ଅହମଦାବାଦ: ଗତବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ଭଳି ଏଥର ଚେନ୍ନାଇ ସୁପର୍ କିଙ୍ଗ୍ସ ବି ପଏଣ୍ଟ୍ ଟେବୁଲ୍ର ଶେଷ ସ୍ଥାନରେ ଅଭିଯାନ ଶେଷ କରିଛି। ଉଭୟ ସଂଯୋଗବଶତଃ ୫ ଥର ଲେଖାଏଁ ଟ୍ରଫି ଯୁଗ୍ମ ଭାବେ ରେକର୍ଡକୁ ନିଜ ନାମରେ ରଖିଛନ୍ତି। ଉଭୟ ଦଳ ମଧ୍ୟ ସମାନ ୮ ପଏଣ୍ଟ୍ରେ ସୀମିତ ରହି ଏହି ଅଲୋଡ଼ା କୃତିତ୍ବ ଅର୍ଜନ କରିଛନ୍ତି। ରବିବାର ଅପରାହ୍ଣରେ ଖେଳାଯାଇଥିବା ମ୍ୟାଚ୍ରେ ଲିଗ୍ ଶୀର୍ଷରେ ଥିବା ଗୁଜରାଟ ଟାଇଟନ୍ସକୁ ଚେନ୍ନାଇ ସୁପର୍ କିଙ୍ଗ୍ସ ଏକତରଫା ଭାବେ ୮୩ ରନ୍ରେ ପରାସ୍ତ କରିଥିଲା। କିନ୍ତୁ ଚେନ୍ନାଇ ପଏଣ୍ଟ୍ ଟେବୁଲ୍ ଶେଷ ସ୍ଥାନ ପରିତ୍ୟାଗ କରିପାରିନଥିଲା। ଦଳର ସ୍ପିନର୍ ନୂର ଅହମ୍ମଦ କିନ୍ତୁ ବାଇଗଣୀ ଟୋପି ପରିଧାନ କରି ପଡ଼ିଆ ଛାଡ଼ିବା ସିଏସ୍କେ ପାଇଁ ଅନ୍ୟତମ ଖୁସିର କାରଣ ହୋଇଛି।
ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଶୀର୍ଷକ୍ରମ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ କାରଣରୁ ଦଳ ବି ୨୩୦ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିନେଇଥିଲା। ପ୍ରାରମ୍ଭିକ ଯୋଡ଼ି ଆୟୁଷ ମହାତ୍ରେ (୧୭ ବଲ୍ରୁ ୩୪ ରନ୍) ଏବଂ ଡେଭନ୍ କନ୍ୱେ (୩୫ ବଲ୍ରୁ ୫୨ ରନ୍) ଦୃଢ଼ ମୂଳଦୁଆ ପକାଇବା ପରେ ଉର୍ଭିଲ ପଟେଲ୍ (୧୯ ବଲ୍ରୁ ୩୭ ରନ୍), ଶିବମ ଦୁବେ (୮ ବଲ୍ରୁ ୧୭ ରନ୍), ଦିୱାଲ୍ଡ ବ୍ରେଭିସ୍ (୨୩ ବଲ୍ରୁ ୫୭ ରନ୍) ଏବଂ ରବୀନ୍ଦ୍ର ଜାଡ଼େଜା (୧୮ ବଲ୍ରୁ ୨୧* ରନ୍) ଉପଯୋଗୀ ଅବଦାନ ରଖିଥିଲେ। ପ୍ରଥମ ୬ ଓଭର ପାୱାର ପ୍ଲେରେ ୬୮ ରନ୍ ଉଠାଇଥିବା ଚେନ୍ନାଇ ଶେଷ ୬ ଓଭରରେ ୬୭ ରନ୍ ଯୋଡ଼ିଥିଲା।
ଜବାବରେ ଘରୋଇ ପଡ଼ିଆରେ କିନ୍ତୁ ଗୁଜରାଟ ପୁଣି ଥରେ ଝୁଣ୍ଟିଥିଲା। ବଡ଼ ବିଜୟ ଲକ୍ଷ୍ୟର ଚାପରେ ପଡ଼ି ଶୁବମନ ଗିଲଙ୍କ ଦଳ ପାୱାର ପ୍ଲେ ଭିତରେ ୩ ୱିକେଟ୍ ହରାଇ ମାତ୍ର ୩୫ ରନ୍ କରିଥିଲା। ଗିଲ୍, ବଟଲର, ରଦରଫୋର୍ଡ ପଞ୍ଚମ ଓଭର ଏବଂ ୩୦ ରନ୍ ଭିତରେ ବିଦାୟ ନେବା ପରେ ଗୁଜରାଟ ଆଉ ପ୍ରତ୍ୟାବର୍ତ୍ତନ କରିପାରିନଥିଲା। କେବଳ ସାଇ ସୁଦର୍ଶନ (୨୮ ବଲ୍ରୁ ୪୧ ରନ୍) ୨୦ ରନ୍ ଅତିକ୍ରମ କରିପାରିଥିଲେ। ଦେଢ଼ ଓଭର ପୂର୍ବରୁ ଗୁଜରାଟ ୧୪୭ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ମଧ୍ୟମଗତି ବୋଲର ଅଂଶୁଲ କମ୍ବୋଜ (୨.