କେବେ ବର୍ଷାଋତୁରେ ଚିକମଗଲୂର୍‌ ବୁଲିଯିବା କଥା ଭାବିଛନ୍ତି? ବର୍ଷାକାଳରେ କର୍ଣ୍ଣାଟକର ଚିକମଗଲୂର୍‌ ପରିଦର୍ଶନ ନିଶ୍ଚୟ ଆପଣଙ୍କୁ ନିଆରା ଅନୁଭୂତି ଦେବ। ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଚିକମଗଲୂର ଭ୍ରମଣ ବେଶ୍‌ ଉପଭୋଗ୍ୟ। ଏଠାରେ ବୁଲି ଦେଖିବା ଭଳି ଅନେକ ସ୍ଥାନ ରହିଛି। 

Advertisment

ମୁଲ୍ଲାୟନଗିରି: ୧୯୩୦ ମିଟର ଉଚ୍ଚ ମୁଲ୍ଲାୟନଗିରି ହେଉଛି କର୍ଣ୍ଣାଟକର ସର୍ବୋଚ୍ଚ ପର୍ବତ। ଆକର୍ଷକ ପରିବେଶ ଓ ମନୋରମ ଦୃଶ୍ୟାବଳି ପାଇଁ ପ୍ରସିଦ୍ଧ ଏହି ପାର୍ବତ୍ୟାଞ୍ଚଳ ବ୍ୟସ୍ତବହୁଳ ଜୀବନରୁ ବିରତି ନେଇ କିଛି ସମୟ ବିତାଇବା ଲାଗି ଗୋଟାଏ ଆଦର୍ଶ ସ୍ଥାନ। ଏହାର ଶ୍ୟାମଳିମାମୟ ଶିଖର ଆରୋହଣ ଖୁବ୍‌ ରୋମାଞ୍ଚକର। ଫଟୋଗ୍ରାଫିରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଏହାକୁ ସ୍ବର୍ଗ କହିଲେ ଅତ୍ୟୁକ୍ତି ହେବନାହିଁ।

ବାବା ବୁଦନଗିରି: ପଶ୍ଚିମଘାଟ ପର୍ବତମାଳା ଅନ୍ତର୍ଗତ ଏହି ପର୍ବତର ନାମକରଣ ସୁଫି ସନ୍ଥ ବାବା ବୁଦନଙ୍କ ନାମାନୁସାରେ କରାଯାଇଛି। ଗୁମ୍ଫା ଓ ପର୍ବତାରୋହଣ ନିମନ୍ତେ ଏ ଅଞ୍ଚଳ ବିଖ୍ୟାତ। ଏହି ଧର୍ମପୀଠାରୋହଣ କରି ସୁପ୍ରାଚୀନ ଗୁମ୍ଫା ଦେଖିବା ସହିତ ଚତୁଃପାର୍ଶ୍ବସ୍ଥ ପର୍ବତ ଓ ଉପତ୍ୟକା ଦେଖିହେବ। ଏହା ଦତ୍ତଗିରି ରୂପେ ମଧ୍ୟ ଜଣାଶୁଣା। ଏହା ନିକଟରେ ଥିବା ମାଣିକ୍ୟଧାର ଜଳପ୍ରପାତ ଦେଖିବାକୁ ମଧ୍ୟ ପର୍ଯ୍ୟଟକ ସମାଗମ ହୋଇଥାଏ।  

କୁଦ୍ରେମୁଖ ଜାତୀୟ ଉଦ୍ୟାନ: ଜୈବ ବିବିଧତାର ଗନ୍ତାଘର କୁଦ୍ରେମୁଖ ଜାତୀୟ ଉଦ୍ୟାନ। ପ୍ରାଣୀ ଓ ବୃକ୍ଷଲତା ନିମନ୍ତେ ପ୍ରସିଦ୍ଧ ୬୦୦ ବର୍ଗ କିଲୋମିଟର ପରିମିତ ଏହି ଉଦ୍ୟାନ ବାଘ, କଲରାପତ୍ରିଅା ଓ ମୃଗଙ୍କ ବାସସ୍ଥଳୀ। ଏଠାରେ ପର୍ବତାରୋହଣ ସହ ବନ୍ୟଜନ୍ତୁ ସଫାରି ବି ବୁଲିହେବ।


ହେବ୍ବେ ଜଳପ୍ରପାତ: ଶୈଳନିବାସ କେମ୍ମନଗୁଣ୍ଡୀ ଅଞ୍ଚଳରେ ଥିବା ହେବ୍ବେ ଜଳପ୍ରପାତ ଖୁବ୍‌ ପ୍ରସିଦ୍ଧ। ୧୬୮ ମିଟର୍‌ ଉଚ୍ଚରୁ ଦୁଇ ଭାଗରେ ଦୁଇଟି ନାମରେ ଝରିପଡୁଥିବା ସେ ପ୍ରପାତର ଜଳଧାରା ଦୃଶ୍ୟ ଖୁବ୍‌ ମନୋରମ୍ୟ। ପର୍ଯ୍ୟଟକମାନେ ପର୍ବତାରୋହଣ କରି ସେ ଜଳପ୍ରପାତ ନିକଟକୁ ଯାଆନ୍ତି। ପ୍ରପାତରୁ ସୃଷ୍ଟି ହୋଇଥିବା ଜଳାଶୟରେ ଅନେକେ ସନ୍ତରଣ କରନ୍ତି।

ହିରେକୋଲେ ହ୍ରଦ: ଚିକମଗଲୂର୍‌ ପ୍ରାକୃତିକ ପରିବେଷ୍ଟନୀରେ ଅବସ୍ଥିତ ହିରେକୋଲେ ହ୍ରଦ ନୌକାବିହାର, ଫଟୋ ଉତ୍ତୋଳନ ଓ ବଣଭୋଜି ପାଇଁ ଜଣାଶୁଣା। ଏଠାକାର ସୂର୍ଯ୍ୟା‌ସ୍ତ ବି ବେଶ୍‌ ଉପଭୋଗ୍ୟ।

କଲହଟ୍ଟୀ ଜଳପ୍ରପାତ: କାଲହସ୍ତୀ ନାମରେ ଖ୍ୟାତ ଏ ମନୋହର ଜଳପ୍ରପାତ ୧୨୨ ମିଟର୍‌ ଉଚ୍ଚରୁ ଝରିପଡୁଛି। ଘନ ଅରଣ୍ୟ ପରିବେଷ୍ଟନୀରେ ଅବସ୍ଥିତ ଏହି ପ୍ରପାତ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏହା ଅନେକ ଆରୋଗ୍ୟକାରୀ ଔଷଧୀୟ ଉଦ୍ଭିଦଙ୍କ ଗନ୍ତାଘର ମଧ୍ୟ। 

କଫିତୋଟା: ବ୍ୟାପକ କଫିଚାଷ ପାଇଁ ବି ଚିକମଗଲୂର୍‌ ସୁପରିଚିତ। ଏ ଅଞ୍ଚଳରେ ଥିବା କଫିତୋଟା ବୁଲି ପର୍ଯ୍ୟଟକମାନେ କଫି ଚାଷ, ଉତ୍ପାଦନ ଓ ପ୍ରସ୍ତୁତି ଆଦି ବିଷୟ ଜାଣନ୍ତି। କେତେକ କଫିତୋଟାରେ ହୋମ୍‌ଷ୍ଟେ ଭଳି ସୁବିଧା ବି କରାଯାଇଛି।