ଦେବୀ ଦୁର୍ଗାଙ୍କୁ ଉତ୍ସର୍ଗ କରାଯାଇଥିବା ମନ୍ଦିରଗୁଡ଼ିକ ପବିତ୍ର ଶକ୍ତିପୀଠ ନାମରେ ଜଣାଶୁଣା। ଶକ୍ତିପୀଠ ସଂକ୍ରାନ୍ତରେ ଅନେକ ରହସ୍ୟମୟ କାହାଣୀ ଶୁଣିବାକୁ ମିଳେ। ଛିନ୍ନମସ୍ତା ବୋଲି ସେ ଭଳି ଗୋଟିଏ ଶକ୍ତିପୀଠ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଠାରୁ ୮୦ କିଲୋମିଟର୍ ଦୂର ରାଜରପ୍ପାରେ ଅବସ୍ଥିତ। ରାଜରପ୍ପା ନିର୍ଝର ନିକଟ ଦାମୋଦର ଏବଂ ଭେରା ନଦୀର ସଙ୍ଗମସ୍ଥଳ ନିକଟରେ ଥିବା ଏକ ମୁଣ୍ଡିଆ ଉପରେ ମନ୍ଦିରଟି ଅବସ୍ଥିତ।
ଛିନ୍ନମସ୍ତା ମନ୍ଦିରର ମୁଖ୍ୟ ଆକର୍ଷଣ ହେଉଛି ପଦ୍ମ ଉପରେ ବିଜେ କରିଥିବା କାମଦେବ ଏବଂ ରତିଙ୍କ ଉପରେ ଠିଆ ହୋଇଥିବା ମସ୍ତକହୀନା ଦେବୀ ଛିନ୍ନମସ୍ତା। ଏବଂ ସେ ଦେବୀମୂର୍ତ୍ତିଙ୍କ ବେକରୁ ଅନର୍ଗଳ ରକ୍ତ ବହି ଚାଲିଛି। କେବଳ ଏଇ କାରଣରୁ ହିଁ ତାହା ପ୍ରଖ୍ୟାତ ଶକ୍ତିପୀଠ ଭାବେ ବିବେଚିତ। ବେଦ, ପୁରାଣ ଏବଂ ବିଭିନ୍ନ ହିନ୍ଦୁ ଧର୍ମଗ୍ରନ୍ଥମାନଙ୍କରେ ଏହାର ବର୍ଣ୍ଣନା ରହିଛି। ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ ଏବଂ ନେପାଳରୁ ଲୋକେ ଦେବୀ ଛିନ୍ନମସ୍ତାଙ୍କ ମନ୍ଦିରକୁ ଆସନ୍ତି।
ପୌରାଣିକ ଗ୍ରନ୍ଥରେ ଦେବୀ ଛିନ୍ନମସ୍ତାଙ୍କ ଉତ୍ପତି ସମ୍ପର୍କରେ ବିଭିନ୍ନ କାହାଣୀ ରହିଛି। ସେଥିରୁ ଗୋଟିଏ ହେଲା ଏମିତି। ଅନେକ ଦିନ ତଳେ ଦେବୀ ଭବାନୀ ଏବଂ ତାଙ୍କର ଦୁଇ ସହଚରୀ ଜୟା ଓ ବିଜୟା ମନ୍ଦାକିନୀ ନଦୀକୁ ସ୍ନାନ କରି ଯାଇଥିଲେ। ସ୍ନାନ ଉତ୍ତାରେ ଭବାନୀ ଓ ତାଙ୍କ ସହଚରୀମାନେ ଭୋକ ଜ୍ୱାଳାରେ କଳା ପଡ଼ିଗଲେ।
/sambad/media/post_attachments/wp-content/uploads/2018/02/chhinnamasta-300x107.jpg)
ସହଚରୀମାନେ ଖାଦ୍ୟ ପାଇଁ ଭବାନୀଙ୍କ ନିକଟରେ ଅଳି କରିବାରୁ ଭବାନୀ ତାଙ୍କୁ କ୍ଷଣେ ଅପେକ୍ଷା କରିବାକୁ କହିଲେ। କିନ୍ତୁ, ସେମାନେ ଥରକୁ ଥର ଖାଦ୍ୟ ମାଗିଲେ। ଅଗତ୍ୟା ଭବାନୀ ନିଜ ଖଡ୍ଗ୍ ଯୋଗେ ନିଜ ମସ୍ତକ କାଟି ପକାଇଲେ। ଛିନ୍ନ ଗଳା ବାଟ ଦେଇ ବାହାରିଲା ତିନୋଟି ରକ୍ତର ଫୁଆରା। ସେଥିରୁ ଦୁଇଟି ଫୁଆରା ଗଲା ଭବାନୀଙ୍କ ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ଦୁଇ ସହଚରୀଙ୍କ ପାଟିକୁ। ତୃତୀୟ ଫୁଆରାଟି ଯାଇ ପଡ଼ିଲା ଦେବୀ ଭବାନୀଙ୍କ ଛିନ୍ନ ମସ୍ତିଷ୍କର ମୁଖରେ। ଏମିତିରେ ଦେବୀ ଭବାନୀ ସହଚରୀ ଓ ନିଜର କ୍ଷୁଧା ନିବାରଣ କଲେ। ସେବେଠାରୁ ତାଙ୍କୁ କୁହାଗଲା ଛିନ୍ନମସ୍ତା।
ଶକ୍ତିପୀଠର ଦଶ ମହାବିଦ୍ୟାଙ୍କ ମଧ୍ୟରୁ ଛିନ୍ନମସ୍ତା ଅନ୍ୟତମ। ସେ ବାମହସ୍ତରେ ନିଜର ଛିନ୍ନ ମସ୍ତକ ଧାରଣପୂର୍ବକ ନିଜ ରକ୍ତ ପାନ କରନ୍ତି।