୩-୦-୧୩-୩) ଏବଂ ଆଫଗାନ୍ ସ୍ପିନର୍ ନୂର ଅହମ୍ମଦ (୪-୦-୨୧-୩) ଗୁଜରାଟର ସର୍ବାଧିକ କ୍ଷତି ଘଟାଇଥିଲେ। ବ୍ରେଭିସ୍ କିନ୍ତୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର: ଚେନ୍ନାଇ ସୁପର୍ କିଙ୍ଗ୍ସ ୨୦ ଓଭରରେ ୨୩୦/୫ (ଦିୱାଲ୍ଡ ବ୍ରେଭିସ୍-୫୭, ଡେଭନ୍ କନୱେ-୫୨, ଉର୍ଭିଲ ପଟେଲ୍-୩୭, ଆୟୁଷ ମହାତ୍ରେ-୩୪, ପ୍ରସିଦ୍ଧ କୃଷ୍ଣ-୨/୨୨)। ଗୁଜରାଟ ଟାଇଟନ୍ସ ୧୮.୩ ଓଭରରେ ୧୪୭/୧୦ (ସାଇ ସୁଦର୍ଶନ-୪୧, ଅର୍ସଦ ଖାନ୍-୨୦, ସାହରୁଖ୍ ଖାନ୍-୧୯, ଅଂଶୁଲ କମ୍ବୋଜ-୩/୧୩, ନୂର ଅହମ୍ମଦ-୩/୨୧, ରବୀନ୍ଦ୍ର ଜାଡ଼େଜା-୨/୧୭)।
ନିଷ୍ପତ୍ତି ନେବାକୁ ୪/୫ ମାସ ଅଛି: ଧୋନି
ଅହମଦାବାଦ: ଚେନ୍ନାଇ ସୁପର୍ କିଙ୍ଗ୍ସର ଆଉ ଏକ ନୈରାଶ୍ୟଜନକ ଋତୁ ଶେଷ ହେବା ପରେ ନିଜ କ୍ରିକେଟ୍ ଜୀବନର ଭବିଷ୍ୟତ ସମ୍ପର୍କରେ ମହେନ୍ଦ୍ର ସିଂହ ଧୋନି ସ୍ପଷ୍ଟ୍ ଚିତ୍ର ଦେଇନାହାନ୍ତି। ଗୁଜରାଟ ଟାଇଟନ୍ସ ବିପକ୍ଷରେ ଦଳର ସର୍ବବୃହତ ବିଜୟ ପରେ ମାହି କହିଛନ୍ତି ‘ମୋତେ ନିଷ୍ପତ୍ତି ନେବାକୁ ଆହୁରି ୪/୫ ମାସ ସମୟ ରହିଛି’। ରବିବାର ସେ ଆଇପିଏଲ୍ ଅବସର ଘୋଷଣା କରିବେ ବୋଲି ପୂର୍ବାନୁମାନ କରାଯାଉଥିଲେ ମଧ୍ୟ ସେ ତାହା କରିନାହାନ୍ତି। ବରଂ କହିଛନ୍ତି ‘ସେହି ପୁରୁଣା କଥାକୁ ଦୋହରାଇବି। ଲମ୍ବା ସମୟ ହେଲାଣି ଘରଠୁ ଦୂରରେ ରହିଛି। ରାଞ୍ଚିକୁ ଫେରିବା ପରେ କିଛି ବାଇକ୍ ଚଳାଇ ଉପଭୋଗ କରିବି। କେବଳ ପ୍ରଦର୍ଶନ ଭିତିରେ ଯଦି ଖେଳାଳିଙ୍କୁ ଅବସର କଥା କୁହାଯିବ ତେବେ କିଛି ଖେଳାଳି ୨୨ ବର୍ଷ ବୟସରେ ବି ଖେଳ ଛାଡ଼ିବେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ତୁମେ କେତେ ଭୋକିଲା ଅଛ। ଫିଟନେସ୍ କିଭଳି ରହିଛି, ଦଳକୁ କେତେ ଅବଦାନ ଦେଉଛ। ଏହାର ଅର୍ଥ ନୁହେଁ ମୁଁ ସବୁକିଛି କରିଦେଇଛି। ମୁଁ ବି କହୁନାହିଁ ମୁଁ ପୁଣି ଫେରିବି। ମୋ ହାତରେ ଯଦି ଆରାମରେ ନିଷ୍ପତ୍ତି ନେବାକୁ ସମୟ ଅଛି, ତାହା କାହିଁକି ନକରିବି’। ଦଳର ପ୍ରଦର୍ଶନ ସମ୍ପର୍କରେ ଧୋନି କହିଥିଲେ ‘ଏ ଋତୁ ଭଲ ଗଲା ନାହିଁ, କିନ୍ତୁ ଭଲରେ ଅଭିଯାନ ସାରିଲୁ। ବ୍ୟାଟିଂରେ ଅଭାବ ରହିଲା। ଆସନ୍ତା ବର୍ଷକୁ ରିତୁ (ଋତୁରାଜ ଗାଏକ୍ବାଡ) ଫେରିଲେ ସେ ନିଶ୍ଚିତ ଚିନ୍ତାରେ ରହିବେ ନାହିଁ।’। ବୈଭବ ସୂର୍ଯ୍ୟବଂଶୀ ତାଙ୍କ ପାଦ ଛୁଇଁବା ସମ୍ପର୍କରେ ମାହି କହିଥିଲେ, ଏହା ମୋତେ ବୟସ୍କ ହୋଇଯିବାର ଅନୁଭବ ଦେଇଛି।