିଛି।