ସାଧାରଣତଃ ନିର୍ବାଚନ ଫଳାଫଳ ଆସିବା ପ‌ରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ରାଜନୈତିକ ଦଳର ନେତା/ନେତ୍ରୀଙ୍କୁ ରାଜ୍ୟପାଳ ସରକାର ଗଠନ ପାଇଁ ଆମନ୍ତ୍ରଣ ଜଣାନ୍ତି। କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ନଥିଲେ କିଛି ଦଳ ମିଶି ମିଳିତ ମନ୍ତ୍ରିମଣ୍ଡଳ ଗଢ଼ନ୍ତି ଏବଂ ସେମାନେ ନିର୍ବାଚିତ କରିଥିବା ନେତା ମୁଖ୍ୟମନ୍ତ୍ରୀ ହୁଅନ୍ତି। କିନ୍ତୁ ସରକାର ଗଢ଼ିଥିବା ଦଳମାନେ ନିଜ ଦଳର ନେତାଙ୍କୁ ନବାଛି ତାଙ୍କ ବଦଳରେ କୌଣସି ନିର୍ଦ୍ଦଳୀୟ ସଦସ୍ୟଙ୍କୁ ନେତା ରୂପେ ସ୍ବୀକାର କରିବା ଏବଂ ତାଙ୍କରି ନେତୃତ୍ୱରେ ସରକାର ଗଠନ କରିବା ଭଳି ଏକ ବିରଳ ଘଟଣା ଘଟିଥିଲା ଓଡ଼ିଶାରେ, ୧୯୭୧ ମସିହାରେ। ସେହି ମୁଖ୍ୟମନ୍ତ୍ରୀ ଥିଲେ ଶ୍ରୀଯୁକ୍ତ ବିଶ୍ବନାଥ ଦାସ।

ସ୍ବରାଜ ମିଶ୍ର

Advertisment

ଘଟଣା‌ଟି ଅତ୍ୟନ୍ତ କୌତୂହଳପୂର୍ଣ୍ଣ। ୫ ମାର୍ଚ୍ଚ ୧୯୭୧ରେ ଓଡ଼ିଶା ବିଧାନସଭାର ୧୪୦ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ କଂଗ୍ରେସ ଦଳ ସର୍ବାଧିକ ୫୧ଟି ଆସନ ପାଇଥିଲେ ହେଁ, ତାହା ସରକାର ଗଠନ ପାଇଁ ଯଥେଷ୍ଟ ନଥିଲା। ଫଳରେ ସ୍ବତନ୍ତ୍ର ଦଳ (୩୬), ଉତ୍କଳ କଂଗ୍ରେସ (୩୩) ଓ ଝାଡ଼ଖଣ୍ଡ ଦଳ (୪) ମିଶି ମିଳିତ ମନ୍ତ୍ରିମଣ୍ଡଳ ଗଢ଼ିଥିଲେ। ମାତ୍ର ସେମାନେ ନିଜ ଦଳରୁ କାହାକୁ ନ ବାଛି ଜଣେ ସର୍ବସମ୍ମତ ନିର୍ଦ୍ଦଳୀୟ ବ୍ୟକ୍ତିଙ୍କ ନେତୃତ୍ବରେ ସରକାର ଗଢ଼ିବାର ନିଷ୍ପତ୍ତି ନେଲେ। ସେହି ବ୍ୟକ୍ତି ଥିଲେ ଓଡ଼ିଶାର ଅନ୍ୟତମ ନିର୍ବିବାଦୀୟ ନେତା ବିଶ୍ବନାଥ ଦାସ। ପରାଧୀନ ଭାରତରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ନିର୍ବାଚନ ପରେ ୧୯୩୭ ଜୁଲାଇ ଠାରୁ ୧୯୩୯ ନଭେମ୍ବର ପର୍ଯ୍ୟନ୍ତ ସେ ପ୍ରଦେଶର ପ୍ରଧାନମନ୍ତ୍ରୀ (ପ୍ରିମିୟର) ପଦରେ ଥିଲେ। ତା’ଛଡ଼ା ସେ ୧୯୬୨ରୁ ୧୯୬୭ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ରାଜ୍ୟପାଳ ମଧ୍ୟ ରହି ସାରିଥିଲେ। ଶ୍ରୀ ଦାସ ମିଳିତ ସାମ୍ମୁଖ୍ୟ ସରକାରର ନେତୃତ୍ବ ନେବା ଲାଗି ପ୍ରଥମେ ଅରାଜି ଥିଲେ, କିନ୍ତୁ ଅଂଶୀଦାର ଦଳଗୁଡ଼ିକର ମିଳିତ ୧୭ ଦଫା କାର୍ଯ୍ୟକ୍ରମ ପଢ଼ିସାରିବା ପରେ ସେ ନିଜର ସମ୍ମତି ଦେଇଥିଲେ। ସ୍ବତନ୍ତ୍ର ଦଳର ନେତା ରାଜେନ୍ଦ୍ର ନାରାୟଣ ସିଂହଦେଓ, ଉତ୍କଳ କଂଗ୍ରେସ ଦଳର ନେତା ନୀଳମଣି ରାଉତରାୟ ଓ ଝାଡ଼ଖଣ୍ଡ ଦଳର ସିଦ୍ଧଲାଲ ମୁର୍ମୁ ଏକାଠି ରାଜ୍ୟପାଳ ଡକ୍ଟର ଏସ୍‌.ଏସ୍‌. ଅନ୍‌ସାରୀଙ୍କୁ ଭେଟି ବିଶ୍ବନାଥ ଦାସଙ୍କ ନେତୃତ୍ବରେ ମିଳିତ ମନ୍ତ୍ରିମଣ୍ଡଳ ଗଢ଼ିବା ପାଇଁ ଲିଖିତ ପ୍ରସ୍ତାବ ଦେଲେ ଏବଂ ୧୯୭୧ ଏପ୍ରିଲ୍‌ ୩ ତାରିଖରେ ଓଡ଼ିଶାର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେଲା।
ଶ୍ରୀ ଦାସ ବିଧାନସଭାର ସଦସ୍ୟ ନଥାଇ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ନିୟମ ଅନୁଯାୟୀ ୬ ମାସ ମଧ୍ୟରେ ତାଙ୍କୁ ବିଧାନସଭାକୁ ନିର୍ବାଚିତ ହୋଇ ଆସିବା କଥା।

ଏଣୁ ତାଙ୍କ ପାଇଁ ଉପଯୁକ୍ତ ନିର୍ବାଚନ ମଣ୍ଡଳୀଟିଏ ବାଛିବାର ଥିଲା। ସାଧାରଣତଃ ଏଭଳି ଉପନିର୍ବାଚନ ପାଇଁ ସୁରକ୍ଷିତ ଆସନଟିଏ ଚୟନ କରାଯାଏ। ଶାସକ ଦଳର କେହି ଜଣେ ସଦସ୍ୟ ଇସ୍ତଫା ଦେବାପରେ ସେହି ସ୍ଥାନରୁ ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ଲଢ଼ନ୍ତି। ମାତ୍ର ପ୍ରଚଣ୍ଡ ନୀତିନିଷ୍ଠ ତଥା ଆଦର୍ଶବାଦୀ ନେତା ବିଶ୍ବନାଥ ଦାସ ସେପରି କରି ନ ଥିଲେ। ସେ ବିରୋଧୀ କଂଗ୍ରେସ ଦଳ ଖାଲି କରିଥିବା ରାଉରକେଲା ଆସନକୁ ବାଛିଥିଲେ। କଂଗ୍ରେସ ଦଳର ଶ୍ୟାମସୁନ୍ଦର ମହାପାତ୍ର ସେତେବେଳେ ବାଲେଶ୍ବର ଲୋକସଭା ଓ ରାଉରକେଲା ବିଧାନସଭା ଉଭୟ ଆସନରୁ ନିର୍ବାଚନ ଜିଣିଥିଲେ। କେନ୍ଦ୍ରରେ କଂଗ୍ରେସ ଦଳ ସରକାର ଗଢୁଥିବାରୁ ସେ ବାଲେଶ୍ବର ଲୋକସଭା ଆସନଟି ରଖି, ରାଉରକେଲା ବିଧାନସଭା ଆସନ ଖାଲି କଲେ ଏବଂ ବିଶ୍ବନାଥ ଦାସ ଏହି ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିଲେ। ଶ୍ରୀ ଦାସ ମୂଳତଃ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଏବଂ ରାଉରକେଲା ସହ ତାଙ୍କର କୌଣସି ରାଜନୈତିକ ସମ୍ପର୍କ ନଥିଲା। ଏଣୁ ବିରୋଧୀ କଂଗ୍ରେସ ଦଳ ତାଙ୍କୁ ଟକ୍କର ଦେବା ପାଇଁ ବାଛିଥିଲେ ବ୍ରହ୍ମପୁରର ଅନ୍ୟତମ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ନେତା ବିନାୟକ ଆଚାର୍ଯ୍ୟଙ୍କୁ। ସେଥର ବିଧାନସଭା ନିର୍ବାଚନରେ ବ୍ରହ୍ମପୁର ଆସନରୁ ୭୯.୧୪ ପ୍ରତିଶତ ଭୋଟ୍‌ ପାଇ ବିନାୟକ ବାବୁ ରେକର୍ଡ ବ୍ୟବଧାନରେ ନିର୍ବାଚନ ଜିତିଥାନ୍ତି ଏବଂ ବିରୋଧୀ ଦଳର ନେତା ହୋଇଥାନ୍ତି। କଂଗ୍ରେସ ଦଳ ତାଙ୍କୁ ପ୍ରାର୍ଥୀ କରି ମିଳିତ ସାମ୍ମୁଖ୍ୟକୁ ଏକ ବଡ଼ ଚକ୍‌ମା ଦେବା ପାଇଁ ସମସ୍ତ ଶକ୍ତି ଖଟାଇ ଦେଇଥିଲା। ରାଜ୍ୟର ଦୁଇ ଶୀର୍ଷ ନେତୃତ୍ବ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ଭିତରେ ଏହି ସିଧାସଳଖ ଲଢ଼େଇର ପରିଣାମ ନେଇ ସାରା ରାଜ୍ୟରେ ପ୍ରବଳ ଉତ୍କଣ୍ଠା ଥାଏ। ପର୍ଯ୍ୟବେକ୍ଷକମାନେ ମଧ୍ୟ ଏକପ୍ରକାର ଧରି ନେଇଥାନ୍ତି ଯେ ରାଜନୈତିକ ପେଞ୍ଚ ଖେଳି ପାରୁ ନଥିବା ବୟୋବୃଦ୍ଧ ନେତା ବିଶ୍ବନାଥ ନିଶ୍ଚୟ ପରାଜିତ ହେବେ। ମାତ୍ର ଉପନିର୍ବାଚନର ଫଳାଫଳ ହେଲା ଓଲଟା।

ଆଶ୍ଚର୍ଯ୍ୟଜନକ ଭାବରେ ବିଶ୍ବନାଥ ଦାସ ହିଁ ବିଜୟୀ ହେଲେ। କଂଗ୍ରେସର ଶ୍ୟାମସୁନ୍ଦର ମହାପାତ୍ର ପୂର୍ବ ନିର୍ବାଚନରେ ୧୭୮୭୦ ଭୋଟ୍‌ ପାଇଥିବା ବେଳେ, ବିନାୟକ ଆଚାର୍ଯ୍ୟ ପାଇଲେ ୧୯୪୫୬ ଖଣ୍ଡ ଭୋଟ୍‌। ମାତ୍ର ବିଶ୍ବନାଥ ଦାସ ୨୧,୩୦୮ ଖଣ୍ଡ ଭୋଟ୍‌ ପାଇ ୧୮୫୨ ଭୋଟ୍‌ ବ୍ୟବଧାନରେ ବିଜୟୀ ହେଲେ। ବଳିଷ୍ଠ ବ୍ୟକ୍ତିତ୍ବ, ସ‌ାଧୁତା ଓ ସରଳତା ହିଁ ଥିଲା ତାଙ୍କର ସମ୍ବଳ। ଏଥିପାଇଁ ଓଡ଼ିଶାବାସୀ ତାଙ୍କୁ ଗଭୀର ଶ୍ରଦ୍ଧା କରୁଥିଲେ। କୌଣସି ଦଳୀୟ ଚିହ୍ନ ବିନା ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ରୂପେ ବିରୋଧୀଙ୍କ ଗଡ଼ରେ ବିଜୟୀ ହୋଇ ସେ ତାଙ୍କର ବିଶ୍ବସନୀୟତା ଓ ବଳିଷ୍ଠ ନେତୃତ୍ବର ପ୍ରମାଣ ଦେଇଥିଲେ। ୧୯୩୭ରେ କଂଗ୍ରେସ ମନ୍ତ୍ରିମଣ୍ଡଳର ନେତୃତ୍ବ ନେଇ ସ୍ବତନ୍ତ୍ର ‌ଓଡ଼ିଶା ପ୍ରଦେଶର ପ୍ରଧାନମନ୍ତ୍ରୀ ପଦରେ ଶପଥ ନେବାବେଳେ ବିଶ୍ବନାଥ ଦାସଙ୍କର ବୟସ ଥିଲା ମାତ୍ର ୪୮। ଦୀର୍ଘ ବ୍ୟବଧାନ ପରେ, ୮୨ ବର୍ଷର ପରିଣତ ବୟସରେ ସେ ପୁଣିଥରେ ରାଜ୍ୟର ଶାସନଭାର ସମ୍ଭାଳିଲେ। ଓଡ଼ିଶାର ସବୁଠାରୁ ବୟୋଜ୍ୟେଷ୍ଠ ମୁଖ୍ୟମନ୍ତ୍ରୀ ତଥା ନିର୍ଦ୍ଦଳୀୟ ସଦସ୍ୟ ଭାବେ ରାଜ୍ୟର ପ୍ରଥମ ଓ ଏକମାତ୍ର ମୁଖ୍ୟମନ୍ତ୍ରୀ ହେବାର ବିରଳ ରେକର୍ଡଟି ତାଙ୍କରି ନାମରେ ରହିଲା।