ନୂଆଦିଲ୍ଲୀ: ପଞ୍ଜାବର ମାନସା ଜିଲ୍ଲାରୁ ଭାବୁକ କରିଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ଶିଶୁ ତାଙ୍କ ବାପା ଅସୁସ୍ଥ ଥିବାରୁ ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ନୀରିହ ଶିଶୁଙ୍କ ଆକୁଳ ଅନୁରୋଧ ରକ୍ଷା କରି ଅନେକ ଲୋକ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ।
ଏହି ଘଟଣା ପଞ୍ଜାବର ମାନସାର ରୋଡକି ଗ୍ରାମର ରହିଛି। ଏଠାରେ ଜଣେ ଶିଶୁ ବିକଳ ହୋଇ ବାପା କରୁଥିବା ଚାଷ ଜମିରୁ ବାଲି ହଟାଇବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ବନ୍ୟା ହେତୁ ଲୋକଙ୍କ ଘରେ ଓ ଚାଷ ଜମିରେ ପାଣିପଶି ଯାଇଥିଲା। ଏହି ପାଣି ଛାଡ଼ିଯିବା ପରେ ବାଲି ମାଡ଼ି ଯାଇଥିଲା। ଲୋକେ ତାହାକୁ ସଫା କରି ଚାଷ କାମ ଆରମ୍ଭ କରିଲେଣି।
ଏହାକୁ ଦେଖି ନିଜ ଚାଷ ଜମିରେ ପହଞ୍ଚି ଅନ୍ୟ ଚାଷ ଜମିରେ କାମ କରୁଥିବା ଲୋକଙ୍କୁ ଅନୁରୋଧ କରି ଶିଶୁ କହିଥିଲେ, ‘ମୋର ବାପା ଏଇ କିଛିଦିନ ହେବ ଅସୁସ୍ଥ ହୋଇ ପଡ଼ିଛନ୍ତି। ତେଣୁ ଚାଷ ଜମିରେ ମାଡ଼ିଯାଇଥିବା ବାଲିକୁ ସେ ବାହାର କରି ପାରୁ ନାହାନ୍ତି। ଦୟାକରି ଆପଣମାନେ ସାହାଯ୍ୟ କରନ୍ତୁ।’
ଶିଶୁଙ୍କ ଏଭଳି ଅନୁରୋଧକୁ ଶୁଣି ଘଟଣାସ୍ଥଳରେ ଥିବା ଲୋକେ ୧୨ରୁ ଅଧିକ ଟ୍ରାକ୍ଟର ନେଇ ପହଞ୍ଚି ଯାଇଥିଲେ। ଆଉ ଉକ୍ତ ବାଳକଙ୍କ ବାପାଙ୍କର ଥିବା ଏକ ଏକର ଜମିରେ ଟ୍ରାକ୍ଟର ଚଲାଇ ବାଲି ବାହାର କରିଥିଲେ। ଚାଷ ଜମି ପୁଣିଥରେ ଚାଷ ଉପଯୋଗୀ ହେବା ଦେଖି ଶିଶୁ ଖବୁ ଖୁସି ହୋଇଯାଇଥିଲେ।