ନିଃସନ୍ତାନ ଉତ୍ତରପ୍ରଦେଶ ଦମ୍ପତିଙ୍କର ୫୧ ପିଲା

ମୁଜାଫରନଗର: ନିଜେ ସନ୍ତାନ ଉତ୍ପନ କରିବାକୁ ଅସମର୍ଥ ଗୋଟିଏ କୃଷକ ଦମ୍ପତି ୧୯୯୦ ମସିହାରେ ଜଣେ ପରିତ୍ୟକ୍ତ ଦିବ୍ୟାଙ୍ଗ ବାଳକକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପାଖାପାଖି ତିନି ଦଶନ୍ଧି ପରେ ସେମାନେ ଏ ପ୍ରକାରଣ ୫୧ ଜଣ ପିଲାଙ୍କର ପିତାମାତା ହେବାର ଗୌରବ ଅର୍ଜନ କରିଛନ୍ତି।

ଶୁକରତାଲ୍‌ରେ ଖଣ୍ଡେ ଆଠ ଭିଗା ଦାନ ଜମିରେ ସେ ଦମ୍ପତି ଚଳାଇଛନ୍ତି ଏକ ଅନାଥାଶ୍ରମ। ଅନାଥାଶ୍ରମ ହତା ଭିତରେ ଅଛି ଗୋଟାଏ ଛୋଟିଆ ସ୍କୁଲ୍‌। ଏବେ ସେମାନଙ୍କ ତତ୍ତ୍ୱାବଧାନରେ ଅଛନ୍ତି ୪୬ ଜଣ ପିଲା। ବାକି ଅନ୍ୟମାନେ ବଢ଼ିକୁଢ଼ି ଚାକିରି ବାକିରି କରି କି, ବାହାସାହା ହୋଇ କିଏ କୁଆଡ଼େ ଗଲେଣି। ଅନୁଦାନ ଅର୍ଥରେ ଚାଲିଛି ଏଠାକାର ସବୁ ଖର୍ଚ୍ଚ।

୧୯୮୧ ମସିହାରେ ଶାମିଲ ଅନ୍ତର୍ଗତ କୁଦାନା ଗାଁ’ର ମୀନା ରାଣା ବାଘପାତବାସୀ ବୀରେନ୍ଦ୍ର ରାଣାଙ୍କୁ ବିବାହ କରିଥିଲେ। ଏବେ ଉଭୟଙ୍କ ବୟସ ଯଥାକ୍ରମେ ୫୦ ଓ ୫୫। ବିଭାଘରର ଦଶ ବର୍ଷ ପରେ ସେମାନେ ଜାଣିଲେ ଯେ ମୀନା ଜରାୟୁରେ ଟ୍ୟୁମର୍‌ ହୋଇଥିବାରୁ ସେ ଗର୍ଭଧାରଣ କରିବାକୁ ଅସମର୍ଥ। ତା’ପରେ ୧୯୯୦ ମସିହାରେ ସେମାନେ ଶୁକରତାଲକୁ ଚାଲି ଆସି ଛୋଟ ଜମି ଖଣ୍ଡେ କିଣିଲେ। ଗୋଟିଏ ବର୍ଷିକିଆ ପରିତ୍ୟକ୍ତ ବାଳକକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରି ତା’ ନା’ ଦେଲେ ମାଙ୍ଗେରାମ୍‌। ପାଞ୍ଚ ବର୍ଷ ପରେ ସେ ପିଲାଟି ମରିଗଲା। ମାତ୍ର ସେମାନେ ପୁଣି ଅନ୍ୟ ପରିତ୍ୟକ୍ତ ଶିଶୁଙ୍କୁ ଗ୍ରହଣ କଲେ।

ମୀନା କହନ୍ତି: ପିଲା ହିନ୍ଦୁ ହେଉ କି, ମୁସଲମାନ ହେଉ ମୋର କିଛି ଯାଏ ଆସେ ନାହିଁ। ସେମାନେ ମୋ ପିଲା ବୋଲି ମୁଁ ଜାଣେ। ଏହି ପିଲାମାନଙ୍କର ଶିକ୍ଷା ହିଁ ହେଉଛି ଆମର ମୂଳ ଲକ୍ଷ୍ୟ।

ଏବେ ସେମାନଙ୍କ ସହ ରହୁଥିବା ୪୬ ଜଣ ପିଲାଙ୍କ ମଧ୍ୟରେ ଅଛନ୍ତି ୧୯ ଜଣ ବାଳିକା ଏବଂ ୨୭ ଜଣ ବାଳକ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିବ୍ୟାଙ୍ଗ।

ତାଙ୍କ ଅନାଥାଶ୍ରମରେ ଅଛି ସବୁ ଜିନିଷ ଥିବା ରୋଷଘର, ଅନେକ କୋଠରି ଏବଂ ବଡ଼ ଖେଳ ପଡ଼ିଆ।
ଶୁକରତାଲା ପଞ୍ଚାୟତ ତାଙ୍କୁ ଖଣ୍ଡେ ବଡ଼ ଜମି ଯୋଗାଇ ଦେଇଛି। ସଉଦାପତ୍ର ଏବଂ ଅନ୍ୟାନ୍ୟ ଜିନିଷ ପାଇଁ ସେମାନେ ଦାନ ଉପରେ ନିର୍ଭର କରନ୍ତି। ପଡ଼ୋଶୀମାନେ ତାଙ୍କୁ ଗହମ ଏବଂ ଅନ୍ୟାନ୍ୟ ମୁଖ୍ୟ ଖାଦ୍ୟ ପଦାର୍ଥ ଯୋଗାଇ ଦିଅନ୍ତି।

ସେ ଦମ୍ପତିଙ୍କ ଦ୍ୱାରା ଲାଳିତ ପାଳିତ ୨୨ ବର୍ଷୀୟ ମମତା ଏବେ ଜିଲ୍ଲା କଲେଜରେ ସ୍ନାତକୋତ୍ତର କରୁଛି। ସେ କହନ୍ତି: ସେମାନେ ମୋ ତତ୍ତ୍ୱ ନ ନେଇ ଥିଲେ ମୋର ଭବିଷ୍ୟତ କ’ଣ ହୋଇ ଥାଆନ୍ତା ମୁଁ ଜାଣେନା। ମୋ ଜୀବନ ସେମାନଙ୍କ ପାଖରେ ଋଣୀ। ମମତା ଏବେ ସ୍ୱେଚ୍ଛାସେବୀ ହୋଇ ଅନାଥାଶ୍ରମର ବିଭିନ୍ନ ଦାୟିତ୍ୱ ମଧ୍ୟ ନିର୍ବାହ କରୁଛି।

ମୀନା ଏବଂ ବୀରେନ୍ଦ୍ର ଯାହା କରୁଛନ୍ତି ତାହା ଆମ ଭିତରୁ ଅନେକ କରି ପାରିବେ ନାହିଁ। ତାଙ୍କୁ ଜମି ଖଣ୍ଡେ ଦେଇ ଆମେ ନିମିତ୍ତ ମାତ୍ର ସାହାଯ୍ୟ କରିଛୁ ବୋଲି ଶୁକରତାଲର ମୁଖିଆ ସୁଶୀଳ ଶର୍ମା କହନ୍ତି।

ସମ୍ବନ୍ଧିତ ଖବର