ଦୁର୍ଘଟଣାରେ ହାତ ହରାଇବା ସହିତ ଗୋଡ ଅଚଳ ହେବା ପରେ ବି ଏହି ଶିକ୍ଷକ ନଦୀପାର କରି ଶିକ୍ଷାଦାନ ପାଇଁ ସ୍କୁଲରେ ପହଁଞ୍ଚି ଥାଆନ୍ତି

କୁକାନାର: ଆଜି ଗୁରୁଦିବସ । ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏକ ପବିତ୍ର ଦିନଟିଏ। ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ ହୋଇଆସୁଛି । ତେବେ ଆଜି ଆମେ ଏମିତି ଜଣେ ଶିକ୍ଷକଙ୍କ ବିଷୟରେ କହିବାକୁ ଯାଉଛି ଯିଏକି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ମନରେ ଯଦି ଦୃଢ଼ ଇଚ୍ଛାଶକ୍ତି ଓ ନିଜ ଉପରେ ଆତ୍ମବିଶ୍ୱାସ ରହିଛି ତେବେ ପ୍ରତ୍ୟେକ ଅସମ୍ଭବ କାମ ସମ୍ଭବ  ହୋଇଥାଏ। ଛତିଶଗଡ଼ ସୁକମା ଜିଲ୍ଲା ମାଝିଡିହି ମାଧ୍ୟମିକ ବିଦ୍ୟାାଳୟରେ ଶିକ୍ଷକ ଭାବେ କାମ କରୁଥିବା ସନ୍ଦିପ ଭଦୋରିଆଙ୍କ ନିକଟରେ ଏହା କହିବା ପ୍ରଯୁଜ୍ୟ ହେଉଛି।

କାରଣ ଏକ ସଡ଼କ ଦୁର୍ଘଟଣାରରେ ସନ୍ଦିପ ଭଦୋରିଆଙ୍କୁ ଡାହାଣ ହାତ ହରାଇବାକୁ ପଡିଥିଲା। କେବଳ ଏତିକି ନୁହେଁ ଏହି ଦୁର୍ଘଟଣା ହେତୁ ତାଙ୍କ ଡାହାଣ ଗୋଡ ବି କାମ କରିବା ବନ୍ଦ କରି ଦେଇଥିଲା। ଭଦୋରିଆଙ୍କ ଏଭଳି ଅବସ୍ଥା ଦେଖି ପରିବାରଲୋକ ଚାକିରିରୁ ଅବସର ନେବା ପାଇଁ କହିଥିଲେ।

କିନ୍ତୁ ଏତେ ସବୁ ପରେ ବି ଭଦୋରିଆ ହାର ମାନି ନ ଥିଲେ । ମନରେ ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ହେତୁ ଭଦୋରିଆ ବାମ ହାତରେ ଲେଖିବା ଅଭ୍ୟାସ କରିଥିଲେ ଓ ପୁଣି ଥରେ ଚାକିରିରେ ଯୋଗ ଦେଇଥିଲେ। କାରଣ ଶିଷ୍ୟର ଭବିଷ୍ୟତ ଗୁରୁଙ୍କ ପାଇଁ ସବୁକିଛି। ଏଥିପାଇଁ ଗୁରୁ ସବୁ ପରୀକ୍ଷାକୁ ସାମ୍ନା କରିବାକୁ ପ୍ରସ୍ତୁତ ଥାଆନ୍ତି। ଯାହା ସନ୍ଦିପଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସେ ସ୍କୁଲରେ ପହଁଞ୍ଚିବା ପାଇଁ ପ୍ରତିଦିନ ପାଖାପାଖି ୫ କିଲୋମିଟର ବଣ, ପାହାଡ ଓ ନଦୀ ଅତିକ୍ରମ କରିଥାଆନ୍ତି।

ଛତିଶଗଡ଼ ସୁକମା ଜିଲ୍ଲା ମାଝିଡିହି ମାଓ ପ୍ରଭାବିତ ଅଞ୍ଚଳ ସତ୍ତ୍ୱେ ଭଦୋରିଆ ବଣ,ପାହଡ ଓ ନଦୀକୁ ଅତିକ୍ରମ କରି ଶିକ୍ଷାଦାନ ଜାରି ରଖିଥିବା ଦେଖି ଗାଁ ଗହଳିର ପିଲାଠାରୁ ବୟସ୍କ ସମସ୍ତେ ତାଙ୍କ ମନୋବଳକୁ ଖୁବ୍‌ ପ୍ରଶଂସା କରଥିଲେ।

ସମ୍ବନ୍ଧିତ ଖବର