ନୂଆଦିଲ୍ଲୀ: ପ୍ରଥମେ ଅଣ୍ଡା ନା କୁକୁଡ଼ା? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥାଏ। ବିନା ଅଣ୍ଡାରେ କୁକୁଡ଼ା ହବା ଯେପରି ଅସମ୍ଭବ, ବିନା କୁକୁଡ଼ାରେ ଅଣ୍ଡା ବି ଅସମ୍ଭବ। ତେବେ ଆପଣ କେବେ ନା କେବେ ଏବିଷୟରେ ଭାବି ଦ୍ବନ୍ଦ୍ବରେ ପଡ଼ିଥିବେ। କିନ୍ତୁ ବର୍ତ୍ତମାନ କିଛି ବୈଜ୍ଞାନିକ ଏହି ପଜଲ୍କୁ ସମାଧାନ କରିପାରିଛନ୍ତି ବୋଲି ଦାବି କରିଛନ୍ତି।
ତେବେ ଆସନ୍ତୁ ଜାଣିବା ପୃଥିବୀକୁ କିଏ ପ୍ରଥମେ ଆସିଥିଲା, କୁକୁଡ଼ା ନା ଅଣ୍ଡା? ଏହି ପ୍ରଶ୍ନରେ ବୈଜ୍ଞାନିକମାନେ କ’ଣ ଉତ୍ତର ଦେଇଛନ୍ତି? ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟର କିଛି ଅନୁସନ୍ଧାନକାରୀଙ୍କ ଅନୁଯାୟୀ ପ୍ରଚୀନ ଯୁଗରେ ପକ୍ଷୀ ଏବଂ ସରୀସୃପମାନେ ବୋଧହୁଏ ଅଣ୍ଡା ନୁହେଁ, ଛୁଆ ଜନ୍ମ କରୁଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ଅଣ୍ଡା ଦେଉଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ପ୍ରଥମେ କୁକୁଡ଼ା ଓ ପରେ ଅଣ୍ଡା।
ଏହି ଅଧ୍ୟୟନ ‘ନେଚର୍ ଇକୋଲୋଜି ଆଣ୍ଡ୍ ଇଭୋଲ୍ୟୁସନ୍’ ପତ୍ରିକାରେ ବିସ୍ତୃତ ଭାବେ ପ୍ରକାଶ ପାଇଛି। ରିପୋର୍ଟରେ ଦାବି କରାଯାଇଛି ଯେ ହଜାର ହଜାର ବର୍ଷ ପୂର୍ବେ କୁକୁଡ଼ାମାନଙ୍କ ଶାରୀରିକ ଅବସ୍ଥା ଓ ପିଲା ଜନ୍ମ କରିବାର ପ୍ରକ୍ରିୟା ଏବେ ପରି ନଥିଲା। ବର୍ଷକୁ ବର୍ଷ ପରିବର୍ତ୍ତନ ଘଟିଚାଲିଛି।
ଏପରି କିଛି ଜୀବ ଅଛନ୍ତି ଯେଉଁମାନେ ଅଣ୍ଡା ଦିଅନ୍ତି, ଭ୍ରୁଣକୁ ବିକଶିତ କରିପାରନ୍ତି ନାହିଁ। ମାତ୍ର ଏପରିବି ବି କିଛି ଜୀବନ ଅଛନ୍ତି ଯେଉଁମାନେ ଅଣ୍ଡା ଦିଅନ୍ତି ସତ, ମାତ୍ର ଅଣ୍ଡା ଭିତରେ ପୂରା ଭ୍ରୁଣ ହୋଇ ସାରିଥାଏ।
ପକ୍ଷୀ, କୁମ୍ଭୀର ଏବଂ କଇଁଛମାନେ ଅଣ୍ଡା ଦିଅନ୍ତି, ଯେଉଁଥିରେ ଭ୍ରୁଣ ଆଦୌ ବି ହୋଇନଥାଏ। ଅଣ୍ଡା ଦେବାର କିଛି ଦିନ ପରେ ଭ୍ରୁଣ ହୋଇଥାଏ। କିଛି ଜୀବ ଅଛନ୍ତି ଯାହା ଭିତରୁ ଭ୍ରୁଣର ବିକାଶ ସହିତ ଅଣ୍ଡା ଦେଇଥାନ୍ତି। ସାପ ଏବଂ ଝିଟିପିଟି ହେଉଛନ୍ତି ତାହାର ଉଦାହାରଣ। ସେମାନେ ଅଣ୍ଡା ଦେଇଥାନ୍ତି, କିନ୍ତୁ ସେମାନେ ଭ୍ରୁଣକୁ ମଧ୍ୟ ଜନ୍ମ ଦେଇପାରନ୍ତି।