କାହିଁକି ୨୧ବର୍ଷ ପର୍ଯ୍ୟନ୍ତ ଦାଢ଼ି କାଟିନଥିଲେ ଛତିଶଗଡର ଏହି ବୃଦ୍ଧ?

ନୂଆଦିଲ୍ଲୀ: ୨୧ବର୍ଷ ପରେ ଦାଢ଼ି କାଟିଲେ ବୃଦ୍ଧ। ଛତିଶଗଡର ଜଣେ ବୃଦ୍ଧ ୨୧ବର୍ଷ ପରେ ନିଜର ଦାଢ଼ି କାଟିଥିବା ଜଣାପଡ଼ିଛି। କୁହାଯାଉଛି ଯେ, ସେ ମନେନ୍ଦ୍ରଗଡ-ଚିରମିରୀ-ଭରତପୁର (ଏମସିବି) ଏକ ନୂତନ ଜିଲ୍ଲା ନହେବା ପର୍ଯ୍ୟନ୍ତ ଦାଢ଼ି ନ କାଟିବାକୁ ଶପଥ ନେଇଥିଲେ। ଶୁକ୍ରବାର ଦିନ ତାଙ୍କ ଦାବି ପୂରଣ ହେବା ପରେ ସେ ନିଜର ଦାଢ଼ି କାଟିଥିବା ଜଣାପଡ଼ିଛି। ଛତିଶଗଡ ସରକାର ଏମସିବିକୁ ରାଜ୍ୟର ୩୨ତମ ଜିଲ୍ଲା ଭାବରେ ମାନ୍ୟତା ଦେବା ପରେ ବୃଦ୍ଧ ନିଜର ଦାଢ଼ି କାଟିଛନ୍ତି।

ତେବେ ଏହି ବ୍ୟକ୍ତିଙ୍କ ନାମ ରାମଶଙ୍କର ଗୁପ୍ତା ବୋଲି ଜଣାପଡ଼ିଛି, ଯିଏ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ଏବଂ ମନେନ୍ଦ୍ରଗଡ ବାସିନ୍ଦା। ଗତ ବର୍ଷ ଅଗଷ୍ଟ ମାସରେ ମନେନ୍ଦ୍ରଗଡ -ଚିରମିରୀ-ଭରତପୁରକୁ ଏକ ନୂତନ ଜିଲ୍ଲା କରିବା ପାଇଁ ଘୋଷଣା କରାଯାଇଥିଲା ଏବଂ ଏହି ଘୋଷଣା ପରେ ଗୁପ୍ତା ନିଜର ଦାଢ଼ି କାଟିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ନୂତନ ଘୋଷିତ ଜିଲ୍ଲାର ଉଦଘାଟନ କରିବାକୁ ପ୍ରାୟ ଏକ ବର୍ଷ ସମୟ ଲାଗିବାରୁ ଗୁପ୍ତା ପୁଣି ଥରେ ନିଜର ଦାଢ଼ି ନକାଟି ବର୍ଷେ ଅପେକ୍ଷା କରିଥିଲେ। ହେଲେ ଶୁକ୍ରବାର ନେଇଥିବା ସଂକଳ୍ପ ପୂରଣ ହେବାରୁ ସେ ତାଙ୍କର ଦାଢ଼ି କାଟିଥିବା ଜଣାପଡ଼ିଛି।

ଦାଢ଼ି କାଟିବା ପ‌ରେ ଗୁପ୍ତା ଏମସିବି ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରଥମ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏଥିରେ ସେ ଲେଖିଥିଲେ, ମୁଁ ଏକ ସଂକଳ୍ପ ନେଇଥିଲି ଯେ ମନେନ୍ଦ୍ରଗଡ-ଚିରମିରୀ-ଭରତପୁର ଜିଲ୍ଲା ଗଠନ ନହେବା ପର୍ଯ୍ୟନ୍ତ ମୁଁ ମୋର ଦାଢ଼ି କାଟିବି ନାହିଁ। ଯଦି ମନେନ୍ଦ୍ରଗଡ-ଚିରମିରୀ-ଭରତପୁର ଜିଲ୍ଲା ତିଆରି ନହୋଇଥାନ୍ତା, ତେବେ ମୁଁ ମୋର ଦାଢ଼ି କାଟି ନଥା’ନ୍ତି। ଏହା ଏକ ୪୦ବର୍ଷର ସଂଗ୍ରାମ। ଯେଉଁମାନେ ପ୍ରକୃତରେ ଜିଲ୍ଲା ପାଇଁ ଲଢ଼ିଥିଲେ ସେମାନେ ଆଉ ଏହି ଦୁନିଆରେ ନାହାଁନ୍ତି। ତଥାପି ବର୍ତ୍ତମାନ ତାଙ୍କ ଆତ୍ମାକୁ ​​ଶାନ୍ତି ମିଳିବ।

ସମ୍ବନ୍ଧିତ ଖବର