ଛତିଶଗଡ଼‌ରେ କରୋନା ବେକାବୁ: ଭିଲାଇର ମୁକ୍ତିଧାମ ଶ୍ମଶାନରେ ଏକାବେଳକେ ଜଳୁଛି ୨୦ରୁ ଅଧିକ ଜୁଇ

ଜୟପୁର: କରୋନା ମହାମାରୀର ମାୟା ଜାଲରେ ଛନ୍ଦି ହୋଇପଡ଼ିଛି ସାରା ବିଶ୍ୱ । କରୋନାର ଦ୍ୱିତୀୟ ଲହର ଲୋକଙ୍କୁ ଆତଙ୍କିତ କରୁଛି । ଆଉ ଆତଙ୍କର ଛାତିଥରା ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ । ଦୁର୍ଗ ଅନ୍ତର୍ଗତ ଇସ୍ପାତ ସହର ଭିଲାଇରେ କରୋନାଜନିତ ମୃତ୍ୟୁ ବଢ଼ିଚାଲିଛି। ସେଠାକାର  ମୁକ୍ତିଧାମ ଶ୍ମଶାନରେ ଏକାବେଳକେ ଜଳୁଛି ୨୦ରୁ ଅଧିକ ଜୁଇ । ଏତେ ସଂଖ୍ୟକ ମୃତଦେହ ସତ୍କାର ପାଇଁ ଆସୁଛି ଯେ ଜାଗା ହିଁ ମିଳୁନାହିଁ । ଜୁଇ ଜାଳିବାକୁ ସ୍ଥାନର ଅଭାବ ହେବାରୁ ସଂପର୍କୀୟ ଶବ ଫେରାଇ ନେଇ ଫ୍ରିଜରରେ ରଖିବାକୁ ବାଧ୍ୟ ହେଉଛନ୍ତି ।

ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢୁଛି । ଗତ ୨୪ ଘଣ୍ଟାରେ ସେଠାରେ ୧୦ ହଜାର ୫୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୨ ଜଣଙ୍କ ମୃତ୍ୟୁ ହୋଇଛି । ମୁକ୍ତଧାମରେ ଏକାଥରେ ୨୦ରୁ ୩୦ ଶବ ପୋଡ଼ା ଯାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏଠାରେ ଦିନକୁ ପ୍ରାୟ ୬୦ରୁ ଅଧିକ ଶବ ଦାହ କରାଯାଉଛି । ଛତିଶଗଡ଼ର ଏହି ଭୟଙ୍କର ଚିତ୍ର ଆମକୁ ଗତ ବର୍ଷର ଭୁବନେଶ୍ୱର ସତ୍ୟନଗର ଶ୍ମଶାନର କଥା ମନପକାଇ ଦେଉଛି ।

ଏବେ ଠାରୁ ସତର୍କ ନ ହେଲେ ଆଗାମୀ ଦିନରେ ଓଡ଼ିଶାରେ ବି ଛତିଶଗଡ଼ ସ୍ଥିିତି ଆସିପାରେ ଏହି ଆଶଙ୍କା ଉପୁଜୁଛି । କାରଣ ଛତିଶଗଡ଼ର ସୀମା ଓଡ଼ିଶାର ପାଖାପାଖି ୧୦ଟି ଜିଲ୍ଲାକୁ ଛୁଇଁଛି । ଦେଶରେ ଏବେ ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ୧ ନମ୍ବରରେ ଥିବା ବେଳେ ଉତ୍ତର‌ପ୍ରଦେଶ ଦ୍ୱିତୀୟ ଓ ଛତିଶଗଡ଼ ତୃତୀୟ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର